ଏକ ବଣରେ ଗୋଟିଏ ଛୋଟ ପୋଖରୀ ଥିଲା । ପୋଖରୀଟି ନିର୍ମଳ ପାଣିରେ ଭରିରହିଥିଲା । ସେଥିରେ ଅନେକ ପଦ୍ମଫୁଲ ଫୁଟିଥିବାରୁ ଭାରି ସୁନ୍ଦର ଦେଖାଯାଉଥିଲା । ପୋଖରୀ କୂଳରେ ବରଗଛଟିଏ ରହିଥିଲା । ଏଇ ଗଛଟିର ଦେବତା ଥିଲେ ବୋଧିସତ୍ୱ । ସେ ସେଇ ଗଛରେ ରହୁଥିଲେ ।
ଖରାଦିନ ହେଲା । ପୋଖରୀରୁ ପାଣି ଶୁଖିଆସିଲା । ପାଣି କମିଯାଉଥିବା ଦେଖି ମାଛମାନେ ବଡ ବିକଳ ହେଲେ । ସେମାନେ ଭାବିଲେ – ଯଦି ପାଣି ଶୁଖିଯାଏ, ତେବେ ଆମେ କିପରି ବଂଚିବା? ବଗଟିଏ ଏକଥା ଶୁଣି ମନେ ମନେ ଠିକ୍ କଲା – କିଛି ଗୋଟାଏ ଫିକର କରି ଏ ପୋଖରୀର ମାଛମାନଙ୍କୁ ଖାଇବି । ଅନେକ ଦିନ ଯାଏ ମୋର ଖାଇବାପାଇଁ ଭାବନା ରହିବନି ।
ବଗ ପୋଖରୀ କୂଳକୁ ଗଲା । କୂଳରେ ତୁନି ହୋଇ ମୁଣ୍ଡପୋତି ବସିରହିଲା । ତା’ର ମୁହଁ ଶୁଖିଲା ଦିଶୁଥାଏ । ସେ ମାଛ ଧରିବା ପାଇଁ କିଛି ଚେଷ୍ଟା କରୁନଥିଲା । ମାଛଗୁଡାକ ବଗକୁ ଏପରି ବସିରହିଥିବା ଦେଖି ଆଶ୍ଚର୍ଯ୍ୟ ହେଲେ । ସେମାନେ ତାକୁ ପଚାରିଲେ – “ବଗ ଭାଇ ! କାହିଁକି ଏମିତି ତୁନି ହୋଇ ବସିଚ? ଆଜି କ’ଣ କିଛି ଖାଇବନି କି? ତୁମ ମନରେ କିଛି ଦୁଃଖ ଥିଲା ପରି ଜଣାଯାଉଚି!”