ବାବାଙ୍କ ଏଭଳି କଥା ଶୁଣି କମଳ କହିଲା, “ବାବା, ଆପଣ ତ ଭଲ ଭାବରେ ଜାଣନ୍ତି ମୋର ଏ ବିଷୟରେ କିଛି ବି କହିବାର ନାହିଁ । ତେଣୁ ଆପଣଙ୍କ ପସନ୍ଦ ହିଁ ମୋର ପସନ୍ଦ ।” ଏପରି କହି କମଳ ତା’ ବାବାଙ୍କ ଉପରେ ପୁରା ଦାୟିତ୍ୱ ଛାଡିଦେଲା ।
ଏବେ ସୁରେନ୍ଦ୍ର ମହା ହଇରାଣରେ ପଡିଲେ । ଶେଷରେ ସେ ବାଧ୍ୟ ହୋଇ ସବୁକଥା ତ୍ରିଲୋକକୁ କହିଲେ । ତହୁଁ ସେ ତ୍ରିଲୋକ କହିଲେ, “ଦେଖ ଭାଇ, ଦୁଇଝିଅ ତ ପସନ୍ଦ ଏବେ ସେ ଦୁଇଜଣଙ୍କ ମଧ୍ୟରୁ ଜଣକୁ ବାଛିବା ହେଉଛି ଏକ ବଡ ସମସ୍ୟା । ଏ ସମସ୍ୟା ତୁମେ ନିଜେ ସମାଧାନ କର ।”
ତାଙ୍କର ଏପରି କଥା ଶୁଣି ସୁରେନ୍ଦ୍ର କହିଲେ, “ଭାଇ, ସେ ବିଷୟରେ ମୁଁ ବି ବହୁତ ଚିନ୍ତା କରିଛି । ଏବେ ମୁଁ ଏକ ଉପାୟ ପାଂଚିଛି । ଖାଲି ତୁମେ ଟିକିଏ ସାହାଯ୍ୟ କଲେ ହେଲା ।” ଏତିକି କହି ସୁରେନ୍ଦ୍ର ତ୍ରିଲୋକଙ୍କୁ କିଛି ବୁଝାଇ ଦେଲେ ଓ ଶେଷରେ ପଚାରିଲେ “କ’ଣ ରାଜି ତ?”
ସବୁ ଶୁଣି ତ୍ରିଲୋକ କହିଲେ, “ନିଶ୍ଚୟ” ।
ତା’ପରଦିନ ଦେଖାଗଲା ତ୍ରିଲୋକ ବଡ ସୁନ୍ଦର ଶାଢୀ ସବୁ ଧରି ବିକ୍ରି କରିବାକୁ ଯାଉଛନ୍ତି । ପ୍ରଥମେ ସେ ସରଳାର ଘରକୁ ଯାଇ ଶାଢୀ ବୁଜୁଳା ରଖି କହିଲେ, “ଝିଅ ଏଥର ବହୁତ ନୂଆ ରକମର ଶାଢୀ ସବୁ ଆସିଛି । ପ୍ରଥମେ ମୁଁ ତୋ ପାଖକୁ ଆଣିଛି ।”
ନୂଆ ପ୍ରକାରର ଶାଢୀ ସବୁ ଦେଖି ସରଳା ପ୍ରଥମେ ଖୁବ୍ ଖୁସି ହୋଇଗଲା ଓ ଖଣ୍ଡେ ସୁନ୍ଦର ଶାଢୀ କିଣିବାକୁ ପସନ୍ଦ କଲା । ଶାଢୀଟିକୁ ଧରି ସେ କହିଲା, “ମଉସା, ଶାଢୀଟି ତ ମୁଁ କିଣିବି, ହେଲେ ତା’ସହିତ ବ୍ଲାଉଜ୍ କପଡା ଥିଲେ କେଡେ ବଢିଆ ହୋଇଥା’ନ୍ତା ।”
