ବିକ୍ରମଙ୍କୁ ଦେଖି ବେତାଳ କହିଲା, “ତୁମେ ପୁଣି ମୋ ପଛେ ପଛେ ଏଠାକୁ ଚାଲି ଆସିଲ ।” ବେତାଳର କଥା ଶୁଣି ରାଜା କହିଲେ, “ବେତାଳ! ତୁ ମୋତେ କ’ଣ ଭାବିଲୁ, ମୁଁ ତୋତେ ନ ନେଇ ଛାଡିଦେବି ।” ଏହା କହି ପୁଣିଥରେ ବିକ୍ରମ ବେତାଳକୁ ଆଣି କାନ୍ଧରେ ପକାଇ ବାଟ ଚାଲିଲେ । ପଥ ଚାଲିବାର କଷ୍ଟ ଦୂର କରିବାପାଇଁ ବେତାଳ ପୁଣି ଥରେ ଆଉ ଏକ କାହାଣୀ କହିବାକୁ ଆରମ୍ଭ କଲା ।
ଉଜ୍ଜୟିନୀ ନଗରରେ ଜଣେ ଧନୀକ ବ୍ୟକ୍ତି ବାସ କରୁଥିଲେ । ତାଙ୍କର ‘ଗନ୍ଧର୍ବସେନ’ ନାମକ ଗୋଟିଏ ପୁତ୍ର ଥିଲା । ଗନ୍ଧର୍ବସେନ ଯେପରି ରୂପବାନ୍ ଥିଲେ, ସେହିପରି ବୁଦ୍ଧିମାନ ମଧ୍ୟ ଥିଲେ । ତା’ର ଚାଲିଚଳଣ ଠିକ୍ ରାଜକୁମାରଙ୍କ ପରି ଥିଲା । ପ୍ରତିଦିନ ଗନ୍ଧର୍ବସେନ ତାଙ୍କର ଘୋଡା ଉପରେ ବସି ନଗର ପରିକ୍ରମା କରୁଥିଲେ । ନଗରର ଅନେକ ସୁନ୍ଦରୀ ଗନ୍ଧର୍ବସେନଙ୍କୁ ସ୍ୱାମୀ ରୂପେ ପାଇବାକୁ ଇଚ୍ଛା କରୁଥିଲେ କିନ୍ତୁ ଗନ୍ଧର୍ବସେନଙ୍କର କୌଣସି ଝିଅ ପସନ୍ଦ ଆସୁନଥିଲେ । ଦିନେ ଗନ୍ଧର୍ବସେନ ନଗର ମଧ୍ୟରେ ବୁଲୁ ବୁଲୁ ନଦୀ କୂଳକୁ ଚାଲିଗଲେ । ନଦୀ ଘାଟରେ ବହୁତ ଗୁଡିଏ ଧୋବା ସେମାନଙ୍କର ଲୁଗା ସଫା କରୁଥାଆନ୍ତି । ଘାଟ ଉପରେ ସେମାନେ ବଡ ବଡ ପଥର ରଖି ସେଥିରେ ଲୁଗା କାଚନ୍ତି । କାଚିବା ସମୟରେ ସେମାନେ ଏପରି ଏକ ଶବ୍ଦ କରୁଥାଆନ୍ତି ଯାହା ଦ୍ୱାରାକି ସେମାନେ ଲୁଗା କାଚିବାର କଷ୍ଟକୁ ଭୁଲିଯାଉଥାଆନ୍ତି ।
ଏହି ସମୟରେ ଗନ୍ଧର୍ବସେନ ଜଣେ ଝିଅକୁ ଚୁପ୍ ଚାପ୍ ଲୁଗା ଧୋଉଥିବାର ଦେଖିଲେ । ସେ ତା’ର କାମରେ ଏତେ ପରିମାଣରେ ମଗ୍ନ ଥିଲା ଯେ ତା’ର ଆଖପାଖର ଘଟଣାବଳୀ ସଂପର୍କରେ ତାକୁ କିଛିତ ମାଲୁମ୍ ପଡୁନଥାଏ । ତାର ଆକର୍ଷଣୀୟ ଚେହେରା ଜଣେ ରାଜକୁମାରୀର ଭ୍ରମ ସୃଷ୍ଟି କରୁଥାଏ । ଗନ୍ଧର୍ବସେନ ସେମିତି ତାଙ୍କୁ ଚାହିଁ ଥାଆନ୍ତି । କିଛି ସମୟ ପରେ ଗନ୍ଧର୍ବସେନ ସେଠାରେ ଥିବା ଏକ ମନ୍ଦିରର ପାହାଚ ଉପରେ ବସି ପଡିଲେ । ସେହି ମନ୍ଦିରଟି ଦେବୀ ମା’ଙ୍କର ମନ୍ଦିର ଥିଲା । ସୂର୍ଯ୍ୟ ଅସ୍ତ ହେବା ପର୍ଯ୍ୟନ୍ତ ଗନ୍ଧର୍ବସେନ ସେଠାରେ ସେମିତି ବସିରହି ଝିଅଟିକୁ ଦେଖୁଥାଆନ୍ତି । ସଂନ୍ଧ୍ୟା ହେବାରୁ ଝିଅଟି ତାର ପରିବାର ଲୋକମାନଙ୍କ ସହିତ ଘରକୁ ଯିବାକୁ ବାହାରିଲା । ଗନ୍ଧର୍ବସେନ ମନ୍ଦିର ପାହାଚରେ ବସି ଏସବୁକୁ ଲକ୍ଷ୍ୟ କରୁଥାଏ । ଝିଅଟି ଯେତିକି ଯେତିକି ଦୂରକୁ ଯାଉଥାଏ, ଏହାପରେ ଗନ୍ଧର୍ବସେନଙ୍କର ସେତିକି ମନଦୁଃଖ ହୋଇ ଯାଉଥାଏ । ଏହାପରେ ଗନ୍ଧର୍ବସେନ ଚାରିଆଡକୁ ଚାହିଁଲେ । ହେଲେ କେଉଁଠାରେ ଆଉ କାହାକୁ ଦେଖି ପାରିଲେ ନାହିଁ । କିଛି ଦୂରରେ ତାଙ୍କର ଘୋଡାଟି ଗୋଟିଏ ବୃକ୍ଷରେ ବନ୍ଧା ହୋଇଥାଏ ।
ହଠାତ୍ ଗନ୍ଧର୍ବସେନଙ୍କ ମନକୁ କ’ଣ ଆସିଲା କେଜାଣି ସେ ଦେବୀ ମା’ଙ୍କ ମନ୍ଦିର ଭିତରକୁ ପଶିଗଲେ । ସେଠାରେ ସ୍ଥାପନା କରାଯାଇଥିବା ଦେବୀ ମା’ଙ୍କ ପାଦତଳେ ପଡିଯାଇ କହିଲେ, “ମା! ଯଦି ଗୋଟିଏ ମାସ ମଧ୍ୟରେ ମୋର ସେହି ଝିଅ ସହିତ ବିବାହ ନହୁଏ, ତା’ହେଲେ ମୁଁ ମୋର ମସ୍ତକକୁ ଶରୀରରୁ ଅଲଗା କରି ତୁମ ଚରଣରେ ଅର୍ପଣ କରିବି ।” ମା’ଙ୍କ ନିକଟରେ ଏହିପରି ପ୍ରତିଜ୍ଞା କରି ମନଦୁଃଖରେ ମନ୍ଦିର ମଧ୍ୟରୁ ବାହାରକୁ ଆସିଲେ ଓ ନିଜର ଘୋଡା ଉପରେ ବସି ନିଜ ଘର ଉଦ୍ଧେସ୍ୟରେ ଯିବାକୁ ବାହାରିଲେ । କିନ୍ତୁ ସେହି ଝିଅକୁ ମନ ମଧ୍ୟରୁ କଦାପି ଭୁଲି ପାରୁନଥାନ୍ତି । ଝିଅଟିର ଶାନ୍ତ, ସରଳ ଚେହେରା ବାରମ୍ବାର ତା’ର ମନେ ପଡୁଥାଏ । ଉଦାସ ମନରେ ଘରକୁ ଯାଇ ସେ ତା’ର ବିଛଣା ଉପରେ ଶୋଇପଡିଲା । ଗୋଟିଏ ମୁହୂର୍ତ ପାଇଁ ସେ ସେହି ଝିଅକୁ ଭୁଲି ପାରୁ ନଥିଲା । ଏପରି ପରିସ୍ଥିତି ହେଲା ଯେ, ଗନ୍ଧର୍ବସେନ ଖାଇବା ପିଇବା ମଧ୍ୟ ଭୁଲିଗଲା । ପୁତ୍ରର ଏପରି ଅବସ୍ଥା ଦେଖି ଧନୀକ ଏବଂ ତାଙ୍କର ପତ୍ନୀ ସମସ୍ତେ ବ୍ୟସ୍ତ ହୋଇପଡିଲେ । ପୁତ୍ରକୁ ଯେତେ ଯାହା ପଚାରିଲେ ମଧ୍ୟ ସେ ପିତାମାତାଙ୍କୁ କିଛି କହିଲା ନାହିଁ । ଶେଷରେ ସେମାନେ କୌଣସି ଉପାୟ ନପାଇ ଗନ୍ଧର୍ବସେନର ଅନ୍ତରଂଗ ବନ୍ଧୁ ଦେବଦତକୁ ଡକାଇ ପଠାଇଲେ । କାଳେ ଦେବଦତ ଗନ୍ଧର୍ବସେନର ଏପରି ଅବସ୍ଥା ସଂପର୍କରେ କିଛି ଜାଣିଥିବେ । କିନ୍ତୁ ଦେବଦତ ବନ୍ଧୁର ଏପରି ଅବସ୍ଥା ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ।