ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ବନପରୀ

ମନ୍ତ୍ରୀଙ୍କ କହିବା ଅନୁସାରେ ସେ ମାଲୁଣୀ ବୁଢୀ ସବୁ ବ୍ୟବସ୍ଥା କରିଦେଲା । ନିଘଂଚ ଜଙ୍ଗଲ ମଧ୍ୟରେ ଏକ ସ୍ୱଚ୍ଛ ପର୍ଦ୍ଦା ଟଙ୍ଗା ଯାଇଥିଲା । ତା ପଛରେ ନିଜକୁ ଅତି ସୁନ୍ଦର ଭାବରେ ସଜାଇ ସେ ମାଲୁଣୀ ବୁଢୀର ଝିଅ ବସିଥିଲା । ସେ ଦେଖିବାକୁ କୌଣସି ରାଜଜେମାଙ୍କ ଠାରୁ ଅସୁନ୍ଦର ନଥିଲା ।

ଏଣେ ଏ ମାଲୁଣୀ ବୁଢୀ ଯୁବରାଜଙ୍କୁ ତା ସାଥିରେ ନେଇ ସେଠାରେ ପହଁଚିଲା । ଯୁବରାଜଙ୍କୁ ଯଥା ସ୍ଥାନରେ ବସାଇଦେଇ ମାଲୁଣୀ ସେ ଗଛ ଆଢୁ ଆଳକୁ ଚାଲିଗଲା । ପର୍ଦ୍ଦା ଆଢୁ ଆଳରୁ ମିଛିମିଛିକା ବନପରୀର ରୂପଶ୍ରୀ ଫୁଟି ଉଠିଥିଲା । ତା’ ମୁଖଶ୍ରୀ ଦେଖିବାକୁ ଯୁବରାଜ ଅଧୀର ହେଲେ ସତ କିନ୍ତୁ ମୁହୂର୍ତ୍ତକ ମଧ୍ୟରେ ନିଜକୁ ସମ୍ବରଣ କରିନେଲେ । ତାପରେ ଯୁବରାଜ ନିଜ ତରଫରୁ ଆଗ ମୁହଁ ଖୋଲିଲେ । କହିଲେ – ହେ ସୁନ୍ଦରୀ ବନପରୀ ! ତୁମକୁ ତ କୌଣସି କଥା ଅଜଣା ନାହିଁ । ମୁଁ ତୁମକୁ ହିଁ ଏକାନ୍ତ ଭାବରେ ନିଜର କରିବାକୁ ଚାହେଁ । ସେଥିଲାଗି ତୁମେ ଟିକେ ମୋତେ ସାହାଯ୍ୟ କର । ତୁମ ବିନା ମୋ ପକ୍ଷରେ ବଂଚିବା ପୁରାପୁରି ଅସମ୍ଭବ ହୋଇପଡିଲାଣି ।

ତହୁଁ ସେ ଛଦ୍ମବେଶିନୀ ମାଲୁଣୀ କନ୍ୟା ତା’ ବୀଣା ଜିଣା କଣ୍ଠରେ କହିଲା –

                “ପୁରୁଷ ଜାତିଟା ଭଅଁର

                                ତାକୁ ପରତେ ନାହିଁ

                ଏ ଫୁଲରୁ ଉଡି ସେ ଫୁଲେ

                                ନିତି ବସନ୍ତି ଯାଇ

                ସରିଗଲେ ମଧୁ ଫୁଲରୁ

                                ଉଡି ଯାଆନ୍ତି ସିଏ

                ଜାଣିବି କିପରି ସେମିତି

                                ତୁମ ଚରିତ୍ର ନୁହେଁ?”