ସରଳା କଥା ଶୁଣି ତ୍ରିଲୋକ କହିଲେ, “ହଁ ଝିଅ, ଏଥର ଖାଲି ଶାଢୀ ଆଣିଛି; ଆଉ ଥରକୁ ବ୍ଲାଉଜ୍ କପଡା ନେଇ ଆସିବି ବିଭିନ୍ନ ରଙ୍ଗର; ସେଥିରୁ ତୁ ବାଛିନେବୁ ତୋର ଶାଢୀ ସହିତ କେଉଁଟା ସୁନ୍ଦର ମାନିବ । ହଉ ଏବେ ମୁଁ ଯାଉଛି ।” ଏତିକି କହି ଗଣ୍ଠିଲୀଟି ବାନ୍ଧି ତ୍ରିଲୋକ ସରିତା ଘରକୁ ଗଲେ । ସେଠାରେ ପହଁଚି ସେ କହିଲେ, “ଝିଅ ଏଥର ଅନେକ ନୂଆ ନୂଆ ଶାଢୀ ଆଣିଛି । ତୋର ପସନ୍ଦ ହେବା ଭଳି ଅନେକ ଶାଢୀ ଏଥିରେ ଅଛି । କେବଳ ସେଇଥିପାଇଁ ଅନ୍ୟଆଡେ ବିକ୍ରିହେବା ପୂର୍ବରୁ ମୁଁ ଆଗ ତୋ ପାଖକୁ ଆସିଲି ।”
ଶାଢୀଟିଏ ସରିତା ବାଛିଲା । ତ୍ରିଲୋକ କହିଲେ, “ଝିଅ ଶାଢୀଟି ରଖିଥା, ବ୍ଲାଉଜ୍ କନା ମୁଁ ଆରଥର ଆସିଲାବେଳକୁ ଆଣିବି । ତୁ ଅନ୍ୟ ଦୋକାନରୁ ଆଉ କିଣିବୁ ନାହିଁ ।”
ଶାଢୀ ବିକ୍ରି ପରେ ତ୍ରିଲୋକ ନିଜ ଗ୍ରାମକୁ ଲେଉଟି ଆସିଲେ ଓ ବଂଧୁ ସୁରେନ୍ଦ୍ରଙ୍କୁ ସବୁକଥା କହିଲେ । ପୁଣି ଦୁଇଦିନ ପରେ ତ୍ରିଲୋକ ବ୍ଲାଉଜ୍ କପଡା ନେଇ ସରଳା ଘରେ ଯାଇ ପହଁଚିଲେ । ସେ ତ୍ରିଲୋକଙ୍କୁ ଦେଖିବା ମାତ୍ରେ କହିଲା, “ମଉସା ତୁମେ ଆସିବାରେ ବହୁତ ଡେରି କରିଦେଲ । ଆଉ ବ୍ଲାଉଜ୍ କପଡାର କୌଣସି ଆବଶ୍ୟକତା ନାହିଁ । ମୁଁ ଅନ୍ୟ ଦୋକାନରୁ କିଣି ନେଇଛି ।”
“ଠିକ୍ ଅଛି ତୋର ମା’ ଯାହା ସୁବିଧା ହେଲା ତାହା ତୁ କଲୁ, ହଉ ମୁଁ ଏବେ ଯାଉଛି ।” ଏତିକି କହି ତ୍ରିଲୋକ ସରିତା ଘରକୁ ଗଲେ । ତାଙ୍କୁ ଦେଖୁ ଦେଖୁ ସରିତା କହିଲା, “ମଉସା, ବ୍ଲାଉଜ୍ କନା ଆଣିଲ କି?”
“ହଁ, କହି ଯାଇଥିଲି ପରା । ଆଣିବି ନାହିଁ କେମିତି? ତା’ପରେ ତ୍ରିଲୋକ ପଚାରିଲେ, ତୁ ଆଉ କେଉଁ ଦୋକାନରୁ କିଣି ଦେଲୁ କି?”
ତ୍ରିଲୋକ କଥା ଶୁଣି ସରିତା କହିଲା, “ବୁଝିଲ ମଉସା ତମେ ଭାରି ଭୁଲା ଲୋକ । ତମେ ମୋତେ ଯେଉଁ ଶାଢୀ ଦେଇଛ ସେଥିରେ ତ ବ୍ଲାଉଜ୍ କନା ଆଗରୁ ଥିଲା । ବୋଧହୁଏ ତମେ ତାହା ଦେଖି ନଥିଲ । ହେଇ ଦେଖ । ତମେ ସିନା ଶାଢୀ ଦାମ ନେଇଥିଲ, ହେଲେ କପଡା ଦାମ୍ ତ ଆଉ ନେଇ ନଥିଲ ଆଜି ନେଇ ନିଅ ।”