ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ପ୍ରଭାବତୀ କଥା

       ସୁନ୍ଦରୀ ରାଜକୁମାରୀଠାରୁ ସବୁକଥା ଶୁଣିବା ପରେ ମୁଁ ଯାଇ ଯୋଗୀଙ୍କୁ ଭେଟିଲି । ତାଙ୍କ ଆଶ୍ରମରେ ଦେଖିଲି, ବହୁ ଯୁବକଙ୍କର ଅସ୍ଥି କଙ୍କାଳ ଝୁଲୁଛି । ଯୋଗୀଙ୍କ କହିବାନୁସାରେ ସେମାନେ ସମସ୍ତେ ରାଜକୁମାରୀକୁ ବିବାହ କରିବାର ନିଶାରେ ପାଗଳ ହୋଇ ଆସିଥିଲେ । ତେଲ କଡେଇରେ ଝାସ ଦେଇ ପ୍ରାଣ ବିସର୍ଜନ କରିବାକୁ ବାଧ୍ୟ ହୋଇଛନ୍ତି ।

       ମୋର ଧୈର୍ଯ୍ୟବନ୍ଧ ଭାଙ୍ଗିଗଲା । ମନକୁ ଯେତେ ବୁଝାଇଲେ ମଧ୍ୟ ମାନଲା ନାହିଁ । ସର୍ବଦା ଆଖି ଆଗରେ ନାଚି ଉଠିଲା ସେଇ ଅପରୂପା ସୁନ୍ଦରୀର ରୂପ ଲାବଣ୍ୟ । ତାଙ୍କୁତ ପାଇ ପାରିବିନି । ଏଣୁ ବଂଚିରହି ଲାଭ କ’ଣ? ସେଥିପାଇଁ ଆତ୍ମହତ୍ୟା କରିବାକୁ ନିଷ୍ପତି ନେଇଥିଲି ।

       ମହାରାଜ ବୁଝାଇଲେ, “ଶୁଣ ଯୁବକ! ରାଜକୁମାରୀଙ୍କୁ ପାଇବା ପାଇଁ ଥିବା ସର୍ତ ଖୁବ୍ କଠିନ । ତୁମେ ତାକୁ ଭୁଲିଯାଅ । ମୋ କଥାମାନ । ମୁଁ ତୁମପାଇଁ ତାଠାରୁ ଅଧିକ ସୁନ୍ଦରୀ ରାଜକନ୍ୟା ଠିକ୍ କରି ବିବାହ କରାଇଦେବି । ଏବେ ମୋ ସହିତ ଆସ ।”

       “ନା ମହାରାଜ! ଆପଣ ମୋତେ କ୍ଷମା କରିଦିଅନ୍ତୁ । ମୁଁ ତା ବିନା ବଂଚି ପାରିବି ନାହିଁ । ତାର ମନମୋହିନୀ ରୂପ ମୋତେ ଯାଦୁକରି ଦେଇଛି । ତାକୁ ନ ପାଇଲେ ମୋ ଜୀବନ ବେକାର ହୋଇଯିବ ।”

       ଯୁବକଟିର ଦୃଢତା ଦେଖି ମହାରାଜ କହିଲେ, “ଠିକ୍ ଅଛି । ଧୈର୍ଯ୍ୟଧର । ଅପେକ୍ଷା କର । ମୁଁ କଥା ଦେଉଛି ତମ ସହିତ ସେଇ ରାଜକୁମାରୀର ବିବାହ କରାଇ ଦେବା ପାଇଁ ଯଥାସାଧ୍ୟ ଚେଷ୍ଟା କରିବି । ମୋତେ ତୁମେ ସେ ଯୋଗୀଙ୍କ ନିକଟକୁ ନେଇଚାଲ ।”

       ମହାରାଜ ବେତାଳଙ୍କୁ ସ୍ମରଣ କଲେ ଏବଂ ଯୁବକଙ୍କୁ ନିଜ ସହିତ ନେଇ ଯୋଗୀଙ୍କର କୁଡିଆ ନିକଟରେ ପହଁଚିଲେ । ଯୋଗୀଙ୍କୁ ପ୍ରଣାମ କରି ନିଜର ପରିଚୟ ଦେଲେ ଏବଂ ବସୁ ସହିତ ରାଜକୁମାରୀର ବିବାହ ସମ୍ପର୍କରେ ସହଯୋଗ କରିବାକୁ ଅନୁରୋଧ କଲେ ।

       ଯୋଗୀ ମହାରାଜ ବିକ୍ରମାଦିତ୍ୟଙ୍କର ଆଦର ସତ୍କାର କଲେ ଏବଂ କହିଲେ, “ମହାରାଜ! ଆପଣ ମୋର ପ୍ରାଣ ମାଗିଲେ ମୁଁ ଦେଇ ଦେଇପାରେ । ମାତ୍ର ରାଜକୁମାରୀଙ୍କ ସଂପର୍କରେ ମୁଁ କୌଣସି ନିଷ୍ପତି ନେଇ ପାରିବି ନାହିଁ । ମୁଁ କେବଳ ଯାହା ତାକୁ ପାଳିଛି । ନିର୍ଦ୍ଧାରିତ ସର୍ତ ଅନୁସାରେ ହିଁ ତା’ର ବାହାଘର ହେବ ।”

       ବିକ୍ରମାଦିତ୍ୟ କହିଲେ, “ଆପଣ ଚିନ୍ତା କରନ୍ତୁ ନାହିଁ ଯୋଗୀରାଜ । ବସୁ ପାଇଁ ମୁଁ ଫୁଟନ୍ତା ତେଲ କଡେଇରେ ପ୍ରବେଶ କରି ସର୍ତ ପୂରଣ କରିବି । କିନ୍ତୁ ଆପଣ ରାଜକୁମାରୀର ବିବାହ ତା’ ସହିତ କରାଇବାର ବ୍ୟବସ୍ଥା କରିବେ ।”ଏକଥା ଶୁଣି ବସୁ ମନେ ମନେ ଆଶାବାଦୀ ହୋଇ ଉଠିଲା । ଯୋଗୀଙ୍କ ନିର୍ଧେସରେ ତେଲ କଡେଇ ପ୍ରସ୍ତୁତ କରାଗଲା ।

       ମହାରାଜ ମାତା ମହାକାଳୀଙ୍କୁ ସ୍ମରଣ କରି ଫୁଟନ୍ତା ତେଲ କଡେଇରେ ପ୍ରବେଶ କଲେ । ଆଶ୍ଚର୍ଯ୍ୟର କଥା ତାଙ୍କର କିଛି ହେଲା ନାହିଁ । ସେ ଅକ୍ଷତ ଅବସ୍ଥାରେ ବାହାରି ଆସିଲେ । କାରଣ ମହାକାଳୀଙ୍କ ନିର୍ଧେସରେ ବେତାଳଗଣ ତାଙ୍କୁ ସୁରକ୍ଷା ଯୋଗାଇ ଦେଲେ । ତା’ପରେ ଯୋଗୀ ରାଜକୁମାରୀର ମାତା ପିତାଙ୍କୁ ଡକାଇ କଥାବାର୍ତା କଲେ । ମହାରାଜାଙ୍କ ଅନୁରୋଧକ୍ରମେ ବସୁ ସହିତ ରାଜକୁମାରୀର ବିବାହ କରାଇ ଯୋଗୀ ନିଜର କର୍ତ୍ତବ୍ୟ ସଂପାଦନ କଲେ । ବସୁ ରାଜକୁମାରୀଙ୍କୁ ପତ୍ନୀରୂପେ ପାଇ ଆନନ୍ଦିତ ହେଲା ।

       ନବଦମ୍ପତି ସମସ୍ତଙ୍କୁ ପ୍ରଣାମ ଜଣାଇ ଆଶିଷ ଗ୍ରହଣ କଲେ । ମହାରାଜ ମଧ୍ୟ ତାକୁ ଅନେକ ଧନରତ୍ନ ଦେଲେ । ସେମାନଙ୍କୁ ସାଙ୍ଗରେ ଧରି ନିଜ ରାଜ୍ୟକୁ ଫେରିଲେ । ସେତେବେଳକୁ ବିଦ୍ରୋହୀମାନେ ବସୁର ମାତା ପିତାଙ୍କୁ ମାରି ରାଜ୍ୟ ଅଧିକାର କରି ନେଇଥିଲେ । ବିକ୍ରମାଦିତ୍ୟଙ୍କ ସୈନ୍ୟ ନେଇ ବସୁ ଶତ୍ରୁମାନଙ୍କୁ ପରାଜିତ କରି ପିତାଙ୍କ ରାଜ୍ୟ ନିଜ ଅକ୍ତିଆରକୁ ଆଣିଲା ।

       ବିକ୍ରମାଦିତ୍ୟ ବସୁର ଅଭିଷେକୋତ୍ସବ ଧୂମ ଧାମ୍ ରେ ପାଳନ କରାଇ ଆଶୀର୍ବାଦ ଦେଲେ । ବସୁ ଏବଂ ରାଜକୁମାରୀ ଦୁହେଁ ଯାକ ବିକ୍ରମାଦିତ୍ୟଙ୍କୁ ପ୍ରଣାମ କରି କୃତଜ୍ଞତା ଜ୍ଞାପନ କଲେ । ମହାରାଜ ସେମାନଙ୍କୁ ନିଜର ଝିଅ ଜ୍ୱାଇଁଭଳି ମୂଲ୍ୟବାନ୍ ଉପହାରମାନ ଦେଇ ବିଦାୟ ଦେଲେ ।

       ଶୁଣିଲେତ! ମହାରାଜ କେମିତି ନିଜର ପ୍ରାଣକୁ ବାଜି ଲଗାଇ ରାଜକନ୍ୟାଙ୍କୁ ବସୁ ହାତରେ ଟେକି ଦେଲେ? ସେ ଚାହିଁଥିଲେ ନିଜେ ବିବାହ କରି ରାଣୀରୂପେ ରଖି ପାରିଥାନ୍ତେ । ଅଥଚ ….. । ଏବେ କୁହନ୍ତୁ “ଆପଣ କ’ଣ ବିକ୍ରମାଦିତ୍ୟଙ୍କ ପରି ତ୍ୟାଗ ସ୍ୱୀକାର କରିପାରିବେ? ଅନ୍ୟପାଇଁ ହସି ହସି ଜୀବନକୁ ବିପଦ ମଧ୍ୟକୁ ଠେଲି ଦେଇପାରିବେ? ଯଦି ଆପଣ ଏମିତି କିଛି ମହତ କାମ କରିଛନ୍ତି, ତେବେ ସିଂହାସନରେ ବସନ୍ତୁ । ନଚେତ୍ ଅସୁବିଧାରେ ପଡିବେ ।”

       ଏହାକହି ପ୍ରଭାବତୀ ପୁଣିଥରେ କଣ୍ଢେଇ ପାଲଟିଗଲା । ମହାରାଜ କିଛି ନ କହି ନିଜ କକ୍ଷ ଅଭିମୁଖେ ଅଗ୍ରସର ହେଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