କେମିତି ଶୀଘ୍ର ତାଙ୍କ ନଅର ତୋଳା କାମ ସରିବ ସେଥିନେଇ ଯୁବରାଜ ପ୍ରସନ୍ନଜିତ୍ ଖାଲି ବ୍ୟସ୍ତ ହେଉଥାନ୍ତି । ତେଣୁ ସେ ବାରମ୍ବାର କୁଟିଳ ସ୍ୱାମୀଙ୍କୁ ଡାକି ତାଙ୍କୁ ଏ ସମ୍ବନ୍ଧରେ ପଚାରୁଥାଆନ୍ତି । ସବୁବେଳେ ଖାଲି ସେ ମହାମନ୍ତ୍ରୀ ଆଜି ସରିବ କାଲି ସରିବ ବୋଲି କହି ସମୟ ନେଉଥାନ୍ତି । ଏଣେ ସେ ବନପରୀ କଥା ଭାବି ଭାବି ଯୁବରାଜ କେବଳ ଅଧୀର ହୋଇପଡୁଥାନ୍ତି । ଏଣେ ସେ ରାଜ୍ୟରେ କ’ଣ ସବୁ ଘଟୁଛି ତାହା ଯୁବରାଜଙ୍କୁ ମୋଟେ ଜଣା ପଡୁନଥାଏ ।
ସେପଟେ ମହାମନ୍ତ୍ରୀ କୁଟିଳ ସ୍ୱାମୀଙ୍କ ପରାମର୍ଶରେ ସେନାପତି ଓ କଟୁଆଳ ସମସ୍ତେ ଏକ ହେଲେ । ସେମାନେ ତାଙ୍କ ରାଜ୍ୟର କୌଣସି ଖବର ଯୁବରାଜଙ୍କୁ ଆଦୌ ଜଣାଇଲେ ନାହିଁ । ଏଣେ ସେ ମାଲୁଣୀ ବୁଢୀ ପ୍ରତିଦିନ ବନପରୀକଥା କହି ଯୁବରାଜଙ୍କ ମନ ଉଚ୍ଚାଟ କରାଉଥାଏ ।
ଦିନେ କୁଟିଳ ସ୍ୱାମୀ ଆସି ଯୁବରାଜ ପ୍ରସନ୍ନଜିତ୍ଙ୍କୁ କହିଲେ, ଆପଣଙ୍କ ପାଇଁ ନଅର ତୋଳା କାମ ସରିଯାଇଛି । ଆପଣ ଏବେ ସେଠାକୁ ବିଜେ କରିପାରନ୍ତି । ଏହା ଶୁଣି ଯୁବରାଜ ଆଉ କାଳ ବିଳମ୍ବ ନକରି ତୁରନ୍ତ ସେଠାକୁ ନିଜ ଘୋଡା ଛୁଟାଇଲେ । ଏତେବଡ ଜଙ୍ଗଲ ଯେ ଛାରଖାର ହୋଇଛି ତାହା ତାଙ୍କ ମାୟା ପଟଳ ବନ୍ଧା ଆଖିକୁ ମୋଟେ ଦିଶିଲା ନାହିଁ । ସେ ଯୁବରାଜ ଖାଲି ତାଙ୍କ ସୁନ୍ଦର ନଅର ଦେଖି ଅତ୍ୟନ୍ତ ଚକିତ ହେଲେ । ତାପରେ ସେ ତାଙ୍କ ମହାମନ୍ତ୍ରୀଙ୍କୁ ଧନ୍ୟ ଧନ୍ୟ କହିଲେ । କୁଟିଳ ସ୍ୱାମୀ ବି ଯୁବରାଜଙ୍କୁ ତାଙ୍କ ନଅର ମଧ୍ୟରେ ଟିକେ ବୁଲାଇ ଆଣିଲେ । କେଉଁଠାରେ ସବୁ କି କି ବ୍ୟବସ୍ଥା କରାଯାଇଛି ତାହା ମଧ୍ୟ ମହାମନ୍ତ୍ରୀ ବୁଝାଇଦେଲେ ଯୁବରାଜଙ୍କୁ ।
କିଛି ସମୟ ପରେ ସେନାପତି କେତେଜଣ ସୈନ୍ୟଙ୍କୁ ଧରି ସେଠାରେ ପହଁଚିଲେ । ତାପରେ ସେ ସେନାପତି ଜଣକ ଯୁବରାଜଙ୍କୁ ତୁରନ୍ତ ବନ୍ଦୀ କରିବା ପାଇଁ ଆଦେଶ ଦେଲେ । ଯୁବରାଜ ଏକଥା ଶୁଣି ହଠାତ୍ ସ୍ୱର୍ଗରୁ ଖସିପଡିଲା ପରି ଅନୁଭବ କଲେ । କିନ୍ତୁ ଏବେ ତାଙ୍କର ଆଉ କିଛି ବି କରିବାର ନଥିଲା । ନିରସ୍ତ୍ର ଯୁବରାଜ ଶେଷରେ ବନ୍ଦୀ ହେଲେ ।
