ଶେଠ୍ ପ୍ରଭୁଦୟାଲ୍ ଜଣେ ବିଶିଷ୍ଟ ଧନୀ ବ୍ୟକ୍ତି ଥିଲେ । ଦୂର ଦେଶକୁ ଯାଇ ସେ ବଣିଜ କରୁଥିଲେ । ତାଙ୍କର ଦୁଇ ପୁଅ ଥିଲେ । ସେମାନେ ବଡ ହେବାପରେ ପ୍ରଭୁଦୟାଲ୍ ନିଜେ ଆଉ କୁଆଡେ ବି ନ ଯାଇ ପୁଅମାନଙ୍କ ଉପରେ ସେ କାର୍ଯ୍ୟ ଛାଡିଦେଲେ । ନିଜେ ଘରେ ବସି କେବଳ ହିସାବକିତାବ ବୁଝିବାକୁ ଲାଗିଲେ ।
ଲୋକଙ୍କର ଧାରଣା ଶେଠ୍ ଅମାପ ଧନର ଅଧିକାରୀ । ପ୍ରକୃତରେ କଥାଟା ମିଛ ନୁହେଁ କାରଣ ଶେଠ୍ ନିଜେ ବି ଜାଣନ୍ତି ନାହିଁ ତାଙ୍କ ପାଖରେ କେତେ କ’ଣ ଅଛି?
ଥରକର ଘଟଣା । ପ୍ରଭୁଦୟାଲ୍ ସ୍ୱପ୍ନ ଦେଖିଲେ ଯେ, ତାଙ୍କ ଘର ନିକଟରେ ଏକ ଜମିରେ ସୁନାଭର୍ତ୍ତି କଳସୀମାନ ରହିଛି । ତାଙ୍କର ନିଦ ଭାଙ୍ଗିଗଲା । ସେ ଉଠିପଡି ଘରୁ ବାହାରି ଆସିଲେ । ସେତେବେଳେ ଅନ୍ଧାର ରାତି । ଚାରିଆଡ ଶୂନଶାନ୍ । ଶେଠ୍ଜୀ ସ୍ୱପ୍ନରେ ଦେଖିଥିବା ଜମି ଆଡକୁ ଏକାକୀ ଚାଲିଲେ । କିଛିସମୟ ପରେ ସେଠାରେ ଚୌକିଦାର ପ୍ରଭୁଦୟାଲ୍ଙ୍କୁ ଦେଖି ପଚାରିଲେ, “ଶେଠଜୀ । ଏତେ ରାତିରେ ଆପଣ ଏଠି କ’ଣ କରୁଛନ୍ତି?” ତହୁଁ ଶେଠ୍ଜୀ କହିଲେ, “ନାଁ, ସେମିତି କିଛି ନୁହେଁ । ଗରମ ହେବାରୁ ପବନ ଖାଇବାକୁ ମୁଁ ଟିକେ ଏଠାକୁ ଚାଲି ଆସିଲି ।”
ଦିନ ଗଡି ଚାଲିଲା । ଶେଠ୍ଜୀ ଦେଖିଥିବା ସ୍ୱପ୍ନ କଥା କାହାକୁ ହେଲେ ମଧ୍ୟ କହିଲେ ନାହିଁ । ହେଲେ ସବୁବେଳେ ସେ ଖାଲି ସେଇ ସୁନା କଳସୀ କଥା ଭାବିବାକୁହିଁ ଲାଗିଲେ । ଅନେକ ସମୟରେ ସେ ରାତିରେ କୋଦାଳ ଧରି ସେହି ଜମିକୁ ମଧ୍ୟ ଖୋଳିବାରେ ଲାଗିଲେ । ହେଲେ କିଛି ମଧ୍ୟ ସେ ପାଇଲେ ନାହିଁ । ତେଣୁ ଦିନକୁ ଦିନ ତାଙ୍କ ବ୍ୟବହାର ବଡ ବିଚିତ୍ର ଜଣାପଡିଲା । ଏହାଦେଖି ଘର ଲୋକମାନେ ମଧ୍ୟ ବିବ୍ରତ ହୋଇପଡିଲେ ।
