ଯେଉଁମାନେ ଖାଂଟି ପ୍ରେମିକ ସେମାନେ କେବେବି ଜଣେ ଉତ୍ତମ ଶାସକ ହୋଇପାରନ୍ତି ନାହିଁ । ସେମାନେ ଠିକ୍ ଭାବରେ ନିଜ କର୍ତ୍ତବ୍ୟ ବି ପାଳନ କରିପାରି ନଥା’ନ୍ତି । ଆପଣଙ୍କ ଉପରେ ରାଜ୍ୟର ସମସ୍ତ ଭଲମନ୍ଦ ନିର୍ଭର କରୁଛି । ଆପଣ ଯଦି କର୍ତ୍ତବ୍ୟ ପରାୟଣ ନ ହୁଅନ୍ତି, ତେବେ ରାଜ୍ୟରେ ନିଶ୍ଚୟ ଅରାଜକତା ଦେଖା ଦେବ ।
ଯୁବରାଜ ସେ ବନପରୀ ପ୍ରତି ଏତେ ଆକୃଷ୍ଠ ହୋଇଥିଲେ ଯେ, ସେ ଆଉ ମୁହୂର୍ତ୍ତେ ବି ବିଳମ୍ବ ସହିପାରୁ ନଥିଲେ । ତେଣୁ ସେ କହିଲେ – ସତରେ କ’ଣ ଏ କଥା ସେ ବନପରୀ କହିଛି? ମୁଁ ସିନା ତାକୁ ଖାଲି ସୁନ୍ଦରୀ ବୋଲି ଭାବୁଥିଲି କିନ୍ତୁ ଏବେ ଜାଣୁଛି ଯେ ସେ ବୁଦ୍ଧିମତୀ ମଧ୍ୟ । ଜଣେ ରାଣୀ ମଧ୍ୟ ତାଙ୍କ ରାଜ୍ୟ ବିଷୟରେ ଏତେ କଥା ଜାଣି ନଥିବେ । ଯେମିତିବି ହେଉ ମୋତେ ସେ ବନପରୀ ମିଳିବା ନିହାତି ଦରକାର । ମୁଁ ବନପରୀ ବିନା ଆଉ ବଂଚିପାରିବି ନାହିଁ । ସେ ବନପରୀ ମିଳିଗଲେ ମୋତେ ସବୁ କିଛି ମିଳିଯିବ । ତା’ ତୁଳନାରେ ଏ ରାଜ୍ୟ ତ କିଛି ବି ନୁହେଁ ।
ଏହା ଶୁଣି ସେ ମାଲୁଣୀ କହିଲା – ହେ ଯୁବରାଜ । ଆପଣ ଏ କ’ଣ କହୁଛନ୍ତି? ମହାରାଜ ଯିବାବେଳେ ଆପଣଙ୍କୁ ହିଁ ଏ ରାଜ୍ୟର ସମସ୍ତ ଭାର ପରା ଅର୍ପଣ କରି ଯାଇଛନ୍ତି । ପିତାଙ୍କ ଆଦେଶ ଅମାନ୍ୟ କଲେ ଆପଣ ନର୍କଗାମୀ ହେବେ ଯେ ! ମୁଁ ଆପଣଙ୍କ ଲୁଣ ଖାଉଛି । ତେଣୁ ଆପଣଙ୍କ ଗୁଣ ଗାଇବା ହେଉଛି ମୋର ପରମ କର୍ତ୍ତବ୍ୟ । ମୋର ଧୃଷ୍ଠତା ପାଇଁ ମୋତେ କ୍ଷମା କରନ୍ତୁ । ହେ ଯୁବରାଜ ! ମୋ’ ଆଖିଆଗରେ ଆପଣଙ୍କର ଅଧଃପତନ ଘଟିବ, ଏହା ତ ମୁଁ ଆଦୌ ସହିପାରିବି ନାହିଁ ।
ସେତେବେଳେ ଯୁବରାଜ ତ ସେ ବନପରୀ ଲାଗି ଏକପ୍ରକାର ପାଗଳ ହୋଇ ଯାଇଥିଲେ । ତେଣୁ ସେ କହିଲେ – ତୁମ କଥାରୁ ଯାହା ପ୍ରତ୍ୟୟ ହେଉଛି, ତୁମେ ନିଶ୍ଚୟ ମୋର ଶୁଭକାଂକ୍ଷୀ ଅଟ । ଏ କ୍ଷେତ୍ରରେ ଏକମାତ୍ର ତୁମେ ହିଁ ମୋତେ ସାହାଯ୍ୟ କର । ମୋତେ ଏବେ କ’ଣ କରିବାକୁ ହେବ କୁହ? ମୁଁ କି ଉପାୟ ଅବଲମ୍ବନ କଲେ ପିତାଙ୍କ ଆଦେଶ ପାଳନ କରିପାରିବି? ଏବଂ ସେ ବନପରୀକୁ ମଧ୍ୟ ପାଇପାରିବି?
ଏହା ଶୁଣି ସେ ବୁଢୀମାଲୁଣୀ ଟିକେ ଚିନ୍ତା କଲାଭଳି ଅଭିନୟ କରି କହିଲା – ହେ ଯୁବରାଜ ! ଛୋଟ ମୁହଁରେ ବଡକଥା । କ୍ଷମା କରିବେ । ଆପଣ ଯଦି ଏ ରାଜ୍ୟ ଶାସନ ଭାର ଆଉ କାହା ଉପରେ ନ୍ୟସ୍ତ କରନ୍ତେ ତେବେ ଆପଣଙ୍କର ଆଉ କିଛି ବି ଚିନ୍ତା ରହନ୍ତା ନାହିଁ । ତାହେଲେ ଯାଇ ଆପଣ ସେ ବନପରୀ ସହିତ ଅବାଧରେ ମିଳାମିଶା କରିବାକୁ ସବୁବେଳେ ସମୟ ପାଆନ୍ତେ ।