ଶେଷରେ ସେ ବନପରୀ ପାଇଁ କେହି ବି ନିଜ ରାଜ୍ୟଛାଡି ଯାଇପାରିଲେ ନାହିଁ । ସମସ୍ତେ ସେହିଠାରେ ହିଁ ରହିବାକୁ ବାଧ୍ୟହେଲେ । ତାପରେ ସେମାନେ ତାଙ୍କ ଯୁବରାଜଙ୍କୁ କେମିତି ସେ ନର୍କରୁ ଉଦ୍ଧାର କରିବେ, କେବଳ ସେ ବିଷୟରେ ହିଁ ମନ୍ତ୍ରଣା କରିବାକୁ ଲାଗିଲେ ।
ବନ୍ଦୀଶାଳାର ବହଳିଆ ଅନ୍ଧାର । ତା’ ଭିତରେ ଖାଲି ଛଟପଟ ହେଉଥା’ନ୍ତି ସେ ଯୁବରାଜ ପ୍ରସନ୍ନଜିତ୍ । ବନପରୀ କଥା ଭାବି ଭାବି ସେ ଦିନକୁ ଦିନ ଅତି କ୍ଷୀଣ ହେଇଯାଉଥାନ୍ତି- “ହେ ସୁନ୍ଦରୀ ବନପରୀ ମୋତେ ଥରେ ଦେଖାଦିଅ । କାହିଁକିନା ମୁଁ ମରିବା ପୂର୍ବରୁ ଥରେ ତୁମକୁ ଆଖିପୂରାଇ ଦେଖିବାକୁ ଚାହେଁ । ମୋତେ କେବଳ ଏତିକିମାତ୍ର ଦୟାକର ।
ପ୍ରସନ୍ନଜିତ୍ଙ୍କ ଏପରି ପ୍ରଳାପ ଶୁଣି ସେ ସେନାପତି ଓ ମାଲୁଣୀ ଝିଅ ଦୁହେଁ ଖାଲି ତାଚ୍ଛଲ୍ୟଭରା ହସ ହସୁଥାନ୍ତି । ମାଲୁଣୀ ଝିଅ ଦିନେ ବ୍ୟଙ୍ଗ କରି କହିଲା – ହଇହେ ହତଭାଗ୍ୟ ପ୍ରସନ୍ନଜିତ୍ ବନପରୀ ନାଁକୁ ଜପାମାଳା କରି ଜପୁଥା । ସତରେ ଯଦି ସେ ବନପରୀ ଥାନ୍ତା, ସେ କ’ଣ ଆସି ତୁମକୁ ଦେଖା ଦିଅନ୍ତା ନାହିଁ? ମିଛୁଟାରେ ଏମିତି ପ୍ରଳାପ କରି କି ଲାଭ ପାଉଛ କେଜାଣି । ଏକଥା ଶୁଣି ସେ ସେନାପତି ତା ମନବୋଧ କରି ଖୁବ୍ ହସିଲା । ତାପରେ ସେ କହିଲା – ବୁଝିଲ ପ୍ରିୟେ, ପରୀ ସିନା କାହାଣୀରେ ଥା’ନ୍ତି । ସତରେ କ’ଣ କେଉଁଠି ପରୀରାଇଜ ଅଛି ନା ସେ ବନପରୀ ଆସିବ । ଛାଡ, ତାକୁ ତା ବାଟରେ ଝୁରିବାକୁ ଦିଅ । ଆସ ଆମେ ଉଦ୍ୟାନକୁ ଯିବା ।
ତାପରେ ସେମାନେ ସେଠାରୁ ଚାଲିଗଲେ । ସେମାନଙ୍କର ବିଦ୍ରୁପଭରା ଏଇ କେଇପଦ କଥା ପ୍ରସନ୍ନଜିତ୍ଙ୍କୁ ବହୁତ ବାଧିଲା । ତେଣୁ ସେ ପ୍ରସନ୍ନଜିତ୍ ମନେ ମନେ ପ୍ରତିଜ୍ଞା କଲେ ଯେ – ମୁଁ ସେ ବନପରୀକୁ ନ ଦେଖିବା ଯାଏଁ କିଛି ବି ଖାଇବି ନାହିଁ । ନିଜ ଜୀବନ ପଛେ ହରାଇ ଦେବି । ଏପରି ଭାବି ଯୁବରାଜ ପ୍ରସନ୍ନଜିତ୍ ସେହି ମୁହୂର୍ତ୍ତରୁ ହିଁ ଅନାହାରରେ ରହିଲେ ।
