ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ବନପରୀ

ଯୁବରାଜଙ୍କର ଏ ପ୍ରକାର ଅବସ୍ଥା ଦେଖି ସେ ବନପରୀ ଆଉ ସହିପାରିଲା ନାହିଁ । ଶେଷରେ ସେ କାନ୍ଦି ପକାଇଲା, ବନ୍ଦୀଶାଳା ଖୋଲି ରାଜକୁମାରଙ୍କୁ ପରିଚୟ ଦେଲା । ପ୍ରସନ୍ନଜିତ୍ ବନପରୀକୁ ଦେଖି କେବଳ ଅପଲକ ନୟନରେ ଅନାଇ ରହିଲେ । ସେ ଯୁବରାଜ ତାଙ୍କ ସ୍ୱପ୍ନରେ ଯେଉଁ ସୁନ୍ଦରୀକୁ ଦେଖିଥିଲେ ଇଏତ ସେଇ ନିଜେ । ତାଙ୍କ ମୁଖମଣ୍ଡଳରୁ ଏକ ଅପୂର୍ବ ଜ୍ୟୋତି ବାହାରୁଛି । ତେଣୁ ସେ ଯୁବରାଜ ଅତ୍ୟନ୍ତ ଭାବବିହ୍ୱଳ ହୋଇ କହିଲେ – ହେ ବନପରୀ ! ସତରେ ତୁମେ ଆସିଛ । ତୁମେ ଆସିବାକୁ ଅନେକ ଡେରି କରିଦେଲ । ସେ ଯାହାବି ହେଉ ମରିବା ପୂର୍ବରୁ ମୁଁ ତୁମକୁ ଦେଖିପାରିଛି, ତାହା ହିଁ ମୋର ସୌଭାଗ୍ୟ । ଏବେ ଯାଇ ମୁଁ ଟିକେ ଶାନ୍ତିରେ ମରି… ।

ସେହିକ୍ଷଣି ଯୁବରାଜଙ୍କ ମୁହଁରେ ହାତଦେଇ ତାଙ୍କ କଥାକୁ ଅସମ୍ପୂର୍ଣ୍ଣ ରଖିଦେଲା ବନପରୀ । ତାପରେ ସେ କହିଲା – ହେ ଯୁବରାଜ ! ସେପରି ମୋଟେ କୁହନ୍ତୁ ନାହିଁ । ମୁଁ ଆପଣଙ୍କୁ କେବେବି ମରିବାକୁ ଦେବି ନାହିଁ । ଆପଣଙ୍କୁ ନ ପାଇଲେ ମହାରାଜାଙ୍କର କି ଅବସ୍ଥା ହେବ କହିଲେ । ଆପଣ ଚାଲିଗଲେ ଏ ରାଜ୍ୟବାସୀଙ୍କୁ ଆଉ କିଏ ରକ୍ଷା କରିବ? ରାଜ୍ୟବାସୀ ଆପଣଙ୍କୁ ହିଁ ଚାହାଁନ୍ତି ଯୁବରାଜ, ରାଜ୍ୟର ମଙ୍ଗଳ ପାଇଁ ଆପଣଙ୍କୁ ହିଁ ବଂଚିବାକୁ ହେବ ।

ଏହା କହି ସେ ବନପରୀ ପ୍ରସନ୍ନଜିତ୍ଙ୍କୁ ଝାଡିଝୁଡି ପରିସ୍କାର କରିଦେଲା ।  ତାପରେ ସେ ଯୁବରାଜ ହଠାତ୍ ବନପରୀର ହାତଧରି ପକାଇ କହିଲେ – ହେ ବନପରୀ ! ତୁମପାଇଁ ମୁଁ ତ ବହୁତ କଷ୍ଟ ପାଇଲିଣି । ତୁମେ ଯଦି ମୋତେ ବିବାହ କରିବ, ତେବେ ଯାଇ ମୁଁ ବଂଚିବି । ନହେଲେ……

