ଉଦୟ ନଗର ବୋଲି ସୁନ୍ଦରଗଡରେ ଗୋଟିଏ ଗାଁ ଥାଏ । ଆଉ ସେହି ଗାଁଟିକୁ ବଣ ପାହାଡ ଘେରି ରହିଥାଏ । ତାର ଚାରିଆଡେ ବଡ ବଡ ଶାଳ, ପିଆଶାଳ, ଅସନ, ମହୁଲ ଗଛ ଥାଏ । ଗାଁ ପାଖରେ ଜଙ୍ଗଲ ଟିକିଏ ପତଳା, ମାତ୍ର ଭିତରକୁ ଭିତରକୁ ଜଙ୍ଗଲ ଭାରି ଘଂଚ । ଚାରିଆଡେ ସବୁଜ ଗଛଲତା । କେତେ ପ୍ରକାର ପଶୁପକ୍ଷୀ ସେ ଜଙ୍ଗଲରେ ବାସ କରୁଥା’ନ୍ତି । ଗାଁ ଲୋକମାନେ ସେଇ ଜଙ୍ଗଲରୁ କାଠ ସଂଗ୍ରହ କରି ପାଖ ସହରରେ ତାକୁ ବିକ୍ରି କରି ପେଟ ପୋଷନ୍ତି ।
ସେହି ଗାଁରେ ଜଗବନ୍ଧୁ ବୋଲି ଗୋଟିଏ ପିଲା ଥାଏ । ତାର ବାପମାଆ ତ ଅନେକ ଦିନରୁ ମରିଯାଇଥା’ନ୍ତି । ତେଣୁ ସେ ଭାରି କଷ୍ଟରେ ଚଳୁଥାଏ । ସାଇ ପଡିଶାରୁ ମାଗି ଯାଚି ଚଳେ । ଯେତେବେଳେ ସେ ଟିକିଏ ବଡ ହୋଇଗଲା ଲୋକମାନେ ତାକୁ କହିଲେ ତୁ ଆମ ସାଙ୍ଗରେ ବଣକୁ ଚାଲ ସେଠୁ କାଠ ସଂଗ୍ରହ କରି ସେସବୁକୁ ବଜାରରେ ନେଇ ବିକିବୁ । ଯାହା ପଇସା ମିଳିବ ସେଥିରେ ଖାଇବା ଜିନିଷ ଆଣି ଚଳିବୁ । ତା’ପରେ ସେ ଜଗବନ୍ଧୁ ଗାଁଲୋକଙ୍କ କଥାମାନି ଜଙ୍ଗଲକୁ ଗଲା ଓ ଶୁଖିଲା କାଠ ସଂଗ୍ରହ କରି ବଜାରରେ ନେଇ ବିକ୍ରି କଲା । ସେଥିରେ ତାର ଖାଇବା ପିଇବା ସିନା ଚଳିଲା କିନ୍ତୁ ଲୁଗାପଟା ଘରଦ୍ୱାର ସେ କିଛି କରି ପାରିଲା ନାହିଁ ।
ଜଗବନ୍ଧୁ ଦିନେ ଜଙ୍ଗଲରେ କାଠ ହାଣୁ ହାଣୁ ହାଲିଆ ହୋଇ ଶୋଇପଡିଲା । ସେ ଯେଉଁଗଛ ମୂଳରେ ଶୋଇଥିଲା ସେଇ ଗଛଡାଳରେ ଶୁଆ ସାରୀ ବସି କଥା ହେଉଥିଲେ । ଶୁଆ କହିଲା ଏଇ ଗଛ ଛାଇରେ ଯେଉଁ ପିଲାଟି ଶୋଇଛି ସେ ଗରିବ ହେଲେ କ’ଣ ହେବ ତାର ଜୀବଜନ୍ତୁଙ୍କ ପ୍ରତି ଭାରି ଦୟା । ଜଙ୍ଗଲର କଂଚାଗଛକୁ ସେ ଦେବତା ଭଳି ମାନୁଛି ତେଣୁ ସେ କୌଣସି କଂଚାଗଛକୁ କେବେବି କାଟୁ ନାହିଁ । କେବଳ ଶୁଖିଲା ଡାଳପତ୍ର ନେଇ ସେ ବିକ୍ରି କରୁଛି । ତେଣୁ ତାକୁ ଆମେ ସାହାଯ୍ୟ କରିବା । ଏହିପରି ଚିନ୍ତା କରି ସେ ସାରୀ ଡାଳଉପରୁ ଥାଇ କହିଲା, “ଜଗବନ୍ଧୁ ତୋ ଗରିବ ଅବସ୍ଥା କଥା ଆମେ ଜାଣିଛୁ । ଆମେ ଯେଉଁ ଗଛରେ ବସିଛୁ ସେଇଟା ଗୋଟିଏ ଚନ୍ଦନ ଗଛ ।