ବିଚାରା ସତ୍ୟବାନ୍ ସେଠାରୁ ଉଠି କୌଣସି ମତେ ସେହି ଗଛମୂଳରେ ଯାଇ ପହଁଚିଲେ । ଚାରିଆଡେ ଛୋଟ ବୁଦା । ସେଇଠି ଟିକିଏ ସଫାକରି ଚାଦରଟି ପକାଇ ସେ ଗଡି ପଡିଲେ । ଇତିମଧ୍ୟରେ ବୁଦାମୂଳରୁ ନାଗ ସାପଟିଏ ବାହାରି ଚାଲି ଗଲା । ସେତେବେଳେ ସତ୍ୟବାନ୍ ଅତି କ୍ଳାନ୍ତ ହୋଇଥିବାରୁ ସେଠାରେ ସେ ଶୋଇପଡିଲେ ।
ସକାଳୁ ତାଙ୍କର ନିଦ ଭାଙ୍ଗିଲା ବେଳକୁ ଅଜଗର ସାପଟିଏ ତାଙ୍କ ଦେହରେ ଗୁଡେଇ ହୋଇଛି । ସତ୍ୟବାନ୍ ଟିକିଏ ଠେଲାଠେଲି କରିବାରୁ ସାପଟି ସେଠାରୁ ପଳାଇଲା । କିନ୍ତୁ ତା’ପରେ ସେ ଅନୁଭବ କଲେ ଯେ, ତାଙ୍କ ଦେହର କ୍ଳାନ୍ତି, କୁଆଡେ ଚାଲି ଯାଇଛି । ସେତେବେଳକୁ ତାଙ୍କୁ ବହୁତ ସୁସ୍ଥ ଲାଗୁଥାଏ; ଏଣୁ ସେ ଭାବିଲେ ଏହି ବୁଦାଜଙ୍ଗଲ ଭିତରେ କୌଣସି ଗଛରେ ନିଶ୍ଚୟ ଔଷଧୀୟ ଗୁଣ ଅଛି । ସେ ଚେଷ୍ଟାକରି ପରୀକ୍ଷା ନିରୀକ୍ଷା କରି ସେ ଗଛକୁ ଖୋଜି ବାହାର କଲେ ।
ଠିକ୍ ଏହି ସମୟରେ ଅଳ୍ପ ଦୂରରେ ଖୁବ୍ ପାଟିଗୋଳ ଶୁଣିବାକୁ ପାଇ ସେ ଜଙ୍ଗଲ ଭିତରୁ ବାହାରକୁ ଆସି ଦେଖିଲେ ଅନେକ ଲୋକ ରୁଣ୍ଡ ହୋଇଛନ୍ତି ଓ ଦୁଇଜଣ ଯୁବକ ବେହୋସ ହୋଇ ପଡିଛନ୍ତି ।
ପ୍ରକୃତ ଘଟଣା ହେଲା ଚନ୍ଦ୍ରସେନା ଓ ସୂର୍ଯ୍ୟଦେବଙ୍କ, ଦୁଇପୁଅ ନିଜନିଜ ମଧ୍ୟରେ ଝଗଡା କରି ମରାମରି ହୋଇ ପଡିଛନ୍ତି । ଏଣେ ତାଙ୍କ ଦୁଇବାପା ନିଜନିଜର ଲୋକ ଆଣି ପରସ୍ପରକୁ ଆକ୍ରମଣ କରିବାକୁ ଯାଉଛନ୍ତି ।
ସତ୍ୟବାନ୍ ଭିଡ ଠେଲି ତା’ ଭିତରେ ପଶି କହିଲେ, “ଏହି ଯୁବକ ଦୁଇଜଣଙ୍କର ପ୍ରାଣ ଏବେ ମଧ୍ୟ ରହିଛି । ତୁମେମାନେ ଏମାନଙ୍କ ଚିକିତ୍ସା ନକରି କାହିଁକି ମରାମରି ହେଉଛ? ବରଂ ମୁଁ ଏମାନଙ୍କର ଚିକିତ୍ସା କରେ ।”
ତାଙ୍କର ଏଭଳି କଥା ଶୁଣି ଅଚାନକ ଦୁଇପକ୍ଷ ନିଜ ନିଜ ସ୍ଥାନରେ ଅଟକି ଯାଇ ଛିଡା ହୋଇଗଲେ । ସୂର୍ଯ୍ୟଦେବ ଓ ଚନ୍ଦ୍ରସେନା, ସତ୍ୟବାନ୍କୁ ଦେଖି ଚିହ୍ନିପକାଇ କହିଲେ, “ଗତକାଲି ତୁମେ ନିଜେ ପରା ରାଗରେ ମରିବାକୁ ବସିଥିଲ । ଯିଏ ନିଜ ଚିକିତ୍ସା ନିଜେ ନ କରି ପାରେ ସେ ପୁଣି ଅନ୍ୟର ଚିକିତ୍ସା କ’ଣ କରିବ?”
