ପ୍ରାୟ ଶହେ ବର୍ଷ ତଳର କଥା । ପୁରୀରେ ସେତେବେଳେ ଅନେକ ଜ୍ୟୋତିଷ ଥିଲେ । ତହିଁ ଭିତରୁ ଜଣେ ହେଲେ ପଣ୍ଡିତ ହରି ମିଶ୍ର । ସେ ହାତ ଦେଖି ଓ ଜାତକ ପଢି ଜୀବିକା ଅର୍ଜନ କରୁଥିଲେ । ତେବେ ସେ ପୁରୀରେ ବସି ନ ରହି ଦୂର ଦୂର ଗାଁ ଗଣ୍ଡା ବୁଲି ଆୟ କରୁଥିଲେ ।
ଥରେ ସେ ସୁମନ୍ତଗଡ ଗ୍ରାମରେ ଯାଇ ପହଁଚିଲେ । ସେହି ଗ୍ରାମଟିରେ ତ ଅନେକ ଥିଲାବାଲା ଲୋକ ଥିଲେ । ପଣ୍ଡିତେ ଯାଇ ମନ୍ଦିରସଂଲଗ୍ନ ଗୋଟିଏ ଘରେ ରହିଲେ । ଲୋକେ ଆସି ତାଙ୍କୁ ହାତ ବା ଜାତକ ଦେଖାଉଥାନ୍ତି । ସେ ଯଥାସାଧ୍ୟ ସେସବୁ ବିଚାର କରି ଯାହା କହିବାର କହୁଥାନ୍ତି ।
ପାଞ୍ଚଦିନ ବିତିଗଲା । ସେ ସବା ଶେଷଦିନ ଜମିଦାରଙ୍କ ଘରକୁ ଯିବାକୁ ସ୍ଥିର କରିଥାନ୍ତି । ସେ ତ ଶୁଣିଥିଲେ, ସେ ଜମିଦାରଙ୍କ ଘରକୁ ଯିଏ ଯାଏ; ସେ ସେଠାରେ କିଛି ଦେଇ ଆସିବାକୁ ବାଧ୍ୟ ହୁଏ; କେହି କିଛି ଆଣିବାର ଶୁଣା ନାହିଁ! ପଣ୍ଡିତେ ଭାବିଲେ, ତାଙ୍କୁ କିଛି ନ ମିଳିଲେ ନ ମିଳିପାରେ, କିନ୍ତୁ ତାଙ୍କୁ କିଛି କ୍ଷତିରେ ପଡିବାକୁ ହେବ ନାହିଁ ।
କେତେଜଣ ତାଙ୍କୁ ପରାମର୍ଶ ଦେବାଭଳି କହିଲେ “ଆଜ୍ଞା, ଆପଣ ଜମିଦାରଙ୍କ ଘରକୁ ଯିବାକୁ ବାହାରିଛନ୍ତି? ନଗଲେ ବୋଧହୁଏ ଭଲ ହୁଅନ୍ତା!” କିନ୍ତୁ ପଣ୍ଡିତେ ଭାବିଲେ ସେମାନେ ଜମିଦାରଙ୍କ ବିଷୟରେ ଅତିରଞ୍ଜନ କରି କହୁଛନ୍ତି । ଜମିଦାର ବହୁତ ଧନୀ ଲୋକ । ସେ ନିଜେ ଭଲ ଜ୍ୟୋତିଷ । ଜମିଦାର ତାଙ୍କୁ କିଛି ହେଲେ ବି ତ ଦେବେ!
