ତାପରେ ତେନାଲୀରାମା କେବେ ରାଜଗୁରୁ ଡାକିବେ ବୋଲି ଅପେକ୍ଷା କରି ରହିଲେ । କିନ୍ତୁ କୌଣସି ଡାକରା ଆସୁ ନଥାଏ । ଏଣେ ଲୋକମାନେ ଖାଲି ତେନାଲୀରାମାଙ୍କୁ ଥଟ୍ଟା କରି କହୁଥାଆନ୍ତି, “କ’ଣ ଭାଈ! ରାଜାଙ୍କ ପାଖକୁ ଯିବାକୁ ଜିନିଷ ପତ୍ର ବନ୍ଧା ବନ୍ଧି କଲଣି ନା କ’ଣ?”
କେହି କେହି ମଧ୍ୟ କହିଲେ, “ମୁଁ କ’ଣ ଶୁଣୁଛି ବିଜୟନଗର ଯିବାପାଇଁ ରାଜା ତୁମ ପାଖକୁ ଦୂତ ଜରିଆରେ ଆମନ୍ତ୍ରଣ କରିବେ?” ଶେଷରେ ସେ ତେନାଲୀରାମା ଆଉ କିଛି ଉପାୟ ନପାଇ ସେମାନଙ୍କୁ ଖାଲି କହୁଥାନ୍ତି, ସମୟ ଆସିଲେ ସବୁ କିଛି ସମ୍ଭବ ହୋଇପାରିବ ।”
କିନ୍ତୁ ରାଜଗୁରୁ ତାଙ୍କୁ ଯେ ଡାକିବେ, ସେ ବିଶ୍ୱାସ ତେନାଲୀରାମାଙ୍କର ମୋଟେ ନଥାଏ । ଶେଷକୁ ନିରାଶ ହୋଇ ତେନାଲୀରାମା ନିଜେ ବିଜୟନଗର ରାଜ୍ୟ ଯିବାକୁ ମନେ ମନେ ଠିକ୍ କଲେ । ଯିବା ପାଇଁ ତ’ ପୁଣି ପ୍ରଚୁର ଅର୍ଥ ଆବଶ୍ୟକ । ଏତେ ଗୁଡିଏ ଧନ ସେ ପାଇବେ ବା କିପରି? ଏହିପରି ଚିନ୍ତା କରିକରି ଶେଷରେ ସେ ତେନାଲୀରାମା ନିଜ ଘର ବାଡି, ଆସବାସ ପତ୍ର ସବୁ କିଛି ବିକ୍ରୀ କରିଦେଲେ । ଏଥୁଅନ୍ତେ ତେନାଲୀରାମା ନିଜ ମାଆ, ପୁଅ ଏବଂ ପତ୍ନୀଙ୍କୁ ଧରି ବିଜୟନଗର ଅଭିମୁଖେ ଚାଲିଲେ । ରାସ୍ତାରେ ଯେଉଁଠାରେ ସେମାନଙ୍କର କିଛି ଅସୁବିଧା ହେଉଥାଏ, ସେ ତେନାଲୀରାମା ନିଜକୁ ରାଜଗୁରୁଙ୍କର ଶିଷ୍ୟ ବୋଲି ପରିଚୟ ଦେଇ ଅସୁବିଧାରୁ ମୁକ୍ତି ପାଇ ଯାଉଥାଆନ୍ତି ।
ଥରେ ସେ ତେନାଲୀରାମା ତାଙ୍କ ମାତାଙ୍କୁ କହିଲେ, “ମାଆ! ଦେଖିଲ ତ’ ରାଜଗୁରୁଙ୍କର ପରିଚୟ ଦେବାରୁ କିପରି କୌଣସି ଅସୁବିଧା ଆଉ ରହୁନାହିଁ ।” ବ୍ୟକ୍ତି ଜଣକ ଯାହା ବି ହଉନା କାହିଁକି, ତୁମର ଯଦି ଉଚ୍ଚ ପଦବୀ ବା ନାମ ଡାକ ଅଛି ତା’ହେଲେ ତୁମର କୌଣସି ବି ଅସୁବିଧା ହେବ ନାହିଁ । ତେଣୁ ମୋତେ ମଧ୍ୟ ମୋର ନାମ ବଦଳାଇବାକୁ ପଡିବ । ରାଜା କୃଷ୍ଣଦେବରାୟଙ୍କ ପ୍ରତି ସମ୍ମାନ ପ୍ରଦର୍ଶନ କରିବାକୁ ଯାଇ ମୁଁ ମଧ୍ୟ ମୋର ନାମ ଶେଷରେ କୃଷ୍ଣ ଶଦ୍ଦ ଯୋଡିଦେବି । ମାଆ ତୁମେ ତ’ ମୋତେ ରାମଲିଙ୍ଗ ବୋଲି ଡାକୁଛ । ‘ରାମଲିଙ୍ଗ’ ନହୋଇ ମୋର ନାମ ‘ରାମକୃଷ୍ଣ’ ହେବ । ତେନାଲୀରାମାଙ୍କ ଏଭଳି କଥା ଶୁଣି ମାଆ କହିଲେ, “ଠିକ୍ ଅଛି । ତୁ ଯାହା କହିବୁ ମୁଁ ତୋତେ ଆଜିଠାରୁ ସେହି ନାମରେ ହିଁ ସମ୍ବୋଧନ କରିବି ।