ଏହା ଶୁଣି ସେ ଯୁବରାଜ ପ୍ରସନ୍ନଜିତ୍ ଉତ୍ତର ଦେଲେ –

                “ଆନପରି ନୁହେଁ ସୁନ୍ଦରୀ

                                                ତୁମେ ପରଖି ପାର

                ତୁମ ବିନା ମୋତେ ଲାଗଇ

                                                ଚାରିଆଡ ଅନ୍ଧାର

                ମୋ’ ଜୀବନଠାରୁ ତୁମକୁ

                                                ପାଏ ଅଧିକ ଭଲ

                ଲୋଡାନାହିଁ ରାଜ ସମ୍ପଦ

                                                ହେଲେ ମୋ ଗଳାମାଳ ।”

ଏହା ଶୁଣି ସେ ମାଲୁଣୀର ଝିଅ ଉପଦେଶ ଦେବା ଭଙ୍ଗୀରେ ପୁଣି କହିଲା –

                “ପିତୃବାକ୍ୟ ଯିଏ ପାଳନ

                                                କରେ ନାହିଁ ସାଦରେ

                ନିନ୍ଦା-ଅପବାଦ-କଷଣ

                                                ତାକୁ ମିଳେ ସତ୍ତ୍ଵରେ

                ବିପରୀତ ବାଣୀ କିପରି

                                                କୁହ ସୁଜନ ହୋଇ

                ଛାରଖାର ହେଲେ ରାଇଜ

                                                ସୁଖ ମିଳେକି କାହିଁ?”

ଏସବୁ ଶୁଣି ଅତ୍ୟନ୍ତ ଉତ୍କଣ୍ଠାର ସହିତ ଯୁବରାଜ କହିପକାଇଲେ –

                “ସେଥିପାଇଁ ମୋତେ ସାହାଯ୍ୟ

                                                କର ହେ ବନପରୀ

                ପିତୃ ବାକ୍ୟ ପାଳି ତୁମକୁ

                                                ମୁଁ ପାଇବି କିପରି?”

ଏପରି କଥା ଶୁଣି ସେ ମାଲୁଣୀର ଝିଅ କିଛି ସମୟ ନୀରବ ରହିଲା । ତାପରେ ସେ ଚିନ୍ତା କଲାଭଳି ଭାବ ପ୍ରକଟ କଲା । ତତ୍ପରେ ସେ ଗମ୍ଭୀର ଅଥଚ ବିନୟ ହୋଇ କହିଲା –

                “ରାଜା ସିନା ଖାଲି ଥାଆନ୍ତି

                                                ସିଂହାସନରେ ବସି

                ସବୁକାମ ପରି କରନ୍ତି

                                                ମନ୍ତ୍ରୀ ସକଳେ ମିଶି

                ଯଦି ମୋତେ ଭଲ ପାଉଛ

                                                ଏତେ ହେ ଯୁବରାଜ

                ମହାମନ୍ତ୍ରୀ ହାତେ ଅରପି

                                                ଦିଅ ସାରା ରାଇଜ

                ଗଢି ଦିଅ ଏକ ସୁରମ୍ୟ

                                                ଅଟ୍ଟାଳିକା ଏଠାରେ

                ନିତି ଆମେ ଏଠି ମିଶିବା

                                                ବିନା ବାଧା ବିଘ୍ନରେ ।”

ସେହି ସମୟରେ ସେ ଛଦ୍ମବେଶିନୀ ମାଲୁଣୀ କନ୍ୟା କଥା ଯୁବରାଜଙ୍କ ମନକୁ ବେଶ୍ ପାଇଲା । ତେଣୁ ସେ ଖୁସି ହୋଇ ସେଠାରୁ ଫେରିଆସିଲେ । ମହାମନ୍ତ୍ରୀ କୁଟିଳ ସ୍ୱାମୀଙ୍କୁ ତୁରନ୍ତ ଡକାଇଲେ । ସବୁକଥା କହି ତାଙ୍କ ହାତରେ ସେ ନିଜ ରାଜ୍ୟର ଶାସନଭାର ଅର୍ପଣ କଲେ । ତାପରେ କୁଟିଳ ସ୍ୱାମୀଙ୍କ ଆଦେଶରେ ଜଙ୍ଗଲରୁ ବଡ ବଡ ଗଛ କଟାଗଲା । ସେଠାରେ ଯୁବରାଜଙ୍କ ପାଇଁ ନଅର ତୋଳା କାମ ଚାଲିଲା । ନଅର ତୋଳା କାମ ସମ୍ପୂର୍ଣ୍ଣ ହେଲେ ବନପରୀକୁ ବିବାହ କରି ଯୁବରାଜ ସେଠାରେ ଟିକେ ଆରାମ କରିବେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