ବିଦିଆ ପାତ୍ର ଭୁଷଣ୍ଡପୁର ଗାଁର ଚୌକିଆ । ଏତେବଡ ଗାଁଟାରେ କଣ୍ଡରା ବୋଇଲେ ବିଦିଆ ଏକୁଟିଆ । ଅଛବ ଲୋକଟା, ସେ କ’ଣ ଭଲଲୋକଙ୍କ ଘର ଲଗାଲଗିରେ ଘର କରିବ! ଗାଁମୁଣ୍ଡ ଦି’ମାଣ ଜମି ଛାଡି ପଦା ଢିଅରେ ଗୋଟିଏ ପଲାଘର । ଜାତିରେ ତ’ ସେ କଣ୍ଡରା- ଚୌକିଆ ବାପୁଡା ବୋଲି ପୁଞ୍ଜି ନୁହେଁ । ହେଲେ, ସେ ଗାଁ ଲୋକେ ତାକୁ ଭାରି ମାନନ୍ତି । ସେ ଆଉ ଗାଁ ଚଉକିଆ ପରି ନୁହେଁ । ଚିତାଏ ଉଂଚା ମୂଳିବାଉଁଶ ଠେଙ୍ଗାଟାଏ କାନ୍ଧରେ ପକାଇ, “ଏ ରାମ ପଇଡେ- ଜାଗତା, ଏ ନାଇକ ଘନ-ହୁସିଆର”, ଏହିପରି ଡାକି ଡାକି ଦୁଆର ଦୁଆର ରାତିସାରା ସେ ବୁଲୁଥିବ । ବିଦିଆ ପାତ୍ର ଚୌକିଦାରୀ କଲାଦିନରୁ ସେ ଗାଁରେ କାହାରି ଘର ପିଢାରୁ ପୋଲଡଙ୍କଟାଏ ବି ଚୋରି ଯାଇ ନାହିଁ । କଥା କ’ଣ କି ମଫସଲ ଗାଁରେ ଚୋରମାନେ ଚୌକିଆ ଓର ନ ଧରିଲେ ଗାଁ ଭିତରେ ମୋଟେ ପଶିପାରନ୍ତି ନାହିଁ । ଫେର୍ ତା’ ବାଦ୍ ବିଦିଆ ଗୋଟିଏ ପଂଚହତା ମରଦ । ଠେଙ୍ଗାଟାଏ ଧରିଥିଲେ ଦଶଜଣ ଭେଣ୍ଡିଆ ତା ପାଖ ମୋଟେ ପଶିପାରିବେ ନାହିଁ । ଏଥିଲାଗି ତ ଚୋରଯାକ ଭରସି ଭୁଷଣ୍ଡପୁର ଗାଁ’ ମୁହାଁ କଦାପି ମଧ୍ୟ ହୋଇପାରନ୍ତି ନାହିଁ ।
ବିଦିଆର ବର୍ତନ ମାଣେ ଦିଗବାରି ଜାଗିରି । ତା’ବାଦ୍ ଫସଲ ଅମଳ ବେଳେ ଗାଁର ସାନବଡ ସମସ୍ତେ ବିଲ ମୁଣ୍ଡରେ ତାକୁ ଗୋଟାଏ ଗୋଟାଏ କଳେଇ ଦିଅନ୍ତି । ପାତ୍ରପୁଅ ସବୁବେଳେ ମନ ଆନନ୍ଦରେ ଥାଏ, ସବୁବେଳେ ହରେକୃଷ୍ଣ ହରେକୃଷ୍ଣ ଭଜୁଥାଏ । ଥିଲା ନ ଥିଲାକୁ ତା’ର ଆଦୌ ଶୋଚନା ନାହିଁ । ଘରେ ଅଛି, ଖାଇଲା- ନାହିଁ ତ ଉପାସ ରହିଲା । ଜୀବନଟାଯାକ କାହାରିକୁ ସେ କେବେବି କିଛି ମାଗିନାହିଁ, କାହାରି ଦୁଆରେ ଅଦୁର୍ଯ୍ୟା ହୋଇ ନାହିଁ । କିଛି ଦୁଃଖରେ ପଡିଲେ ହାତଯୋଡି ଉପରକୁ ଅନାଇ ସେ ଜଣାଏ “ହରି ତୋ ମରଜି ।”
ବୁଢୀଟା ମଲାଦିନରୁ ବିଦିଆ ପାତ୍ର ସଞ୍ଜ ସଞ୍ଜ ଚାରିଟା ଖାଇଦେଇ ପୁଅକୁ ଧରି ବାହାରିଯାଏ । ଭାଗବତଘର ଆଗ ପିଣ୍ଢାତଳେ ଖଣ୍ଡେ ଛିଣ୍ଡା ଚାଟ ପାରିଦେଇ ପୁଅଟିକୁ ତାହିରେ ଶୁଆଇଦିଏ । ଭାଗବତ ଘରେ ପୁରାଣ ଗାଦି ବିଜେ । ଗାଁର ପୁରୋହିତ ବିଷ୍ଣୁ ପଣ୍ଡାଏ ପୁରାଣପଣ୍ଡା । ତାଙ୍କର ସେଥିକି କିଛି ବର୍ତନ ନାହିଁ । ପୁରାଣ ବଢାଦିନ ଗାଁର ସାନବଡ ସମସ୍ତଙ୍କୁ ଶଙ୍ଖୁଳା ହୁଏ । ପୁରାଣ ଶୁଣ କି ନ ଶୁଣ, ଆପଣା ମଗଦୁର ଭରି କିଛି କିଛି ନିଶ୍ଚୟ ଦେବାକୁ ପଡିବ । ପଇସା ନାହିଁ ତ, କେହି ଦି’ମାଣ ଧାନ କାନିରେ ବାନ୍ଧିଆଣି ଢାଳି ଦେଇ ଦେଇଗଲା । ସବୁଦିନେ ପୁରାଣ ହୁଏ । ଖାଲି ଉଆଁସ, ପୁନେଇଁ, ସଂକ୍ରାନ୍ତି, ଗୁରୁବାର ବନ୍ଦ । ପଣ୍ଡାଏ ଉଖୁଡା ପୁଞ୍ଜାଏ ନୋହିଲେ ଗୁଡ ଟୋପାଏ ଭୋଗଦେଇ ହାତତାଳି ମାରି ଚାଲିଯାନ୍ତି । ସେସବୁ ଦିନରେ ଗାଁର ମୁଖିଆ ମୁଖିଆ ଲୋକ ଅଧରାତି ଯାଏ ବସି ଗାଁର ଭଲମନ୍ଦ, ହାରିଗୁହାରି କଥା ବୁଝାବୁଝି କରନ୍ତି ।