ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ବନପରୀ

ତାପରେ ସେ ବନପରୀ, ପରୀରାଣୀଙ୍କ ଆଦେଶ ପାଳନ କରି ସେଠାରୁ ବିଦାୟ ନେଲେ । ଏଣେ ସର୍ଦ୍ଦାର ଝିଅ ବନପରୀ ତ ତା’ ପତ୍ରକୁଡିଆରେ ରହିଥାଏ । ଯୁବରାଜଙ୍କୁ କେମିତି ଉଦ୍ଧାର କରିବ ବୋଲି ସେ ଖାଲି ଭାବୁଥାଏ । ସେ ଏମିତି ଭାବୁ ଭାବୁ କେତେବେଳେ ସେ ଯେ ନିଦରେ ଶୋଇପଡିଛି ତାହା ସେ ନିଜେ ମଧ୍ୟ ଜାଣେ ନାହିଁ । ତାପରେ ସେ ଗୋଟିଏ ସ୍ୱପ୍ନ ଦେଖିଲା – ବଣ ଭିତରେ ଥିବା ଗୋଟିଏ ପୁରୁଣା ଗଛ ମୂଳରେ ବସି ସେ ତପସ୍ୟା କରୁଛି । ତା’ ତପସ୍ୟାରେ ସନ୍ତୁଷ୍ଟ ହୋଇ ଜଣେ ପରୀ ସେଠାକୁ ଆସିଲେ । ତାଙ୍କ ଦେହରୁ ଏକ ପ୍ରକାର ଜ୍ୟୋତି ବାହାରୁଥାଏ । ତାପରେ ସେ ପରୀ ଜଣକ ହସି ହସି କହିଲେ – ତୋ’ ତପସ୍ୟାରେ ମୁଁ ଅତ୍ୟନ୍ତ ସନ୍ତୁଷ୍ଟ । ଏବେ ତୁ ମୋତେ କ’ଣ ମାଗୁଛୁ ମାଗ ।

ତହୁଁ ଏ ବନପରୀ ଯୋଡହସ୍ତ ହୋଇ କହିଲା – ହେ ଦେବୀ, ଆପଣ ଯଦି ମୋତେ ବରଦେବାକୁ ଚାହାଁନ୍ତି, ତେବେ ଯୁବରାଜ ପ୍ରସନ୍ନଜିତ୍ଙ୍କୁ ମୁକ୍ତି କରିଦିଅନ୍ତୁ । ଦେବୀ ପୁଣି ପଚାରିଲେ – ପ୍ରସନ୍ନଜିତ୍ ମୁକ୍ତି ପାଇଲେ ତୋର କ’ଣ ଲାଭ ହେବ?

ଦେବୀଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ସେ ବନପରୀ କହିଲା – ବର୍ତ୍ତମାନ ଏ ରାଜ୍ୟର ରାଜା ଖୁବ୍ ଅତ୍ୟାଚାରୀ ଅଟନ୍ତି । ଯୁବରାଜ ମୁକ୍ତି ପାଇଲେ ସେ ଅତ୍ୟାଚାରୀ କୁଟୀଳ ସ୍ୱାମୀ କବଳରୁ ଏ ରାଜ୍ୟକୁ ଯୁବରାଜ ପ୍ରସନ୍ନଜିତ୍ ଟିକେ ଉଦ୍ଧାର କରନ୍ତେ । ତାପରେ ଯାଇ ସମସ୍ତେ ସୁଖୀ ହୁଅନ୍ତେ ।

ଦେବୀ ପୁଣି କହିଲେ – କାହିଁ ଏଥିରେ ତୋର ତ କିଛି ବ୍ୟକ୍ତିଗତ ଲାଭ ହେଲାପରି ସେମିତି କିଛି ଜଣା ଯାଉ ନାହିଁ ।

