ମାଣିକପୁର ଗ୍ରାମରେ ମାଧବ ଓ ରାମ ଦୁହେଁ ପଡୋଶୀ ଭାବରେ ରହୁଥା’ନ୍ତି । ସେ ଦୁହେଁ ଶିକ୍ଷିତ । କିନ୍ତୁ ଚାକିରୀ ପାଉ ନଥିବାରୁ ସେମାନେ ଗ୍ରାମରେ ଛୋଟ ଛୋଟ କାମ କରି କିଛି କିଛି ରୋଜଗାର କରି ଚଳୁଥା’ନ୍ତି ।
ରାମ ନିଜର ଦରିଦ୍ରତା କଥା ଭାବି ଭୀଷଣ ରାଗିଯାଏ ଓ ସ୍ତ୍ରୀ ପିଲାଙ୍କୁ ଗାଳିଗୁଲଜ କରି ସେ ତା’ ମନ ଶାନ୍ତ କରେ । ମାଧବ କିନ୍ତୁ ନିଜ ସ୍ତ୍ରୀ ପିଲାଙ୍କ ସହିତ ଭଲ ବ୍ୟବହାର କରେ ।
ଦିନେ ରାମ ମାଧବକୁ କହିଲା, “ମାଧବ, ଆମର ଦାରିଦ୍ର୍ୟ ଦେଖି କୌଣସି ଦେବୀ ଯଦି କୃପା କରି ଆମକୁ କିଛି ଧନ ଦେଇଦିଅନ୍ତି ତ କେତେ ଭଲ ହୁଅନ୍ତା ନା?”
ଏହା ଶୁଣି ମାଧବ କିଛି କହିଲା ନାହିଁ । ରାମ ତାକୁ ଅନାଇ ପୁଣି କହିଲା, “କିରେ, ଚୁପ୍ ରହିଲୁ କାହିଁକି? ତୁ ଧନ ପାଇଗଲେ ମୁଁ ଭାଗ ବସାଇବି ବୋଲି ଭାବୁଛୁ କି? ନା, ନା, ମୁଁ ସେପରି କଦାପି କରିବି ନାହିଁ । ତୁ ପାଇଲେ ମୁଁ ଖାଲି ଛୋଟ ଖୁସି ହେବି । ମୁଁ ପାଇଲେ କିନ୍ତୁ ତୋତେ ଅଧା ଦେବି ।”
ଏପରି କଥା ଶୁଣି ମାଧବ ଅଳ୍ପ ହସି କହିଲା, “ଦେଖ ମଣିଷ ନିଜ ଉପରେ ଯେତେବେଳେ ଆତ୍ମବିଶ୍ୱାସ ହରାଏ ସେତେବେଳେହିଁ କୌଣସି ଅଚାନକ ଧନପ୍ରାପ୍ତି ପାଇଁ ଲାଳାୟିତ ହୁଏ । ତୁ ସେସବୁ କଥା ମନରୁ ପୋଛି ଦେ ।”
ତା’ପରେ କିଛିଦିନ ବିତିଗଲା । ଦୁହେଁ ସମାନ ଭାବରେ ପରିଶ୍ରମ କରି ପେଟ ପୋଷୁଥାନ୍ତି ।
ଦିନେ କୌଣସି କାମ ପାଇଁ ସେ ଦୁହେଁ ସହରକୁ ଯାଉଥା’ନ୍ତି, ବାଟରେ ଦେଖିଲେ ଗୋଟିଏ ଥଳୀ ପଡିଛି । ରାମ ସେଇଟି ରାସ୍ତାରୁ ଉଠାଇ ନେଇ ଦେଖିଲା ସେଥିରେ ଶହେଟି ମୋହର ଅଛି । ସେତକ ପାଇ ରାମ ଭାରି ଖୁସି ହୋଇ କହିଲା, “ମାଧବ, ଦେଖିଲୁ ତ, ମୋ କଥା ତୁ ପରା ଶୁଣୁ ନଥିଲୁ । ଏବେ ଦେଖ କୌଣସି ଦେବୀ କୃପା କରି ଏତକ ଆମକୁ ଦେଇଛନ୍ତି ।”
ମାଧବ କହିଲା, “ଆମ ଉପରେ ଯେଉଁ ଦେବୀ ଏତକ କୃପା କଲେ, ତାଙ୍କୁ ବି ତ ପୁଣି ଆଉ କାହାଠାରୁ ଏ ଧନ ଛଡାଇ ଆଣି ଏଠାରେ ପକାଇବାକୁ ପଡିଥିବ ନା! ଏହା ତ ନିଶ୍ଚୟ କେହି ଭୁଲ୍ରେ ହଜାଇ ଦେଇଛି । ଦେବୀ ତ ଆଉ ସ୍ୱର୍ଗରୁ ଏହା ଆମପାଇଁ ପକାଇ ଦେଇ ନାହାଁନ୍ତି!”