ମାତ୍ର ଦେବୀଦାସ କହିଲେ “କାହିଁକି ସହଜ ହେବ ନାହିଁ? ଏହା ନିଶ୍ଚୟ କରି ହେବ ।”
ସେ ଦୁଇଜଣଙ୍କ ସବୁ କଥା ଶୁଣି ରାଜା ହସି କହିଲେ, “ଦେବୀଦାସ ତ ଏହା ପାରିବେ ବୋଲି ମୁଁ ବୁଝୁଛି । କିନ୍ତୁ ମୋର ଇଚ୍ଛା ପ୍ରସନ୍ନ ମଧ୍ୟ ଏ କାମରେ ହାତ ଦିଅନ୍ତୁ । ମୁଁ ବର୍ଷଟିଏ ସମୟ ଦେଲି । ଯିଏ ଏ କାମ ହଜାରେ ଧାଡିରେ କରିପାରିବ, ତାକୁ ମୁଁ ଏକଲକ୍ଷ ମୁଦ୍ରା ପୁରସ୍କାରସ୍ୱରୂପ ଦେବି ।”
ଏହା ପରେ ସେ ଦୁଇ କବି ଏ କାମରେ ହାତ ଦେଲେ । ଦେବୀଦାସ ତ ବହୁ ଆଗରୁ ବେଦ ଉପନିଷଦ୍ ଅଧ୍ୟୟନ କରିଥିଲେ । ତେଣୁ ସେ ଆଠମାସରେ ହଜାରେ ଧାଡି ବିଶିଷ୍ଟ କବିତା ଲେଖି ଦେଲେ । କିନ୍ତୁ ପ୍ରସନ୍ନ ପ୍ରତ୍ୟେକ ଦିନ ସକାଳ ଓଳିଯାକ ସଂସ୍କୃତ ପଣ୍ଡିତଙ୍କ ପାଖକୁ ଯାଇ ବେଦ ଉପନିଷଦ ବୁଝିବାର ଚେଷ୍ଟା କରନ୍ତି ।
ଦେବୀଦାସ ନିଜ କବିତା ଲେଖା ଶେଷ କରି ସୁଦ୍ଧା ରାଜାଙ୍କ ପାଖକୁ ନଯାଇ ଅପେକ୍ଷା କଲେ । ପ୍ରସନ୍ନ ଯେ କାମଟି ଶେଷ କରି ନାହାଁନ୍ତି, ଏହା ସେ ବୁଝି ପାରୁଥିଲେ ।
ବର୍ଷ ପୁରା ହେଲା । ପ୍ରସନ୍ନ ନିଜ କବିତା ଶେଷ କରି ଦେବୀଦାସଙ୍କୁ କହିଲେ, “କବିବର! ମୁଁ ମୋ କାମ ଶେଷ କରିଛି ।”
ଏକଥା ଶୁଣି ଦେବୀଦାସ କହିଲେ “ତେବେ ଚାଲ । ରାଜାଙ୍କୁ ଆମ କବିତା ଭେଟି ଦେବା ।” ତା’ପରେ ସେ ଦୁହେଁଯାକ ଯାଇ ରାଜାଙ୍କୁ କବିତା ଶୁଣାଇଲେ ।
ରାଜା ସେ ଦୁହିଁଙ୍କ କବିତାରେ ଅତ୍ୟନ୍ତ ମୁଗ୍ଧ ହେଲେ । କାହାକୁ ପୁରସ୍କାର ଦେବେ, ସେକଥା ସେ ଠଉରାଇ ପାରିଲେ ନାହିଁ । କାହା କବିତାର ମୂଲ୍ୟ କେତେ, ସେକଥା ଠଉରାଇବା ନିମନ୍ତେ ରାଜା ତ ଏହା ପୂର୍ବରୁ ସର୍ବଦା ରାଜକବୀ ଦେବୀଦାସଙ୍କ ସହାୟତା ଲୋଡୁଥିଲେ । ବର୍ତ୍ତମାନ ଦେବୀଦାସଙ୍କ ରଚନା ଉପରେ ମତ ଦେବ କିଏ?