ବନପରୀ ଉତ୍ତର ଦେଲା – ସବୁ ପ୍ରଜାଙ୍କ ଭିତରୁ ମୁଁ ବି ତ ଜଣେ । ସମସ୍ତେ ସୁଖୀ ହେଲେ ମୁଁ ବି ସୁଖୀ ହେବି । ଯେମିତି ସିଂହାସନ ଆରୋହଣ କରି ରାଜା ତା ପ୍ରଜାମାନଙ୍କର ସୁଖ-ଦୁଃଖ ପାଇଁ ଦାୟୀ ହୋଇଥାନ୍ତି ଠିକ୍ ସେମିତି ରାଜ୍ୟର ତଥା ରାଜାଙ୍କର ମଙ୍ଗଳ ପାଇଁ କିଛି ତ୍ୟାଗ କରିବା ପ୍ରଜାମାନଙ୍କର ମଧ୍ୟ କର୍ତ୍ତବ୍ୟ ଅଟେ । ବିନା ତ୍ୟାଗରେ ସମାଜ, ସମାଜ ହୋଇ ରହେ ନାହିଁ । ଆଜିଯାଏଁ ମୁଁ ଯେ, ସୁଖରେ ଜୀବନ ବିତାଇ ଆସିଛି, ତାହା କେବଳ ମହାରାଜ ବିକ୍ରମଜିତ୍ଙ୍କ ସୁଶାସନ ଯୋଗୁଁ ହିଁ ସମ୍ଭବ ହୋଇଛି ।

ଦେବୀ ପୁଣି ପ୍ରଶ୍ନକଲେ – ଏ ତ ଗଲା ରାଜ୍ୟ ଓ ରାଜାଙ୍କ କଥା । ବ୍ୟକ୍ତିଗତ ସୁଖ ପାଇଁ କିଛି ମାଗ ।

ତହୁଁ ସେ ବନପରୀ ହସି ହସି କହିଲା – ବ୍ୟକ୍ତିଗତ ସୁଖ ବା ନିଜ ସ୍ୱାର୍ଥକୁ କେବଳ ଇତର ପ୍ରାଣୀମାନେ ହିଁ ସର୍ବଦା ମୁଖ୍ୟ ସ୍ଥାନ ଦେଇଥାନ୍ତି । ତଦ୍ଦ୍ୱାରା ବ୍ୟକ୍ତି ସଂକୀର୍ଣ୍ଣମନା ହୋଇ ଏ ସମାଜର ବହୁତ କ୍ଷତି ସାଧନ କରେ । ସେଭଳି ସୁଖ ତ ମୋର ଆଦୌ ଦରକାର ନାହିଁ । ହେ ଦେବୀ, ଯଦି ଆପଣ ମୋତେ ବ୍ୟକ୍ତିଗତ ଭାବରେ କିଛି ଦେବାକୁ ଚାହୁଁଥାନ୍ତି, ତେବେ ମୋତେ କେବଳ ଏତିକି ଦିଅନ୍ତୁ, ଯେମିତିକି ମୋ ମନ ସବୁବେଳେ ଦେଶର ଓ ବିଶ୍ୱର ମଙ୍ଗଳ ଚିନ୍ତାରେ ହିଁ ବୁଡିରହୁ । ଏତଦଭିନ୍ନ ମୁଁ ଆଉ କିଛି ବି ଚାହେଁନାହିଁ ।

ବନପରୀଠାରୁ ସବୁକଥା ଶୁଣି ଦେବୀ ତା ଉପରେ ଅତ୍ୟନ୍ତ ପ୍ରସନ୍ନ ହୋଇ ତାକୁ କହିଲେ – ମୁଁ ହେଉଛି ବନରାଜ୍ୟର ବନପରୀ । ତତେ ମୁଁ ପରୀକ୍ଷା କରୁଥିଲି । ତୁ ମାଗିଥିବା ସମସ୍ତ ବର ମୁଁ ତୋତେ ପ୍ରଦାନ କରୁଛି । ତୋ ଉପରେ ପ୍ରୀତ ହୋଇ ମୁଁ ତୋତେ ଏହି ବର ଯାଚି ଦେଉଛି ଯେ, ତୁ ଯଦି ବିଶ୍ୱର ମଙ୍ଗଳ ଚିନ୍ତାକରି ଯେତେବେଳେ ଯେଉଁ କାମ କରିବାକୁ ଚାହିଁବୁ ତାହା କରିପାରିବୁ । ଏହା କହି ଦେବୀ ହଠାତ୍ ସେଠାରୁ ଅଦୃଶ୍ୟ ହୋଇଗଲେ ।

