ସେତେବେଳେ ସେଠାରେ ସୁମନର ଚାରିଜଣ ଶିଷ୍ୟ ରହୁଥାନ୍ତି । ସୁଶାନ୍ତ ଚାହିଁଲା ସେମାନଙ୍କ ସହିତ କଥାବାର୍ତ୍ତା କରି ଜାଣିବ ସୁମନର ଧନ କେତେ । ସେମାନେ କହିଲେ, “ଆମେ ଭଲ ଭାବରେ ବିଦ୍ୟାଶିକ୍ଷା କରୁଛୁ । ଗୁରୁ ଆମକୁ ପାଳନ ପୋଷଣ କରୁଛନ୍ତି ଓ ବିଦ୍ୟାଦାନ ବି କରୁଛନ୍ତି । ଆମେ ତ ଆଉ ଜାଣି ନାହୁଁ ଯେ ଗୁରୁଙ୍କ ପାଖରେ କେତେ ଧନ ଅଛି । ଆମେ ତାଙ୍କ ନିକଟରୁ ଶିକ୍ଷା ପ୍ରାପ୍ତ କରିବାକୁ ଆସିଛୁ । ଆମେ ତାଙ୍କ ପରି ମହାନ୍ ଗୁରୁ ପାଇ ନିଜକୁ ଭାଗ୍ୟବାନ ମଣୁଛୁ ।”
ସୁଶାନ୍ତ ସହିତ ପ୍ରାୟ କୋଡିଏ ଜଣ ଲୋକ ଥିଲେ । ଗୀତା ସେ ସମସ୍ତିଙ୍କ ପାଇଁ ଅତି ସୁନ୍ଦର ଭାବରେ ରନ୍ଧାବଢା କରି, ସେମାନଙ୍କୁ ଖୁଆଇଲା । ରାତି ହେବାରୁ ସୁଶାନ୍ତ ପୁଣି ଶିଷ୍ୟମାନଙ୍କୁ ଡାକି କହିଲା, “ତୁମର ଗୁରୁ ମୋର ମିତ୍ର । ତାକୁ ଦେଖିବାକୁ ମୁଁ ଏତେ ଦୂରରୁ ଆସିଛି । ସବୁଦିନେ ଏତେ ପ୍ରକାରର ଭଲ ଖାଦ୍ୟ ଅତିଥିମାନଙ୍କୁ ଖୁଆଇଲେ, ସେ ତ ଅଳ୍ପ ଦିନରେ କରଜ କରି ବସିବ ଓ କାଙ୍ଗାଳ ବି ହୋଇଯିବ । ମୋତେ କୁହ କେଉଁ ଦୋକାନରୁ ଖାଦ୍ୟ ସାମଗ୍ରୀ ଆଣିଛ, ମୁଁ ସେସବୁର ପଇସା ଦେଇଦେବି ।”
ଶିଷ୍ୟମାନେ କହିଲେ “ଆମେ ତ ସେସବୁ କିଛି ଜାଣିନାହୁଁ, ଗୁରୁଜୀ ଆସିବା ପରେ ଆପଣ ତାଙ୍କୁ ପଚାରନ୍ତୁ ।”
ପରଦିନ ସୁମନ ତା’ ଘରକୁ ଫେରିଲା । ସାଙ୍ଗକୁ ଦେଖି ସେ ଅତ୍ୟନ୍ତ ଖୁସି ହୋଇଗଲା, ତାକୁ ସ୍ନେହରେ ଆଲିଙ୍ଗନ କରି ସେ ତା’ର ସମସ୍ତ କୁଶଳ ସମାଚାର ପଚାରିଲା । ସାଙ୍ଗଟି ଧନୀ ହୋଇ ପାରିଛି ଶୁଣି ସୁମନ ବହୁତ ଖୁସି ହେଲା ।
କିନ୍ତୁ ସୁଶାନ୍ତ ଅସନ୍ତୁଷ୍ଟ ଥିଲା । ତେଣୁ ସେ କହିଲା, “ମୋର ବଡପଣ ଯୋଗୁଁ ମୁଁ ସନ୍ତୁଷ୍ଟ ନୁହେଁ । ତୁ ଯେତେବେଳେ ମୋ ପରି ଧନୀ ହେବୁ, ସେତେବେଳେ ଯାଇ ମୁଁ ସନ୍ତୁଷ୍ଟ ହେବି । ତୋର ଜୀବନ ମୋତେ ଏତେ ବେଶି ଭଲ ଲାଗୁନାହିଁ । ଜୀବନରେ ଦାରିଦ୍ର୍ୟ ଭରି ରହିଛି, ବଡଘର, ସ୍ତ୍ରୀ ପାଇଁ ଅଳଙ୍କାର, ଧନ ଏସବୁ କାହିଁ? ପୁଣି ତହିଁ ଉପରେ ଚାରିଟି ଶିଷ୍ୟଙ୍କୁ ରଖିଛୁ । ମୁଁ ବୁଝି ପାରୁନାହିଁ ଯେ ତୁ ଜ୍ଞାନୀ ନା ମୂର୍ଖ । ମୋ କଥାମାନି ମୋ ସହିତ ମୋ ଘରକୁ ଚାଲ୍ । ମୁଁ ତୋତେ ବ୍ୟବସାୟ ଶିଖାଇବି ।”
