ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ବଗଲା-ବଗୁଲୀଞ୍ଚ

ଚାରିଦିନ ଗଲା, ପାଂଚଦିନକୁ ସପ୍ନାର ଜର ବଳିପଡିଲା, ପଥି ଛାଡିଲା । ଚେମୀର ଜର ଟିକିଏ ଭଲହେଲାଣି । ଚେମୀର ଖାଇବାର ନାହିଁ, ଶୋଇବାର ନାହିଁ । ସପ୍ନାର ତ ବଳେ ନିଦ ନାହିଁ । ଚେମୀ ଗୋଡତଳେ ବସି ଦିନରାତି ଖାଲି ଠାକୁର ହରି ଆଉ ବାପ ଗାଁ ମଙ୍ଗଳାଙ୍କୁ ଡାକୁଛି । ଚେମୀ ଆଉ ଧୈର୍ଯ୍ୟ ଧରି ରହିପାରିଲା ନାହିଁ । ଖାଉନ୍ଦକୁ କହି ଗାଁ ବୈଦରାଜ ନକୁଳି ନାୟକ ଦ୍ୱାରକୁ ଧାଇଁଲା । ସେ ଏକୁଟିଆ କେବେ ବି ଘରୁ ବାହାରି ନାହିଁ । ଆଜି ଗାଁ ଗୋହିରି ମଝିବାଟେ ସେ ଚାଲିଛି । ଗୋଡ ପୋତି ପଡୁଛି, ଆଖିରେ ପାଣି ଭର୍ତ୍ତି, ବାଟ ଦିଶୁ ନାହିଁ- ବୈଦ୍ୟ ଘରକୁ ଧାଇଁଛି । ଚେମୀ ପାଂଚ-ଛ’ ବର୍ଷ ହେଲା ଶଶୁର ଗାଁକୁ ଆସିଲାଣି, ହେଲେ କାହାରି ମୁହଁ ସେ କେବେବି ଦେଖି ନାହିଁ, କାହାରିକୁ ସେ ଅନାଏ ବି ନାହିଁ, ଖାଉନ୍ଦ ଛଡା ଆଉ କାହାରି ସାଙ୍ଗରେ ତା’ର କିଛିବି କଥା ନାହିଁ । ଠାକୁର ଦେବତାଙ୍କୁ ମନ ମଧ୍ୟରେ ଡାକି ଡାକି ସେ ଖୁବ୍ ହେମତ ଧରି ଗଲା । ହେମତ ଧରି ବୈଦ୍ୟରାଜକୁ ସପ୍ନାର ଜର କଥା ସେ କହିଲା । ବୈଦ୍ୟ ନକୁଳି ନାୟକେ ବଟୁଆ ଫିଟାଇ ଗୋଟାଏ ଟସର କୁଆ ଭିତରୁ ଚାରିଟା ଜ୍ୱରରାଘବ ବଟିକା କାଢିଦେଲେ, ଓ କହିଲେ, “ତୁ ତ ମହୁ ପାଇବୁ ନାହିଁ, ତୁଳସୀ ରସ, ଜରପାପଡା ରସ ଗୋଳିଦେଇ ଚାରି ପହରରେ ଚାରିପାନ ଦେବୁ, ଜ୍ୱର ନ ଛାଡିଲେ ପାଣି ଧରି ଆସିବୁ ।” ଛ’ଦିନ ଦିନ ଜ୍ୱର ବଳିପଡିଲାଣି । ଚେମୀ ସାଙ୍ଗରେ କଥା ନାହିଁ, କେତେବେଳେ ଗୀତ ଗାଉଛି, ଭାଗବତ ପଦ ପଢୁଛି, ବିଲ କଥା କହୁଛି, ଆଖି ଯୋଡାକ କୋଚିଆ ରକ୍ତ ପରି ତା’ର ଲାଲ୍ । ଚେମୀ ସାରୁ ପତ୍ରଟାରେ ପାଣି (ଛୁତ) ଧରି ଖାଉନ୍ଦକୁ କିଛି ନ କହି ବୈଦ୍ୟ ଦୁଆରକୁ ଧାଇଁଲା । ବୈଦ୍ୟରାଜ ଦୂବଘାସ କେରାକରେ ପାଣିରେ ଟୋପାଏ ତେଲ ପକାଇଲେ, ତେଲ ବୁନ୍ଦା ଧରି ରହିଲା, ମେଲିଲା ନାହିଁ । ରୋଗୀର ବୃତାନ୍ତ ସବୁ ଶୁଣି ସେ କହିଲେ, “ଘୋର ସନ୍ନିପାତ, କସ୍ତୁରୀ ଭୈରବ ବଟିକା ଲୋଡା, ଚାରିଟଙ୍କା ଦାମ୍ ଆଣ ।” ଏହା ଶୁଣି ସେ ଚେମୀର ପାଟି ପ୍ରାୟ ପଡିଗଲାଣି, ଖୁବ୍ କଷ୍ଟରେ ସେ କହିଲା, “ମୁଁ ଟଙ୍କା କାହୁଁ ପାଇବି, ଘରେ ଧାନ ଅଛି, ସବୁ ଆଣିଦେବି ।” ଚେମୀ ଘରକୁ ଧାଇଁ ଧାଇଁ ଆସିଲା, ଖାଉନ୍ଦଙ୍କୁ ଅନାଇଲା, କିଛି କଥା କହିଲା ନାହିଁ । କହିବି କ’ଣ- ଖାଉନ୍ଦ କଥା ଶୁଣୁଛି ନା କହୁଛି, ସେ ଖାଲି ଉଠବସ ହେଉଛି, ପାଟି କରୁଛି । ଚେମୀ ପାଛିଆଟିରେ ପାଛିଆଏ ଅମପା ଧାନ ପୂରାଇ କାଖେଇ ବୈଦ୍ୟ ଦ୍ୱାରକୁ ଧାଇଁଲା । ବୈଦ୍ୟ ଆଗରେ ଧାନ କୁଢେଇ ଦେଲା- ଚେମୀ ମା’ ବିଭାବେଳେ ଅଢେଇ ମସା ରୁପାର ଗୋଟିଏ ମୁଦି ଦେଇଥିଲା, ଘୋରିଯିବ ବୋଲି ଚେମୀ ସବୁଦିନେ ଲଗାଏ ନାହିଁ, ସେହି ମୁଦିଟା ବି ସେ ବୈଦ୍ୟଙ୍କୁ ଦେଲା । ତାଙ୍କ ପାଖରୁ ଔଷଧ ଘେନି ସେ ଧାଇଁଛି । ଚେମୀ ଚାରିଦିନ ହେଲା ଟୋପାଏ ପାଣି ବି ମୁହଁରେ ଦେଇ ନାହିଁ, ତା’ ଜ୍ୱର ବି ଭଲ ଭାବେ ଛାଡି ନାହିଁ, ଭିତରେ ଭିତରେ ଜ୍ୱର ଅଛି । ସକାଳୁ ଦିନ ଦି’ପ୍ରହର ଯାଏ ସେ ଧାଇଁଛି । ଚେମୀ ଘରକୁ ଯାଇ ଦେଖିଲା ସପ୍ନା ପାଟି ଆଁ କରି ପଡିଯାଇଛି । ଚେମୀ ‘ଏ ଠାକୁର ମଙ୍ଗଳା’ କହି ସପ୍ନା ଗୋଡତଳେ ଦୁଲ କରି ପଡିଗଲା । ସେତେବେଳେ ସପ୍ନାର ତ ଟିକିଏ ଜ୍ଞାନ ଥିଲା । ଚେମୀ ମୁହଁକୁ ଏକଧ୍ୟାନରେ ସେ ଅନାଇଛି । ଦୁହେଁ ଦୁହିଁଙ୍କୁ ଦେଖୁଛନ୍ତି ।

