ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ବଗଲା-ବଗୁଲୀଞ୍ଚ

ଏଇଟା ବଡ ଭଲ ବର୍ଷ । ଅର୍ଜନ ଚାରିଆଡେ । ପଛପାଣିଆ ଯୋଗୁଁ ସମସ୍ତଙ୍କ ବିଲ ବଛା ଏକ ସାଙ୍ଗରେ । ମୂଲିଆ ମିଳୁ ନାହାଁନ୍ତି । ମୂଲ ବଢିଯାଇଛି, ସପ୍ନାର ମୂଲ ଛ’ମାଣ, ଚେମୀର ପାଂଚମାଣ । ଘରେ ଧାନ ଗୋଟାଏ ମାଠିଆ, ଯୋଡାଏ ତାଡିଆ ଭର୍ତ୍ତି ହୋଇ ସପ୍ନା ଗୋଟାଏ ସାନ ଓଳିଆ ବାନ୍ଧିଦେଲାଣି । ଲକ୍ଷ୍ମୀ ଆଲିଙ୍ଗନ କଲାବେଳେ ଚାରିଆଡୁ ଅର୍ଜନ ମିଳେ । ବିଲ ବଛାବେଳେ ହାତରେ କଙ୍କଡା ଚେଙ୍ଗ ପଡିଯାଏ, ହିଡମୂଳରେ ମଦରଙ୍ଗା, କାନସିରି ଶାଗ ବଲବଲ, କାମ ଉଠାଣି ହାତ ବୁଲେଇଦେଲେ ଦିନ ତମାମ ଚଳିଲା । ଏ ବାଦେ ଚେମୀ ବିଲ ଟିକରା ମୂଳରୁ କାଇଁଶ କାଟିଆଣି ଗୋଟାଏ ଖଇଂଚି ବୁଣିଛି । ଚେମୀକୁ ଢେର୍ ପାଇଟି ଆସେ । କାଇଁଚ ପାଛିଆ ବୁଣି ଗାଁ ବୋହୂଝିଅଙ୍କୁ ବିକି ସେ ଚାଉଳ ଧାନ ଆଣେ । ଦୁଇଜଣ ବିଲ ବଛା ପାଇଟିରେ ଲାଗିଥିବାବେଳେ ଖଇଂଚିଟି ପାଣିମାହାରା ହିଡମୂଳରେ ବସାଇ ଦେଇଥା’ନ୍ତି । ପାଇଟି ଉଠାଣି ବେଳକୁ ଚେଙ୍ଗ କୁଟୁରୀ, କଉ, ଟିପିରି, ଶେଉଳ, ପହଣା ଖଇଂଚିରେ ଭର୍ତ୍ତି । ଦିନେ ଦିନେ ଦୁଇ ତିନିଥର ଖଇଁଚିଟା ସେମାନେ ଝାଡି ପକାନ୍ତି ।

ଆଜିକାଲି ସଞ୍ଜବେଳେ ଦୋକାନୀ ଦୁଆରକୁ ଧାନ ଘେନିଯିବାକୁ ହୁଏ ନାହିଁ, ମାଛ ଦି’ହତା ଘେନିଗଲେ ତେଲଲୁଣ ଧୂଆଁପତ୍ର ସବୁ ମିଳିଗଲା । ଚେମୀ ଦି’ ନଉତି ସରିକି ପିତାଶୁଖୁଆ ଶୁଖାଇ ଚାରିମାସ ତିଅଣକୁ ଥାତି ବାନ୍ଧି ସାରିଲାଣି । ଭଲକରି ଶୁଖାଇ ଶୁଖୁଆଗୁଡିକ ଗୋଟିଏ ପାତିଆରେ ପୂରାଇ ସେ ଘର ଶ୍ରେଣୀରେ ଟଙ୍ଗା ଶିକାଟିରେ ଥୋଇଦେଇଛି । ଆଜିକାଲି ଦି’ ପ୍ରାଣୀ ଭିତରେ ଆନନ୍ଦର ଆଉ ସୀମା ନାହିଁ ।

