ଦରବାରର ଦ୍ୱାର ଦେଶରେ ରାଜକବି ଅପେକ୍ଷା କରୁଥିଲେ । ସେତେବେଳକୁ ପ୍ରସନ୍ନ ଜାଣି ଯାଇଥିଲେ ସେ କିଏ । ତେଣୁ ସେ ରାଜକବିଙ୍କୁ ପ୍ରଣାମ କଲେ ଓ ମିନତିଭରା କଣ୍ଠରେ କହିଲେ, “ମୋତେ କ୍ଷମା କରନ୍ତୁ । ନ ଜାଣି ମୋ ଔଦ୍ଧତ୍ୟ ଯୋଗୁଁ ଗତ କାଲି ମୁଁ ଆପଣଙ୍କ ଆଗରେ ହିଁ ଆପଣଙ୍କ ପ୍ରତି ଅସମ୍ମାନଜନକ କଥା କହିଛି । ମୁଁ ମୂର୍ଖ ।”
“ଯୁବକ, ହତାଶ ହେଲେ ମଣିଷ ଥରେ ଥରେ ଏପରି ଭାବରେ ନିଜର ବିରକ୍ତି ପ୍ରକାଶ କରିଥାଏ । କବିତାରେ ଅତିଶୟୋକ୍ତି ଏକ ଅଳଙ୍କାର ରୂପେ ସ୍ୱୀକୃତ । କିନ୍ତୁ ତମେ ଯେ ସଚ୍ଚା କବି, ସେଥିରେ ମୋର କୌଣସି ସନ୍ଦେହ ନାହିଁ ।” ଏହା କହି ରାଜକବି ଦେବୀଦାସ ପ୍ରସନ୍ନଙ୍କୁ ନେଇ ରାଜାଙ୍କ ସହ ପରିଚୟ କରାଇ ଦେଲେ । ରାଜାଙ୍କ ନିର୍ଦ୍ଧେଶରେ ପ୍ରସନ୍ନ ନିଜର କେତୋଟି କବିତା ଶୁଣାଇଲେ । ରାଜା ଓ ଦେବୀଦାସ ଉଭୟେ ସେସବୁ କବିତାର ଉଚ୍ଚ ପ୍ରଶଂସା କଲେ । ରାଜା ପ୍ରସନ୍ନଙ୍କୁ ନିଜ ଦରବାରରେ ଅନ୍ୟତମ ରାଜକବି ରୂପେ ନିଯୁକ୍ତି ଦେଲେ । ଅଳ୍ପଦିନ ଭିତରେ ଗୁଣୀ ସଭାସଦ୍ମାନେ ବୁଝିପାରିଲେ ଯେ ଏକମାତ୍ର ପ୍ରସନ୍ନ ହିଁ ରାଜ୍ୟରେ ଦେବୀଦାସଙ୍କର ସମକକ୍ଷ କବି ।
ଦିନେ ରାଜା କହିଲେ, “ମୁଁ ଲକ୍ଷ୍ୟ କରୁଛି, ରାଜ୍ୟରେ ଭିନ୍ନ ଭିନ୍ନ ଧର୍ମ ମତାବଲମ୍ବୀ ଲୋକଙ୍କ ଭିତରେ କଳହ ହେଉଛି । ଶୈବ ମତର ଲୋକେ ବୈଷ୍ଣବମାନଙ୍କୁ ଓ ବୈଷ୍ଣବମାନେ ଶୈବମାନଙ୍କୁ ଆଦୌ ସହ୍ୟ କରିପାରୁ ନାହାଁନ୍ତି । ଏଭଳି ପରିସ୍ଥିତିରେ ସେମାନଙ୍କୁ ଆମେ କିପରି ଧର୍ମର ଅସଲ ମର୍ମ ଶିକ୍ଷା ଦେବା?”
ରାଜାଙ୍କ କଥା ଶୁଣି ଦେବୀଦାସ କହିଲେ “ମହାରାଜ! ସମସ୍ତ ମତ ବେଦ ଓ ଉପନିଷଦ୍ରୁ ଆସିଛି । ଲୋକେ ବେଦ ଓ ଉପନିଷଦ୍ ବୁଝୁ ନଥିବାରୁ ଏଭଳି ମୋହରେ ପଡିଛନ୍ତି ।”
ଏହା ଶୁଣି ସେ ରାଜା ଟିକିଏ ଚିନ୍ତା କରି କହିଲେ, “ଠିକ୍ କଥା । କବିବର! ଆପଣ କିମ୍ବା ପ୍ରସନ୍ନ ବେଦ ଓ ଉପନିଷଦର ସାର କଥାକୁ ସରଳ କବିତାରେ ପ୍ରକାଶ କରିପାରିବେ?”
ପ୍ରସନ୍ନ କହିଲେ “ଆପଣ ଠିକ୍ କହିଛନ୍ତି ମହାରାଜ ।”
ରାଜା ପଚାରିଲେ “ଆପଣଙ୍କ ଭିତରୁ କିଏ ତେବେ ଏ କାମ ହାତକୁ ନେବ? ପ୍ରସନ୍ନ! ତମେ ଯୁବକ । ଏ କାମଟି ଶୀଘ୍ର ହେବା ଦରକାର । ତମେ ଏହା କରିପାରିବ?”
ତହୁଁ ପ୍ରସନ୍ନ କହିଲେ “ମହାରାଜ! ବେଦ ଉପନିଷଦର ସାର କଥା କବିତାରେ ଲେଖିବା ଆଦୌ ସହଜ ନୁହେଁ ।”