ଶେଠଜୀଙ୍କର ଏପରି ଅବସ୍ଥା ଦେଖି ତାଙ୍କର ବଡ ପୁଅ ବୈଦ୍ୟଙ୍କୁ ଡକାଇ ଚିକିତ୍ସା କଲେ । ମାତ୍ର ଫଳ ଆଦୌ କିଛି ହେଲେ ବି ହେଲା ନାହିଁ । କାରଣ ତାଙ୍କର ରୋଗ ଥିଲା ମନରେ ।
ଏହାପରେ ଶେଠ୍ଜୀ ସେହି ଜମିକୁ ନିଜ ନାଁରେ କିଣିନେଲେ । ଏବେ ସେ ସେହି ଜମିର ମାଲିକ ହେଲେ । ତେଣୁ ସେ ନିଜ ଇଚ୍ଛା ମୁତାବକ ଜମି ଚାରିପଟେ ଉଚ୍ଚା ପାଚେରୀ ତିଆରି କରିଦେଲେ । ପାଚେରୀରେ ଗୋଟିଏ ମଜବୁଦ କବାଟ ଲଗାଇ ସେଥିରେ ଏକ ବଡ ତାଲା ଝୁଲେଇଦେଲେ ଏବଂ ଚାବି ନିଜ ପାଖରେ ବଡ ଯତ୍ନରେ ରଖିଲେ ।
ଦିନେ ଶେଠ୍ଜୀ ପାଚେରୀର ଦ୍ୱାର ମୁହଁରେ ଠିଆ ହୋଇଛନ୍ତି; ଏତିକିବେଳେ ଜଣେ ସାଧୁ ଆସି ସେଠାରେ ପହଁଚିଲେ । ତାଙ୍କୁ ଦେଖି ଶେଠ୍ଜୀ ପ୍ରଣାମ କଲେ । ସାଧୁ ଆଶୀର୍ବାଦ କରି କହିଲେ, “ବତ୍ସ! ତୁମେ ମନରେ କ’ଣ ଚିନ୍ତା କରୁଥିବା ପରି ଜଣାପଡୁଛ ।”
ଶେଠ୍ଜୀ ଏହା ଶୁଣି ଚମକିପଡି କହିଲେ “ଆପଣ ତ ଅନ୍ତର୍ଯ୍ୟାମୀ । କୁହନ୍ତୁ ମୋର ଏ ମାନସିକ ଦୁଶ୍ଚିନ୍ତା କିପରି ଦୂରହେବ?”
ସାଧୁ ହସିହସି କହିଲେ, “ତୁମେ ଯେଉଁ ସ୍ୱପ୍ନ ପଛରେ ଧାଇଁଛ ତାହା ଭୁଲିଯାଅ । ପାଚେରୀ ଘେରେଇଥିବା ସେ ଜମିରେ କିଛି ନାହିଁ । କିନ୍ତୁ ମୁଁ ଜାଣେ ତୁମ ବଂଶର ଧନ କେଉଁଠି ଅଛି ।”
ଏହାଶୁଣି ଶେଠ୍ଜୀ ସେ ସାଧୁଙ୍କ ପାଦଧରି କହିଲେ, “ବାବା! ମତେ ତେବେ ଉଦ୍ଧାର କରନ୍ତୁ ।”
ସାଧୁ କହିଲେ, “ଠିକ୍ ଅଛି । ମୁଁ ତୁମର ଗୁପ୍ତଧନର ସନ୍ଧାନ ଦେବି, ହେଲେ ତମେ ମତେ କ’ଣ ଦେବ?”
ଶେଠ୍ଜୀ ଆଶ୍ଚର୍ଯ୍ୟ ହୋଇ କହିଲେ, ବାବା! ଆପଣ ତ ସଂସାର ତ୍ୟାଗୀ, ଧନ ଆପଣଙ୍କର କ’ଣ ହେବ?”
ସାଧୁ ଉତ୍ତର ଦେଲେ, “ଭାଇ! ଯେତେଯାହା ହେଲେ ମୁଁ ବି ତ ଜଣେ ମଣିଷ । ତୁମେ ଗୋଟିଏ ଜିନିଷ ଚାହୁଁଛ । ମୁଁ ତାହା ପୂରଣ କରିବି । ଚାହିଁଲେ ଜିନିଷଟି ଅଧାଅଧା କରି ନେଇପାରିବା । ତେଣୁ ତୁମର ଅଧା ଧନ ମୁଁ ନେବି । କ’ଣ ସେଥିରେ ତୁମେ ରାଜି ତ?
