ଏପରି କଥା ଶୁଣି ସେ ରାଜକୁମାର ଅତ୍ୟନ୍ତ ଭାବବିହ୍ୱଳ ହୋଇ କହିଲେ – ସତେନା କ’ଣ? ମୋତେ ଥରେ ତା’ ସହିତ ଭେଟ କରାଇ ଦିଅନ୍ତ ନାହିଁ? ଏହା କହି ରାଜକୁମାର ନିଜ ମାଳଟିକୁ ସେ ମାଲୁଣୀବୁଢୀ ହାତରେ ଗୁଞ୍ଜିଦେଲେ । ଏସବୁ ଦେଖି ସେ ମାଲୁଣୀ ବୁଢୀ ଟିକେ ହସିଦେଲା । ବନପରୀକୁ ବୁଝି ତା’ ମତାମତ ଜଣାଇବି ବୋଲି ମଧ୍ୟ ସେ ବୁଢୀ କହିଲା । ତାପରେ ମାଲୁଣୀ ଅଭିବାଦନ କରି ସେଠାରୁ ଚାଲିଗଲା । ମାଲୁଣୀର ଯିବା ବାଟକୁ ରାଜକୁମାର ପ୍ରସନ୍ନଜିତ୍ ଧ୍ୟାନରେ ଚାହିଁ ରହିଥିଲେ ।
ସେ ମାଲୁଣୀବୁଢୀଠାରୁ ସବୁକଥା ଶୁଣି ମନ୍ତ୍ରୀ କୁଟିଳସ୍ୱାମୀ ଖାଲି ଆନନ୍ଦ ସାଗରରେ ଭାସିଲେ । ସେ ଏଇ ସୁଯୋଗରେ କେମିତି ରାଜସିଂହାସନ ନିଜ ଅକ୍ତିଆରକୁ ଆଣିବେ ମନେ ମନେ ନାନା ଉପାୟ ପାଂଚିବାକୁ ଲାଗିଲେ । ସେ ମନ୍ତ୍ରୀ ଅନେକ ଚିନ୍ତା କରି ବୁଢୀ ମାଲୁଣୀ କାନରେ ଗୋପନ ମନ୍ତ୍ର ଫୁଙ୍କିଲେ । ମାଲୁଣୀ ବୁଢୀ ସେ ସବୁକଥା ଶୁଣି ମସ୍ତ ଖୁସିଟାଏ ହେଲା ।
ତହିଁ ଆରଦିନ ବୁଢୀ ମାଲୁଣୀ ଜଣେ ଚିତ୍ରକରକୁ ଡକାଇଲା । ତା’ ହାତରେ କିଛି ସୁନା ମୋହର ଗୁଞ୍ଜିଦେଇ ମାଲୁଣୀ ସେ ଚିତ୍ରକରକୁ କହିଲା – ଆରେ ଚିତ୍ରକରପୁଅ, ମୁଁ କହିବା ପ୍ରକାରେ ଗୋଟିଏ ସୁନ୍ଦରୀ ପରୀର ଚିତ୍ର ଆଙ୍କିଦେଲୁ । ତାହା ଯେମିତି ଆମ ଯୁବରାଜଙ୍କ ପସନ୍ଦ ହେବ । ତାପରେ ସେ ମାଲୁଣୀ ଯୁବରାଜଙ୍କ କହିବା ଅନୁଯାୟୀ ଗୋଟି ଗୋଟି କରି ବର୍ଣ୍ଣନା କଲା । ଚିତ୍ରକର ଅବିକଳ ନିଖୁଣ ଚିତ୍ରଟିଏ ଆଙ୍କି ଦେଲେ ସେ ମାଲୁଣୀ ତାକୁ ଅନେକ ପୁରସ୍କାର ଦେବବୋଲି ଲୋଭ ବି ଦେଖାଇଲା । ତାପରେ ସେ ଚିତ୍ରକର ହଁ ଭରି ସେଠାରୁ ଚାଲିଗଲା ।