ସେ ଜମିଦାରଙ୍କ ଘରେ ପହଁଚିବା କ୍ଷଣି ଜମିଦାର ତାଙ୍କୁ ସ୍ୱାଗତ କରି କହିଲେ, “ଆସନ୍ତୁ ପଣ୍ଡିତେ ଆସନ୍ତୁ । ମୁଁ ତ ଏଠାରେ ଆପଣଙ୍କ ପ୍ରତୀକ୍ଷାରେହିଁ ଥିଲି ।”
ପଣ୍ଡିତେ କହିଲେ, “ଆପଣଙ୍କ ଖ୍ୟାତି ତ ମୁଁ ବହୁତ ଶୁଣିଛି । ଭାବିଲି, ଆପଣଙ୍କ ହାତ ଦେଖିଦେଇ ଯିବି ।” ଖୁବ୍ ଭଲ କଲେ । ଦେଖନ୍ତୁ । ଏହାକହି ଜମିଦାର ତାଙ୍କ ହାତ ଦେଖାଇଦେଲେ ।
ପଣ୍ଡିତେ କହିଲେ, “ବାଃ, ବେଶ୍ ଭାଗ୍ୟବାନ ହାତ । ଆପଣ ଦୀର୍ଘଜୀବି ହେବେ । ଲୋକେ ଆପଣଙ୍କ କଥା ବହୁତ ଚର୍ଚ୍ଚା କରୁଥିବେ । ଆଉ ଆପଣଙ୍କର ଅଭାବ ଅସୁବିଧା ବୋଲି କିଛି ରହିବ ନାହିଁ ।”
ଜମିଦାର ପଚାରିଲେ “ବେଶ୍, ଭଲ କଥା । ଆମ ଗାଁରେ ଆପଣଙ୍କର କିପରି ଉପାର୍ଜନ ହେଲା?”
“ଭଲ ଆଜ୍ଞା । ଆପଣଙ୍କ ଗାଁର ଲୋକେ ବେଶ୍ ଭଦ୍ର ଓ ସାଧୁ ।”
“ହଁ । ମୁଁ ସେମାନଙ୍କୁ ସବୁବେଳେ ବଦାନ୍ୟ ହେବାକୁ ନିର୍ଦେଶ ଦେଇଥାଏ । ମୁଁ ନିଜେ ମଧ୍ୟ ବହୁତ ବଦାନ୍ୟ । ଆପଣ ହାତ ଦେଖିବା ସକାଶେ କେତେ କରି ନିଅନ୍ତି ଓ ମୋଟ କେତେ ପାଇଲେ?”
“ଆଜ୍ଞା, ମୁଁ ହାତ ଦେଖିବା ପାଇଁ ଦୁଇ ଟଙ୍କା ଓ ଜାତକ ପାଇଁ ଚାରିଟଙ୍କା ନିଏ । ପ୍ରାୟ ଶହେ ଟଙ୍କା ଆୟ ହୋଇଛି ।”
ଜମିଦାର କହିଲେ “ମନ୍ଦ ନୁହେଁ । ବାହାର ଲୋକେ ଆମ ଗାଁରୁ ଯାହା ଆୟ କରନ୍ତି, ତା’ର ପାଞ୍ଚଭାଗରୁ ଭାଗେ ମୋର ପ୍ରାପ୍ୟ । ସେହି ଅନୁସାରେ ଦେଖିବାକୁ ଗଲେ ଆପଣଙ୍କର ମୋତେ ଦେୟ କୋଡିଏ ଟଙ୍କା । ଆପଣ ମୋ ହାତ ଦେଖିବା ବାବଦ ଦୁଇଟଙ୍କା ପାଇବା କଥା । କିନ୍ତୁ ମୁଁ ଅନ୍ୟମାନଙ୍କ ତୁଳନାରେ ଟିକିଏ ବେଶି ବଦାନ୍ୟ । ଆପଣ ମୋ ହାତ ଦେଖା ବାବଦରେ ତିନିଟଙ୍କା କାଟି ରଖି ମୋତେ ବାକି ସତର ଟଙ୍କା ଦେଇ ଦିଅନ୍ତୁ ।”
ପଣ୍ଡିତେ ଆଉ କ’ଣ କହିବେ? ସତର ଟଙ୍କା ଗଣି ବଢାଇ ଦେଇ ସେଠାରୁ ବିଦାୟ ନେଲେ ।