ଜୟାଙ୍କର ବିବାହ ଠିକ୍ ହୋଇଯିବାରୁ ଘରେ ସମସ୍ତଙ୍କ ମନ ବହୁତ ଖୁସି ଥାଏ । ଏକ ସପ୍ତାହ ପରେ ପଡୋଶୀ ଧନପତି ବିଦେଶରୁ ଫେରିଲେ । ନିଜ ମୁଦି ଫେରେଇ ନେବାକୁ ସେ ଆସିବାରୁ ଅଚଳପତି ସିନ୍ଦୁକରୁ ତାହା ଆଣିବାକୁ ଗଲେ । ମାତ୍ର ଗହଣା ବାକ୍ସରେ ମୁଦି ନ ପାଇ ସେ ବିଚଳିତ ହୋଇ ପଡି ପତ୍ନୀଙ୍କୁ ପଚାରିଲେ । ପତ୍ନୀ ତାଙ୍କୁ ପ୍ରକୃତ ଘଟଣା ଜଣେଇ ଦେଲେ ।
ଅଚଳପତି ଏହା ଶୁଣି ବ୍ୟତିବ୍ୟସ୍ତ ହୋଇ ପଡିଲେ । ସେ ପ୍ରଥମେ ନିଜକୁ ଦୋଷ ଦେଲେ ଯେ, ସେ କାହିଁକି ଏହା ପତ୍ନୀଙ୍କୁ ଆଗରୁ ଜଣେଇ ନ ଥିଲେ । କିନ୍ତୁ ଏପରି ପରିସ୍ଥିତିରେ ସେ ଆଉ କ’ଣ ବା କରି ପାରିବେ? ଶେଷରେ ସେ ବାଧ୍ୟ ହୋଇ ପଡୋଶୀ ଧନପତିଙ୍କୁ ସବୁ ସତକଥା କହି ଦେଇ ତାଙ୍କ ଠାରୁ ପରାମର୍ଶ ଚାହିଁଲେ ।
ଧନପତି ଏହା ଶୁଣି ଅତ୍ୟନ୍ତ ବ୍ୟସ୍ତ ହୋଇ ପଡିଲେ । କିଛିକ୍ଷଣ ଚିନ୍ତା କରିବା ପରେ ସେ କହିଲେ, “ମୁଁ ତୁମର ସାଧୁପଣିଆକୁ ସନ୍ଦେହ କରୁନାହିଁ । ତେବେ ସେହି ମୁଦିଟି ଆମର ବଂଶ ପରମ୍ପରାର ଏକ ସନ୍ତକ ସ୍ୱରୂପ । ମୁଁ ତୁମକୁ ଦୁଇ ସପ୍ତାହ ସମୟ ଦେଉଛି । ଏହି ସମୟ ମଧ୍ୟରେ ତୁମେ ମୋର ସେହି ମୁଦିକୁ ଫେରେଇ ଆଣିବା ପାଇଁ କୌଣସି ଉପାୟ ଚିନ୍ତା କର ।”
ଏମିତି କଥା ଶୁଣି ଅଚଳପତି କୃତଜ୍ଞତା ପୂର୍ବକ କହିଲେ “ଆପଣଙ୍କ ପରାମର୍ଶ ମୁଁ ଗ୍ରହଣ କରୁଛି । ତେବେ ଏପରି ଆଉ ଏକ ମୁଦି କେଉଁ ଠାରୁ ମିଳିବ ବା ତିଆରି ହୋଇପାରିବ, ମୁଁ ସୁନାରୀଙ୍କୁ କହି ତା’ର ବ୍ୟବସ୍ଥା କରିବି ।” ଧନପତି ହସି ଦେଇ କହିଲେ, “ତୁମେ ଜାଣ, ଏହି ମୁଦିର ମୂଲ୍ୟ କେତେ ହେବ? ଆଉ ଗୋଟିଏ ଏପରି ମୁଦି ତିଆରି କରିବା ପାଇଁ ଦୁଇ ହଜାର ଟଙ୍କା ପଡିପାରେ ।”
ଅଚଳପତି ତାଙ୍କ କନ୍ୟାର ବିବାହ ନିମନ୍ତେ ପାଂଚହଜାର ଟଙ୍କା ଜମା କରିଥିଲେ । ସେହି ଅର୍ଥରୁ ଦୁଇ ହଜାର ଟଙ୍କା ଖର୍ଚ୍ଚ କରି ସେ ମୁଦି ତିଆରି କରିବା ପାଇଁ ସ୍ଥିର କଲେ । ତେଣୁ ସେ ଧନପତିଙ୍କୁ ଅନୁରୋଧ କଲେ ଯେ, ଏପରି ମୁଦି ଆଉ ଗୋଟିଏ କେଉଁଠାରେ ମିଳିଲେ, ତା’ର ନକଲରେ ସେ ମୁଦିଟିଏ ତିଆରି କରି ଫେରେଇ ଦେବେ ।