ଯୋଗକୁ ରାଜଗୁରୁ ଚିରଞ୍ଜିବୀ ଆସି ଠିକ୍ ସେହି ସମୟରେ ରାଜପ୍ରାସାଦରେ ପହଁଚିଲେ । ସେ ରାଜଗୁରୁ ଜଣେ ଅସାମାନ୍ୟ ବ୍ୟକ୍ତି ଥିଲେ । ତାଙ୍କର କାବ୍ୟ କବିତାରେ ଯେପରି ଅଗାଧ ଜ୍ଞାନ ଥିଲା, ଠିକ୍ ସେହିପରି ଦର୍ଶନ ଶାସ୍ତ୍ରରେ ମଧ୍ୟ ଅତୁଳନୀୟ ପାଣ୍ଡିତ୍ୟ ଥିଲା । ରାଜା ଖୁସି ହୋଇ ଚିରଞ୍ଜିବୀଙ୍କୁ ସେ ଦୁଇ କବିଙ୍କ କବିତା ପଢି ପୁରସ୍କାର କାହାର ପ୍ରାପ୍ୟ ସେକଥା ଜଣାଇବାକୁ କହିଲେ ।
ଏହା ପରେ ରାଜଗୁରୁ ସେ ଦୁଇଜଣଙ୍କ କବିତା ମନ ଧ୍ୟାନ ଦେଇ ପଢି କହିଲେ, “ମହାରାଜ! ଆପଣ ଏ ଦୁଇଜଣଙ୍କୁ ହିଁ ପୁରସ୍କାର ଦିଅନ୍ତୁ ।”
ଏ ରାୟ ଶୁଣି ଦେବୀଦାସ ଟିକିଏ ବିଚଳିତ କଣ୍ଠରେ କହିଲେ, “ରାଜଗୁରୁ ମହୋଦୟ! ପ୍ରସନ୍ନ ଯେ ପୁରାପୁରି ନିଜ ଉପରେ ନିର୍ଭର କରି ସେ ତାଙ୍କ କାର୍ଯ୍ୟ ସମାପନ କରିଛନ୍ତି, ଏକଥା କହିହେବ ନାହିଁ । କାହିଁକିନା ଏଥିଲାଗି ସେ ଅନେକ ପଣ୍ଡିତଙ୍କ ସାହାଯ୍ୟ ଲୋଡିଛନ୍ତି । କିନ୍ତୁ ମୁଁ କାହାରି ବି ସାହାଯ୍ୟ ନେଇ ନାହିଁ । କେବଳ ସେତିକି ନୁହେଁ । ମୁଁ ତ ଚାରିମାସ ପୂର୍ବରୁହିଁ କବିତା ଲେଖା ଶେଷ କରିଛି । କିନ୍ତୁ ପ୍ରସନ୍ନ ଶେଷ କରନ୍ତୁ, ଖାଲି ସେଇଥିପାଇଁ ମୁଁ ଯାହା ଅପେକ୍ଷା କରିଥିଲି । ମୁଁ ଯେ ମୋ କବିତା ଚାରିମାସ ତଳେ ଶେଷ କରିଥିଲି, ସେକଥା ମନ୍ତ୍ରୀ ଜାଣନ୍ତି ।”
ଏହା ଶୁଣି ରାଜଗୁରୁ ପଚାରିଲେ “ସତେ? ତେବେ ଆପଣ ପ୍ରଥମେ ଆପଣଙ୍କ କବିତା ରାଜାଙ୍କ ପାଖରେ ପେଶ୍ ନକଲେ କାହିଁକି?”
ରାଜଗୁରୁଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ଦେବୀଦାସ କହିଲେ, “ମୁଁ ଶୀଘ୍ର କବିତା ଲେଖି ପାରିଥିବା ଯୋଗୁଁ ପୁରସ୍କାର ପାଇବି–ଏହା ମୋର ଉଦ୍ଧେଶ୍ୟ ନୁହେଁ । ମୋ ରଚନା ଶ୍ରେଷ୍ଠ ବୋଲି ମୋତେ ପୁରସ୍କାର ମିଳୁ, ଏହାହିଁ ଥିଲା ମୋର ପ୍ରକୃତ ଉଦ୍ଧେଶ୍ୟ ।”