ମୁଁ ମହାରାଜ ବିକ୍ରମଜିତ୍ଙ୍କାରୁ ଶୁଣିଥିଲି ଗଛସବୁ ଖାଦ୍ୟ ପ୍ରସ୍ତୁତ କଲାବେଳେ ଅମ୍ଳଜାନ ବୋଲି ଏକ ବାଷ୍ପ ଛାଡନ୍ତି । ତାହା ପରା ଆମ ଜୀବନ ଭଳି ଅଟେ । ଗଛସବୁ ନଷ୍ଟ ହେଲେ ତାହା ଆଉ ସହଜରେ ଆମକୁ ମିଳିବ ନାହିଁ । ଏ ଜଙ୍ଗଲ ନଷ୍ଟହେଲେ ଆମେ ଆଉ ଫଳମୂଳ, ମିଠାକୋଳି, ଝୁଣା, ମହୁ, ଦାନ୍ତକାଠି, ଖଲିପତ୍ର, ଭାଲିଆ ଇତ୍ୟାଦି ପାଇ ପାରିବା ନାହିଁ । ଆଜି ଆମେ ବଣର ଫଳଖାଇ ଝରଣାର ଜଳ ପିଇ କେମିତି ସୁଖରେ ଅଛୁ, ଜଙ୍ଗଲସବୁ ନଷ୍ଟ ହୋଇଗଲେ ତାହା କ’ଣ ଆଉ ସମ୍ଭବ ହେବ? ଏ ପ୍ରକାର ପରିସ୍ଥିତୀରେ ତୁମେମାନେ ହିଁ କୁହ ଏବେ ଆମେ କ’ଣ କରିବା?
ମହାରାଜ ବିକ୍ରମଜିତ୍ ମୋତେ ବହୁତ ଭଲ ପାଉଥିଲେ । ଏ ଜଙ୍ଗଲର ସମସ୍ତ ସୁରକ୍ଷା ଦାୟିତ୍ୱ ସେ ମୋତେ ହିଁ ଦେଇଥିଲେ । କିନ୍ତୁ ବଡ ଦୁଃଖର ବିଷୟ ମୁଁ ବର୍ତ୍ତମାନ କର୍ତ୍ତବ୍ୟ ପାଳନ କରିବା ଆଦୌ ସମ୍ଭବ ନୁହେଁ । ଯେଉଁ ଦେଶର ଶାସକ ଅତ୍ୟାଚାରୀ, ଅବିବେକି ତଥା ପ୍ରଜାପିଡକ ତାଙ୍କଠାରୁ ନ୍ୟାୟ, ଧର୍ମ ଓ ସୁବିଚାର ଆଶା କରିବା କ’ଣ ବୋକାମୀର ପରିଚୟ ନୁହେଁ? ବାଡ ହୋଇ ଯଦି କ୍ଷେତଖାଏ ତେବେ ନିଜ କପାଳକୁ ନିନ୍ଦା କରିବା ଛଡା ଆଉ କିଛି ବି ଉପାୟ ଅଛି କି? ତେଣୁ ଏ ସ୍ଥାନ ଛାଡି ତୁରନ୍ତ ଅନ୍ୟତ୍ର ଚାଲିଯିବା ବୋଲି ମୁଁ କହୁଛି ।
ସେ ସବର ସର୍ଦ୍ଦାରଙ୍କର ଅନିନ୍ଦ୍ୟ ସୁନ୍ଦରୀ ଝିଅଟିଏ ଥିଲା । ତାକୁ (ସେଇ ଝିଅଟିକୁ) ଦେଖି ରାଜା ବିକ୍ରମଜିତ୍ ଦିନେ କହିଥିଲେ – ସର୍ଦ୍ଦାର, ଏ ତ ସାକ୍ଷାତ ସ୍ୱର୍ଗରାଜ୍ୟର ପରୀଟିଏ ପରି ଦିଶୁଛି । ଏହାର ନାମ ବନପରୀ ରଖ । ଏ ବନପରୀ ଯେଉଁଦିନ ଯାଏଁ ଏଇଠି ଥାଇ ମୃଗୁଣୀ ଭଳି ଡେଉଁଥିବ ସେତେଦିନ ଯାଏଁ ଏ ସପନପୁରୀ ରାଇଜର ଶ୍ରୀବୃଦ୍ଧି ଘଟୁଥିବ । ଯେଉଁଦିନ ଏ ଉଦାସ ହେବ ଜାଣ ସେଇଦିନ ଠାରୁ ମୋ ରାଜ୍ୟ ହତଶ୍ରୀ ହେବ । ଏହା କହି ରାଜା ସେ କୁନୀ ଝିଅଟିର କଅଁଳ ଗାଲ ଚିପିଦେଇ ପଚାରିଥିଲେ – କ’ଣ ମା’, ତୁ ମୋ ରାଇଜର ଶ୍ରୀବୃଦ୍ଧି କରିବୁ ତ?
