ସାଧାରଣତଃ ସ୍କୁଲପିଲାଙ୍କ ଭିତରେ କେତେକ ବଗୁଲିଆ ପିଲା ଥାଆନ୍ତି । ସେହିଭଳି ଜିଲ୍ଲାସ୍କୁଲର ବଗୁଲିଆ ପିଲାଦଳ ଦିନେ ଠିକ୍ କଲେ ବିଦ୍ୟାଳୟର କାନ୍ଥଘଂଟାକୁ ପଛକୁ ବୁଲାଇ ଦେଲେ ପାଠପଢା ବିଳମ୍ଭରେ ହେବ । ହେଲେ ଏ କାମ କରିବ କିଏ? ଶେଷରେ ଏଥିଲାଗି ଗୋଟିଏ ପିଲା ଅଂଟା ଭିଡିଲା ।
ସ୍କୁଲ ଆରମ୍ଭ ହେବା ଆଗରୁ ପିଅନ୍ ତ ଘରଖୋଲି ସଫାସଫି କରେ । ଠିକ୍ ଏତିକିବେଳେ ସେ ବଗୁଲିଆ ପିଲାଟି ପ୍ରଧାନଶିକ୍ଷକଙ୍କ କାର୍ଯ୍ୟାଳୟରେ ପଶି ଘଂଟା କଂଟାକୁ ପଛକୁ ଏଭଳି ମୋଡି ଦେଲା ଯେ, ତାହା କେହି ବି ଆଦୌ ଜାଣିପାରିଲେ ନାହିଁ ।
କିଛି ସମୟ ପରେ ଶିକ୍ଷକମାନେ, ତା’ପରେ ପ୍ରଧାନଶିକ୍ଷକ ନିଜେ ବି ଆସି ସ୍କୁଲରେ ପହଁଚିଗଲେ । ପିଲାମାନେ ଆସି ଏଣେତଣେ ବୁଲୁଥାନ୍ତି । ଘଂଟା ବାଜିଲେ ହିଁ ପ୍ରାର୍ଥନା, ତା’ପରେ ଶିକ୍ଷାଦାନ ଆରମ୍ଭ ହେବ । ହେଲେ ପିଅନ ଘଂଟାକୁ ଚାହିଁ ସମୟ ହୋଇନି ବୋଲି ଘଂଟା ବଜାଉ ନାହିଁ ।
ଏଣେ ଶିକ୍ଷକମାନେ ନିଜ ନିଜ ହାତଘଂଟାକୁ ଦେଖି ଭାରି ଆଶ୍ଚର୍ଯ୍ୟ । ଆଜି ସମୟ ଗଡିଯାଇଥିଲେ ବି ପ୍ରାର୍ଥନା ଘଂଟା କାହିଁକି ବାଜୁ ନାହିଁ ବୋଲି ମନରେ ସେମାନେ ଭାବୁଥାନ୍ତି । ହଠାତ୍ ପ୍ରଧାନଶିକ୍ଷକ କାନ୍ଥ ଘଂଟାକୁ ଚାହିଁଦେଲେ, ଦେଖିଲେ ସମୟ ହୋଇ ନାହିଁ । ଭାବିଲେ ଏତେବେଳ ଆସି ହେଲାଣି ହେଲେ ଘଂଟା ଠିକ୍ ସମୟ ଦେଖାଉ ନାହିଁ କାହିଁକି? ସେ ପୁଣି ଭାବିଲେ ଘଂଟାରେ ତ ନୂଆ ବ୍ୟାଟେରୀ ପଡିଥିଲା, ତେବେ ବିଳମ୍ବରେ ଚାଲିବାର କାରଣ କ’ଣ? ସୁତରାଂ ସେ ପିଅନ ଦ୍ୱାରା ଘଂଟାଟିକୁ ବାହାର କରାଇ ପରୀକ୍ଷା କରି ଦେଖିଲେ ସବୁ କିଛି ତ ଠିକ୍ ଅଛି । ତା’ହେଲେ ଘଂଟାଟିକୁ ବିଳମ୍ବିତ କରିବାରେ ନିଶ୍ଚୟ କାହାର ଗୋଟେ ହାତ ଅଛି । ତାପରେ ଖୁବ୍ ଜୋର୍ରେ ଏ ସମ୍ବନ୍ଧରେ ତନାଘନା ଚାଲିଲା ।
ଏଥର ଗୁପ୍ତ ଖବର ସଂଗ୍ରହ କରି ପ୍ରଧାନଶିକ୍ଷକ ଅସଲ ଦୋଷୀ କିଏ ଠିକ୍ ଜାଣିପାରିଲେ । ସେହି ବଗୁଲିଆ ପିଲାଟିକୁ ପ୍ରଧାନଶିକ୍ଷକଙ୍କ ପ୍ରକୋଷ୍ଠକୁ ଡକାଗଲା । ସେତେବେଳେ ତ ଦଣ୍ଡ ଖୁବ୍ କଠୋର ଥାଏ । ତେଣୁ ସେ ପିଲାଟି ଥରି ଥରି ଆସି ପ୍ରଧାନ ଶିକ୍ଷକଙ୍କ ସମ୍ମୁଖରେ ଦଣ୍ଡାୟମାନ ହେଲା । ତା’ପରେ ଅତି ସହଜରେ ସେ ପିଲାଟି ନିଜର ଦୋଷ ମାନିଗଲା ।