ଧନପତି ଚିନ୍ତା କରି କହିଲେ, “ମୋର ପିତାମହଙ୍କ ପାଖରେ ଏପରି ଚାରିଗୋଟି ମୁଦି ଥିଲା । ସେ ତାଙ୍କର ଦୁଇ ପୁତ୍ରକୁ ଦୁଇଟି ଲେଖାଏଁ ମୁଦି ଦେଇଥିଲେ । ମୋ ପିତାଙ୍କର ମଧ୍ୟ ଦୁଇଟି ପୁତ୍ର । ଆମ ଦୁଇଭାଇଙ୍କୁ ପିତା ସେହି ଦୁଇଟି ମୁଦି ବାଂଟିଦେଲେ । ମୋର ଭାଇ ମଳୟ ଦ୍ୱୀପରେ ବ୍ୟବସାୟ କରି ସେଠାରେ ଅବସ୍ଥାନ କରୁଛନ୍ତି । ତାଙ୍କର ଠିକଣା ପାଇବା ଅସମ୍ଭବ । ଆଉ ବାକି ରହିଲେ ମୋର ବାବା । ବହୁକାଳରୁ ତାଙ୍କର ଦେହାନ୍ତ ଘଟିଛି । ତାଙ୍କର ଦୁଇ ପୁତ୍ର ସେମାନେ ହେଲେ ହରି ଓ ଗିରି । ଏଇ ପାଖ ଗ୍ରାମରେ ସେମାନେ ବାସ କରନ୍ତି । ତାଙ୍କ ବିଷୟରେ ଯେତିକି ମୁଁ ଜାଣେ, ହରି ଜଣେ ଦାନୀ ଲୋକ ଓ ଗିରି ହେଉଛନ୍ତି କୃପଣ । ତୁମେ ସେହି ଦୁଇ ଭାଇଙ୍କ ପାଖକୁ ଯାଇ ନକଲ ଆଣିବାକୁ ଚେଷ୍ଟା କରିପାର ।” ଧନପତି ଏହିପରି ବିବରଣୀ ଦେଲେ ।
ଅଚଳପତି ନିଜ ପୁତ୍ର ପ୍ରଦୀପକୁ ସମସ୍ତ ବିଷୟ ଜଣାଇ କହିଲେ, “ପୁତ୍ର, ଯେ କୌଣସି ପ୍ରକାରେ ଆମକୁ ଏହି ମୁଦିର ନକଲ ଆଣିବାକୁ ପଡିବ ।”
ପ୍ରଦୀପ ଆଉ କାଳ ବିଳମ୍ବ ନ କରି ହରି ଓ ଗିରିଙ୍କ ଗ୍ରାମକୁ ସିଧା ଚାଲିଲେ । ପ୍ରଥମେ ସେ ଦାନୀ ନାମରେ ଖ୍ୟାତ ହରିଙ୍କର ନିକଟକୁ ଯାଇ ତାଙ୍କୁ କହିଲେ, “ମୁଁ ଆପଣଙ୍କ ପାଖକୁ କିଛି ସାହାଯ୍ୟ ଆଶାରେ ଆସିଛି । ଏବେ ମୋର ସମସ୍ୟା ଶୁଣନ୍ତୁ ।”
ସେହି ସମୟରେ ହରିଙ୍କ ଘରେ ଏକ ଉତ୍ସବ ଚାଲିଥାଏ । ହରି ବହୁତ ବ୍ୟସ୍ତ ଥିବାରୁ ସେ କହିଲେ, “ମୋର ପାଖରେ ଏତେ ସମୟ କାହିଁ ଯେ, ମୁଁ ତୁମଠାରୁ କାହାଣୀ ଶୁଣିବି । ଶୀଘ୍ର ପ୍ରକାଶ କର ତୁମେ କ’ଣ ଚାହୁଁଛ?”
ପ୍ରଦୀପ କହିଲେ “ଆପଣଙ୍କ ବଂଶ ପରମ୍ପରା ଗତ ମୁଦ୍ରିକାର ନକଲ ମୋର ଦରକାର ।”