ସେତେବେଳେତ ସେ ଝିଅଟି ଏଡିକି ଟିକିଏ ନାକୁରୁ ହୋଇଥିଲା । ତେଣୁ ସେ କେବଳ ହସି ହସି ବିକ୍ରମଜିତ୍ଙ୍କୁ କହିଥିଲା – ମହାରାଜ, ଆପଣ ଦିନେ ଦେଖିବେ, ମୁଁ ହିଁ ଆପଣଙ୍କ ପାଖରେ ଥାଇ ସେବା କରିବି । ଆପଣଙ୍କ ସୁଖଶ୍ରୀକୁ ଦ୍ୱିଗୁଣିତ କରିଦେବି ।
ଠିକ୍ ସେତେବେଳେ ତ ସେ ବନପରୀ ଝରଣାରୁ ଗାଧୋଇ ଫେରୁଥିଲା । ଏ ସ୍ଥାନଛାଡି ଚାଲିଯିବା କଥା ପଡିଲା । ସେ ସେସବୁ ଶୁଣି ହଠାତ୍ ଯୋର୍ରେ ଚିତ୍କାର କରି କହିଲା, ତୁମେ ସବୁ ଯୁଆଡେ ଯାଉଛ ଯାଅ । ମୁଁ କିନ୍ତୁ ଏ ରାଇଜ ଛାଡି କୁଆଡେ ବି ଯିବିନାହିଁ ।
ହଠାତ୍ ଏପରି ଏକ କଥା ଶୁଣି ସମସ୍ତେ ଅବାକ୍ ହୋଇଗଲେ । ତହୁଁ ସେ ବନପରୀ ପାଖକୁ ଆସି କହିଲା ଆଗେ ଆମେ ମହାରାଜା ବିକ୍ରମଜିତ୍ଙ୍କ ଫେରିବା ପର୍ଯ୍ୟନ୍ତ ଅପେକ୍ଷା କରିବା । ଯୁବରାଜ ପ୍ରସନ୍ନଜିତ୍କୁ ସେ ବନ୍ଦୀ ଜୀବନରୁ ଉଦ୍ଧାର କରିବା । ଆମେ ପରା ତାଙ୍କ ବଣ ରାଇଜର ପ୍ରଜା ।
ରାଜ୍ୟକୁ ବିପତ୍ତି ପଡିଥିବାବେଳେ ପ୍ରଜାମାନେ ସାମୁହିକ ଭାବରେ ତାହାର ପ୍ରତିକାର କରିବା ଉଚିତ୍ । ଭୀରୁ ଭଳି ସେ ସ୍ଥାନ ଛାଡି ପଳାଇବା ଅପେକ୍ଷା ବରଂ ବୀର ସଦୃଶ ଲଢି ମୃତ୍ୟୁବରଣ କରିବା ତାଠାରୁ ଶହେଗୁଣରେ ଭଲ । ଯଦି ତୁମେ ସବୁ ଯିବ ଯାଅ । ମୁଁ କିନ୍ତୁ ଚାଲିଲି, ଯୁବରାଜଙ୍କୁ ଉଦ୍ଧାର କରିବା ପାଇଁ ।
ଏଥିପାଇଁ ସର୍ଦ୍ଦାର ଏବଂ ଅନ୍ୟ ସମସ୍ତେ ସେ ବନପରୀକୁ ବହୁତ ବୁଝାଇଲେ । କିନ୍ତୁ ସେ ବନପରୀ କିଛି ବି ବୁଝିଲା ନାହିଁ । ସେ ଓଲଟି ଯୁକ୍ତି କଲା – ଆମେ ଏଠାରୁ ପଳାଇଗଲେ କ’ଣ ଏ ଜଙ୍ଗଲ ରକ୍ଷା ହୋଇଯିବ? ପୁଣି ନିୟମିତ ଭାବରେ ବର୍ଷା ହେବକି? ଆମେ ଏବେ ଯେଉଁଠିକି ଯିବା ସେଠାକାର ରାଜା ଯେ, କୁଟୀଳ ସ୍ୱାମୀ, ଭଳି ଅତ୍ୟାଚାରୀ ହୋଇନଥିବେ, ସେକଥା କିଏ କହିବ? ଏଭଳି ଭାବେ ନିଜ ଜନ୍ମମାଟିକୁ ଛାଡି ପଳାଇବା କୌଣସି ଦେଶପ୍ରେମୀର ତ ଲକ୍ଷଣ ନୁହେଁ । ମୁଁ ବରଂ ମୋ ପ୍ରାଣ ଦେଇପାରେ । କିନ୍ତୁ ମୁଁ ମୋ ଜନ୍ମମାଟି ଛାଡି କଦାପି ମଧ୍ୟ ଯିବିନାହିଁ । ଯେମିତି ବି ହେଉ ସେ ଯୁବରାଜଙ୍କୁ ଉଦ୍ଧାର କରିବି ।