ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ବନଲତା କୁମାରୀ ଚରିତ

ସୁନନ୍ତକ ନିରୋଳାବେଳ ଦେଖିଯାଏ ତାର ବୈଠକଖାନାକୁ । ଶାରୀର ପିଞ୍ଜରାଟିକୁ ଫିଟାଇ ଆଣି ସେହି ଶାରୀକୁ ନିଜ ପାଖରେ ରଖେ । ତାକୁ କାକୁତି ମିନତି କରି ବହୁତ କହେ ବିଭା ହେବାପାଇଁ । ମାତ୍ର ଶାରୀଟି ସୁନନ୍ତକ କଥାରେ ମୋଟେ ବି କାନ ଦିଏନି । ଯେମିତି ବସିଥାଏ, ସେମିତି ମଉନ ହୋଇ; ସୁନନ୍ତକର କୋଉ କଥାକୁ ବି ସେ କାନ ଦିଏନି । ଶାରୀଟି ଆଡ ଆଖିରେ ବି ସେ ସୁମନ୍ତକକୁ ଅନାଏନି ।

ଦିନକର ଘଟଣା – ସୁମନ୍ତକ ଯାଇଥାଏ ବୁଲିବାକୁ । ହଠାତ୍ କିଛି ଗୋଟାଏ କାର୍ଯ୍ୟ ପଡିବାରୁ ଲବଙ୍ଗ ଯାଇ ପହଁଚିଲା ତା ସ୍ୱାମୀଙ୍କ ବୈଠକ ଖାନାରେ । ଦେଖିଲା ଗୋଟିଏ ସୁନା ପିଞ୍ଜରାରେ ପଶି ଶାରୀଟିଏ ଟଙ୍ଗା ହୋଇଛି । ଏସବୁ ଦେଖି ଅଶ୍ଚର୍ଯ୍ୟ ହେଲା ସେ ଲବଙ୍ଗ । ସ୍ୱାମୀ ତା’ର ଗୋଟିଏ ଶାରୀ ପାଳିଛି, କିନ୍ତୁ ତାକୁ ତ ସେ ଏ ବିଷୟରେ କିଛିବି କହନି । ଏହାର ଅର୍ଥ କ’ଣ? ଏଥିରେ ଆଉ କିଛି କପଟ ଅଛି କି?

ମନରେ ଏହିପରି ସନ୍ଦେହ ଆସିବାରୁ ଲବଙ୍ଗ ସେହି ପଞ୍ଜୁରୀଟିକୁ ନିଜ ହାତରେ ଧରି ତୁରନ୍ତ ଚାଲିଗଲା ନିଜ ଘରକୁ । ତା ପାଖରେ ତ ଖଣ୍ଡିଏ କାକ ଚରିତ୍ର ପୋଥି ଥାଏ । ନିୟମ ଅନୁସାରେ ଗଣା ଗଣି କଲେ ସେ ଲବଙ୍ଗ ତିନି କାଳର ସମସ୍ତ କଥା ଜାଣିପାରେ ।

ଶାରୀ ଉପରେ ଟିକେ ସନ୍ଦେହ ହେବାରୁ ସେ ଲବଙ୍ଗ କାକଚରିତ୍ର ପଢି ଶାରୀ ବିଷୟରେ ସବୁ କଥା ଜାଣି ପାରିଲା । ଏଥୁ ଉତାରେ ବହୁତ କିଛି ରାଗ ଆସିଲା ଲବଙ୍ଗର ନିଜ ସ୍ୱାମୀ ଉପରେ । ନିଜେ ମରିବ କି କାହାକୁ ମାରିବ ସେ କିଛିବି ଠିକ୍ କରି ପାରିଲାନି । ଖାଲି ଗୁମ୍ ହୋଇ ଗୋଟିଏ ଦଣ୍ଡ ବସିଗଲା । ତା’ପରେ ସେ ତା ମନକୁ ମନ ଗୁଣୁ ଗୁଣୁ ହୋଇ ନିଜ ହାତ ବାକ୍ସରୁ କାଢି ଆଣିଲା ଖଣ୍ଡେ କାଉଁରୀ କାଠି । ସେହି କାଉଁରୀ କାଠିଟିକୁ ନିଜ ହାତରେ ଧରି ସେ ଲବଙ୍ଗ କହିଲା –

“ଯେବେ ହୋଇଥିବୁ କାଉଁରୀ କାଠି ତୁ ଠିକଣା ଜବାବ୍ ଦେବୁ ।

 ରାଜ କୁମାରୀକୁ ନିଜ ରୂପ ଦେଇ ଜଗତେ ପ୍ରଶଂସା ନେବୁ ।”

