ରାମପୁର ଗାଁରେ ଦୁଇଜଣ ପୂଜକ ରହୁଥିଲେ । ସେ ପୂଜକମାନଙ୍କ ନାଁ ଥିଲା ଆର୍ତ୍ତ ଓ ତ୍ରାଣ । ପୂଜକ ଆର୍ତ୍ତ ଗୋଟିଏ ମନ୍ଦିରରେ ପୂଜା କରୁଥିଲେ ଓ ପୂଜକ ତ୍ରାଣ ଆଉ ଗୋଟିଏ ମନ୍ଦିରରେ ପୂଜା କରୁଥିଲେ । ସେ ଗାଁ ଠାରୁ ବହୁ ଦୂରରେ ତ ଗୋଟିଏ ନଈ ବହିଯାଉଥିଲା । ପ୍ରତି ପୂର୍ଣ୍ଣିମାରେ ସେ ଦୁଇ ପୂଜକ ସେହି ନଈରୁ ପାଣି ଆଣି ଦୁଇ ମନ୍ଦିରରେ ଭଗବାନଙ୍କର ଜଳାଭିଷେକ କରୁଥିଲେ । ମାତ୍ର ଆର୍ତ୍ତ ତ୍ରାଣଙ୍କ ଉନ୍ନତି କଦାପି ସହି ପାରନ୍ତି ନାହିଁ । ସର୍ବଦା ଖାଲି ସେ ଆର୍ତ୍ତ ତ୍ରାଣଙ୍କୁ ଆକ୍ଷେପ କରି ଅନେକ କଥା କହନ୍ତି ।
ଏମିତି କିଛି ଦିନ ବିତିଗଲା । ଦିନେ ସେ ଗାଁ ଜମିଦାର ମିତ୍ରସେନ ପୂଜକ ଆର୍ତ୍ତଙ୍କ ମନ୍ଦିରକୁ ଗଲେ । ସେଠାରେ ସେ ପୂଜା କଲେ । ମନ୍ଦିରର ଉନ୍ନତି ପାଇଁ ଜମିଦାର ସେ ପୂଜକ ଆର୍ତ୍ତଙ୍କୁ ଶହେ ସ୍ୱର୍ଣ୍ଣମୁଦ୍ରା ଦେଲେ । ସ୍ୱର୍ଣ୍ଣମୁଦ୍ରା ପାଇ ସେ ପୂଜକ ଆର୍ତ୍ତ ଅତ୍ୟନ୍ତ ଖୁସି ହୋଇଗଲେ । ସେ ଭାବିଲେ ଯେ, ବୋଧେ ମୋ ପୂଜାରେ ସନ୍ତୁଷ୍ଟ ହୋଇ ଜମିଦାର ଚିତ୍ରସେନ ଏ ମନ୍ଦିରକୁ ଶହେ ସ୍ୱର୍ଣ୍ଣମୁଦ୍ରା ଦାନ କରିଛନ୍ତି । ଏହାପରେ ପୂଜକ ଆର୍ତ୍ତ ତାଙ୍କ ମନ୍ଦିରରେ ବିଭିନ୍ନ ପ୍ରକାର ମଣ୍ଡପ, ମଠ, ବିଶ୍ରାମଗାର, ମଣ୍ଡପ ଆଦି ନିର୍ମାଣ କଲେ । ପୂଜକ ତ୍ରାଣ ପଚାରିଲେ କିନ୍ତୁ ସେ ଆର୍ତ୍ତ କୁହନ୍ତି – ସ୍ୱୟଂ ଭଗବାନଙ୍କର ଆଶୀର୍ବାଦ ପରା ମୋ ଉପରେ ରହିଛି । ତେଣୁ ମୋ ମନ୍ଦିରରେ ଉନ୍ନତି ନ ହୁଅନ୍ତା ବା କିପରି । ଏହି କାରଣରୁ ପୂଜକ ଆର୍ତ୍ତଙ୍କ ମନ୍ଦିରକୁ ଆସ୍ତେ ଆସ୍ତେ ଭକ୍ତଙ୍କ ସୁଅ ଛୁଟିଲା । ଖୁବ୍ ଅଳ୍ପ ଦିନ ମଧ୍ୟରେ ପାଖ ଗାଁ ରୁ ଅନ୍ୟ ଜମିଦାରମାନେ ବି ଆସିବାରୁ ପୂଜକ ଆର୍ତ୍ତଙ୍କ ପତିଆରା ବଢିଲା । ତାପରେ ସେ ବି ପୂଜକ ତ୍ରାଣଙ୍କୁ ନାନା ପ୍ରକାର ଉପଦେଶ ଦେବାକୁ ଲାଗିଲେ । ତେଣୁ ବେଳେ ବେଳେ ସେ ଆର୍ତ୍ତ ତ୍ରାଣଙ୍କୁ ହେୟ ଜ୍ଞାନ ମନେ କଲେ ।