କିନ୍ତୁ ପ୍ରକୃତରେ ସୁଶାନ୍ତ ସହାନୁଭୂତିଶୀଳ ନ ଥିଲା । କେବଳ ନିଜ ବଡପଣ ଦେଖାଇବାର ଏହା ଏକ ରକମ ଢଙ୍ଗ । ସୁମନ ସମସ୍ତ କଥା ଶୁଣିସାରି କହିଲା, “ମୁଁ ଗ୍ରାମ ଛାଡି ଯିବାକୁ ହେଲେ, ପ୍ରଥମେ ମୋର ସମସ୍ତ କରଜ ଶୁଝିବାକୁ ହେବ ନ ହେଲେ ଗ୍ରାମବାସୀ ମୋତେ ଏଠାରୁ ଯିବାକୁ କେବେବି ଦେବେ ନାହିଁ ।”
ସୁଶାନ୍ତ ସେମାନଙ୍କୁ ସବୁ ଡାକିବାକୁ କହିଲା । ଶିଷ୍ୟମାନେ ଯାଇ ସେମାନଙ୍କୁ ଡାକି ଆଣିଲେ । ସେମାନେ ପାଞ୍ଚଜଣ ଥିଲେ । ଜଣେ ଟଙ୍କା କରଜ ଦିଏ । ଅନ୍ୟ ଜଣଙ୍କର ଦୋକାନ ଥିଲା । ତୃତୀୟଟି ମିସ୍ତ୍ରୀ ଥିଲା । ଚତୁର୍ଥଟି ଡାଳପତ୍ର ବ୍ୟବସାୟୀ ଥିଲା । ପଞ୍ଚମ ଜଣକ ଥିଲା ଗାଡିବାଲା । ସେ ସମସ୍ତିଙ୍କର କରଜ ମିଶିଲେ ସମୁଦାୟ ଚାରିହଜାର ଟଙ୍କା ହେଉଛି ।
ସୁଶାନ୍ତ କହିଲା, “ମୁଁ ଆପଣମାନଙ୍କ କରଜ ପରିଶୋଧ କରିଦେବି । ଆପଣମାନେ ସୁମନକୁ ଏଠାରୁ ମୋ ସହିତ ଯିବାକୁ ଦିଅନ୍ତୁ ।”
ପ୍ରଥମ ଜଣକ କହିଲା, “ମହାଶୟ, ସେ ଯେ କରଜ ପରିଶୋଧ କରିଦେବେ, ସେକଥା ଆମେ ଜାଣୁ । ସେ ପୁରୁଣା କରଜ ନଦେଇ ମଧ୍ୟ ପୁଣି ଅଧିକ କରଜ ନେଲେ ମଧ୍ୟ ଆମେ ଖୁସି ହୋଇ ଦେବୁ । ତେଣୁ ସେ ଯଦି ଯିବାକୁ ଚାହାଁନ୍ତି, ଆମ କରଜ ପାଇଁ ଅଟକି ରହିବାର କୌଣସି ଆବଶ୍ୟକତା ନାହିଁ ।”
ସୁଶାନ୍ତ ପୁଣିଥରେ କରଜ ପରିଶୋଧ କରିବା କଥା କହିବାରୁ, ସେମାନେ ସୁମନକୁ କହିଲେ, “ମହାଶୟ ଆମେ କ’ଣ କେବେ ଶୀଘ୍ର କରଜ ଟଙ୍କା ଫେରାଇବାକୁ ଆପଣଙ୍କୁ କହିଛୁ? ତେବେ ଏତେ କଥା କାହିଁକି?”
ସୁମନ କହିଲା, “ମୁଁ ଜାଣିବାକୁ ଚାହୁଁଥିଲି ଯେ ମୋର ବନ୍ଧୁ ମୋତେ କେତେ ଭଲପାଏ । ମୁଁ ମୋର କରଜ ନିଜେ ସମୟ ଅନୁସାରେ ଶୁଝିବି ।”
ସୁଶାନ୍ତ ଆଶ୍ଚର୍ଯ୍ୟ ହୋଇ କହିଲା, “ତୁ ମୋତେ ପରୀକ୍ଷା କରୁଥିଲୁ? ହେଲେ କାହିଁକି?”
