ବନ୍ଧୁତା ମନୁଷ୍ୟ ଭିତରେ ଥିବା ମହତ୍ ଗୁଣାବଳୀମାନଙ୍କ ମଧ୍ୟରୁ ଅନ୍ୟତମ । ସମଗ୍ର ବସୁଧାକୁ ଗୋଟିଏ ପରିବାର ବୋଲି ମନେ କରୁଥିବା ବ୍ୟକ୍ତିମାନେ ହିଁ ସର୍ବଦା ଉତ୍ତମ ବନ୍ଧୁ ଲାଭ କରିଥା’ନ୍ତି । ଜୀବନ ତ ସଦାସର୍ବଦା ସମତଳ ପଥରେ ଗତିକରି ନଥାଏ । ସୁଖ, ଦୁଃଖ, ଉତ୍ଥାନ, ପତନ, ଘାତ, ପ୍ରତିଘାତ, ହର୍ଷ, ବିଷାଦ ଭିତରେ ଆମେ ବଂଚିବାକୁ ସଂଗ୍ରାମ କରିଥାଉ । ଆପଣା ମନ ମଧ୍ୟରେ ପ୍ରତି ମୁହୂର୍ତ୍ତରେ ଅନେକ ପ୍ରତିକ୍ରିୟା ସୃଷ୍ଟି ହୁଏ । ଦୁଃଖଦ ଘଟଣାବଳୀରେ ମର୍ମ୍ମାହତ ହେଉଥିବା ମଣିଷ ଦୁଃଖ ଲାଘବ ପାଇଁ ଅନ୍ୟଜଣେ ହୃଦୟବାନ୍ ବ୍ୟକ୍ତିର ଅନ୍ୱେଷଣ କରେ । ଭଲମନ ଏବଂ ସୁସ୍ଥ ସମାଜ, ଗଠନର ଉଦ୍ଧେଶ୍ୟ ସାଧନରେ ଜଣେ ବନ୍ଧୁ ହିଁ ସହାୟକ ହୁଏ ।
ଚାଣକ୍ୟ ମହାଜ୍ଞାନୀ ଥିଲେ । ସମାଜକୁ ନିୟମିତ, ସଂଯତ, ଶାନ୍ତ ଓ ଶୃଙ୍ଖଳିତ କରିବାର ଲକ୍ଷ୍ୟ ନେଇ ସେ ଏକ ନୀତିଶାସ୍ତ୍ର ଲେଖିଯାଇଛନ୍ତି । ସେଥିରେ ସେ କହିଛନ୍ତି, ଉତ୍ସବ ସମୟରେ, ବିଳାସବ୍ୟସନ କାଳରେ, ଦୁର୍ଭିକ୍ଷ ପଡିଥିବାବେଳେ, ରାଜ୍ୟରେ ବିପ୍ଳବ ସମୟରେ, ରାଜଦ୍ୱାର ଓ ଶ୍ମଶାନରେ ଯେଉଁମାନେ ଉପସ୍ଥିତ ରୁହନ୍ତି ସେମାନଙ୍କୁ ହିଁ ପ୍ରକୃତ ବନ୍ଧୁ ବୋଲି କୁହାଯାଏ । ବନ୍ଧୁ ବନ୍ଧୁକୁ ହିଁ ସତ୍ ପରାମର୍ଶ ଦିଏ । ଭଲ ରାସ୍ତା ଦେଖାଏ, ଉନ୍ନତିର ପଥ ପ୍ରଦର୍ଶନ କରାଏ । ନିର୍ମଳ ହୃଦୟ ହୋଇ ପରସ୍ପରକୁ ଭଲ ପାଇବା ହେଉଛି ବନ୍ଧୁତାର ପ୍ରକୃତ ଲକ୍ଷଣ ।
ଭଲ ବନ୍ଧୁଟିଏ ପାଇବା ମୋଟେ ସହଜ କଥା ନୁହେଁ । ସ୍ୱାର୍ଥକୁ ଆଖି ଆଗରେ ରଖି ବନ୍ଧୁତା ସୂତ୍ରରେ ଆବଦ୍ଧ ହେବା ପାଇଁ ଅନେକ ବନ୍ଧୁ ଆଗେଇ ଆସନ୍ତି । ଦୃଢ ମନୋବଳ, ଐକ୍ୟ ଓ ହୃଦୟର ମିଳନରୁ ସୃଷ୍ଟି ହୋଇଥିବା ବନ୍ଧୁତା ହିଁ ଚିରନ୍ତନ ଓ ପବିତ୍ର ।
ଏଇ ବନ୍ଧୁତା ହେଉଛି ସତ୍ୟ, ଶିବ ଓ ସୁନ୍ଦରର ତ୍ରିବେଣୀ ମିଳନ । ବନ୍ଧୁଟିଏ ହେବା ପାଇଁ ଅନେକ ମୂଲ୍ୟବାନ ଗୁଣର ଅଧିକାରୀ ହେବା ଉଚିତ୍ । ବନ୍ଧୁ ତା ବନ୍ଧୁ ନିକଟରେ ସମସ୍ତ ବିଶ୍ୱାସ କଥା କୁହେ । ପ୍ରକୃତ ବନ୍ଧୁ ତାହାକୁ ବାହାରେ ପ୍ରକାଶ କରିବା ଆଦୌ ଶୁଭଙ୍କର ନୁହେଁ । ବିଶ୍ୱାସରେ ବିଷ ମିଶାଇବା ଅନୁଚିତ୍ । ବନ୍ଧୁର ଗୁଣ ଗ୍ରହଣ ଓ ବିସ୍ତାର ବନ୍ଧୁର ଅନ୍ୟତମ କର୍ତ୍ତବ୍ୟ ।
ବନ୍ଧୁତାର ପରିସର ଆଜି ଖୁବ୍ ବ୍ୱିସ୍ତୃତ । ବ୍ୟକ୍ତି ବ୍ୟକ୍ତି ମଧ୍ୟରେ ତାହା ଆଉ ସୀମାବଦ୍ଧ ହୋଇ ରହି ନାହିଁ । ବର୍ତ୍ତମାନ ସମାଜରେ ଦେଶ-ଦେଶ ଓ ଜାତି-ଜାତି ମଧ୍ୟରେ ମୈତ୍ରୀଭାବ ବୃଦ୍ଧି ପାଇବାରେ ଲାଗିଛି । ପିଲାମାନେ ପ୍ରକୃତ ବନ୍ଧୁ ହେବା ପାଇଁ ଉଦ୍ୟମ କରନ୍ତୁ । ତାହେଲେ ଯାଇ ଏ ଦେଶ ମଧୁମୟ ହୋଇ ଉଠିବ ।