ଏହା ଶୁଣି ଯୁବରାଜ ପଚାରିଲେ – ମୋତେ ଏ କାମରେ କିଏ ସାହାଯ୍ୟ କରିପାରିବ ମୁଁ ତ କାଇଁ କିଛି ଭାବିପାରୁ ନାହିଁ । ତୁମେ କୁହ, କାହାକୁ ଏତେବଡ ଗୁରୁ ଦାୟିତ୍ୱ ଦେଲେ ଚଳିବ । ତହୁଁ ସେ ମାଲୁଣୀ ବୁଢୀ ଟିକେ ଛଳନାକରି କହିଲା – ଏ କ’ଣ କହୁଛନ୍ତି ଯୁବରାଜ । ଯେତେ ଯାହା ହେଲେ ବି ମୁଁ ମାଇପି ଲୋକ । ବୁଦ୍ଧି ବୃତି ତ ମୋର କିଛି ବି ନାହିଁ । ଫୁଲ ବିକିବା ହିଁ ହେଉଛି ମୋର ଏକମାତ୍ର ପେଷା । ରାଜ୍ୟ ଶାସନ ସମ୍ବନ୍ଧରେ କ’ଣ ମୋର କିଛି ଧାରଣା ଅଛି?
ସେହିସମୟରେ ଯୁବରାଜ ମାଲୁଣୀର ବାକ୍ୟପୂର୍ଣ୍ଣ ହେବାକୁ ନଦେଇ କହିଲେ – ତେବେ ଆଉ ବିଳମ୍ବ କରନାହିଁ । ଏ ବିଷୟରେ ମୋତେ କିଏ ସାହାଯ୍ୟ କରିପାରିବ କୁହ?
ଏହା ଶୁଣି ସେ ମାଲୁଣୀ ବୁଢୀ ଉତ୍ତର ଦେଲା – ମୁଁ ଭାବୁଛି, ଆପଣ ତ ଭବିଷ୍ୟତରେ ଆମ ରାଜ୍ୟର ରାଜା ହେବେ । ଆଉ ସେ ବନପରୀ ରାଣୀ ହେବ । ରାଜା ମହାରାଜମାନେ ବିପଦ ଆପଦ ସମୟରେ ନିଜ ରାଣୀଙ୍କ ପରାମର୍ଶ ନେଇଥାନ୍ତି । ଏ ବିଷୟରେ ବନପରୀର ମତ ଲୋଡିଲେ କ୍ଷତି କ’ଣ? ଏପରି କଲେ ତ ଆମେ ଆଉ ଠକିବା ନାହିଁ, ବରଂ ଆମର ଲାଭ ହେବ ।
ତହୁଁ ସେ ଯୁବରାଜ ଆଶ୍ଚର୍ଯ୍ୟ ହୋଇ ପଚାରିଲେ – ତାହା କିପରି? ମାଲୁଣୀ କହିଲା – ବନପରୀର ସୁନ୍ଦର ରୂପ ଅଛି, ରାଜ୍ୟର ରାଣୀ ହିସାବରେ ଯେତିକି ବୁଦ୍ଧି ରହିବା ଆବଶ୍ୟକ ସେତିକି ଅଛି କି ନାହିଁ ତାହା ଆମେ ଜାଣିବା କେମିତି? ଆମର ଏହି ସମସ୍ୟାକୁ ସେ ଯଦି ଉପଯୁକ୍ତ ଭାବରେ ସମାଧାନ କରିଦେଇ ପାରିବ ତେବେ ଭବିଷ୍ୟତରେ ଆପଣ ନିଦ୍ୱର୍ନ୍ଦରେ ରାଜ୍ୟ ଚଳାଇ ପାରିବେ । ଆପଣ ଜାଣନ୍ତି ଏଇ ସୁନ୍ଦର ରୂପ ପାଇଁ ଯୁଗେ ଯୁଗେ କଳି ଲାଗିଛି, ଲଢେଇ ମଧ୍ୟ ହୋଇଛି । ଯିଏ ସୁନ୍ଦରୀ ସେ ତା’ ନିଜ ବୁଦ୍ଧିବଳରେ ନିଜକୁ ରକ୍ଷା କରେ । ନିଜ ସ୍ୱାମୀ ଓ ରାଜ୍ୟକୁ ମଧ୍ୟ ସେ ରକ୍ଷା କରିଥାଏ । ସତୀ ସାବିତ୍ରୀ, ଦମୟନ୍ତୀ ଓ ସୀତା ପରା ଏହିପରି ଜଣେ ଜଣେ ଥିଲେ ।
