ଇତ୍ୟବସରରେ ମାଲୁଣୀ ବୁଢୀ ଯାଇ ବନ୍ଦୀଗୃହରେ ପ୍ରବେଶ କଲା । ସେ ତା’ ଝିଅକୁ ଯୁବରାଜଙ୍କ ନିକଟରେ ଅନୁନୟ କରୁଥିବାର ଦେଖି ଭିଷଣ ଭାବରେ ରାଗିଗଲା । ତାପରେ ସେ ବୁଢୀ ତା’ ନିଜ ଝିଅକୁ ଟାଣିଆଣି ଧମକ ଦେବାକୁ ଯାଉଥିଲା । ଏଣେ ଏ ମାଲୁଣୀ ଝିଅ ତ ସେ ଯୁବରାଜଙ୍କୁ ପାଇବା ପାଇଁ ଅତ୍ୟନ୍ତ ପାଗଳୀ ହୋଇ ଯାଇଥିଲା । ସେ ଅବା ଏ ବୁଢୀକୁ ଆଉ ମାନନ୍ତା କାହିଁକି? ତେଣୁ ଝିଅ ହଠାତ୍ ସେ ବୁଢୀର ଗଳା ଚିପିଦେଲା । ସେହିକ୍ଷଣି ହିଁ ସେ ବୁଢୀ ଗଅଁ ଗଅଁ କରି ନିଜ ଜିଭ କାଢି ପକାଇଲା । ଏପରି ଗଁ ଗଁ ଶବ୍ଦ ଶୁଣି କୁଟିଳସ୍ୱାମୀ ସଙ୍ଗେ ସଙ୍ଗେ ସେ ବନ୍ଦୀଗୃହକୁ ଛୁଟିଗଲେ । ମାଲୁଣୀ ଝିଅର ଏପରି ବ୍ୟବହାର ଦେଖି ସେ ବି ଅତ୍ୟନ୍ତ କ୍ଷୁବ୍ଧ ହେଲେ । ତେଣୁ ତାକୁ ଅର୍ଥାତ୍ ସେ ମାଲୁଣୀ ଝିଅକୁ ବହୁ ଧମକ ବି ଦେଲେ । ହେଲେ ସେ ମାଲୁଣୀ ଝିଅ କିନ୍ତୁ ମୋଟେ ଡରିଲା ନାହିଁ । ତେଣୁ ସେ କେବଳ ଉତ୍ତେଜିତ ହୋଇ କହିଲା – ଆପଣଙ୍କ ଭଳି ଜଣେ ନଷ୍ଟ ଚରିତ୍ରର କଥାରେ ପଡି ମୁଁ ଦେବତାତୁଲ୍ୟ ଯୁବରାଜଙ୍କ ସହିତ ପ୍ରତାରଣା କରିଛି । ଏମିତିକି ତାଙ୍କୁ କେବଳ ମୁଁ ହିଁ ସର୍ବନାଶର ମୁହଁକୁ ଠେଲି ଦେଇଛି । ମୁଁ ହିଁ ନିଜର ଭାଗ୍ୟ ସୌଧକୁ ନିଜ ହାତରେ ଧୂଳିସାତ୍ କରିଛି । ଏହିପରି ଭାବେ ମୁଁ ଆପଣଙ୍କ ଚକ୍ରାନ୍ତର ବି ଶିକାର ହୋଇଛି । ଆଜି କିନ୍ତୁ ମୁଁ ଆଉ କିଛି ବି ଶୁଣିବି ନାହିଁ । ମୁଁ କେବଳ ଏହି ଯୁବରାଜଙ୍କୁ ହିଁ ଚାହେଁ । ଆଜି ତାଙ୍କପାଇଁ ଯିଏ ବି ବିପଦର କାରଣ ହେବ ମୁଁ ତାକୁ କଦାପି କ୍ଷମା କରିବି ନାହିଁ । ଏହା କହି ସେ ମାଲୁଣୀ ଝିଅ କୁଟିଳସ୍ୱାମୀଙ୍କ ପଥ ଓଗାଳିଲା । ସେତେବେଳକୁ ତ ଖବରପାଇ ସେଠାରେ କୁଟିଳସ୍ୱାମୀଙ୍କ ସୈନ୍ୟମାନେ ପହଁଚିଯାଇଥିଲେ । ତହୁଁ କୁଟିଳସ୍ୱାମୀ ସେ ସୈନ୍ୟମାନଙ୍କୁ ଆଦେଶ ଦେଲେ – ଏ ଦୁଶ୍ଚରିତ୍ରାକୁ ବନ୍ଦୀ କର । ଆଉ ଏ ପ୍ରସନ୍ନଜିତ୍କୁ ତୁରନ୍ତ ହତ୍ୟା କର । କିନ୍ତୁ ସେତେବେଳେ ସେ ସୈନ୍ୟମାନଙ୍କ ମଧ୍ୟରୁ କେହି ବି ଜଣେହେଲେ ଉଁ କି ଚୁଁ ହେଲେ ନାହିଁ । ଏସବୁ ଦେଖି କୁଟିଳସ୍ୱାମୀ ପୁଣି ଗର୍ଜି ଉଠିଲେ । ଏହାଦେଖି ପ୍ରସନ୍ନଜିତ୍ଙ୍କର ଆଉ ଆଶ୍ଚର୍ଯ୍ୟର ସୀମା ରହିଲା ନାହିଁ । ତେଣୁ ସେତେବେଳେ ସେ ଖାଲି ପ୍ରଶ୍ନିଳ ଦୃଷ୍ଟିରେ ସୈନ୍ୟମାନଙ୍କୁ ଅନାଉଥିଲେ । ଏସବୁ ଦେଖି ଜଣେ ସୈନ୍ୟ ନିଜର ପୋଷାକ ଖୋଲିଦେଇ କହିଲା – ହେ ଯୁବରାଜ ! ଆମେ ହେଉଛୁ ଏହି ଜଙ୍ଗଲରେ ରହୁଥିବା ବଣୁଆ ଶବର । ଆମେ ଏ ବନପରୀଙ୍କଠାରୁ ସବୁକଥା ଶୁଣି ଆମ ସର୍ଦ୍ଦାରଙ୍କ ନେତୃତ୍ୱରେ ଅତି ଗୋପନରେ ସେ କୁଟିଳସ୍ୱାମୀଙ୍କ ସୈନ୍ୟମାନଙ୍କୁ ହତ୍ୟା କରିଛୁ । ତାପରେ ଆମ ସର୍ଦ୍ଦାରଙ୍କ ନିର୍ଦେଶରେ ସେ ମୃତ ସୈନ୍ୟମାନଙ୍କ ପୋଷାକ ପିନ୍ଧି ଆମେ ସେ କୁଟିଳ ସ୍ୱାମୀ ପାଖରେ ଥିଲୁ । ଏଣେ ସେ କୁଟିଳ ସ୍ୱାମୀ ଏ ସମସ୍ତ କଥା ଶୁଣି ଖାଲି ନିଜ ଦାନ୍ତ କଡମଡ କଲେ ସିନା କିନ୍ତୁ ସେତେବେଳେ ସେ ଆଉ କିଛି ବି କରିପାରିଲେ ନାହିଁ । ତାପରେ ଯୁବରାଜଙ୍କ ପରିବର୍ତ୍ତେ ସେହି ଅନ୍ଧକାର ବିଜଡିତ କୋଠରୀ ମଧ୍ୟରେ ସେ କୁଟିଳ ସ୍ୱାମୀ ନିଜେ ବନ୍ଦୀ ହୋଇ ରହିଲେ । ମାଲୁଣୀ ଝିଅ ଯୁବରାଜଙ୍କ ରାଜି ନହବାରୁ ପ୍ରସନ୍ନଜିତ୍ଙ୍କୁ ହତ୍ୟା କରିବା ପାଇଁ ଆଗେଇ ଯିବାବେଳେ ଶବରମାନେ ତାକୁ ଏଥିରେ ବାଧାଦେଲେ । ପରିଶେଷରେ ଶବରମାନେ ମାଲୁଣୀର ଝିଅକୁ ହତ୍ୟା ମଧ୍ୟ କଲେ ।
