ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ବଗଲା-ବଗୁଲୀଞ୍ଚ

ବୋହୂଟି ଘରକୁ ଆସିଲା । ଦେଖିବାକୁ ସେ ବେଶ୍ ଡଉଲଡାଉଲ, ତାକୁ ଦେଖିଲେ କିଏ କହିବ ସେ କଣ୍ଡରା ଘରର ଝିଅ? କରଣ ଖଣ୍ଡାଏତ ଘରର ଝିଅ ପରି ସେ ଦିଶେ । ଗୁଣ ବି ସିମିତି, ତା’ ହାତରନ୍ଧା ମଦରଙ୍ଗା ଶାଗଖରଡା, ଚେଙ୍ଗମାଛ ଅଣ, କଙ୍କଡା ସିଝା ଯିଏ ଥରେ ଖାଇଚି, କେବେବି ପାସୋରି ପାରିବ ନାହିଁ । ଏ କଥାଗୁଡାକ ଏକା ବୁଢା ପାତ୍ର ମୁହଁରୁ ଶୁଣି ଲେଖୁଛୁଁ । ଘଷି ସାଉଁଟିବା, ଗୁଣ୍ଡିକାଠ ଗୋଟେଇବା, ଗାତ ଭିତରୁ କଙ୍କଡା ଧରି ଆଣିବା, ସବୁ ଗୁଣରେ ସେ ପୂରା । ସଞ୍ଜବେଳେ ବୁଢା ଗାଁରୁ ବୁଲି ଆସିଲେ, ବୋହୂ ଠେକିଏ ପାଣିରେ ତାଙ୍କ ଗୋଡ ଧୋଇଦିଏ । ସାଙ୍ଗେ ସାଙ୍ଗେ ତିନି ପୁରୁଷର ବାସନ ଭଙ୍ଗା ପଥୁରିରେ ଭାତ, ଚାକୁଣ୍ଡା ଶାଗଖରଡା, କଙ୍କଡାପୋଡା, ତେଙ୍ଗ କୁଟୁରୀ ଅଣ, ତିନି ତିଅଣ କରି ସେ ପରଷି ଦିଏ । ବୁଢା ଏତେ ତିଅଣ କେବେ ଖାଉଥିଲା? ତା’ର ତ ତେନ୍ତୁଳି ଫୁଟେ ଲୁଣଟିକକୁ ଭାତ ନିଅଂଟ । ବୋହୂର ଏସବୁ ଗୁଣ ଦେଖି ସେ ବୁଢା ଦିନେ ନିରୋଳରେ ବସି ଢେର୍ ‘ହାୟ! ହାୟ!’ କରି କାନ୍ଦିଲା । ଏଡେ ଭାଗ୍ୟଟା ହୀନକପାଳୀ ବୁଢୀ ଦେଖିପାରିଲା ନାହିଁ ।

ବିଭା ଚାରି ଛ’ମାସ ବାଦ୍- ଦିନ ପହରେ ହେଲାଣି, ବୁଢା ବିଛଣାରୁ ଉଠି ନାହିଁ । ସପ୍ନା ପଚାରିଲା, “କିଲୋ ବାପ, ଏତେବେଳଯାଏଁ ଶୋଇଛୁ?” ବୁଢା ପୁଅବୋହୂଙ୍କୁ ପାଖରେ ବସାଇ କହିଲା, “ଆରେ ସପନା, ତୁ ତ ମୋ ସାଙ୍ଗରେ ଯାଇ ପିଲାଦିନୁ ପୁରାଣ ଶୁଣିଛୁ, ଢେର୍ କଥା ବି ମୁଁ ତୋତେ ଶିଖେଇଛି, ମନରେ ରଖିବୁ-

                                ଚୋରି ନାରୀ ଖୁଣି- ନ କରି ରହି ଯା ପୁଣି ।

                                ଲୋଭ ନ କରିବୁ ପର ଧନେ-

                                ମିଛ ନ କହିବୁ କଦାଚନେ ।

ବୋହୂଲୋ- ଏଇ ସପ୍ନି ହେଲା ତୋ ଖାଉନ୍ଦ- ତୋ ଠାକୁର ଦେବତା- ୟା’ କଥା ତୁ କେବେବି ଏଡିବୁ ନାହିଁ । ମୋର ଦେହଟା କିମିତିକା ଦେଖୁଛି, ଆଉ ବର୍ତିବି ନାହିଁ ।”

ଏହା ଶୁଣି ସେ ପୁଅବୋହୂ ଦୁହେଁ ଢେର୍ କାନ୍ଦିଲେ । ଚାରିପାଂଚଦିନ ଖିଆ ଶୁଆ ଛାଡି ବୁଢାର ଢେର୍ ସେବା କଲେ । ବଡ ବୁଢା ହୋଇଥିଲା, ଦିନ ଛ’ଟା ଜରରେ ‘ହରି ହରି’ କହି କହି ଶେଷରେ ସେ ଚାଲିଗଲା । ପୁଅବୋହୂ ଢେର୍ କାନ୍ଦିଲେ । ଗାଁ ଲୋକେ ‘ହାୟ! ହାୟ!’ କହିଲେ, ନୀଚ କୁଳରେ ଇମିତିକା ସତ୍ୟବନ୍ତ ଧାର୍ମିକ ଦେଖି ନାହିଁ ।

ବୁଢାର ଶୁଧବାଦ ଗଲାଣି । ଦିନେ ସପ୍ନା ଚେମୀ ବସି ବିଚାର କଲେ-

ସପ୍ନା- ହଇଲୋ ବୋଉ, ମୁଁ ଚାକିରିରୁ ଇସ୍ତଫା ଦେବି । ଏକୁଟିଆ ଘରେ ପକାଇ ରାତିରେ କିମିତି କରି ଗାଁ ବୁଲିଯିବି?

