କାହିଁକିନା ସେତେବେଳକୁ ତ ପ୍ରସନ୍ନଜିତ୍ ପୂର୍ବାପେକ୍ଷା ଖୁବ୍ ସୁନ୍ଦର ଓ ପ୍ରଫୁଲ୍ଲ ଦେଖାଯାଉଥିଲେ । ପ୍ରସନ୍ନଜିତ୍ଙ୍କ ଅପରୂପ ସୌନ୍ଦର୍ଯ୍ୟ ଦେଖି ତାଙ୍କୁ କେବଳ ନିର୍ନିମେଷ ନୟନରେ ଅନାଇ ରହିଲେ ଏ ଆଗନ୍ତୁକ ଦମ୍ପତ୍ତି ।
ଯୁବରାଜଙ୍କର ଏ ପ୍ରକାର ଅଦ୍ଭୁତ ପରିବର୍ତ୍ତନ ଦେଖି ସେ ସେନାପତି ଜଣକ କେବଳ କ୍ରୋଧରେ ଜଳିଉଠିଲେ । ତାପରେ ସେ ସେନାପତି କିଛି ବି ନ ଭାବି ସଙ୍ଗେ ସଙ୍ଗେ ସେ କାରାଗୃହର ରକ୍ଷୀ ଦୁଇଜଣଙ୍କୁ ହତ୍ୟା କଲେ, କିନ୍ତୁ ସେ ବନ୍ଦୀଶାଳାର ଚାବିକାଠି କୋଉଠି ଅଛି ତାହା ସେନାପତି ଆଦୌ ଖୋଜିପାଇଲେ ନାହିଁ । ସେହି ରାଗରେ ସେ ଚାଲିଗଲେ ସିଧା କଟୁଆଳ ପାଖକୁ ।
ସେ କଟୁଆଳ ବି, ସବୁକଥା ଶୁଣି ଅତ୍ୟନ୍ତ ଆଶ୍ଚର୍ଯ୍ୟ ହେଲା । ତହୁଁ ସେ କଟୁଆଳ ଆସି ପ୍ରସନ୍ନଜିତ୍ଙ୍କୁ ଦେଖି ନିଜ ଆଖିକୁ ମୋଟେ ବିଶ୍ୱାସ କରିପାରିଲା ନାହିଁ । ପ୍ରସନ୍ନଜିତ୍ଙ୍କୁ ଖାଇବାକୁ ଦେଲା କିଏ? ତାଛଡା ଏ ପରିବର୍ତ୍ତନ ହେଲା କିପରି? ତାପରେ ସେ କଟୁଆଳ ଯେତେ ଚେଷ୍ଟାକଲା ସେ କାରାଗୃହର ଚାବି ଖୋଲିବା ପାଇଁ କିନ୍ତୁ ସେ ବି ପାରିଲା ନାହିଁ ।
ଏସବୁ ଦେଖି ସେ ସେନାପତିଙ୍କ ମନରେ ଟିକେ ସନ୍ଦେହ ହେଲା । ଏପରିକି ସେ ତାଙ୍କ ମନେ ମନେ ଭାବିଲେ ବୋଧେ ଏ କଟୁଆଳ ତାଙ୍କ ବିରୋଧରେ କିଛି ଷଡ ଯନ୍ତ୍ର କରିଛି । ଯାହାଫଳରେକି ସେ ଯୁବରାଜଙ୍କୁ ପରୋକ୍ଷରେ ବି ସାହାଯ୍ୟ କରୁଛି । ତେଣୁ ସେ ସେନାପତି ତାଙ୍କ ତରବାରୀ ଉଂଚାଇ କଟୁଆଳକୁ ହତ୍ୟା କରିବା ପାଇଁ ତା ଆଡକୁ ଆଗେଇ ଗଲେ । ଏଣୁ ସେ କଟୁଆଳ ବି ଛାଡିବା ଲୋକ ନଥିଲା । ତେଣୁ ସେ ବି ନିଜ ତରବାରୀ ନେଇ ସେନାପତିଙ୍କ ଉପରକୁ ଝାମ୍ପ ଦେଲା । ତାପରେ ସେ ଦୁହିଁଙ୍କ ମଧ୍ୟରେ ମରାମରି, ହଣାହଣି ଚାଲିଲା । ସେ କଟୁଆଳ ଅବା ଏ ସେନାପତିଙ୍କୁ ପାରୁଛି ଆଉ କୁଆଡୁ? ସେ ଆଘାତ ପାଇ ହଠାତ୍ ତଳେ ପଡିଗଲା । ଏହି ସମୟରେ ମାଲୁଣୀ ଝିଅ ତଳେ ପଡିଥିବା ତରବାରୀଟି ଉଠାଇନେଇ ସିଧା ସେନାପତିଙ୍କ ପେଟରେ ତାକୁ ଭୁଷିଦେଲା । ସେହିକ୍ଷଣି