ଶେଠ୍ଜୀ କିଛିସମୟ ଭାବି କହିଲେ – “ଯାହା ଆପଣଙ୍କର ଇଚ୍ଛା । ଯୋଉତକ ବି ଧନ ମିଳିବ ସେଥିରୁ ଅଧା ମୁଁ ଆପଣଙ୍କୁ ଦେବି ।”
ଏହାପରେ ସାଧୁ ଶେଠ୍ଜୀଙ୍କ ଘର ଭିତରେ ଥିବା ଏକ ଗଛକୁ ଦେଖାଇ କହିଲେ, “ଏହାରି ତଳେ ଗୁପ୍ତଧନ ଅଛି । ମୁଁ ଏବେ ଯାଉଛି । ପରେ ଆସି ମୁଁ ମୋ ଭାଗ ନେଇଯିବି ।”
ସାଧୁ ସେଠାରୁ ଚାଲିଯିବା ପରେ ଶେଠ୍ଜୀ କୋଦାଳ ନେଇ ଗଛମୂଳକୁ ଖୋଳିବା ଆରମ୍ଭ କରିଦେଲେ । ସତକୁସତ କିଛିସମୟ ପରେ ସେ ସୁନା ଭର୍ତ୍ତିହୋଇଥିବା ଦୁଇଟି କଳସୀ ପାଇଲେ । ମନ ଖୁସିରେ ସେ କଳସୀ ଦୁଇଟିକୁ ତାଙ୍କ ଆଲମାରିରେ ସେ ରଖିଦେଲେ ।
କିଛିଦିନ ପରେ ସାଧୁ ଆସି ପଚାରିଲେ, “ଶେଠ୍ଜୀ! ତୁମେ ଧନ ପାଇଲ?”
ଶେଠଜୀ କହିଲେ – “ହଁ, ଗୋଟିଏ କଳସୀ ପାଇଲି ।”
“ତେବେ ଠିକ୍ ଅଛି, ମୋ ଭାଗ ମତେ ଦେଇଦିଅ ।”
ଶେଠ୍ଜୀ ଟିକେ ଅପ୍ରସ୍ତୁତ ହୋଇ ପଡିଲେ । ଏତିକିବେଳେ ତାଙ୍କ ପାଖରେ ଠିଆ ହୋଇଥିବା ତାଙ୍କର ବଡପୁଅକୁ ଦେଖାଇ ସାଧୁ କହିଲେ, “ତୁମର ଦୁଇ ପୁଅ ନା । ମୁଁ ଜଣକୁ ନେଇଯାଉଛି । ତୁମେ କ’ଣ ଭାବିଛ ମୁଁ ତୁମ ସୁନାକଳସୀର ହିସାବ ମାଗୁଛି? ନା ତାହା ନୁହେଁ । ତୁମେ ବି ଜାଣନା ତୁମେ କି ଭ୍ରମରେ ପଡିଛ । ତୁମର ପ୍ରକୃତ ଧନ ହେଉଛି ତୁମର ଏଇ ଦୁଇ ପୁଅ । ବାକି ସମସ୍ତ ମିଥ୍ୟା । ତେଣୁ ମୋ ଭାଗ ମୋତେ ଦିଅ ।”
ସାଧୁଙ୍କ ଏଭଳି କଥାଶୁଣି ଶେଠ୍ଜୀଙ୍କ ସ୍ତ୍ରୀ କାନ୍ଦିପକେଇ କହିଲେ, “ବାବା! ପୁଅ ଦୁହେଁ ଆମର ବୃଦ୍ଧ କାଳର ଆଶ୍ରା । ତେଣୁ ତାକୁ ଆପଣଙ୍କୁ ଆମେ କିପରି ଦେବୁ?” ଶେଠ୍ଜୀ ମଧ୍ୟ ବାବାଙ୍କ ପ୍ରକୃତ ଉଦ୍ଧେଶ୍ୟ ଜାଣିବା ପରେ ପାଗଳପରି ହୋଇ ଯାଇଥିଲେ ।
ସାଧୁ କହିଲେ, “ଠିକ୍ ଅଛି । ପୁଅ ତୁମ ପାଖରେ ଥାଉ । କାରଣ ତା’ ମା’ ତାର ଆଖି ଲୁହରେ ତାକୁ ପୁଣି ମୋଠାରୁ କିଣି ନେଇଛି । ତେବେ ଶେଠ୍ଜୀ! ତୁମେ ଯେଉଁ ମିଥ୍ୟା ଧନ ସମ୍ପତ୍ତି ପଛରେ ଧାଇଁଛ ତାହା ତ୍ୟାଗକରି ଏଣିକି ଏଇ ପ୍ରକୃତ ଧନକୁ ଯତ୍ନ ସହକାରେ ରଖ ।” ଏହାକହି ସାଧୁ ସେଠାରୁ ଚାଲିଗଲେ ।
ସେହିଦିନଠାରୁ ଶେଠ୍ଜୀଙ୍କର ଧନସମ୍ପତ୍ତି ପ୍ରତି ଥିବା ମୋହ ଦୂର ହୋଇଗଲା । ଏଣିକି ସେ ଖାଲି ରାମ ନାମ ଜପି ଦିନ କାଟିଲେ ।