ପ୍ରାଚୀନ କାଳରେ ଚକ୍ରବର୍ତ୍ତି ମହାରାଜା ବିକ୍ରମାଦିତ୍ୟଙ୍କ ଶାସନ ସମୟକୁ ସ୍ୱର୍ଣ୍ଣଯୁଗ ବୋଲି କୁହାଯାଉଥିଲା । ତାଙ୍କ ରାଜଧାନୀର ନାମ ଥିଲା ଉଜ୍ଜୟିନୀ । ତାଙ୍କର ତ୍ୟାଗ, ନିଷ୍ଠା, କର୍ତ୍ତବ୍ୟପରାୟଣତା, ବୀରତ୍ୱ, ସାହାସ, ବଳିଦାନ, ଧର୍ମଧାରଣା, ନ୍ୟାୟ, ପରୋପକାର, ସହିଷ୍ଣୁତା, ଗୁଣଗ୍ରାହୀତା, ବନ୍ଧୁବତ୍ସଳତାର ପଟ୍ଟାନ୍ତର ନାହିଁ । ଅମିତ ଯଶ ଗୌରବର ଅଧିକାରୀ ମହାରାଜ ବିକ୍ରମାଦିତ୍ୟ ଯେଉଁ ସିଂହାସନ ଆରୋହଣ କରିଥିଲେ ତା’ର ନାମ ଥିଲା “ବତ୍ରିଶ ସିଂହାସନ” । ସେଥିରେ ସୁନା ଏବଂ ମୂଲ୍ୟବାନ୍ ରତ୍ନଖଚିତ ବତ୍ରିଶଟି ପୁତ୍ତଳିକା ବା କଣ୍ଢେଇ ଖଞ୍ଜା ଯାଇଥିଲା । କାଳକ୍ରମେ ତାହା ଭୂଗର୍ଭରେ ଲୁକ୍କାୟିତ ହୋଇଯାଇଥିଲା ।
ପରବର୍ତ୍ତି ସମୟରେ ଭୋଜରାଜ ଉଜ୍ଜୟିନୀର ରାଜା ହେବାପରେ ନିଜର ସଦ୍ଗୁଣ, ନ୍ୟାୟ ନିଷ୍ଠା ପାଇଁ ଯଶ ଗୌରବର ଅଧିକାରୀ ହେଲେ । ତାଙ୍କ ରାଜ୍ୟର ଏକ ଗୋଚର ଭୂମିରେ ଗାଈ ଚରାଉଥିବା ପିଲାଙ୍କ ମଧ୍ୟରେ ଗୋଟିଏ ପିଲା ଦଳପତି ସାଜି ଏବଂ ଢିପଜାଗା (କୁଦ) ଉପରେ ବସି ନ୍ୟାୟ ବିଚାର କରୁଥିବା କଥା ଚାରିଆଡେ ପ୍ରଘଟ ହୋଇଗଲା । ପିଲାଟି ଅନ୍ୟ ସମୟରେ ସାଧାରଣ ଥିଲେ ମଧ୍ୟ କୁଦ ଉପରେ ଚଢିବାମାତ୍ରେ ସେ ଅସାଧାରଣ ପାଲଟି ଯାଉଥିଲା । ନ୍ୟାୟନୀତିର କଥା କହୁଥିଲା । ବିଭିନ୍ନ ଘଟଣାର ବିଚାର କରି ନ୍ୟାୟ ଦେଉଥିଲା । ଲୋକେ ତା’ ପାଖକୁ ନ୍ୟାୟ ପାଇଁ ଆସିଲେ । ମହାରାଜ ଭୋଜଙ୍କ କାନରେ ଏ କଥା ପଡିଲା ।
ସେ ନିଜର ପାରିଷଦ ବର୍ଗଙ୍କ ସହିତ ସେଠାକୁ ଆସି ସବୁ ଅନୁଭବ କଲେ ଏବଂ ସେହି କୁଦ ଖୋଳାଇ ଅଲୌକିକ କାରିଗରୀ କୌଶଳରେ ନିର୍ମିତ ସିଂହାସନ ପାଇଲେ । ଶୁଭଲଗ୍ନ ଦେଖି ତା’ ଉପରେ ଆରୋହଣ କରିବା ସକାଶେ ପ୍ରଥମ ପାହାଚରେ ପାଦ ଦେବାକ୍ଷଣି ପ୍ରଥମ ପୁତ୍ତଳିକାଟି ହସି ଉଠିଲା । ସେ ମହାରଜ ଭୋଜଙ୍କୁ ଏକ ପ୍ରଶ୍ନ ପଚାରିଲା ଏବଂ କହିଲା, ଯେ ଆପଣ ଯଦି ମହାରାଜ ବିକ୍ରମାଦିତ୍ୟଙ୍କ ସମକକ୍ଷ କୌଣସି ଗୁଣର ଅଧିକାରୀ ହୋଇଥିବେ ଏ ସିଂହାସନ ଆରୋହଣ କରିପାରିବେ । ଏକ ଏକ କରି ବତ୍ରିଶଟି ପାହାଚରେ ପାଦ ଦେବାମାତ୍ରେ ସେଥିରେ ଖଚିତ ପୁତ୍ତଳିକାମାନେ ପ୍ରଶ୍ନ ପଚାରିଲେ ଏବଂ ମହାରାଜଙ୍କୁ ସଚେତନ କରାଇଥିଲେ । ପରିଶେଷରେ ମହାରାଜ ଭୋଜ ନିରାଶ ହୋଇ ସିଂହାସନକୁ ପୁଣିଥରେ ପୋତିଦେବା ପାଇଁ ନିର୍ଧେସ ଜାରି କରିଥିଲେ । କୌଣସି ରାଜା ସେଥିରେ ବସି ପାରି ନଥିଲେ । ବତ୍ରିଶଟି ପୁତ୍ତଳିକାର ରୋମାଂଚକର କାହାଣୀ ଜନମୁଖରେ “ବତ୍ରିଶ ସିଂହାସନ କଥା” ନାମରେ ଜନମାନସରେ ଆଲୋଡନ ସୃଷ୍ଟି କରି ଆସିଛି । ଏଇ କାହାଣୀ ଗୁଡିକ ବେଶ୍ ମନୋରଞ୍ଜକ ଏବଂ ଶିକ୍ଷଣୀୟ ଅଟେ ।