ସେନାପତି ସେଇଠି ହିଁ ଟଳିପଡିଲେ । କଟୁଆଳ ବି ଏ ପ୍ରକାର ଘଟଣା ଦେଖି ଅତ୍ୟନ୍ତ ତଟସ୍ଥ । ତାପରେ ସେ କେବଳ ଏ ମାଲୁଣୀଝିଅକୁ ନିର୍ବାକ୍ ହୋଇ ଅନାଇ ରହିଲା । ଠିକ୍ ଏହି ସମୟରେ ମାଲୁଣୀ ଝିଅ ନିଜ ମନକଥା ମନରେ ରଖି ସେ କଟୁଆଳକୁ କହିଲା – ହେ ପ୍ରିୟତମ ! ପ୍ରକୃତରେ ମୁଁ ତୁମକୁ ହିଁ ଭଲପାଏ । ମାତ୍ର ଏ ସେନାପତି ମୋତେ ବଳପୂର୍ବକ ବିବାହ କରିଥିବାରୁ ମୁଁ ନାଚାର ଥିଲି । ମୁଁ ତୁମବିନା କଦାପି ବଂଚିପାରିବି ନାହିଁ । ଆସ, ମୋତେ ଏଠାରୁ ନେଇଚାଲ ।
କିନ୍ତୁ ସେ କଟୁଆଳ ଏ ମାଲୁଣୀ ଝିଅର କପଟ କଥାରୁ କିଛି ବି ଆଦୌ ବୁଝିପାରିଲା ନାହିଁ । କାରଣ ସେ ତ ତା’ ସୁନ୍ଦର ରୂପ ଦେଖି ଆଗରୁ ମୋହିତ ହୋଇଥିଲା । ଏବେ ଏଭଳି ଏକ ସୁବର୍ଣ୍ଣ ସୁଯୋଗକୁ ସେ ଅବା ଛାଡନ୍ତା କାହିଁକି? ଏହିପରି କେତେ କଥା ଭାବି ସେ କଟୁଆଳ ବହୁ କଷ୍ଟରେ ଉଠି ମାଲୁଣୀ ଝିଅ ପାଖକୁ ଆଗେଇ ଆସିଲା । ଏଣେ ଏ ମାଲୁଣୀ ଝିଅ ବି ତା’ ପାଖକୁ ଲାଗି ଆସିଲା । ଏସବୁ ଦେଖି ଅତ୍ୟନ୍ତ ଖୁସିରେ ଫାଟିପଡିଲା ସେ କଟୁଆଳ ଜଣକ । ସେହି ସୁଯୋଗରେ ମାଲୁଣୀ ଝିଅ ନିଜ ହାତରେ ଧରିଥିବା ତରବାରୀରେ ସେ କଟୁଆଳକୁ ହତ୍ୟାକଲା ।
ତାପରେ ମାଲୁଣୀ ଝିଅ ଖୋଜି ଲୁଚାଇ ରଖିଥିବା ଚାବିକାଠି ସାହାଯ୍ୟରେ ସେ ବନ୍ଦୀଗୃହର ତାଲା ଖୋଲିଲା । ଏଥୁଅନ୍ତେ ସେ ତରବାରୀଟି ଫିଙ୍ଗିଦେଇ ସିଧା ଯୁବରାଜଙ୍କ ପାଖକୁ ଦୌଡିଗଲା । ତାକୁ ସମ୍ପୂର୍ଣ୍ଣ ରୂପେ ନିଜର କରିବା ପାଇଁ ସେ ମାଲୁଣୀ ଝିଅ, ଯୁବରାଜଙ୍କୁ ବହୁ ଅନୁନୟ କଲା । ଏଣେ ସେ କଟୁଆଳ ଓ ସେନାପତିଙ୍କ ମରିବା ଖବର ଗୁପ୍ତଚରମାନେ କୁଟିଳ ସ୍ୱାମୀଙ୍କୁ ଜଣାଇଦେଲେ । ତେଣୁ ସେ କୁଟିଳ ସ୍ୱାମୀ ଓ ତାଙ୍କ ରାଣୀ ସାଜିଥିବା ସେ ମାଲୁଣୀ ଦୁହେଁ ରଥରେ ବସି ଜଙ୍ଗଲ ମଧ୍ୟକୁ ଆସିଲେ । ତାପରେ କୁଟିଳ ସ୍ୱାମୀ ସେ ସେନାପତି ଓ କଟୁଆଳଙ୍କ ଶବକୁ ଭଲଭାବରେ ନିରୀକ୍ଷଣ କରିବାକୁ ଲାଗିଲେ । ସେହିକ୍ଷଣି ସେ ବି ରକ୍ଷୀମାନଙ୍କୁ ଏ ବିଷୟରେ ବିଭିନ୍ନ ପ୍ରଶ୍ନ ପଚାରିବାକୁ ଲାଗିଲେ ।