ସପ୍ନା ଯା’ କହେ, ସବୁ କଥାରେ ଚେମୀର ‘ହଁ’ । ହେଲେ ଚାକିରି ଛାଡି ଦେବାଟା ତା’ମନକୁ ଆଦୌ ମାନିଲା ନାହିଁ । ତେଣୁ ସେ ଚେମୀ କହିଲା, “ଏ ଖାଉନ୍ଦ । ତମେ ତ ଚାକିରି ଛାଡିବ, କିମିତି ଖାଇବା ପିନ୍ଧିବା?”

ସପ୍ନା- ମୁଲକରେ ଏତେ ବିଲ – ଗାଁରେ ଏତେ ପୋଖରୀ ଗାଡିଆ – ଭାତ ତୁଣ କ’ଣ ଊଣା ହେବ?

ଚେମୀ- ତମ ମନକୁ ଯା ଲାଗେ, କର ।

ରାତିରେ ଗାଁର ସାଆନ୍ତମାନେ ଭାଗବତ ଘରେ ବସିଛନ୍ତି, ସେତିକିବେଳେ ସପ୍ନା ବେକରେ ଗାମୁଛାଖଣ୍ଡ ପଟକା ପକାଇ ହାତଯୋଡି କହିଲା, “ଆଜ୍ଞା ସାଆନ୍ତମାନେ! ମୋ ସାତପୁରୁଷ ଆପଣମାନଙ୍କ ଚରଣରେଣୁ ଗୋଲାମ- ଚରଣରେଣୁ ନୁଣ ଖାଇଲେ- ମାତ୍ର ମୁଁ ଏଣିକି ଆଉ ଚାକିରି କରିପାରିବି ନାହିଁ । ଆପଣମାନଙ୍କ ଚରଣରେଣୁରେ ଇସ୍ତଫା ଦେଲି ।” ଏପରି କଥା ଶୁଣି ସାଆନ୍ତମାନେ ଆପଣା ଆପଣା ମଧ୍ୟରେ ଢେର୍ ବେଳଯାଏଁ ବିଚାର କଲେ, ଶେଷରେ ଜମିଦାର ବଳରାମ ନାୟକେ କହିଲେ, “ନାହିଁରେ, ତୋ’ ଇସ୍ତଫା ନିଆଯିବ ନାହିଁ । ଯିମିତି ଚୌକିଆ ଥିଲୁ, ସେମିତି ଥିବୁ । ହେତା ହଳା ସବୁ ପାଇବୁ । ଗାଁ ବୁଲି ନ ଆସିବୁ ପଛକେ ।”

ସପ୍ନା ଆସି ବୋହୂକୁ ସବୁ କହିଲା । ସବୁ ଶୁଣି ଚେମୀ ମନ ତ ଭାରି ଖୁସି, “ଏ ଖାଉନ୍ଦ, ଭଲ କଲ, ଚାକିରି ଥାଉ ମୁଁ ଇମିତି ସାନ ହେଲି- ଡରି ଗଲି । ବଡ ହେବି, ଆଉ ଡରିବି ନାହିଁ, ତମେ ଗାଁ ବୁଲି ଯିବ । ମୁଁ ପଲାରେ ଶୋଇଛି, ଡର ମାଡିଲା, ପାଟି କଲି, ଧାଇଁଆସିଲ । ବାଘ ନା ଭାଲୁ, କିଆଁ ଡରିଲି? ମୋ ମା” କହିଲା-

‘ଡର କାହାକୁ ଭୟ କାହାକୁ

ଠାକୁର ଅଛନ୍ତି ଚାରି ବାହାକୁ ।’

                ହଁ ଖାଉନ୍ଦ! ଆମ ଗାଁରେ ବୁଢୀମଙ୍ଗଳା ଠାକୁରାଣୀ ଅଛନ୍ତି, ସେ ମଣିଷ ଦୁଃଖ ଶୁଣନ୍ତି । ତମେ ଠାକୁର ହରି ହରି କୁହ, ବୁଢା ଶଶୁରେ ସବୁଦିନେ କହୁଥିଲେ, ହରି କାହିଁ? ଆଚ୍ଛା, ଗାଁରେ ବାଡି ପଡିଲେ ତାକୁ ପୂଜା ଦେଲେ ଯୋଗିନୀ ପଳେଇବ ନା?


ଗପ ସାରଣୀ

ତାଲିକାଭୁକ୍ତ ଗପ