ଦୁଇଦିନ ପରେ ସେ ଚିତ୍ରଟି ଆଣି ଚିତ୍ର୍କର ମାଲୁଣୀ ବୁଢୀକୁ ଦେଲା । ଚିତ୍ରପଟ ଦେଖି ସେ ମାଲୁଣୀ ବି ବହୁତ ଖୁସି ହେଲା । ଏପରିକି ସେ ତା ମନେ ମନେ ରାଣୀ ହେବାର ସ୍ୱପ୍ନ ମଧ୍ୟ ଦେଖିବାକୁ ଆଦୌ ଭୁଲିଲା ନାହିଁ । ତାପରେ ସେ ମାଲୁଣୀ ଚିତ୍ରକରକୁ ପୁରସ୍କାର ଦେଇ ତାକୁ ସେଠାରୁ ବିଦା କରିଦେଲା । ସେ ଚିତ୍ରଟି ନେଇ ମନ ଆନନ୍ଦରେ ମାଲୁଣୀ ଏବେ ସିଧା ଚାଲିଲା ଯୁବରାଜଙ୍କ ପାଖକୁ ।
ଯୁବରାଜ ତ ସେତେବେଳେ ତାଙ୍କ ଉଦ୍ୟାନରେ ବୁଲୁଥିଲେ । ଏହି ସମୟରେ ମାଲୁଣୀ ଯାଇ ତାଙ୍କୁ ଅଭିବାଦନ ଜଣାଇଲା । ଚାଟୁକଥା କହି ସେ ମାଲୁଣୀ ଯୁବରାଜଙ୍କ ମନକୁ ଉଚ୍ଚାଟକଲା । ଚିତ୍ରଟି ମଧ୍ୟ ଦେଖାଇଲା । ଚିତ୍ରଟି ଦେଖି ଯୁବରାଜ ଏକ ପ୍ରକାର ଭାବ ବିହ୍ୱଳ ହୋଇପଡିଲେ । ଏମିତିକି ସେ ତାକୁ ପାଇବାକୁ ମଧ୍ୟ ଅତ୍ୟନ୍ତ ବ୍ୟଗ୍ର ହେଲେ । ତେଣୁ ଯୁବରାଜ ସେ ମାଲୁଣୀ ବୁଢୀକୁ ଅହେତୁକ ନେହୁରା ହୋଇ କହିଲେ – ଯେମିତି ବି ହେଉ ଏ ସୁନ୍ଦରୀ ସହିତ ସହିତ ମୋତେ ଥରେ ସାକ୍ଷାତ କରାଇ ଦିଅ । ମୁଁ ତା’ ବିନା ଆଉ ବଂଚିପାରିବି ନାହିଁ ।
ମାଲୁଣୀ ବୁଢୀ ଦେଖିଲା ତା’ ଔଷଧ ଏବେ ଠିକ୍ କାମ କରିଛି । ତେଣୁ ସେ ମାଲୁଣୀ କହିଲା – ହେ ଯୁବରାଜ ! ଏ ସୁନ୍ଦରୀ ହେଉଛି ବନପରୀ । ମୁଁ ତାଙ୍କୁ ଆପଣଙ୍କ କଥା କହିଛି । ତାକୁ ଆପଣଙ୍କ ଚିତ୍ରଟିଏ ମଧ୍ୟ ଦେଇଛି । ସେ ଆପଣଙ୍କ ଚିତ୍ର ଦେଖି ହଠାତ୍ ତନ୍ମୟ ହୋଇଗଲା । ଘଡିଏ ପର୍ଯ୍ୟନ୍ତ ସେ ବନପରୀ ତା ଆଖି ପିଂଛୁଡି ପାରିଲା ନାହିଁ । ସେ ପାଗଳୀ ପ୍ରାୟ ହୋଇ ଆପଣଙ୍କ ଚିତ୍ରପଟକୁ ତା ଛାତିରେ ଜାକି ଧରିଲା । ଆପଣଙ୍କ ମୁହଁକୁ ନିଜ ହାତରେ ସେ ଅଣ୍ଡାଳିଲା । ଅତ୍ୟନ୍ତ ବିହ୍ୱଳ ହୋଇ ସେ କହିଲା – ହେ ଯୁବରାଜ ! ମୁଁ ମଧ୍ୟ ଆପଣଙ୍କୁ ଚାହେଁ । ଆପଣଙ୍କ ବିନା ମୁଁ ବି ଆଉ ଧୈର୍ଯ୍ୟଧରି ରହି ପାରୁ ନାହିଁ । ହେ ପ୍ରିୟତମ ! ସତରେ କ’ଣ ତୁମେ ଏ ଦାସୀକୁ ନିଜର କରିବ? ନିଜ ଚରଣ ତଳେ ଟିକେ ଆଶ୍ରୟ ଦେବ?