ଦିନେ ଏକାନ୍ତରେ ଗନ୍ଧର୍ବସେନଙ୍କୁ ପାଖକୁ ଡାକି ଦେବଦତ ସବୁ କଥା ପଚାରିଲେ । ଗନ୍ଧର୍ବସେନଙ୍କ ଠାରୁ ସମସ୍ତ କଥା ଶୁଣିସାରିବାପରେ ତହିଁ ଆରଦିନ ସେ ନଦୀ କୂଳରେ ଥିବା ମନ୍ଦିର ନିକଟରେ ଯାଇ ପହଁଚିଲେ । ସେଠାରେ ସେ ଅନ୍ୟ ଲୋକମାନଙ୍କଠାରୁ ଝିଅଟି ବିଷୟରେ ସମସ୍ତ ତଥ୍ୟ ସଂଗ୍ରହ କରି ତା’ର ପିତାକୁ ଭେଟିବାକୁ ବାହାରିଲେ । କନ୍ୟା ପିତା ପାଖରେ ପହଁଚି ସମସ୍ତ ଘଟଣା ବର୍ଣ୍ଣନା କଲେ । ଝିଅର ବାପା ଏକଥା ଶୁଣିବାପରେ ମନେ ମନେ ଖୁସି ହୋଇଗଲା । କାହିଁକିନା ଏତେ ବଡ ଘର ଝିଅର ଭାଗ୍ୟରେ ଥିଲେ ମିଳେ । ନିଜ ପିତାଠାରୁ ଏହି କଥା ଶୁଣିବାପରେ ରୂପମତୀ ମଧ୍ୟ ମନେ ମନେ ଖୁସି ହୋଇଗଲା । ନିର୍ଦ୍ଦିଷ୍ଟ ତିଥି, ବାର ଠିକ୍ କରି ରୂପମତୀ ସହିତ ଗନ୍ଧର୍ବସେନର ବିବାହ ହୋଇଗଲା । ରୂପମତୀକୁ ପାଇବା ପରେ ଗନ୍ଧର୍ବସେନ ମୁହୂର୍ତକ ପାଇଁ ମଧ୍ୟ ପାଖଛଡା କରୁନଥାନ୍ତି । ଏହିପରି କେମିତି କେମିତି ଗୋଟେ ମାସ ଚାଲିଗଲା, ଗନ୍ଧର୍ବସେନ ଜାଣିପାରିଲେ ନାହିଁ । ଏପରିକି ଗନ୍ଧର୍ବସେନ ଦେବୀ ମା’ଙ୍କ ନିକଟରେ ପ୍ରତିଜ୍ଞା କରିଥିବା କଥା କାହାକୁ ଜଣାଇନଥାନ୍ତି ।
ଦିନେ ହଠାତ୍ ଗନ୍ଧର୍ବସେନ ପତ୍ନୀ ରୂପମତୀ ଏବଂ ବନ୍ଧୁ ଦେବଦତଙ୍କୁ ସାଂଗରେ ଧରି ଦେବୀ ମା’ଙ୍କ ମନ୍ଦିର ଯିବାକୁ ବାହାରିଲେ । ଦେବୀ ମା’ଙ୍କ ମନ୍ଦିରରେ ପହଁଚିବା ପରେ ଗନ୍ଧର୍ବସେନ ପତ୍ନୀ ଓ ବନ୍ଧୁକୁ ବାହାରେ ଅପେକ୍ଷା କରିବାକୁ କହି ନିଜେ ମନ୍ଦିର ଭିତରକୁ ପ୍ରବେଶ କଲେ । ମନ୍ଦିର ଭିତରକୁ ଯାଇ ଦେବୀଙ୍କ ହସ୍ତରୁ ଖଡ୍ଗ ଆଣି ନିଜ ମୁଣ୍ଡ କାଟିଦେଲେ । ଗନ୍ଧର୍ବସେନର ଫେରିବାରେ ବିଳମ୍ବ ହେବାରୁ ଦେବଦତ ରୂପମତୀକୁ ଠିଆ ହେବାକୁ କହି ମନ୍ଦିର ଭିତରକୁ ଦେଖିବାକୁ ଗଲେ । ମନ୍ଦିର ମଧ୍ୟରେ ସେ ଯାହା ଦେଖିଲେ ନିଜ ଆଖିକୁ ମଧ୍ୟ ବିଶ୍ୱାସ କରିପାରିଲେ ନାହିଁ । ବନ୍ଧୁର ମୃତ୍ୟୁ ଦେଖି ତାଙ୍କୁ କାଳେ କିଏ ସନ୍ଦେହ କରିବ, ଏହି କଥା ଭାବି ସେ ମଧ୍ୟ ଦେବୀ ମା’ଙ୍କ ହାତରୁ ଖଣ୍ଡା ଆଣି ନିଜ ମୁଣ୍ଡକୁ ଶରୀରରୁ ଅଲଗା କରିଦେଲେ । ଦୁଇ ବନ୍ଧୁଙ୍କର ମୃତ୍ୟୁ ଦେଖି ଦେବୀ ମା’ ପ୍ରସନ୍ନ ହୋଇ ସେମାନଙ୍କୁ ଜୀବନଦାନ ଦେଲେ ।