ସୁମନ କହିଲା “କାରଣ ପ୍ରଥମଥର ତୁ ମୋ ଘରକୁ ଆସିଛୁ । ତୋର ଇଚ୍ଛା କ’ଣ ମୁଁ ତାହା ଜାଣିବାକୁ ଚାହୁଁଥିଲି; କାରଣ ସେପରି ଜାଣିବା ଦ୍ୱାରା ମୁଁ ତୋର ଇଚ୍ଛା ପୁର୍ତି କରିବାକୁ ଚେଷ୍ଟା କରିବି ଏବଂ ତାହାହିଁ ମୋର ଧର୍ମ ।”
ସୁଶାନ୍ତ ପଚାରିଲା “ଆଚ୍ଛା, ତୁ ମୋର ଇଚ୍ଛା ପୂର୍ଣ୍ଣ କରିବୁ? ଠିକ୍ ଭାବିଚିନ୍ତି କହ । ମାଗିବି?”
ସୁମନ କହିଲା, “ଭାବିଛି, ବହୁତ ଭାବିଛି । ନିଃସଙ୍କୋଚ ହୋଇ କହ ।”
ସେତେବେଳେ ସୁଶାନ୍ତର ସାଧୁଙ୍କ କଥା ମନେ ପଡିଲା, ସାଧୁ କହିଥିଲେ ସୁମନ ମହାଜ୍ଞାନୀ । ସେ କହିଥିଲେ ଜ୍ଞାନୀ ଆଦୌ ବ୍ୟର୍ଥକଥା କୁହେ ନାହିଁ । ସୁଶାନ୍ତ ଭାବିଲା, “ମୁଁ କିନ୍ତୁ ତା’ର କଥାକୁ ବ୍ୟର୍ଥ କରି ତାକୁ ଅଜ୍ଞାନୀ ବୋଲି ପ୍ରମାଣିତ କରିବି ।”
ସୁଶାନ୍ତ କିଛି ଭାବି କହିଲା, “ମୋର ବହୁତ ଧନ ବ୍ୟବସାୟରେ ହଠାତ୍ ନଷ୍ଟ ହୋଇ ଯାଇଛି । ଏବେ ଯଦି କେଉଁଠୁ କୋଡିଏ ଲକ୍ଷ ଟଙ୍କା ମୋତେ ମିଳି ଯାଆନ୍ତା, ତେବେ ମୁଁ ଦୁଇ କୋଟି ଟଙ୍କା ପାଇ ପାରନ୍ତି । ତୁ ତ କହିଥିଲୁ ଯାହା ମାଗିବି ଦେବୁ ବୋଲି । ଏବେ କୋଡିଏ ଲକ୍ଷ ଟଙ୍କା କରଜ ଦେଇଦେ, ମୁଁ ଟଙ୍କା ପାଇଲେ ଶୁଝି ଦେବି ।”
ତା’କଥା ଶୁଣି ସେଠାରେ ଉପସ୍ଥିତ ଥିବା ଲୋକମାନେ ହଠାତ୍ ଚମକି ପଡିଲେ । ମାତ୍ର ସୁମନ ଟିକିଏ ମଧ୍ୟ ବିଚଳିତ ନ ହୋଇ ତାକୁ କହିଲା, “ମୁଁ ତୋ ସହିତ ଏକାନ୍ତରେ କିଛି କଥା କହିବାକୁ ଚାହେଁ, ଘର ଭିତରକୁ ଚାଲ୍ ।”
ସୁଶାନ୍ତ କହିଲା, “ତୁ ମୋର ମିତ୍ରତାର ପରୀକ୍ଷା ସମସ୍ତିଙ୍କ ସମ୍ମୁଖରେ କଲୁ; ତୁ ତ ଜ୍ଞାନୀ । କୁହାଯାଏ ଯେ ଜ୍ଞାନୀ କଦାପି ମଧ୍ୟ ବ୍ୟର୍ଥ କଥା କୁହନ୍ତି ନାହିଁ । ସମସ୍ତିଙ୍କ ସମ୍ମୁଖରେ ତୁ ଉତ୍ତର ଦେଲେ ମୁଁ ବଡ ଖୁସି ହେବି ।”
ସୁମନ ତାକୁ ବୁଝାଇବାକୁ ବହୁତ ଚେଷ୍ଟା କଲା । କିନ୍ତୁ ସେ ତା’ ଜିଦିରେ ସେମିତି ଅଟଳ ରହିଲା । ଶେଷକୁ ସୁମନର ଶିଷ୍ୟମାନେ କହିଲେ, “ଗୁରୁଦେବ, ଆପଣଙ୍କର ଜ୍ଞାନ ବ୍ୟତୀତ ଏହି ସଂସାରରେ ଆମ ପାଇଁ ଆଉ କିଛିବି ନାହିଁ, ଆପଣଙ୍କ ମିତ୍ର ଯେଉଁ ଧନ ମାଗୁଛନ୍ତି କ’ଣ ଆମେ ସେସବୁ ଆଣି ତାଙ୍କୁ ଦେବୁ? ଏହା ଶୁଣି ସୁଶାନ୍ତ କହିଲା, “ଖାଇବାକୁ ପଛେ ପଇସା ନାହିଁ, କୋଡିଏ ଲକ୍ଷ ମୁଦ୍ରା କେଉଁଠୁ ଆଣିବ?”