ତହିଁ ଆରଦିନ ସେ ଗାଁରେ ଚହଳ ପଡିଗଲା- ବଗଲା-ବଗଲୀର ଜ୍ୱର ହୋଇଥିଲା, ଦୁଇଦିନ ହେଲା ତାଟି ଫିଟି ନାହିଁ, ଏକଥା ଶୁଣି ଗାଁ ଲୋକେ ଧାଇଁଲେ । ସମସ୍ତେ ହାୟ ହାୟ କରୁଛନ୍ତି । ଜମିଦାରବାବୁ ସପ୍ନା ଶଶୁରଗାଁକୁ ଧାଉଡିଆ ପଠାଇଦେଲେ ।

ଗାଁର ସମସ୍ତ ସ୍ତ୍ରୀ ଚେମୀ ଲାଗି ହାୟ ହାୟ କଲେ, ଯିବାବେଳେ ସମସ୍ତେ ହୁଳହୁଳି ପକାଇଲେ । ଗାଁର ସମସ୍ତଙ୍କ ମୁହଁରେ ଏକ କଥା- ଧନ୍ୟ ଧନ୍ୟ ସ୍ୱାମୀ-ସ୍ତ୍ରୀ ପ୍ରେମ । ନୀଚ କୁଳରେ ବି ଏମନ୍ତ ଧର୍ମ, ଏମନ୍ତ ପ୍ରେମ ଥାଏ!

ଗାଳ୍ପିକ – ଫକୀରମୋହନ ସେନାପତି


ଗପ ସାରଣୀ

ତାଲିକାଭୁକ୍ତ ଗପ