ଏସବୁ ଦେଖି ମହାମନ୍ତ୍ରୀ କେବଳ ଅଟହାସ୍ୟ କରି କହିଲେ, ବୁଝିଲ ପ୍ରସନ୍ନଜିତ୍ ତୁମେ ଆଉ ଯୁବରାଜ ହୋଇ ରହିନାହଁ । ତୁମେ ଆଜିଠାରୁ ସାମାନ୍ୟ ଜଣେ ବନ୍ଦୀ । ଏଥର ତୁମେ ଏ ନଅର ଭିତରେ ଥିବା ରୁଦ୍ଧ କୋଠରୀ ମଧ୍ୟରେ ରହିବ । ମୁଁ ହେଉଛି ଆଜିଠାରୁ ଏ ରାଜ୍ୟର ରାଜା । କିଛି ସମୟପରେ ମୋ ରାଜାଭିଷେକ ଦୃଶ୍ୟ ତୁମେ ନିଶ୍ଚୟ ଦେଖିପାରିବ ।
ସତକୁ ସତ ସେଠାରେ ବଡ ଧୁମ୍ଧାମ୍ରେ ମହାମନ୍ତ୍ରୀଙ୍କ ରାଜାଭିଷେକ ସମାହିତ ହେଲା । ପ୍ରସନ୍ନଜିତ୍ଙ୍କୁ ବାଧ୍ୟ କରାଯିବାରୁ ସେ ନିଜେ ରାଜମୁକୁଟ ନେଇ ମନ୍ତ୍ରୀ କୁଟୀଳ ସ୍ୱାମୀଙ୍କ ମସ୍ତକ ମଣ୍ଡନ କରାଇଲେ । ସେତେବେଳେ ତାଙ୍କ ଆଖିରୁ ଖାଲି ଧାର ଧାର ହୋଇ ଲୁହ ବୋହିଯାଉଥାଏ । ତାପରେ ସେ ପ୍ରସନ୍ନଜିତ୍ ତାଙ୍କ କଳ୍ପନା ଜଗତରୁ ବାସ୍ତବ ଜଗତକୁ ଓହ୍ଲାଇ ଆସି ଖୁବ୍ ବିନୟ ହୋଇ କହିଲେ, ହେ କୁଟୀଳ ସ୍ୱାମୀ ତୁମେ ମୋ ରାଜ୍ୟ ପଛେ ନିଅ, ସେଥିରେ ମୋର କିଛି ବି ଆପତି ନାହିଁ । କିନ୍ତୁ ବନପରୀକୁ ମୋତେ ଦିଅ ।
ଏକଥା ଶୁଣି ମେଘ ଗର୍ଜନ ପରି ସେନାପତି ହଠାତ୍ ଗର୍ଜନ ଛାଡି କହିଲେ, ବନପରୀ? ବନପରୀ କାହିଁ ପ୍ରସନ୍ନଜିତ୍ । ତୁମେ ଯାହାକୁ ବନପରୀ ବୋଲି ଭାବୁଥିଲ, ସେ ହେଉଛି ଏହି ମହାମନ୍ତ୍ରୀମାନେ । ବର୍ତ୍ତମାନର ମହାରାଜା କୁଟିଳ ସ୍ୱାମୀଙ୍କ ଅଲିଅଳି ରାଜଜେମା । ସେ ମାଲୁଣୀ ବୁଢୀର ଏକମାତ୍ର ଅବୈଧ ସନ୍ତାନ । ମୁଁ ତ ତାକୁ ହିଁ ପାଇବା ପାଇଁ ଅନେକ ଦିନରୁ ଝୁରି ହେଉଥିଲି । ଏହି ଦେଖ, ଅଳ୍ପ ଦୂରରେ ବିବାହ ମଣ୍ଡପ ସଜ୍ଜାଯାଇଛି । ସେଠାରେ ଆଜି ଆମ ଦୁହିଁଙ୍କର ବିବାହ ସମ୍ପର୍ଣ୍ଣ ହେବ । ବର୍ତ୍ତମାନର ମହାରାଜା ହିଁ କନ୍ୟାଦାନ କରିବେ । ମୁଁ ହିଁ ହେଉଛି ତାଙ୍କର ଏକମାତ୍ର ଉପଯୁକ୍ତ ଜାମାତା । ତୁମେ ଏବେ କେବଳ ବନ୍ଦୀଶାଳାରେ ରହି ନିଜ ଲୁହ ଢାଳିବ । ଆଉ ଆମେ ଏଇ ସୁନ୍ଦର ନଅରରେ ରହି ସମସ୍ତ ଐଶ୍ୱର୍ଯ୍ୟ ଭୋଗ କରିବୁ ।