ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ବନପରୀ

ସେତେବେଳେ ପ୍ରସନ୍ନଜିତ୍ ତ ଆଉକିଛି ଶୁଣିବା ଅବସ୍ଥାରେ ନଥିଲେ । ମୁଣ୍ଡ ବୁଲାଇଦେବାରୁ ସେ ହଠାତ୍ କଚାଡି ହୋଇ ପଡିଲେ । ତାପରେ ତାଙ୍କ ଅଚେତ ଶରୀରକୁ ବନ୍ଦୀ ଶାଳାକୁ ନିଆଗଲା ।

ଠିକ୍ ଏତିକିବେଳେ ବିବାହ ମଣ୍ଡପରୁ ତୁରୀ ମହୁରୀ ବାଜି ଉଠିଲା ।

ଘୋର ଅରଣ୍ୟ ମଧ୍ୟରେ ସବର ପଲ୍ଲୀଟିଏ । ସବର ସର୍ଦ୍ଦାର ଦିନେ ତାଙ୍କ ସାଙ୍ଗସାଥିମାନଙ୍କୁ ଡାକି କହିଲେ ଯେ, ଯାହା ଦେଖାଯାଉଛି ଏଠାରେ ଆମେ ଆଉ ସୁଖରେ ରହିପାରିବା ନାହିଁ । ଚାଲ ଏ ଯାଗା ଛାଡି ଆମେ ଅନ୍ୟ କୁଆଡେ ପଳାଇଯିବା ।

ସେତେବେଳେ ସେ ସବରମାନଙ୍କ ମଧ୍ୟରୁ ଜଣେ ପଚାରିଲା କାହିଁକି ସର୍ଦ୍ଦାର? ଆମ ବାପଅଜା ଅମଳରୁ ତ ଆମେ ଏହିଠାରେ ରହି ଆସିଛୁ । ଏହାକୁ ଏବେ ଛାଡିବୁ କାହିଁକି? ଆମର କିଛି ଅସୁବିଧା ହେଉଛି, ଏ କଥା ତ କାଇଁ ମୁଁ ମୋଟେ ଜାଣି ପାରୁନାହିଁ ।

ଏପରି କଥା ଶୁଣି ସେ ସର୍ଦ୍ଦାର ହଠାତ୍ ଗମ୍ଭୀର ହୋଇଗଲେ । ତାପରେ ସେ କହିଲେ, ତୁମ କଥା ସମ୍ପୂର୍ଣ୍ଣ ସତ୍ୟ ନୁହେଁ । ଏବେ ଆମ ଗୁପ୍ତଚର ଆସି ଖବର ଦେଲା । ରାଜା ବିକ୍ରମଜିତ୍ ତ ତୀର୍ଥାଟନରେ ଯାଇଛନ୍ତି । ଏଣେ ଯୁବରାଜ ପ୍ରସନ୍ନଜିତ୍ଙ୍କୁ ବନ୍ଦୀ କରି ମହାମନ୍ତ୍ରୀ କୁଟୀଳ ସ୍ୱାମୀ ସିଂହାସନ ଆରୋହଣ କରିଛି । ତା’ ରକ୍ଷିତା କନ୍ୟାକୁ ସେନାପତି ବିବାହ କରିଛି । ଏବେ ସେମାନେ ଶାସନ ନାମରେ ଘୋର ଅତ୍ୟାଚାର ଚଳାଇଛନ୍ତି । ତେଣୁ ପ୍ରଜାମାନେ ଖାଲି ତ୍ରାହି ତ୍ରାହି ଡାକ ଛାଡିଲେଣି ।

ସେତେବେଳେ ଆଉ ଜଣେ ସବର ପଚାରିଲା – ହେଲେ ଆମେ ଏ ଜାଗା ଛାଡିବା କାହିଁକି? ସେମାନେ ତ ଆମର ସେମିତି କିଛି କ୍ଷତି କରୁନାହାଁନ୍ତି ।

