ଏକଦା ଦୈତ୍ୟରାଜ ପ୍ରହ୍ଲାଦ ରାଜସିଂହାସନରେ ବସିଥିବା ସମୟରେ ମହା ତେଜସ୍ୱୀ ଚ୍ୟବନ ଋଷି ତାଙ୍କ ରାଜ ଦରବାରରେ ଆସି ଉପସ୍ଥିତ ହେଲେ । ରାଜା ଋଷିଙ୍କୁ ଆସୁଥିବାର ଦେଖି ତାଙ୍କୁ ସମ୍ମାନର ସହିତ ପାଛୋଟି ଆଣି ଯଥା ସ୍ଥାନରେ ନେଇ ବସାଇଲେ । ରାଜାଙ୍କର ଏପରି ବ୍ୟବହାରରେ ସନ୍ତୁଷ୍ଟ ହୋଇ ଋଷି ପଚାରିଲେ, ‘ମହାରାଜ ! ଆପଣଙ୍କ ରାଜ୍ୟ ଭଲରେ ଚାଲିଛି ତ?’
ତହୁଁ ସେ ଦୈତ୍ୟରାଜ କହିଲେ, ମହାରାଜ ! ଆପଣ ତ ପୃଥିବୀର ଶ୍ରେଷ୍ଠ ଋଷିମାନଙ୍କ ମଧ୍ୟରେ ଅନ୍ୟତମ । ପୁଣି ଏପରି ସମୟରେ ଆପଣଙ୍କ ଦର୍ଶନ ପାଇ ମୁଁ ମୋ ନିଜକୁ ପରମ ସୌଭାଗ୍ୟବାନ ମନେ କରୁଛି । ଆପଣଙ୍କ ଆଶୀର୍ବାଦ ଥିବାଯାଏଁ ଏ ରାଜ୍ୟ ପରିଚାଳିତ ହେବାରେ କୌଣସି ଅସୁବିଧା ନାହିଁ । ମାତ୍ର ଏମିତି ଅବସ୍ଥାରେ ମୁଁ କିଛିଦିନ ତୀର୍ଥ ଭ୍ରମଣ କରିବାକୁ ଇଚ୍ଛା ପ୍ରକାଶ କରୁଛି । ଅତଏବ ଏ ପ୍ରସଙ୍ଗରେ ଆପଣ ଦୟାକରି ମୋତେ ଯଥାର୍ଥ ମାର୍ଗ ଦର୍ଶନ କରନ୍ତୁ ।
ଏହା ଶୁଣିବା ପରେ ଋଷି ଚ୍ୟବନ କ୍ଷଣକାଳ ଲାଗି ନୀରବ ରହିଲେ । ତା’ପରେ ସେ କହିଲେ, ‘ମହାରାଜ ! ଯଦି ତୀର୍ଥଭ୍ରମଣ କରିବାକୁ ଚାହୁଁଥାଆନ୍ତି, ତେବେ ଆପଣ ‘ନୈମିଷାରଣ୍ୟ’କୁ ଯାଆନ୍ତୁ । ଏଥିରେ ଆପଣଙ୍କର ବହୁତ ମଙ୍ଗଳ ହେବ ।
ଋଷିଙ୍କର ଏଭଳି ପରାମର୍ଶକୁ ଦୈତ୍ୟରାଜ ପ୍ରହ୍ଲାଦ ଅତି ଆଗ୍ରହର ସହିତ ଗ୍ରହଣ କରିନେଲେ । ଏହାପରେ ଋଷି ସେ ରାଜଦରବାର ତ୍ୟାଗ କରି ନିଜ ଆଶ୍ରମ ଆଡକୁ ଆଗେଇ ଗଲେ । ଋଷିଙ୍କର ପରାମର୍ଶ କ୍ରମେ ଦୈତ୍ୟରାଜ ତିଥି, ବାର ଓ ନକ୍ଷତ୍ର ସ୍ଥିର କରି ସେହି ଶୁଭ ମୁହୂର୍ତ୍ତ ପାଇଁ ତୀର୍ଥ ଭ୍ରମଣର ସମସ୍ତ ବନ୍ଦୋବସ୍ତ କରିବାକୁ ଲାଗିଲେ । ଯଥାର୍ଥ ସମୟ ଆସି ପହଁଚିବାରୁ ସେ ତାଙ୍କ ରାଜପରିଷଦ ଏବଂ ପରିଚାରକ ଆଦିଙ୍କୁ ଧରି ଭ୍ରମଣ ଉଦ୍ଧେଶ୍ୟରେ ଆଗେଇ ଚାଲିଲେ ।