ବିଜୟନଗର ଦରବାରରେ ଜଣେ ଯାଦୁକର ଥା’ନ୍ତି । ତାଙ୍କ ନାମ ଜୟନ୍ତ । ଥରେ ରାଜା ଗୋଟିଏ ପ୍ରଦର୍ଶନୀ କରିବା ପାଇଁ ଘୋଷଣା କଲେ । ସେଥିରେ ସବୁ ମୂଲ୍ୟବାନ୍ ଓ ବିଶେଷ ଜିନିଷ ସବୁ ରଖାଯିବାର କଥା । ପ୍ରଦର୍ଶନୀ ଖୋଲିଲା । ଜୟନ୍ତ ନିଜର ବନ୍ଧୁ ହରିଶଙ୍କୁ ସଙ୍ଗରେ ନେଇ ସେହି ପ୍ରଦର୍ଶନୀ ଦେଖିବାକୁ ଗଲେ ।
ହରିଶ ପ୍ରହରୀର ଆଖିରେ ଧୂଳି ଦେଇ ନବରତ୍ନ ହାରଟିଏ ଚୋରୀ କଲେ । କିନ୍ତୁ ଜୟନ୍ତ ତାଙ୍କ ବନ୍ଧୁଙ୍କର ଏହି କୃତୀଟି ଦେଖିନେଲେ । ସେ ଏଥର ମହା ସଂକଟରେ ପଡିଲେ । ଏଣେ ରାଜାଙ୍କର ସେ ଜଣେ ବିଶ୍ୱସ୍ତ କର୍ମଚାରୀ । ପୁଣି ଏପଟେ ନିଜର ବନ୍ଧୁ । ସେ କିପରି ଏହି ପରିସ୍ଥିତିକୁ ରକ୍ଷା କରିବେ ସେଇକଥା ଭାବୁଥା’ନ୍ତି ।
ହଠାତ୍ ପ୍ରଦର୍ଶନୀ ମଝିରେ ଠିଆ ହୋଇ ଦେଖିବାକୁ ଆସିଥିବା ଲୋକମାନଙ୍କୁ ଜୟନ୍ତ କହିଲେ, “ଭାଇମାନେ, ତୁମମାନଙ୍କୁ ଏବେ ମୁଁ ଏକ ଯାଦୁଖେଳ ଦେଖାଇବି । ଦେଖ ମୁଁ ଏକ ନବରତ୍ନ ହାର ଅଳଙ୍କାର ମଧ୍ୟରୁ ଉଡାଇ ନେଇ ମୋ ବନ୍ଧୁଙ୍କର ମୁଣିରେ ରଖିଦେବି ।” ଏତିକି କହି ସେ ମିଛରେ ହାତ ଦ୍ୱାରା ନାନା ଭଙ୍ଗୀ କରିବା ପରେ ନବରତ୍ନ ହାରଟି ହରିଶଙ୍କ ମୁଣିରୁ ବାହାର କଲେ । ଏସବୁ ଦେଖି ଲୋକମାନେ ଆଶ୍ଚର୍ଯ୍ୟ ହୋଇ ତାଳି ମାରିଲେ ।
ଏଥିରୁ ହରିଶ ସବୁ ବୁଝିପାରିଲେ ଓ ଲଜ୍ଜିତ ହେଲେ । କିନ୍ତୁ ଯେଉଁ ଉପସ୍ଥିତ ବୁଦ୍ଧି ନେଇ ଜୟନ୍ତ ଦୁଇପଟକୁ ରକ୍ଷା କଲେ; ସେକଥା ଭାବି ହରିଶ ମନେ ମନେ ଜୟନ୍ତଙ୍କୁ ଢେର୍ ପ୍ରଶଂସା କଲେ ।