ସେଦିନ ଦଣ୍ଡସ୍ୱରୂପ ସେ ପିଲାଟିକୁ ସାତଦିନ ପାଇଁ ବେଂଚ ଉପରେ ଠିଆ ହୋଇରହିବା ପାଇଁ ନିର୍ଦ୍ଧେଶ ଦିଆଗଲା । ଏବେ ସେ ପିଲାଟିର ବା କ’ଣ ଚାରା ଅଛି ଯେ? ତେଣୁ ସେ ପ୍ରତ୍ୟହ ମୁଣ୍ଡପୋତି ଶ୍ରେଣୀର ସବା ପଛବେଂଚରେ ଠିଆ ହୋଇ ରହିଲା । ଠିକ୍ ଏହିଭଳି ସେ ଦିନ ଦି’ଟା ପର୍ଯ୍ୟନ୍ତ ଠିଆ ହୋଇଛି, ଫଳରେ ତା’ର ଦୁଇ ଗୋଡ ଫୁଲିଗଲା । ହଠାତ୍ ଦିନେ ସ୍କୁଲରେ ତାକୁ ବାତଜ୍ୱର ଆରମ୍ଭ ହୋଇଗଲା । ଏହି କାରଣରୁ ସେ ପିଲାଟି ତୃତୀୟ ଦିନ ସ୍କୁଲ୍କୁ ଆଉ ଯାଇପାରିଲା ନାହିଁ । ଜ୍ୱରରେ ଘରେ ସେ ଶୋଇରହିଲା ।
ପ୍ରଧାନଶିକ୍ଷକ ପିଲାଟିକୁ ଦଣ୍ଡ ଦେଇ ଦେଲେ ସିନା ହେଲେ ତାଙ୍କର ମନରେ ଆଦୌ ସୁଖନଥାଏ । ସେ ପିଲାଟି ପାଇଁ ପ୍ରଧାନଶିକ୍ଷକ ମନେ ମନେ ବି ବହୁତ ଅନୁତାପ କରୁଥାଆନ୍ତି । ଆଉ ସେ କିଭଳି ଭଲପିଲା ହେବ, ସେଇ ଚିନ୍ତା ବି ସେ କରୁଥାନ୍ତି । ପିଲାଟିର ଅସୁସ୍ଥତା ଖବର ଯେତେବେଳେ ସେ ପ୍ରଧାନଶିକ୍ଷକ ଶୁଣିବାକୁ ପାଇଲେ, ଅତ୍ୟନ୍ତ ଦୁଃଖ ପ୍ରକାଶ କଲେ । ସେହିଦିନଠାରୁ ଭଲ ହେଲା ଯାଏଁ ସେ ପିଲାଟିର ଘରକୁ ପ୍ରଧାନଶିକ୍ଷକ ଯାଇ ତା’ର ଦେଖାଶୁଣା କରି ଆସୁଥାନ୍ତି ।
ଜ୍ୱର ଭଲ ହେଲା ପରେ ଯେଉଁଦିନ ସେ ପିଲାଟି ସ୍କୁଲକୁ ଆସିଲା ସେଦିନ ପ୍ରଧାନଶିକ୍ଷକ ଶ୍ରେଣୀକୁ ଯାଇ ତା’ର ଦୁଇଗୋଡକୁ ଆଉଁଶିଦେଇ କହିଲେ, “ମୁଁ ତୋତେ ବହୁତ କଷ୍ଟ ଦେଇଛି । ଏଣିକି ଆଉ କାହାକୁ ମୁଁ ଏଭଳି ଦଣ୍ଡ ଦେବି ନାହିଁ ।”
ସେଦିନ ସେ ପିଲାଟି ମଧ୍ୟ ତା’ ଆଖି ଛଳ ଛଳ କରି ନିଜର ଭୁଲ୍ ପାଇଁ କ୍ଷମା ମାଗି ପ୍ରଧାନଶିକ୍ଷକଙ୍କ ଗୋଡତଳେ ପଡିଗଲା । ଆଉ ମନରେ ଦୃଢ ପ୍ରତିଜ୍ଞା ନେଲା ଯେ, ଆଜିଠାରୁ ସେ ନିଜକୁ ଜଣେ ଆଦର୍ଶ ମଣିଷ ରୂପେ ଗଢି ତୋଳିବ ।
ସତକୁ ସତ ସେଇ ବଗୁଲିଆ ପିଲାଟି ଦିନେ ଲେଖକ ହେଲା ଏବଂ ନାଁ ରଖିଲା । ସେ ଥିଲେ ବକୁଳବନର ଆଦର୍ଶ ଶିକ୍ଷକ ତଥା ପଂଚସଖା ଭିତରୁ ଜଣେ – କୃପାସିନ୍ଧୁ ମିଶ୍ର, ସେ ଯେ କେବଳ ଆଦର୍ଶ ଶିକ୍ଷକ ଥିଲେ ତା ନୁହେଁ, ବରଂ ସେ ଜଣେ ସୁସାହିତ୍ୟିକ ଭାବରେ ପରିଚିତ ଥିଲେ। ତାଙ୍କ ରଚିତ ‘ବାରବାଟୀ ଦୁର୍ଗ’ ଓ ‘କୋଣାର୍କ’ ଲୋକପ୍ରିୟତା ହାସଲ କରିଥିଲା।