ଏହା ଶୁଣି ପ୍ରସନ୍ନଜିତ୍ ଉତ୍ତରଦେଲେ – ତୁମେ ଠିକ୍ କହିଛ । ଏପରି କରିବାଦ୍ୱାରା ଆମର ଆଉ କ’ଣ ଲାଭ ହୋଇପାରେ? ତହୁଁ ସେ ମାଲୁଣୀ ବୁଢୀ କହିଲା – ସେ ବନପରୀ ତ ଆପଣଙ୍କ ଧର୍ମପତ୍ନୀ ହେବ । ତା ସହିତ ରାଜ୍ୟର ରାଣୀ ମଧ୍ୟ ହେବ । କୌଣସି ପତ୍ନୀ କେବେ ବି ତା’ ସ୍ୱାମୀର କିଛି ବି ଅମଙ୍ଗଳ ଚିନ୍ତା କରିପାରେ ନାହିଁ । ତେଣୁ ମୁଁ ଭାବୁଛି ସେ ବନପରୀ ହିଁ ଏ ଦିଗରେ ଆପଣଙ୍କୁ ନିଶ୍ଚୟ ସୁଚିନ୍ତିତ ମତାମତ ଦେବ । ତା’ଠାରୁ ଆଉ ଅଧିକ ମଙ୍ଗଳକାଂକ୍ଷୀ ଆପଣଙ୍କର ଏଠାରେ କିଏ ଅଛିକି?
ଯୁବରାଜ କହିଲେ – ତୁମ କଥା ମୋତେ ଅମୃତ ଭଳି ଲାଗୁଛି । ତୁମେ ସେ ବନପରୀର ମତାମତ ମୋତେ ଯଥାଶୀଘ୍ର ଜଣାଅ । ଯୁବରାଜଙ୍କର ଏ ପ୍ରକାର ଆଦେଶ ଶୁଣି ସେ ମାଲୁଣୀବୁଢୀ କହିଲା – ମୁଁ ତାକୁ ପଚାରିଥିଲି । ସେ ଆପଣଙ୍କ ସହିତ ପର୍ଦ୍ଦା ଆଢୁଆଳରେ ରହି କଥାବାର୍ତ୍ତା କରିବାକୁ ଚାହେଁ ।
ଏହା ଶୁଣି ସେ ଯୁବରାଜ ପୁଣି ପଚାରିଲେ ପର୍ଦ୍ଦା ଆଢୁଆଳରେ କାହିଁକି?
ତହୁଁ ସେ ମାଲୁଣୀ ହସି ହସି କହିଲା – ସେ ଆପଣଙ୍କ ସୌନ୍ଦର୍ଯ୍ୟରେ ସିନା ମୁଗ୍ଧ ହୋଇଛି, କିନ୍ତୁ ସେ ଆପଣଙ୍କ ଗୁଣ ମୁଗ୍ଧ ହେବାକୁ ଚାହେଁ । ସେ ଯେତେବେଳେ ଅନୁଭବ କରିବ ଯେ, ଆପଣ ତା’ ହୃଦୟକୁ ସମ୍ପୂର୍ଣ୍ଣ ରୂପେ ଜୟ କରି ସାରିଛନ୍ତି ସେତେବେଳେ ଯାଇ ସେ ସମସ୍ତ ପର୍ଦ୍ଦା ଛିଣ୍ଡାଇ ଆପଣଙ୍କ ପାଖକୁ ଦୌଡି ଆସିବ । ଆପଣଙ୍କ ଆଖିରେ ସେ ତା ଆଖି ମିଳାଇବ ।
ଏପରି କଥା ଶୁଣି ପ୍ରସନ୍ନଜିତ୍ ହସି କହିଲେ – ଯଦି ଏପରି କଥା ତେବେ ଶୀଘ୍ର ବ୍ୟବସ୍ଥା କର । ଆଉ ମୁହୂର୍ତ୍ତେ ବି ବିଳମ୍ବ କରନାହିଁ ।
ଏହା ଶୁଣି ସେ ମାଲୁଣୀ ବୁଢୀ ଟିକେ ହସିଦେଇ ଆଞ୍ଜାକହି ଖୁସି ମନରେ ସେଠାରୁ ଚାଲିଗଲା ।