ଏହା ଶୁଣି ସତ୍ୟବାନ୍ କହିଲେ, “ତମେମାନେ ନିଜନିଜ ଭିତରେ ଝଗଡା କରିବାକୁ ଏତେ ସମୟ ଦେଉଛ ଯେ ନିଜ ଗ୍ରାମରେ ମହୌଷଧ ଗଛ ଯେ ରହିଛି ସେ କଥାର ଖବର ସୁଧା ରଖିନାହଁ । ମୁଁ ନିଜେ ଜଣେ ବୈଦ୍ୟ । କିନ୍ତୁ ଏପରି ଏକ ରୋଗରେ ମୁଁ ପୀଡିତ ଥିଲି ଯେ କେହି ବି ସେ ରୋଗ ଚିହ୍ନି ପାରିଲେ ନାହିଁ । ତେଣୁ ମୁଁ ମୋ ରୋଗର ଚିକିତ୍ସା ପାଇଁ ଘର ଛାଡି ହିମାଳୟ ଯାଉଥିଲି । କିନ୍ତୁ ଏହି ଜଙ୍ଗଲରେ ଏଭଳି ଅଦ୍ଭୁତ ଜଡିବୁଟିର ଗଛସବୁ ଅଛି ଯେ ମୁଁ ରାତିକ ଭିତରେ ପୁରା ଭଲ ହୋଇଗଲି । ଏହି ଔଷଧର ପ୍ରଭାବରେ ସର୍ପପରି ହିଂସ୍ର ପ୍ରାଣୀ ମଧ୍ୟ ସାତ୍ତ୍ଵିକ ସ୍ୱଭାବର ହୋଇ ପାରେ । ଏହାକୁ କେବଳ ଆଘ୍ରାଣ କଲେ ମରଣୋନ୍ମଖୀ ବ୍ୟକ୍ତି ତତ୍କ୍ଷଣାତ୍ ଜୀବନ ପାଇ ଉଠିବସିବ ।”
ସବୁକଥା ଶୁଣି ଚନ୍ଦ୍ରସେନା କହିଲେ “ଠିକ୍ ଅଛି ତାହେଲେ ତୁମେ ଚେଷ୍ଟାକରି ଦେଖ । କିନ୍ତୁ ଯଦି ତା’ର ପୁଅ ବଂଚିଯିବ ଓ ମୋର ପୁଅ ମରିଯିବ ତେବେ ମୁଁ ତୁମକୁ ଜୀବିତ କେବେବି ଛାଡିବି ନାହିଁ ।” ୟାଡେ ସୂର୍ଯ୍ୟଦେବ ମଧ୍ୟ ସେହି ଏକା କଥା କହିଲେ । ସେଥିରେ ସତ୍ୟବାନ୍ ଆଦୌ ବିଚଳିତ ନହୋଇ ସେ ଦୁଇ ଆହତ ଯୁବକଙ୍କର ଚିକିତ୍ସା ଆରମ୍ଭ କଲେ ।
କିଛି ସମୟ ମଧ୍ୟରେ ସେ ଦୁଇଯୁବକ ସମ୍ପୂର୍ଣ୍ଣ ଭାବେ ସୁସ୍ଥ ହୋଇ ଉଠିଲେ । ଏସବୁ ଦେଖି ସୂର୍ଯ୍ୟଦେବ ଓ ଚନ୍ଦ୍ରସେନା ଖୁବ୍ ଆଶ୍ଚର୍ଯ୍ୟ ଓ ଆନନ୍ଦ ହୋଇ ସତ୍ୟବାନକୁ ସେମାନଙ୍କ ଆତିଥ୍ୟ ସ୍ୱୀକାର କରିବାପାଇଁ ଅନୁରୋଧ କଲେ ।
