ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ପ୍ରତିଭା ପ୍ରତିଯୋଗିତା

ନିଶା ଗରଜୁଥାଏ । ତୁହାକୁ ତୁହା ଶୀତଳ ପବନ ସାଥିକୁ ବର୍ଷା ବି ହେଉଥାଏ । ବଜ୍ରପାତଧ୍ୱନି ଓ ଶ୍ୱାନଶ୍ୱାପଦଙ୍କ ରଡି ମଝିରେ ଶୁଭୁଥାଏ ଅଶରିରୀମାନଙ୍କ ଅଟ୍ଟହାସ୍ୟ । ଘନ ଘନ ବିଜୁଳି ଆଲୁଅରେ ଦିଶିଯାଉଥାଏ ଭୟାବହ ମୁହଁଟିମାନ ।

                କିନ୍ତୁ ରାଜା ବିକ୍ରମାର୍କ ତିଳେ ମଧ୍ୟ ବିଚଳିତ ବୋଧ ନକରି ପୁନର୍ବାର ସେ ପ୍ରାଚୀନ ବୃକ୍ଷଟି ପାଖକୁ ଲେଉଟି ଆସିଲେ ଓ ବୃକ୍ଷାରୋହଣ କରି ଶବଟିକୁ ବାହାରକରି ଆଣିଲେ । ତେବେ ତାକୁ କାନ୍ଧରେ ପକାଇ ସେ ଶୂନ୍ଶାନ୍ ଶ୍ମଶାନ୍ ପଥ ଅତିକ୍ରମ କରିବାକୁ ଆରମ୍ଭ କରିବା ମାତ୍ରେ ଶବସ୍ଥିତ ସେ ବେତାଳ କହିଲା, “ରାଜା! ଏ ଘୋର ଦୁର୍ଯ୍ୟୋଗପୂର୍ଣ୍ଣ ନିଶୀଥରେ ତମେ ଯେ ଏଭଳି ଦୁଃସାହସିକ କାର୍ଯ୍ୟ ହାତକୁ ନେଇଛ, ଏହା କାହାରି ସହିତ ଆଉ ପ୍ରତିଯୋଗିତା ଯୋଗୁଁ ନୁହେଁ ତ? ପ୍ରତିଯୋଗୀ ମନରେ କ’ଣ ଥାଏ, ସେକଥା କହିହେବ ନାହିଁ । ଗୋଟାଏ ଦୃଷ୍ଟାନ୍ତ ଦେଉଛି, ମନ ଦେଇ ଶୁଣ । ଶୁଣିଲେ ଶ୍ରମଭାର ଲାଘବ ହେବ ।”

                ତା’ପରେ ସେ ବେତାଳ ଗପିଲା : ଅନେକ ଦିନ ତଳର କଥା । ଶୁଭନଗର ରାଜ୍ୟର ରାଜା ବିଜୟଦେବ କବି ଓ କଳାକାରମାନଙ୍କୁ ବହୁତ ସମ୍ମାନ ଦେଉଥିଲେ । ତାଙ୍କ ଦରବାରରେ ଦେବୀଦାସ ରାଜକବି ରୂପେ ନିଯୁକ୍ତି ପାଇଥିଲେ । ଦେବୀଦାସ ଯେପରି ସୁକବି ଥିଲେ, ଠିକ୍ ସେହିପରି ଭଲ ମଣିଷ ମଧ୍ୟ ଥିଲେ ।

ଶୁଭ ନଗର ରାଜ୍ୟର ଗୋଟିଏ ଛୋଟିଆ ସହରରେ ପ୍ରସନ୍ନ ନାମକ ଜଣେ ତରୁଣ କବି ବାସ କରୁଥିଲେ । ସେ ଗଭୀର ମନ ଧ୍ୟାନ ଦେଇ କବିତା ପାଠ କରୁଥିଲେ ଓ ନିଜେ ମଧ୍ୟ ସ୍ୱତଃସ୍ଫୁର୍ତ ଭାବରେ କବିତା ଲେଖୁଥିଲେ । ଦେବୀଦାସଙ୍କ କବିତାକୁ ସେ ଅତ୍ୟନ୍ତ ସମ୍ମାନ ଦେଉଥିଲେ ।

କ୍ରମେ ସେ ବୁଝି ପାରିଲେ ଯେ ସେ ଛୋଟିଆ ସହରରେ ତାଙ୍କ କବିତା ବୁଝି ତା’ର ମର୍ଯ୍ୟାଦା ଦେଲା ଭଳି ଲୋକ ନାହାଁନ୍ତି । ତାଙ୍କର ଜଣେ ଦୁଇଜଣ ବାଲ୍ୟବନ୍ଧୁ ତାଙ୍କୁ ରାଜଧାନୀକୁ ଯାଇ ନିଜ କବିତା ରାଜାଙ୍କ ଦୃଷ୍ଟିକୁ ଆଣିବାକୁ ପରାମର୍ଶ ଦେଲେ । ସେଥିରେ ଉତ୍ସାହିତ ହୋଇ ପ୍ରସନ୍ନ ଯାଇ ରାଜଧାନୀରେ ପହଁଚିଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