ଗାଁ’ର ବୁଢା ଭଳିଆ ଲୋକ ରୋଜ ରୋଜ ପୁରାଣ ଶୁଣିବାକୁ ଆସନ୍ତି । ଦେହ ବାଧିକି ଅବା ହାତରେ କିଛି ପାଇଟି ଥିଲେ, ଦିନେଅଧେ ସେମାନେ ଆସିପାରନ୍ତି ନାହିଁ । ମାତ୍ର ଭେଣ୍ଡିଆଟି ଦିନରୁ ଆଜିଯାଏଁ ଚାଳିଶ ପଚାଶ ବର୍ଷ ମଧ୍ୟରେ ବିଦିଆ ପାତ୍ର ହାଜର ହେବାର ଦିନେ ବି ଛୁଟଣ ନାହିଁ । ତାକୁ ବାଧିକା ପଡିଲେ ବି କୁନ୍ଥେଇ କୁନ୍ଥେଇ ସେ ଠିକ୍ ବେଳେ ଆସିବ । ପୁରାଣ ଆରମ୍ଭ ‘ଶ୍ରୀ ଶୁକଉବାଚ’ କତିରୁ ଶେଷ ‘ଭୀମାସ୍ୟାପି’ ଯାଏଁ ହାତଯୋଡି ବସି ମନଦେଇ ସେ ଶୁଣୁଥାଏ । ପୁରାଣ ପାଠବେଳେ କୌଣସି ସ୍ଥାନରେ ଅର୍ଥର କିଛି ଅଖଞ୍ଜ ହେଲେ ସମସ୍ତେ ଅନାଇ କହନ୍ତି, “ପାତ୍ରପୁଅ ଏ ଜାଗାରେ ପାଠ କ’ଣ ହେଲା?” ପାତ୍ର ହାତଯୋଡି ‘ଆଜ୍ଞା ସାଆନ୍ତମାନେ’ କହି ଗୀତର ଏମନ୍ତ ସୁନ୍ଦର ଅର୍ଥ କରିଦିଏ ଯେ, ସମସ୍ତଙ୍କ ମନ ଖୁସି । ପାତ୍ରକୁ ଭାଗବତର ଢେର୍ ଜାଗା ପୈଟେ । ଅଧ୍ୟାକୁ ଅଧ୍ୟା ପାଠ ମୁହେଁ ମୁହେଁ ସେ କହିଯିବ । କଥା କହିବା ବେଳେ ଭାଗବତରୁ ଢେର୍ ଢେର୍ ପଦ ଦାଇକା ଦେଇ ସେ କହେ । ସାଆନ୍ତମାନେ ତାକୁ ପ୍ରଶଂସା କଲେ, ଦୁଇ ହାତରେ ଧୀରେ ଧୀରେ ଗାଲରେ ଚାପୁଡା ମାରି ହୋଇ ସେ କହେ, “ଆଜ୍ଞା ସାଆନ୍ତେ, ମୁଁ କଣ୍ଡରା ବାପୁଡା କ’ଣ ବା ଜାଣେ, ସାଆନ୍ତମାନଙ୍କ ଚରଣରେଣୁ ସେବାକରି ଯା’ ଦି’ପଦ ଶିଖିଛି ।”
ବିଦିଆ ପାତ୍ରର ପୁଅ ସପ୍ନାର ବିଭା ଲାଗି ଢେର୍ ଢେର୍ ଜାଗାରୁ କନ୍ୟାର ବାତିନି ଆସିଲାଣି । ଏତେବଡ ଗାଁର ଚୌକିଆ, ତା’ ପୁଅଲାଗି କ’ଣ କନ୍ୟାର ଅଭାବ? ସପନା ପିଲାଟା ଯିମିତି ଦେଖିବାକୁ ଡଉଲ ଡାଉଲ, ଗୁଣ ବି ତା’ର ଠିକ୍ ସେମିତି, କାମ ପାଇଟିକୁ ସେ ରାହୁ । ତାହାକୁ ଖୁବ୍ ମାନେ, ବାପ କଥା ତଳେ ପଡିବ ନାହିଁ । ବାପ ବାଧିକା ପଡିଲେ ଦିନରାତି ପାଖରେ ଜଗିବସି ସେବାରେ ସେ ଲାଗିଥିବ । ମକ୍ରାମପୁର ଚୌକିଆ ଦଣ୍ଡିଆପାତ୍ର ଝିଅ ଚେମୀକୁ ଦେଖି ବୁଢାର ମନ ମାନିଗଲା । ତାହାରି ସାଙ୍ଗରେ ସପ୍ନାକୁ ବାହା କରିଦେବା କଥା ସେ ଠିକ୍ କଲା । ଯିମିତି ହେଉ, ଏଇ ବର୍ଷ ବିଭା କଲେ ବନେ । ଉଛୁଣି ପୁଅର ସତରବର୍ଷ ଚାଲିଛି, ଆଏନ୍ଦାକୁ ଯୋଡା ବୟସ ପଶିବ, ଆଉ ସେ ବିଭା ହେବ ନାହିଁ । ବିଭା କରାଇବି- ହଁ- ବୋଇଲା, ରଙ୍କ ତିରିଶା । ଯେତେ ଟାଣିଟୁଣି ଖରଚ କର, ତିରିଶ ଟଙ୍କାରୁ ଊଣା ଲାଗିବ ନାହିଁ । ଜାତିଭାଇମାନେ କ’ଣ ଛାଡିବେ? ଏଡେ ବଡ ଚାକିରିଟାରେ ଅଛି, ନାମ ଡାକ, ନାହିଁ ବୋଇଲେ କିଏ ଶୁଣେ? ଆଉ ନିକୁଛ ଦି’ବେଳ ତ ଜାତି ଗୋସେଇଁମାନଙ୍କୁ ମୁଖ ଧଉତ କରାଇବି । ଏଣେ ହାତରେ ନାହିଁ ପଇସାଏ, ଯାହା କରିବେ, ଯାହା ଦେବେ ହରି । ତା’ପରେ ସେ ଢେର୍ ବେଳଯାଏଁ ହାତଯୋଡି ପ୍ରଭୁଙ୍କୁ ଡାକିଲା, “ପ୍ରଭୁ! ତୁମ ଇଚ୍ଛା ହେଲେ ପୁଅଟି ଦି’ ହାତକୁ ଚାରିହାତ ହେବ ।”
ଦିନେ ରାତିରେ ପୁରାଣପାଠ ସରିଲା ବାଦ୍ ଗାଁର ମୁଖଣ୍ଡ ମୁଖଣ୍ଡ ସାଆନ୍ତମାନେ ବସିଥା’ନ୍ତି । ଏତିକିବେଳେ ସେ ବିଦିଆ ପାତ୍ର ହାତଯୋଡି ଜଣାଇଲା, “ଆଜ୍ଞା, ସାଆନ୍ତମାନଙ୍କ ହୁକୁମ ହେଲେ ପଦେ ଗୁହାରି ଜଣାଇବି । ଆଜ୍ଞା, ଆପଣମାନଙ୍କ ଚରଣଧୂଳି ଲାଗି ପୁଅଟି ମୋର ପାରିଗଲାଣି । କନ୍ୟାଟିଏ ଠିକ୍ କରିଛି; ଆଜ୍ଞା ହେଲେ ମୁଁ ତା’ର ହାତଛନ୍ଦା କରାଇଦେବି ।”
ଏକଥା ଶୁଣି ସବୁ ସାଆନ୍ତ ବସି ମୁହଁ ଚାହାଁଚାହିଁ ହେଉଛନ୍ତି । କାହାରି ପାଟି ଫିଟୁ ନାହିଁ । ଜମିଦାର ବଳରାମ ନାୟକେ ଗୋଟାଏ କାମ ବାହାନା କରି ବିଦିଆ ପାତ୍ରକୁ ଆଉ ଆଡେ ପଠାଇଦେଲେ । ତହିଁ ବାଦ୍ ସମସ୍ତଙ୍କ ମୁହଁକୁ ଚାହିଁ ସେ କହିଲେ, “ଦେଖନ୍ତୁ, ଗ୍ରାମର ସମସ୍ତ ମୁରବି ଲୋକେ ତ ଅଛନ୍ତି । ବିଦିଆ ଊଣା ପୂରା ପଚାଶ ବର୍ଷ ହେଲା ଗାଁ’ଟାକୁ ଆଗୁଳିଛି । ତା ବାହାଦୌଲତରେ ଚୋରିରିପୋର୍ଟ କିଛି ବି ଶୁଣା ନାହିଁ । କେବେ ସେ କିଛି ମାଗି ନାହିଁ । ମାଗିବା ଲୋକ ସେ ବି ନୁହେଁ । ଲୋକଟି ଯେମିତି ସତ୍ୟବାଦୀ, ସେମିତି ଧାର୍ମିକ । ତା’ ହାତରେ ପଇସାଏ ଥିବ ନାହିଁ ଜଣା । ଆସନ୍ତୁ ଆମ୍ଭେମାନେ ତା’ ପୁଅକୁ ବାହା କରାଇଦେବା ।”
ତାଙ୍କ କଥା ଶୁଣି ସମସ୍ତେ ଏକାବେଳକେ କହିପକାଇଲେ, “ଆଜ୍ଞା । ଆଜ୍ଞା! ସାଆନ୍ତ ଯାହା ଆଜ୍ଞା କଲେ ଠିକ୍ କଥା । ଆମେମାନେ ମନ ନ ଦେଲେ ସେ କିମିତି ଚଳିବ?”