ଅଶିଣମାସିଆ ଦିନେ ରାତି ଘଡିକବେଳେ ଦି’ଜଣଙ୍କର ଖିଆପିଆ ସରିଲାଣି । ଚେମୀ ଗୁଡାଏ ବିଲମାଛ ବୁଢୀ ପରିଡାଣୀକୁ ଦେଇ ମାଟି-କୁମ୍ପାରେ କୁମ୍ପାଏ କରଞ୍ଜତେଲ କିଣିଆଣି ଘରେ ଥୋଇ ଦେଇଛି । ମଫସଲର ଚାଷବନ୍ଦି ଘରେ ସମସ୍ତେ ଖରାଦିନେ ତେଲୀ ଦୁଆରୁ କରଞ୍ଜ ପେଡି ଆଣି ବର୍ଷା ଦିନ ଲାଗି ତେଲ ସାଇତି ରଖିଥା’ନ୍ତି । ଦିନଯାକ ପାଣି କାଦୁଅରେ ବୁଲି ବୁଲି ଗୋଡଯୋଡାକ ପାଣି ଖାଇ ସିଠୁଆ ପଡିଯାଏ, ଆଙ୍ଗୁଳି ସନ୍ଧି ସବୁ ଘା’ ହୋଇଯାଏ । ରାତିରେ କରଞ୍ଜତେଲ ଲଗାଇଦେଲେ ତହିଁ ଆର ଦିନ ସକାଳକୁ ସେସବୁ ଆଉ କିଛି ନ ଥାଏ । ଖଣ୍ଡେ ଛିଣ୍ଡା କତରା ପାରିଦେଇ ସପ୍ନା ଶୋଇପଡିଛି । ଚେମୀ ଗୋଡରେ ପାଣିଖିଆ ଜାଗା ଆଙ୍ଗୁଳି ସନ୍ଧିମାନଙ୍କରେ କରଞ୍ଜ ତେଲ ଲଗାଇ ଦେଇଛି । ଚେମୀ କଥା ଆରମ୍ଭ କଲା, “ଏ ଖାଉନ୍ଦ! ତମେ ଦେଖ, ଘରେ ଶୋଇପଡିବାକୁ ଆଉ ଜାଗା ନାହିଁ ।” ବାଳୁଙ୍ଗା ପାଚିଲାଣି । ମୁଁ କାଲି ସକାଳୁ ଝାଡିଯିବି । ଆଉ କେଉଁଠି ରଖିବା? କ’ଣ କରିବା?”

ସପ୍ନା- ହଁ ଲୋ ବୋଉ! ମୁଁ ସେଇକଥା ଉଛୁଣିକା ମନରେ ପକେଇଥିଲି । ଆଚ୍ଛା, ଧାନ ବିକି ଦେଇ ଟଙ୍କାପଇସା ଆଣି ଘରେ ରଖିବା ।

                ଚେମୀ- ନାହିଁ, ଏ ଖାଉନ୍ଦ- ସେ ବଡ ଅଳିଆ କଥା । କେତେ ଧାନକୁ କେତେ ପଇସା ଗଣି ଜାଣିବା ନାହିଁ, ଆଉ ଟଙ୍କାପଇସା ଦେଖିଲେ ଚୋର ଟସ୍କର ଦୁଆରକୁ ଆସିବେ । କେଉଁଠି ପୋତି ପକାଇବା, ଭୁଲିଗଲେ ଗଲା । ମୋର ମା’ ଥରେ ଚାରିଟା ପଇସା ପୋତି ପକାଇଥିଲା- ପାଇଲା ନାହିଁ, ତେଣୁ ସେ ଢେର୍ କାନ୍ଦିଲା ।