ଏହା ଶୁଣି ସେ ବନପରୀ ହଠାତ୍ ବାଧାଦେଇ କହିଲା – ହେ ଯୁବରାଜ ! ମୁଁ ଆପଣଙ୍କ ମାନସୀ କନ୍ୟା ବନପରୀ ନୁହେଁ । ମୁଁ ଏହି ବଣ ମୁଲକର ଶବର ଝିଅଟିଏ । ଆପଣ ଜଣେ ରାଜପୁତ୍ର, ଆପଣ ସିନା କୌଣସି ରାଜ କନ୍ୟାକୁ ବିବାହ କଲେ ତାହା ଆଖିକୁ ସୁନ୍ଦର ଦିଶିବ । ମୋତେ ବିବାହ କଲେ ଆପଣଙ୍କୁ ଏ ସମାଜ କ’ଣ କହିବ? ମୁଁ ଆଉ ମହାରାଜାଙ୍କୁ ମୋ ମୁହଁ କଦାପି ଦେଖାଇ ପାରିବି ନାହିଁ । ତେଣୁ ମୋତେ କ୍ଷମା କରନ୍ତୁ ଯୁବରାଜ !

ସବୁ ଶୁଣି ପ୍ରସନ୍ନଜିତ୍ ହଠାତ୍ ସେ ବନପରୀର ହାତ ଛାଡିଦେଇ କହିଲେ ତୁମେ ବନପରୀ ହୁଅ କି ଶବରୁଣୀ ହୁଅ, ସେଥିରେ ମୋର କିଛି ବି ଯାଏ ଆସେ ନାହିଁ । ମୁଁ ତୁମର ପରିଚୟ ନେଇ ତୁମକୁ ବିବାହ କରିବାକୁ ଚାହେଁନାହିଁ । ମୁଁ କେବଳ ତୁମକୁ ହିଁ ଚାହେଁ । ମନେରଖ ତୁମ ବିନା ମୁଁ କେବେହେଲେବି ବଂଚିପାରିବି ନାହିଁ । ତୁମେ ଯଦି ଭାବୁଥାଅ ଯେ, ମୁଁ ବଂଚିଲେ ଏ ରାଜ୍ୟର ମଙ୍ଗଳ ହେବ, ତାହାହେଲେ ମୋତେ ବଂଚାଇ ରଖ । ତାଛଡା ତୁମଭଳି ହିତୈଷିଣୀକୁ ରାଣୀ ରୂପରେ ପାଇଲେ ଏ ରାଜ୍ୟ ତ ନିଶ୍ଚୟ ଧନ୍ୟ ହେବ । ଏହାପରେ ସେ ବନପରୀର ପ୍ରତିବାଦ କଲା ଭଳି ଆଉ କିଛି ବି ଉପାୟ ନଥିଲା । ତେଣୁ ସେ ବନପରୀ ବାଧ୍ୟହୋଇ ଯୁବରାଜଙ୍କ ହାତକୁ ନିଜହାତ ବଢାଇ ଦେଲା । ଏହିପରି ବନପରୀ ବନ୍ଦୀଶାଳା କୁ ନିଜ ଅକ୍ତିଆରରେ କରି ଜଙ୍ଗଲକୁ ଫେରିଆସି ସୁଯୋଗକୁ ଅପେକ୍ଷା କଲା ।

ଦିନେ ସେନାପତି ଓ ମାଲୁଣୀଝିଅ ବନ୍ଦୀଗୃହକୁ ଆସିଲେ । ସେମାନେ ଭାବିଥିଲେ ଯେ ପ୍ରସନ୍ନଜିତ୍ ତ ଆଦୌ କିଛି ବି ଖାଉନାହିଁ । ତେଣୁ ସେ ନିଶ୍ଚୟ ଶୁଖି ଶୁଖି କଂଟା ହୋଇଯିବଣି । ଏପରିକି ସେ ଏବେ ମରଣ ସହିତ ମଧ୍ୟ ଲଢେଇ କରୁଥିବ । କିନ୍ତୁ ସେମାନେ ଆସି ବନ୍ଦୀଗୃହରେ ଯାହା ସବୁ ଦେଖିଲେ ସେଥିରେ ସେମାନେ ଆଶ୍ଚର୍ଯ୍ୟ ନହୋଇ ଆଉ ରହିପାରିଲେ ନାହିଁ ।


ଗପ ସାରଣୀ

ତାଲିକାଭୁକ୍ତ ଗପ