“ଏହି ଗ୍ରାମ ମୋତେ ମୋର ସ୍ୱାସ୍ଥ୍ୟ ଫେରାଇ ଦେଇଛି । ମୁଁ ଏହି ଗ୍ରାମବାସୀଙ୍କର ଆତିଥ୍ୟ ସ୍ୱୀକାର କରୁଛି । ଆଜିଠାରୁ ଏଠାକାର ଲୋକଙ୍କୁ ଚିକିତ୍ସା କରିବା ମୋର ପରମ କର୍ତ୍ତବ୍ୟ ।” ସତ୍ୟବାନ୍ କେବଳ ବୈଦ୍ୟ ନୁହଁନ୍ତି, ସେ ମଧ୍ୟ ଜଣେ ମହାନ୍ ପଣ୍ଡିତ । ତେଣୁ ସେ ତାଙ୍କ ମନେ ମନେ ସ୍ଥିର କଲେ ଯେ ତାଙ୍କର ପ୍ରଥମ କର୍ତ୍ତବ୍ୟ ହେଉଛି ଏଠାକାର ଲୋକଙ୍କ ମନ ଭିତରେ ଥିବା ରାଗ ଓ ଦ୍ୱେଷ ରୂପକ ରୋଗକୁ ଚିକିତ୍ସା କରିବା । ଏଣୁ ସେ ତାଙ୍କ ଦେହ ଓ ମନ ଦୁଇଟିକୁ ସୁସ୍ଥ ରଖିବାକୁ ଚେଷ୍ଟା କଲେ । ପ୍ରତିଦିନ ସେ ଗ୍ରାମବାସୀମାନଙ୍କୁ ଏକତ୍ର କରାଇ ନାନା ପ୍ରକାର ଆଧ୍ୟାତ୍ମିକ ବିଷୟରେ ବୁଝାଉଥିଲେ ଓ ପ୍ରାଚୀନ ଗ୍ରନ୍ଥ ଓ ପୁରାଣମାନଙ୍କରୁ ସୁନ୍ଦର ସୁନ୍ଦର ଗଳ୍ପ କହି ସେମାନଙ୍କର ମନୋରଞ୍ଜନ କରୁଥିଲେ । ଏହିପରି ଭାବେ ଧୀରେଧୀରେ ସେଠାକାର ଲୋକଙ୍କ ମନରୁ ଖରାପ ବୁଦ୍ଧି ସବୁ ଲୁପ୍ତ ହେଲା । ଫଳରେ ସେମାନଙ୍କର ସଦ୍ଗୁଣ ବିକାଶ ଲାଭ କଲା । କ୍ରମେ ସତ୍ୟବାନ୍ଙ୍କ ଖ୍ୟାତି ଆଖପାଖ ଗ୍ରାମରେ ମଧ୍ୟ ବିସ୍ତାର ଲାଭ କଲା । ଏବେ ସେ ତାଙ୍କ ମନେ ମନେ ଭାବିଲେ ନିଜ ଗ୍ରାମକୁ ଫେରିଯିବେ ।
କିନ୍ତୁ ସେହି ସମୟରେ ଲୋକମାନେ ତାଙ୍କ ଦ୍ୱାରା ଏତେ ମାତ୍ରାରେ ପ୍ରଭାବିତ ହୋଇଥିଲେ ଯେ ସେମାନେ ତାଙ୍କୁ ମୋଟେ ଛାଡୁ ନଥିଲେ । ସତ୍ୟବାନ୍ କିଛିସମୟ ପାଇଁ ଚିନ୍ତା କରି କହିଲେ, “ମୋର ଅନ୍ୟାନ୍ୟ ବହୁତ ଦାୟିତ୍ୱପୂର୍ଣ୍ଣ କାର୍ଯ୍ୟ ରହିଛି, ତେଣୁ ମୁଁ ଆଉ ଏଠାରେ ଆଦୌ ରହି ପାରିବି ନାହିଁ । ମୁଁ ଏଠାରୁ ଯାଇ ମୋର ଜଣେ ଶିଷ୍ୟକୁ ଏଠାକୁ ନିଶ୍ଚୟ ପଠାଇବି, ତାକୁ ଆପଣମାନେ ଏଠିକା ମୁଖିଆ ବନାଇବେ । ତାହାରି ଦ୍ୱାରା ମୁଁ ଆପଣମାନଙ୍କ ସହ ସମ୍ପର୍କ ରଖିବି ।”