ତହୁଁ ସେ ସର୍ଦ୍ଦାର ଉତ୍ତର ଦେଲେ – ତୁମେ ଭଲ ଭାବରେ କୁଟୀଳ ସ୍ୱାମୀ କର୍ମର ପରିଣାମ କଥା ଚିନ୍ତାକର । ସେ ପ୍ରତିଦିନ ଜଙ୍ଗଲ ସବୁ କାଟି ସଫା କରିବାରେ ଲାଗିଛି । ମୂଲ୍ୟବାନ ଗଛସବୁ ନେଇ ସେ ବିଦେଶରେ ବିକି ଦେଉଛି । ପଶୁପକ୍ଷକ୍ଷୀଙ୍କୁ ଧରି ଚଢା ଦରରେ ବିଦେଶୀମାନଙ୍କ ହାତକୁ ସେ ଟେକି ଦେଉଛି । ସେମାନଙ୍କ ମଧ୍ୟରୁ କେତେକଙ୍କୁ ଶିକାର କରି ମଦ ମାଂସରେ କାଳ କାଟୁଛି ସେ । ମୋଟ ଉପରେ କହିବାକୁ ଗଲେ, ସେ ଯାହା ବି କରୁଛି ସେଥିରେ କେବଳ ଯେ ମଣିଷର ନୁହଁ ସମସ୍ତ ପ୍ରାଣୀ ଜଗତର ମଧ୍ୟ ଅମଙ୍ଗଳ ଘଟୁଛି ।

ତାହା କେମିତି? ଜଣେ ସବର ପ୍ରଶ୍ନ କଲା ।

ସର୍ଦ୍ଦାର ସେହିକ୍ଷଣି ତାକୁ ବୁଝାଇବାକୁ ଯାଇ କହିଲେ – ତୁମ୍ଭେମାନେ ସମସ୍ତେ ଜାଣ, ଏ ବଣ ମୁଲକରେ ଗଛଲତା ଭରି ରହିଥାଏ ବୋଲି ଏ ରାଜ୍ୟରେ ନିୟମିତ ବର୍ଷା ହୋଇଥାଏ । ଆଉ ସେହି ବର୍ଷା ହେତୁ ଭଲ ଚାଷ ବି ହୁଏ । ବେଶୀ ଗରମ କିମ୍ବା ଥଣ୍ଡା ବି ହୋଇନଥାଏ । ବାୟୁମଣ୍ଡଳ ବିଶୁଦ୍ଧ ଥାଏ । ତେଣୁ ସମସ୍ତେ ନିରୋଗ ହୋଇଥାନ୍ତି । କୁଟୀଳ ସ୍ୱାମୀ ଜଙ୍ଗଲ ସଫାକରି ଦେବା ଫଳରେ ବର୍ଷା ଆଉ ଠିକ୍ ଭାବରେ ହେଉନାହିଁ । ବର୍ଷା ନହେଲେ ମରୁଡି ପଡିବ । ତା ଫଳରେ ଦୁର୍ଭିକ୍ଷ ମଧ୍ୟ ହେବ । ଲୋକ ଅନାହାରରେ ରହି କଷ୍ଟ ପାଇବେ, ଛଟପଟ ବି ହେବେ ।

ଖାଦ୍ୟାଭାବ ଦୂର କରିବା ପାଇଁ ସେମାନେ ବଣଜଙ୍ଗଲର ଫଳମୂଳ, ପଶୁପକ୍ଷୀଙ୍କ ଜୀବନ ବି ନେବେ । ସେମାନଙ୍କ ମାଂସ ଖାଇବେ । ଜଙ୍ଗଲରେ କେଉଁଠି କଦବା ଗୋଟିଏ ଅଧେ ଗଛ କୁଟୀଳ ସ୍ୱାମୀ କବଳରୁ ରହିଯାଇଛି, ତାହା ମଧ୍ୟ ଅତି ଶୀଘ୍ର ଲୋପ ପାଇବ । ତାପରେ ଦିନକୁ ଦିନ ଉତ୍ତାପ ବଢିଯିବ । ଫଳରେ ସେମାନେ ନିଜ ମଣିଷ ଜାତିର ମାଂସ ଖାଇବାକୁ ଶେଷରେ ବାଧ୍ୟ ହେବେ, ଠିକ୍ ମାଛମାନଙ୍କ ଭଳି ।

ପୁନଶ୍ଚ ଗଛସବୁ ଲୋପ ପାଇବା ଫଳରେ ବାୟୁମଣ୍ଡଳ ସମ୍ପୂର୍ଣ୍ଣ ଭାବରେ ଦୂଷିତ ହେବ । ଆଉ ଥରେ ବାୟୁମଣ୍ଡଳ ଦୂଷିତ ହେଲେ ବିଭିନ୍ନ ପ୍ରକାର ରୋଗ ବଢି ଚାଲିବ । ଆମେ ଚେରମୂଳ ସଂଗ୍ରହ କରି ଯେଉଁ ଔଷଧ ତିଆରି କରୁଛୁ ତାହା ଆଉ ସମ୍ଭବ ହେବ ନାହିଁ ।


ଗପ ସାରଣୀ

ତାଲିକାଭୁକ୍ତ ଗପ