ଜମିଦାରଙ୍କ ଆଜ୍ଞାରେ ଅବଧାନେ ଗଙ୍ଗାଧର ମହାନ୍ତିଏ ଧାଇଁଯାଇ ଲେଖନପତ୍ର ଘେନି ଆସିଲେ । ବିଭାଘରକୁ ଯାହା ଲୋଡା- ବିରି, ଚାଉଳ, ତେଲ, ଲୁଣ, ସୋରିଷ, ଖଲିପତ୍ର ଖଣ୍ଡିକ ସୁଦ୍ଧା ତାଲିକା ହେଲା । ପୁରୋହିତ କଣ୍ଡରା ବୈଷ୍ଣବ, ତା’ପାଇଁ ମୂର୍ତ୍ତିଏ ଲୁଗା, ଚାରିଅଣା ଦକ୍ଷିଣା ସବୁ ତାଲିକାରେ ବସିଲା । ମଣିଷ ଚିହ୍ନି ସବୁ ଗାଁ’ଯାକ ଭେଦା ହୋଇଗଲା ।
ଆଜି ଅଭଡା ମଙ୍ଗନ । ବିଭା ଆଉ ଦୁଇଦିନ ଅଛି । ସକାଳ ଦିନ ପହରକ ସମୟରେ ଜମିଦାରଙ୍କ ଦୁଆରୁ ଭାର ଯାଇ ପାତ୍ର ଦୁଆରେ ଜମା ହେଲା । ଜମିଦାର ଗାଁ’ର ସମସ୍ତଙ୍କ ଘରୁ ତୁଣ୍ଡେଇ ଘରେ ଠୁଳକରି ରଖିଥିଲେ । ପାତ୍ରର ତ ସାତ-ପାଂଚ ଗୋଟିଏ ପଲାଘର, ପଦାର୍ଥ ସବୁ ରଖୁଛି କାହିଁ? ଦୂରଦୂରାନ୍ତରୁ କୁଣିଆ କୁଟୁମ୍ବ ଆସି ରହିବାଲାଗି ବାପପୁଅ ଲାଗି ଖଜୁରିପିଂଛରେ କେତେ ବଖରା ଚାମୁଡିଆ କରି ପକାଇଥିଲେ । ସେଥିରୁ ଗୋଟାଏ ଘରେ ସବୁ ଜିନିଷ ରଖିଦେଲେ । କାଲି ବିଭା । ମଙ୍ଗନ ରାତିରେ ସବୁ କୁଣିଆ ଆସି ପହଁଚିଗଲେ, ଖନ୍ଦା ଲାଗିଗଲା । ସେହି କୁଣିଆ ଭିତରୁ ଚାରିଜଣ ରାନ୍ଧୁଣୀ, ପରଷୁଣୀ ବାହାରିପଡିଲେ । ବୁଢା ପାତ୍ର ସାନ କତିରୁ ବଡଯାଏଁ ସବୁ ଜାତିପୁଅଙ୍କ ହାତ ଧରି, ଗୋଡ ଧରି କହୁଥାଏ “ସାଆନ୍ତମାନେ, ଗୋସେଇଁମାନେ, ପଂଚୁ ଠାକୁରମାନେ, ଏ କାମ ଆପଣମାନଙ୍କର, ପୁଅ ଆପଣମାନଙ୍କର, କାମ ତୁଲେଇ ନିଅନ୍ତୁ ।” ସତକୁ ସତ ସମସ୍ତେ କାମ ତୁଲାଇ ନେଲେ, ବିଭା ହୋଇଗଲା । ଜାତିପୁଅମାନେ ଖୁସି ହୋଇ ବିଦା ହୋଇଗଲେ । ଯିବାବେଳେ ବାଟରେ ସେମାନେ କୁହାକୁହି ହେଇ ଯାଉଥାନ୍ତି, “ଜାତି ଭିତରେ ଏଡେ କାର୍ଯ୍ୟଟା କେହି ବି କରି ନାହିଁ । ସବୁ ଜାତିପୁଅଙ୍କୁ କିଏ ବରଣିଥାଏ? ଖୁଆଇ ପିଆଇ ଭୋର୍ କରିଦେଲା । ତାଟିଆକୁ ତାଟିଆ ବିରିଡାଲି, ବାଛୁରି ପରି ବଡ ବଡ ପୁଞ୍ଜାଏ ଗାରଡ ବାନ୍ଧିଦେଲା, ଚାରି ମାଠିଆ ତାଡି, କେତେ ପିଇବ ପିଅ । ଧନ୍ୟ ଧନ୍ୟ, ସେମିତିକା ସାଆନ୍ତମାନଙ୍କୁ ଖଟିଛି ଏକା ।”