ସ୍ୱପ୍ନ ଶେଷରେ ଝାଡିଝୁଡି ହୋଇ ଉଠିଲା ସେ ବନପରୀ । ତାପରେ ସେ ତା ମନେ ମନେ ଭାବିବାକୁ ଲାଗିଲା – ଯୁବରାଜ ଏବେ କ’ଣ କରୁଛନ୍ତି ବୋଲି ଯଦି ମୁଁ ତାହା ଜାଣିପାରନ୍ତି, ତେବେ ତାର କିଛି ପ୍ରତିକାର କରିବାକୁ ମୁଁ ନିଶ୍ଚୟ ଚେଷ୍ଟା କରନ୍ତି । ସେ ଅନୁସନ୍ଧାନ କରି ରାଜକୁମାରଙ୍କ ବନ୍ଦୀଶାଳା ପାଇଗଲା । କିଛି ତୀର ବିନ୍ଧା ଶବରମାନଙ୍କୁ ନେଇ ଜାଗୁଆଳଙ୍କୁ ହତ୍ୟା କଲା ଓ ଜଗୁଆଳଙ୍କ ପୋଷାକରେ ଶବରଙ୍କୁ ଜଗାଇଦେଲା । ଭିତରେ ଯାଇ ଦେଖିବାକୁ ପାଇଲା – ବନ୍ଦୀଶାଳାରେ ରହି ପ୍ରସନ୍ନଜିତ୍ ବିଳାପ କରୁଛନ୍ତି । କାନ୍ଦି କାନ୍ଦି ସେ ଖାଲି କହୁଛନ୍ତି – ହେ ବନପରୀ ! ମୁଁ ତୁମକୁ ଥରେ ମାତ୍ର ଦେଖିବାକୁ ଚାହେଁ । ମୁଁ ମୋ ଶେଷ ନିଶ୍ୱାସ ତ୍ୟାଗ କରିବା ପୂର୍ବରୁ ଥରେ ମୋତେ ଦେଖାଦିଅ । ମୁଁ ତ ତୁମପାଇଁ ସବୁ କିଛି ହରାଇଛି । ଏପରିକି ନିଃସ୍ୱ ମଧ୍ୟ ହୋଇଯାଇଛି । ଗଲା ରାଜ୍ୟ । ବନ୍ଦୀ ହେଲି । ତଥାପି ବି ଭୁଲିପାରୁନି କାହିଁକିନା ମୁଁ ତୁମକୁ ବହୁତ ଭଲପାଏ ବନପରୀ ! ମୁଁ ଏପରି ଭାବେ ମରିଗଲେ ତୁମର ଖୁବ୍ ନିନ୍ଦାହେବ । ତୁମର ସେ ନିନ୍ଦା ମୋ ପକ୍ଷରେ ଅତ୍ୟନ୍ତ ଅସହ୍ୟ ହେବ । ହେ ବନପରୀ ଏବେ ତୁମେ କୁହ ଯିଏ ଯାହାକୁ ଭଲପାଏ, ତା’ ନିନ୍ଦା କ’ଣ ସେ କେବେବି ସହିପାରେ? ଏଭଳି ଏକ ଅସ୍ପୃହଣୀୟ କାମ କେବେବି କର ନାହିଁ । ସେମିତି ହେଲେ ଆଗାମୀ ଦିନରେ ଆଉ ଏ ଜଗତରେ କେହି ବି କାହାକୁ ଭଲ ପାଇବେ ନାହିଁ ।


ଗପ ସାରଣୀ

ତାଲିକାଭୁକ୍ତ ଗପ