ଦେବୀ ମା’ ଜୀବନଦାନ ଦେଲେ ସତ, ହେଲେ ଗନ୍ଧର୍ବସେନର ମସ୍ତକକୁ ଦେବଦତର ଶରୀରରେ ଏବଂ ଦେବଦତର ମସ୍ତକକୁ ଗନ୍ଧର୍ବସେନର ଶରୀରରେ ଜୋଡିଦେଲେ । କାହାଣୀଟି କହିସାରି ବେତାଳ କହିଲା, “ଏବେ ତୁମେ କୁହ ରୂପମତୀ କାହାକୁ ସ୍ୱାମୀ ରୁପେ ଗ୍ରହଣ କରିବ? ବେତାଳର କଥା ଶୁଣି ବିକ୍ରମ କହିଲେ, “ବେତାଳ! ମୁଁ କହିବାପାଇଁ ଅସମର୍ଥ ନୁହେଁ । ରୂପମତୀ ସେହି ଶରୀରକୁ ସ୍ୱାମୀ ରୂପେ ମାନିବ ଯେଉଁ ଶରୀରରେ ଗନ୍ଧର୍ବସେନର ମୁଣ୍ଡ ଲାଗିଥିବ । କାହିଁକି ନା’ ଚେହେରା ହେଉଛି ମନୁଷ୍ୟର ପ୍ରକୃତ ପରିଚୟ । ମସ୍ତକରୁ ମନୁଷ୍ୟର ଚିନ୍ତା, ଭାବନା, ସବୁ ଜଣାପଡେ । ଏଥିପାଇଁ ଗନ୍ଧର୍ବସେନର ଚେହେରା ମହତ୍ୱପୂର୍ଣ୍ଣ ଅଟେ । ଶରୀର ହେଉଛି ମନୁଷ୍ୟ ମସ୍ତକର ଦାସ । ମସ୍ତିଷ୍କ ଯାହା କହିବ, ଶରୀର ସେହି ଅନୁସାରେ କାର୍ଯ୍ୟ କରିବ । ଏହି କାରଣରୁ ରୂପମତୀ ଗନ୍ଧର୍ବସେନର ଚେହେରା ଲାଗିଥିବା ଶରୀରକୁ ସ୍ୱାମୀ ରୂପେ ଗ୍ରହଣ କରିବ ।” ରାଜାଙ୍କର କଥା ଶୁଣି ବେତାଳ ଖୁସି ହୋଇଗଲା । ସେ କହିଲା- “ରାଜା! ତୁମର ନ୍ୟାୟ ଉଚିତ୍ ଅଟେ । ଚେହେରାରୁ ହିଁ ମନୁଷ୍ୟର ପ୍ରକୃତ ପରିଚୟ ମିଳିଥାଏ ।” ଏହା କହିସାରି ବେତାଳ ଜୋର୍ରେ ଏକ ଅଟ୍ଟହାସ୍ୟ କଲା । ବେତାଳର ଅଟ୍ଟହାସ୍ୟ ଶୁଣି ରାଜା ଜାଣିପାରିଲେ ଯେ, ବେତାଳ ବର୍ତ୍ତମାନ ଚାଲିଯିବ । ସେଥିପାଇଁ ସେ ଜୋର୍ରେ ବେତାଳକୁ ଭିଡି ଧରିଲେ । ହେଲେ ବେତାଳର ଶକ୍ତି ନିକଟରେ ବିକ୍ରମଙ୍କର ଶକ୍ତି ବା କେତେ? ସଂଗେ ସଂଗେ ବେତାଳ ବିକ୍ରମଙ୍କର କାନ୍ଧରୁ ଖସି ଗଲା ଓ ଆକାଶରେ ଉଡିବାକୁ ଲାଗିଲା ଏବଂ ଜୋର୍ରେ କହୁଥାଏ- “ବିକ୍ରମ ମୋର ପଛରେ ଦୌଡ ନାହିଁ । ମୋତେ ଛାଡିଦିଅ, ଯିଏ ତୋତେ ମୋ ପଛରେ ଲଗେଇଛି ସେ ମହା ଧୁର୍ତ୍ତ…..। କିଛି ସମୟ ପରେ ବେତାଳ ପୁଣି ସେହି ଗଛ ଡାଳରେ ଯାଇ ଓଲ୍ଟା ଓଲଟି ରହିଲା ।