ସବୁ ଶୁଣି ରାଜା କହିଲେ, “ମୁଁ ତ’ ଠିକ୍ ଏହି କଥା ଚିନ୍ତା କରୁଥିବାରୁ ଯେଉଁମାନେ ମୋତେ ଏକଥା କହିଥିଲେ ମୁଁ ସେମାନଙ୍କ କଥାକୁ ଆଦୌ କର୍ଣ୍ଣପାତ କରୁନଥିଲି । କିନ୍ତୁ ଯେତେବେଳେ ବାରମ୍ବାର ମୁଁ ସେଇ ଗୋଟିଏ କଥା ଶୁଣିଲି । ଶେଷରେ ସେମାନଙ୍କ କଥା ଉପରେ ବିଶ୍ୱାସ କରିବାକୁ ମୁଁ ବାଧ୍ୟ ହେଲି । ତୁମେ ସପ୍ତାହକ ମଧ୍ୟରେ ତୁମର ସଚ୍ଚୋଟ ପଣିଆର ପ୍ରମାଣ ଦେବ ନଚେତ୍ ତୁମକୁ ଏ ରାଜ ଦରବାର ତ୍ୟାଗ କରିବାକୁ ପଡିବ ।”
ରାଜାଙ୍କ କଥା ଶୁଣି ତେନାଲୀରାମା ଜାଣିପାରିଲେ ଯେ ଏହି କାର୍ଯ୍ୟ ଦରବାରର କର୍ମଚାରୀମାନଙ୍କର ହିଁ କାର୍ଯ୍ୟ । ଦରବାରରେ ସମସ୍ତଙ୍କ ଆଗରେ ମୋତେ ଅପମାନିତ କରି ସେମାନେ ସବୁ ସମୟରେ ଖୁସି ହେବାକୁ ଚାହାଁନ୍ତି । ବିଚରା ତେନାଲୀରାମା ରାଜାଙ୍କୁ ଏବେ କ’ଣ ବା କହିବେ କିଛି ବି ଚିନ୍ତା କରିପାରୁନଥାନ୍ତି । କେବଳ ଲଜ୍ଜାରେ ସେ ନିଜ ମୁହଁ ତଳକୁ କରି ବସିଥାଆନ୍ତି । ଦରବାର ସମାପ୍ତ ହେବା ପରେ ରାଜା ପୁନର୍ବାର ତେନାଲୀରାମାଙ୍କୁ ତାଙ୍କର ଶେଷ ନିଷ୍ପତି ଶୁଣାଇଦେଲେ ।
ସବୁ ଶୁଣି ତେନାଲୀରାମା ବିଚରା କାହାକୁ କିଛି ବି ନକହି ଚୁପ୍ ଚାପ୍ ଘରକୁ ଫେରିଲେ । ତହିଁ ଆରଦିନ ଯେତେବେଳେ ରାଜାଙ୍କ ଦରବାର ବସିଲା, ତେନାଲୀରାମାଙ୍କର ଚାକର କାନ୍ଦି କାନ୍ଦି ଆସି ସେଠାରେ ପହଁଚିଲା ଏବଂ ଏକ ଚିଠି ମନ୍ତ୍ରୀଙ୍କ ହାତକୁ ବଢାଇ ଦେଲା ।
ମନ୍ତ୍ରୀ ପତ୍ର ପାଇବା ପରେ ତାହା ପଢିବାକୁ ଆରମ୍ଭ କଲେ । ସେ ପତ୍ରରେ ଲେଖା ହୋଇଥିଲା –
ମହାରାଜ! ଶତ ଶତ ପ୍ରଣାମ ।
ଗତକାଲି ମୋ ପରି ନିର୍ଦୋଷ ବ୍ୟକ୍ତିଙ୍କୁ ଦରବାରରେ ଅପମାନିତ ହେବାକୁ ପଡିଲା । ମୋର ସମସ୍ତ କର୍ମଚାରୀ ଭାଇମାନେ ମୋ ବିରୋଧରେ ମିଥ୍ୟା ଅଭିଯୋଗ ଶୁଣି ମଧ୍ୟ ଚୁପ୍ ଚାପ୍ ବସି ରହିଲେ । ସେମାନଙ୍କର ଏପରି ନୀରବତା ଦେଖି ମୋତେ ଲାଗିଲା ଯେମିତି ସେମାନେ ମଧ୍ୟ ମୋତେ ବି ଦୋଷୀ ଭାବୁଛନ୍ତି । ଏପରି ଏକ ପରିସ୍ଥିତିକୁ ମୋ ପରି ଜଣେ ସତ୍ୟବାଦୀ ବା କିପରି ସହ୍ୟ କରିପାରନ୍ତା । ମୋ ପକ୍ଷେ ଏପରି ଜୀବନ ବଂଚିବା ଅପେକ୍ଷା ମରିଯିବା ବରଂ ଭଲ । ଭଗବାନ ଆପଣଙ୍କର ସବୁକିଛି ମଙ୍ଗଳ କରନ୍ତୁ । ଆପଣ ମୋତେ ଯେଉଁ ସ୍ନେହ ଦେଇଛନ୍ତି, ମୁଁ ତାହା କଦାପି ଭୁଲି ପାରିବି ନାହିଁ ।
ଆପଣଙ୍କର
-ତେନାଲୀରାମା ।