ସୁମନ ହସିହସି କହିଲା, “ଏମାନଙ୍କୁ ଦରିଦ୍ର ବୋଲି ମୋଟେ ଭାବ ନାହିଁ; ଏମାନେ ସବୁ କୋଟିପତିଙ୍କର ପୁତ୍ର । ଜ୍ଞାନାର୍ଜନ ପାଇଁ ମୋ ପାଖକୁ ଆସିଛନ୍ତି । ଧନ ଦ୍ୱାରା ବାହାରେ ପ୍ରଶଂସା ଓ ଅନେକ ଖୋସାମତି ମିଳିବ । କିନ୍ତୁ ସେସବୁର ମୂଲ୍ୟ କ’ଣ? ମୁଁ ଯେତେଥର ପଣ୍ଡିତମାନଙ୍କର ସଭା-ସମ୍ମିଳନୀକୁ ଯାଇଛି, ସେଠାରେ ରାଜା, ମହାରାଜାମାନେ ମୋତେ ଅନେକ ଧନ ଦେଇଛନ୍ତି, ଅନେକ ରତ୍ନ ମଧ୍ୟ ଦେଇଛନ୍ତି । ସେସବୁ ଏବେ ମଧ୍ୟ ମୋ ପାଖରେ ଅଛି । ସେସବୁ ଗୁପ୍ତ ଭାବେ ରଖା ହୋଇଛି । କାରଣ ସରଳ ଜୀବନ ଯାପନ ମୋର ଏକମାତ୍ର ଲକ୍ଷ୍ୟ । ଦରକାର ବେଳେ ତାହା କାମରେ ଆସିବ । ତୁମେ ଯେତେ ଧନ ଚାହୁଁଛ ତାହା ତ ମାତ୍ର ଦୁଇଟି ହୀରା ପୂର୍ଣ୍ଣ କରିବ ।” ଏତିକି କହି ସେ ଘର ଭିତରକୁ ଯାଇ ଦୁଇଟି ହୀରା ଧରି ଫେରିଲେ ।
ସୁଶାନ୍ତ ଏଥିରେ ବିସ୍ମିତ ହୋଇ କହିଲା, “ମୁଁ ଏହା ପ୍ରମାଣ କରିବାକୁ ଚାହୁଁଥିଲି କି ତୁମେ ବ୍ୟର୍ଥ କଥା କହୁଛ । କିନ୍ତୁ ଏବେ ଜାଣୁଛି ଯେ ମୋର ଜୀବନହିଁ ବ୍ୟର୍ଥ । ଜ୍ଞାନୀ ବ୍ୟକ୍ତି କେବେ ମଧ୍ୟ ଆଡମ୍ବରପୂର୍ଣ୍ଣ ଜୀବନ ବିତାଇବାକୁ ବା ଦେଖାଇବାକୁ ଚାହାଁନ୍ତି ନାହିଁ । ମୁଁ ଏ ସତ୍ୟ ଜାଣି ନଥିଲି । ତୋତେ ଛୋଟ କରି ଦେଖାଇବାକୁ ଯାଇ ମୁଁ ଆଜି ନିଜେ ଛୋଟ ହୋଇଗଲି । ତୁ ମୋତେ କ୍ଷମାକର ଓ ଏବେ ଜ୍ଞାନ-ଭିକ୍ଷା ଦେଇ ମୋତେ କୃତାର୍ଥ କର ।”
ସୁମନ ତା’ପରେ ସୁଶାନ୍ତକୁ ଉପନିଷଦ ଆଦି ନାନା ଶାସ୍ତ୍ର ପଢାଇଲା । କ୍ରମେ ତାର ଅହଂକାର ଭାଙ୍ଗିଯାଇ ସେ ନମ୍ର ହୋଇଗଲା । ଏହାପରେ ସୁଶାନ୍ତ ଜଣେ ଭଲ ମଣିଷ ହୋଇ ସେଠାରୁ ଫେରିଲା ।