ମହାରାଜ ବିକ୍ରମଜିତ୍ ତ ତାଙ୍କ ତୀର୍ଥାଟନରୁ ବଣ ଦେଇ ଫେରୁଥାନ୍ତି । କିନ୍ତୁ ବଣ ରାଇଜ ହତଶ୍ରୀ ହୋଇଥିବାର ଦେଖି ମହାରାଜ ହଠାତ୍ କାନ୍ଦି ପକାଇଲେ । ଏସବୁ କେମିତି ହେଲା ବୋଲି ସେତେବେଳେ ତ ସେ ଆଦୌ କିଛି ବୁଝିପାରୁନଥାନ୍ତି । ହଠାତ୍ ଲୋକ କୋଳାହଳ ଶୁଣି ମହାରାଜ ଖଣ୍ଡେ ବାଟ ଆଗେଇ ଗଲେ । ବଣ ଭିତରେ ନଅରଟିଏ ଦେଖି ତାଙ୍କର ଆଉ ଆଶ୍ଚର୍ଯ୍ୟର ସୀମା ରହିଲା ନାହିଁ । କ୍ରମେ କ୍ରମେ ସେ କୋଳାହଳ ନିକଟରୁ ଅତି ନିକଟତର ହେବାରେ ଲାଗିଲା ।
ଏଣେ ମହାରାଜା ମନଦୁଃଖରେ ପୁଣି ସେ ଜଙ୍ଗଲ ଭିତରକୁ ଚାଲିବାକୁ ଲାଗିଲେ । ଜଙ୍ଗଲର ଏପରି ହତଶ୍ରୀ ରୂପଦେଖି ତାଙ୍କ ଅନ୍ତରାତ୍ମା ଖାଲି ହାହାକାର କଲା । ତେଣୁ ସେ ମହାରାଜ କିଛିଦୂର ଯାଇ ଗୋଟିଏ ଗଛମୂଳେ ବସିପଡିଲେ । ଠିକ୍ ଏହି ସମୟରେ ସେ ଦେଖିବାକୁ ପାଇଲେ ଯେ, କିଛି ଦୂରରେ ଝିଅଟିଏ ଗଛ ଲଗାଇ ସେଥିରେ ପାଣି ଦେବାରେ ବ୍ୟସ୍ତ । ଏମିତିକି ସେ କାହାରିକୁ ବି ଅନାଉ ନଥାଏ । ଏସବୁ ଦେଖି ସେ ମହାରାଜାଙ୍କର କୌତୁହଳର ସୀମା ଆଉ ରହିଲା ନାହିଁ । ତେଣୁ ସେ କିଛି ସମୟ ବିଶ୍ରାମ ନେଇ ସେ ଝିଅଟି ପାଖକୁ ଗଲେ । ସେ ଝିଅଟି ତା କାମ କରିବାରେ ଏମିତି ମଜ୍ଜି ଯାଇଥାଏ, ତା ପାଖରେ ଆଉ କିଏ ଅଛି ବୋଲି ସେ ତାହା ଆଦୌ ଜାଣିପାରୁ ନଥାଏ । ତେଣୁ ସେ ଝିଅଟି ପାଖରେ ଘଡିଏ ଛିଡାହେଲେ ବିକ୍ରମଜିତ୍ । ତାପରେ ମହାରାଜ ସେ ଝିଅଟିକୁ ଭଲ ଭାବରେ ଲକ୍ଷ୍ୟ କଲେ । ସେ ଝିଅଟିର ଉଜ୍ଜ୍ୱଳ ମୁଖଶ୍ରୀ ଦେଖି ରାଜା ହଠାତ୍ ତାକୁ ଚିହ୍ନିଗଲେ । ଆରେ ଇଏତ ସେଇ ସର୍ଦ୍ଦାର କନ୍ୟା ବନପରୀ!