                ସପ୍ନା- ତେବେ ଧାନ ସବୁ ରାମ ମାସନ୍ତ ତନ୍ତୀକୁ ଦେବା, ସେ ତୋ ଲାଗି ଖଣ୍ଡେ ରଙ୍ଗ କସ୍ତାଶାଢି ବୁଣିଦେବ ।

                ଚେମୀ- ନାହିଁ, ଖାଉନ୍ଦ! ମୁଁ ପିନ୍ଧି ଜାଣିବି ନାହିଁ, ଚିରିଯିବ । ମୁଁ କହୁଛି, ଅଜା ପରିଡା ସାଆନ୍ତ ଶୀତଦିନେ ଯିମିତିକା କଳା ଅଙ୍ଗା ଲଗାନ୍ତି, ତେମେ ବାଲିସର ହାଟକୁ ଯାଇ ସିମିତିକା ଗୋଟାଏ କିଣିଆଣ । ଶୀତ ହେଲେ ଲଗାଇବ, ସୁନ୍ଦର ଦିଶିବ ।

                ସପ୍ନା- ତୁ ନାଲିରଙ୍ଗ ଶାଢି ପିନ୍ଧିଲେ ସୁନ୍ଦର ଦିଶିବୁ ।

                ଚେମୀ- ତେମେ ଅଙ୍ଗା ଲଗାଇଲେ ସୁନ୍ଦର ଦିଶିବ ।

                ଦୁଇଜଣ ଭିତରେ ଢେର୍ ବେଳଯାଏଁ କଥା ଚାଲିଲା । ଶେଷରେ ସପ୍ନା ପ୍ରସ୍ତାବରେ କଥା ସ୍ଥିର ହେଲା, କାବୁଲି ପଠାଣ ଆସିଲେ ତାକୁ ସବୁ ଧାନ ଦେଇ ଗୋଟାଏ ରଙ୍ଗ କମ୍ବଳ କିଣିବେ, ଶୀତଦିନେ ସେମାନେ ଆଉ ଖଡିକା ହେଁସ ଘୋଡି ହେବେ ନାହିଁ । ସେହି କମ୍ବଳ ହିଁ ଘୋଡି ହେବେ । କଥା ଭାଷା ହେଉଁ ହେଉଁ ଦୁଇଜଣଯାକ ଶୋଇପଡିଲେଣି ।

                ଦିନ ଘଡିଏ ହେଲାଣି, ଦି’ଜଣଯାକ ଶୋଇଛନ୍ତି । ରୋଜ ରୋଜ ଚେମୀ ଆଗରେ ଉଠେ, ମାତ୍ର ଆଜି ସେ ଉଠି ନାହିଁ । ସପ୍ନା କହିଲା, “କି ଲୋ ବୋଉ, ତୋ ଦିହ ତାତିଲା ପରି ଲାଗୁଛି; ଜର ହେଲା କିଲୋ?”

ଚେମୀ- ହଁ, ଦିହଟା କିମିତିକା କସମସ କରୁଛି । ଏ ଖାଉନ୍ଦ, ତମ ଦିହଟା ତାତି ଲାଗୁଛି, ଜର ହେଲା କି? ଆଲୋ ମା’ଲୋ! ଆଲୋ ବୋପା ଲୋ! କ’ଣ କରିବି ଲୋ! ଠାକୁର ହରି! ମୋ ବାପ ଗାଁ ମଙ୍ଗଳା । ମୋ ଖାଉନ୍ଦକୁ ଭଲ କରିଦେ ।

ସପ୍ନା- ନାହିଁଲୋ ବୋଉ, ଡରନା, ଠାକୁରେ ଭଲ କରିଦେବେ । ତୁ ଯା ପଥିରାନ୍ଧି, ମତେ ମାଣେ ଧାନ ଦେ, ସାଉ ଦୁଆରୁ ରସୁଣ ଘେନିଆସେ ।

ଗରମ ଗରମ ପେଜମିଶା ଭାତରେ ପାଣି ଢାଳି ରସୁଣ ଦେଇ ଦୁଇଜଣ ପଥି କଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