ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ବଦ୍ ଖର୍ଚ୍ଚ ଓ ସଂଚୟ

ଆମ ଚାରି ପାଖରେ ଘଟି ଯାଉଥିବା ଅନେକ ଛୋଟ, ବଡ ଘଟଣାରୁ ବି ଅନେକ କିଛି ଶିଖିବାକୁ ମିଳିଥାଏ । ଏହିଭଳି ଗୋଟାଏ ଘଟଣା ସ୍ୱାଧୀନତା ପୂର୍ବରୁ ଲାହୋର ସହରରେ ଘଟିଥିଲା ।

ଏକ ଅନାଥ ଆଶ୍ରମ ତିଆରି କରିବା ପାଇଁ ଲାହୋର୍ ସହରର କିଛି ବ୍ୟକ୍ତି ବିଭିନ୍ନ ବ୍ୟକ୍ତିବିଶେଷଙ୍କଠାରୁ ଚାନ୍ଦା ଆଦାୟ କରୁଥାନ୍ତି ।

ସେହି ସମୟରେ କଂଗ୍ରେସର ଅଗ୍ରଣୀ ନେତା ତଥା ପ୍ରତିଷ୍ଠିତ ଓକିଇ ଲାଲା ଲଜ୍ପତ୍ ରାୟଙ୍କର ତ ଲାହୋର ସହରରେ ଯଶ ଓ ଖ୍ୟାତି ବ୍ୟାପି ଥାଏ ।

ଅନାଥ ଆଶ୍ରମ ତିଆରି କରୁଥିବା ବ୍ୟକ୍ତିମାନେ ଦିନେ ସଂନ୍ଧ୍ୟା ସମୟରେ ଲାଲା ଲଜ୍ପତ୍ ରାୟଙ୍କ ଘରେ ଚାନ୍ଦା ପାଇବା ଆଶାରେ ଯାଇ ପହଁଚିଗଲେ । ସେହିଠାରେ ପହଁଚି ସେମାନେ ଯାହା ଦେଖିଲେ, ତାହାଦ୍ୱାରା ସେମାନେ ଆଉ ଚାନ୍ଦା ମାଗିବାକୁ ଆଦୌ ଉଚିତ୍ ମନେ କଲେ ନାହିଁ ।

ସେହି ସମୟରେ ଲାଲା ଲଜ୍ପତ୍ ରାୟ ବାହାରକୁ ଯିବାକୁ ବାହାରିଥାନ୍ତି । ସଞ୍ଜ ହୋଇଥିବାରୁ ତାଙ୍କ ଘୋଡାଗାଡିର କଚୁଆନ ବତୀ ଜାଳିଲା ବେଳେ ଗୋଟାଏ ପରେ ଗୋଟାଏ ଏହିପରି ତିନିଗୋଟି ଦିଆସିଲି କାଠି ସେ ନଷ୍ଟ କରିଦେଲା । ଏହା ଦେଖି ଖୁବ୍ ବ୍ୟସ୍ତ ଓ ବିବ୍ରତ ଲାଲାଜୀ ତାଙ୍କ କଚୁଆନ୍ଙ୍କୁ ଗାଳି ଦେଇ କହିଲେ, “ଏହିଭଳି ବଦ୍ଖର୍ଚ୍ଚ କରୁଛ କାହିଁକି? ପଇସାର ମହତ୍ୱ କ’ଣ ତୁମେ ବୁଝି ପାରୁ ନାହଁ?”

ଏହି ସବୁ ଘଟଣା ଦେଖି ଚାନ୍ଦା ମାଗିବାକୁ ଯାଇଥିବା ବ୍ୟକ୍ତିମାନେ ଚାନ୍ଦା ନ ମାଗି ସେଠାରୁ ଫେରି ଯିବାକୁ ବାହାରି ଥିଲା ବେଳେ ହଠାତ୍ ଲଜ୍ପତ୍ ରାୟଙ୍କ ଦୃଷ୍ଟି ସେମାନଙ୍କ ଉପରେ ପଡିଲା । ଆସିବାର କାରଣ ଜାଣି ଲଜ୍ପତ୍ ରାୟ ସଙ୍ଗେ ସଙ୍ଗେ ଦଶହଜାର ଟଙ୍କାର ଚେକ୍ ସେମାନଙ୍କୁ ପ୍ରଦାନ କଲେ । ଚେକ୍ଟିକୁ ଗ୍ରହଣ କଲା ପରେ ସେ ଭଦ୍ର ବ୍ୟକ୍ତିମାନଙ୍କର ଲାଲାଜୀଙ୍କୁ ପ୍ରଶ୍ନ ଥିଲା, “ସାମାନ୍ୟ ତିନିଗୋଟି ଦିଆସିଲି କାଠି ପାଇଁ ଆପଣ କାହିଁକି କଚୁଆନ୍ ଉପରେ ଏତେ ବିରକ୍ତ ହେଉଥିଲେ?”

ଉତ୍ତରରେ ଚଟାପଟ୍ ଲାଲାଜୀ କହିଥିଲେ “ମୁଁ ଏମିତି ମିତବ୍ୟୟୀ ହୋଇଥିବାରୁ କିଛି ଟଙ୍କା ସଂଚୟ କରିପାରୁଛି ଓ ଆପଣମାନଙ୍କ ସେବା ବି କରିପାରୁଛି ।”

କହିବାକୁ ଗଲେ ଘଟଣାଟି ଭାରି ଛୋଟ । କିନ୍ତୁ ଏହା ଆମକୁ କେତେ ବଡ ଶିକ୍ଷା ଦେଉଛି ତାହା ହିଁ ବୁଝିବାକୁ ହେବ ।

ସୁତୁରାଂ ବଦ୍ଖର୍ଚ୍ଚୀ ନ ହୋଇ ଟିକେ ସଂଚୟ କର ଓ ସେହି ସଂଚୟ ଅର୍ଥକୁ ଭଲ କାମରେ ହିଁ ବିନିଯୋଗ କର ।


ଗପ ସାରଣୀ

ତାଲିକାଭୁକ୍ତ ଗପ