ବଗ କହିଲା – “ମୋର ଦୁଃଖ ଖାଲି ତୁମମାନଙ୍କ ପାଇଁ । ମୁଁ ଦେଖୁଚି ଯେ ଏ ପୋଖରୀ ପାଣି ଶୁଖିଆସିଲାଣି । ଆଉ କେତେଟା ଦିନରେ ସବୁ ପାଣି ଶୁଖିଯିବ । ତୁମେସବୁ ପାଣି ବିନା ମରିଯିବ । ତୁମମାନଙ୍କ ସାଙ୍ଗରେ ମୁଁ ଏତେଦିନ ରହିଥିଲି । ଏବେ ଦେଖୁଚି ଯେ ମୁଁ ତୁମମାନଙ୍କୁ ହରାଇବି । ସେଇକଥା ଭାବି ଭାବି ମୁଁ ଏଇଠି ଦୁଃଖରେ ବସିଚି ।”
ବଗର କଥା ଶୁଣି ମାଛମାନେ କହିଲେ – “ବଗ ଭାଇ ! ଯାହା କହିଲ ତାହା ସତ । ହେଲେ ଆମେମାନେ କିପରି ବଂଚିବୁ? ତା’ର କ’ଣ କିଛି ବାଟ ନାହିଁ?”
ଏହା ଶୁଣି ବଗ କହିଲା – “ବାଟ ନାହିଁ କାହିଁକି? ତୁମେମାନେ ମୋ କଥାରେ ରାଜୀ ହେଲେ ହେଲା । ଏଠାରୁ କିଛି ବାଟ ଗଲେ ଗୋଟିଏ ବଡ ପୋଖରୀ ପଡିବ । ସେଥିରେ ବହୁତ ପାଣି ଅଛି । ଖରାଦିନେ ସେ ପୋଖରୀ ଶୁଖିବନି । ତୁମେମାନେ ଜଲ୍ଦି ସେଇ ପୋଖରୀକୁ ଚାଲିଯାଅ । ତା’କଲେ ସମସ୍ତେ ବଂଚିଯିବ ।”
ମାଛମାନେ କହିଲେ – “ହେଲେ ଆମେ ସେ ପୋଖରୀକୁ ଯିବୁ କିମିତି?”
ବଗ କହିଲା – “ଯଦି ତୁମେମାନେ କହିବ, ତେବେ ମୁଁ ତୁମମାନଙ୍କୁ ନେଇ ସେଇ ପୋଖରୀରେ ଛାଡିଦେଇ ଆସିବି । ଥରକେ ଜଣକୁ ଥଂଟରେ ବୋହିନେବି । ଏମିତିକାରେ ଯେତେଦିନ ଲାଗିବ ଲାଗୁ । ଖରାଦିନ ଆସିବା ଆଗରୁ ତୁମେସବୁ ସେଠାରେ ପହଁଚିସାରିଥିବ । ଏଥିରେ ତମେସବୁ ରାଜୀହେଲେ ହେଲା ।”