ଏହି ଘଟଣାକୁ ନେଇ ତେଣେ ପରୀରାଇଜରେ ଚହଳ ପଡିଗଲା । ପରୀମାନେ ଦେଖିବାକୁ ଯେମିତି ସୁନ୍ଦର, ଠିକ୍ ସେମିତି ବି ସେମାନେ ସର୍ବଦା ଜଗତର ମଙ୍ଗଳ କାମ କରିଥାନ୍ତି । ତେଣୁ ସେ ପରୀମାନେ ପ୍ରସନ୍ନଜିତ୍ଙ୍କ ପ୍ରତିଜ୍ଞା ଦେଖି ଚୁପ୍ଚାପ୍ ବା ଆଉ ରହୁଛନ୍ତି କୁଆଡୁ? ତାପରେ ପରୀମାନେ ସେ ବନର ଅଧିଷ୍ଠାତ୍ରୀ ଦେବୀ ବନପରୀଙ୍କୁ ଡାକି କହିଲେ – ଏଥର ତୁମେ ଯାଅ । ପ୍ରସନ୍ନଜିତ୍ଙ୍କୁ ସାହାଯ୍ୟ କର । ନହେଲେ ଶେଷରେ ତୁମପାଇଁ ଆମ ସମସ୍ତଙ୍କ ସୁନାମ ମାଟିରେ ମିଶିଯିବ ।
ସବୁ ଶୁଣି ବନପରୀ କହିଲେ – ହେ ସାମ୍ରଜ୍ଞୀ! ମୋର ଅପରାଧ ମାର୍ଜନା କରନ୍ତୁ । ମର୍ତ୍ତ୍ୟଲୋକରେ ଥିବା ଘୋର ବଣଜଙ୍ଗଲ ସିନା ମୋର ଗତାଗତ କରିବା ସ୍ଥାନ । କିନ୍ତୁ ସପନପୁରୀ ରାଇଜରେ ଗଛଟିଏ ବି ନାହିଁ । ମୁଁ ସେଠାକୁ ଗଲେ କେବଳ ଅଣନିଶ୍ୱାସୀ ହୋଇ ଛଟପଟ ହେବି । କଷ୍ଟ ମଧ୍ୟ ପାଇବି । ଦୟାକରି ଏ ଆଦେଶ ପ୍ରତ୍ୟାହାର କରିବାକୁ ମୁଁ ଅନୁରୋଧ କରୁଛି ।
ତାପରେ ସେ ପରୀରାଣୀ କିଛି ସମୟ ଚିନ୍ତାକଲେ । ବହୁତ ଚିନ୍ତା କରିବା ପରେ ପରୀରାଣୀ ସେ ବନପରୀଙ୍କୁ କହିଲେ – ଜଙ୍ଗଲରେ ଥିବା ସେ ସର୍ଦ୍ଦାର ଝିଅର ନାମ ମଧ୍ୟ ବନପରୀ ଅଟେ । ସେ ବି ଦେଖିବାକୁ ଠିକ୍ ତୁମଭଳି ମାତ୍ର ସେ ମର୍ତ୍ତ୍ୟର ମାନବୀ ହୋଇଥିବାରୁ ଅଲୌକିକ ଶକ୍ତିର ଅଧିକାରିଣୀ ନୁହେଁ । ତେବେ ତୁମେ ଗୋଟିଏ କାମ କର । ପରକାୟା ପ୍ରବେଶ ବିଦ୍ୟାବଳରେ ସେ ସର୍ଦ୍ଦାର ଝିଅ ଦେହରେ ପ୍ରବେଶ କର । ତାକୁ ଅଲୌକିକ ବିଦ୍ୟା ପ୍ରଦାନ କର । ମୁଁ ମୋ ଦିବ୍ୟ ଦୃଷ୍ଟିରେ ଦେଖିପାରୁଛି ଯେ, ସେ ଝିଅଟି ବି ପ୍ରସନ୍ନଜିତ୍କୁ ଉଦ୍ଧାର କରିବା ପାଇଁ ପ୍ରତିଜ୍ଞାବଦ୍ଧ ।