ତା’ପରେ ଲବଙ୍ଗ ସେହି ଶାରୀ ଦେହରେ କାଉଁରୀ କାଠିଟି ଛୁଆଁଇଁ ଦେଇ ପଞ୍ଜୁରୀଟା ଖୋଲି ଦେଲାରୁ ତନ୍ମଧ୍ୟରୁ ଆପଣା ରୂପ ଧରି ହଠାତ୍ ବାହାରି ଆସିଲା ବନଲତା । ତା’ ରୂପ ଦେଖି ଲବଙ୍ଗ ଦଣ୍ଡକ ପାଇଁ ଅଶ୍ଚର୍ଯ୍ୟ ହୋଇ କାଠ ବନିଗଲା । ଲବଙ୍ଗର ଏଭଳି ଘଟଣା ଦେଖି କେଜାଣି କାହିଁକି ବନଲତାକୁ ଭାରି ହସ ମାଡିଲା । ସେ ଯେତେ ଚେଷ୍ଟା କଲେ ମଧ୍ୟ ନିଜ ହସଟାକୁ ଆଉ ରୋକି ନପାରି ହସିପକାଇଲା ଫକ୍କିନା ।

ସଙ୍ଗେ ସଙ୍ଗେ ବନଲତାର ହସରୁ ତିନୋଟି ମଣି ଗଡି ପଡିଲା ତଳେ । ଗୋଟିଏ ନୀଳ, ଗୋଟିଏ ହଳଦୀ ଏବଂ ଆଉ ଗୋଟିଏ ଧୋବ । ସେ ସବୁକୁ ଦେଖି ହଠାତ୍ ଚମକି ପଡିଲା ଲବଙ୍ଗ । ସଙ୍ଗେ ସଙ୍ଗେ ତଳୁ ଗୋଟିଏ ମଣି ନେଇ ଦେଖିଲା । ବହୁ ମୂଲ୍ୟର ସେହି ମଣିପଥର । ଲବଙ୍ଗ ମନଟା କେବଳ ସିହରି ଉଠିଲା ଦଣ୍ଡକ ପାଇଁ । ଲବଙ୍ଗର ଆଖି ଡୋଳା ବି ଆସ୍ତେ ଆସ୍ତେ ସଙ୍କୁଚିତ ହୋଇ ଆସିଲା । ଏହା ପରେ ଲବଙ୍ଗ ମନେ ମନେ ନିଜକୁ ଅତି ଛୋଟ ମନେକରି ବନଲତାକୁ କହିଲା – “ଜେମାଦେଇ! ତୁମେ ଜଣେ ସାମାନ୍ୟ ରମଣୀ ନୁହଁ । ସ୍ୱାମୀ ମୋର କୃତଘ୍ନ ପଣରେ ତୁମପ୍ରତି ନିତାନ୍ତ ଅପବ୍ୟବହାର କରିଛନ୍ତି । ତେଣୁ ତାଙ୍କୁ କ୍ଷମାଦିଅ । ପ୍ରକୃତରେ ନାରୀର ମର୍ଯ୍ୟାଦା ଜଣେ ନାରୀ ହିଁ ଠିକ୍ ବୁଝିପାରେ । ତୁମେ ଯେପରି ନାରୀ, ମୁଁ ବି ଠିକ୍ ସେହିପରି ଜଣେ ନାରୀ । ତୁମେ ମୋ ଠାରୁ ସାନ ହୁଅ କି ବଡ ହୁଅ ମୁଁ କିନ୍ତୁ ତୁମର ସମସ୍ତ କଥା ଜାଣି ପାରିଛି ଏହି କାକ ଚରିତ୍ର ବଳରେ । ତେଣୁ ମୁଁ ତୁମକୁ ପଚାରୁଛି – “ଦୟାକରି ମୋତେ କହ, ତୁମକୁ ମୁଁ ନେଇ ତୁମ ଘରେ ପହଁଚାଇ ଦେବି କି?

ବନଲତା କହିଲା – “ଆମ୍ଭେ ଚାରି ସଖୀ ନିୟମ କରିଛୁ, କେହି କାହାକୁ ଛାଡି କେବେବି ନିଜ ଘରକୁ ଯିବୁନି । ଦଇବ ଏମିତି ଦୁଃଖ ଦେଲା । ସମସ୍ତେ ଛାଡ ଛାଡ ହୋଇ ଏଣେ ତେଣେ ପଡିଲୁ । କାହା କପାଳରେ କ’ଣ ଅଛି, କିଏ କିପରି ଦୁଃଖ କଷଣ ଭୋଗୁଛି ସେ କଥା ତ ଜାଣିବାର କୌଣସି ଉପାୟ ବି ନାହିଁ । ତେଣୁ ମନଟା ମୋର ସବୁବେଳେ ଘୁରୁଛି ବାତଚକ୍ର ପରି । କ’ଣ କରିବି, ସେମାନଙ୍କ ଦେଖା ନପାଇ ମୁଁ କିପରି ମୋ ଘରକୁ ଯିବି ।

ଲବଙ୍ଗ ପଚାରିଲା – “କ’ଣ କରିବ ତେବେ?”

ବନଲତା କହିଲା – “ସେମାନଙ୍କ ଦେଖା ନ ପାଇଲେ ମୁଁ ବରଂ ଆତ୍ମହତ୍ୟା କରିବି ହେଲେ ମୁଁ କେବେବି ମୋ ଘରକୁ ଯିବିନି ।

ଲବଙ୍ଗ କହିଲା – “ଆଗୋ! କାକ ଚରିତ୍ର ପଢି ମୁଁ ନିଶ୍ଚୟ ଜାଣି ପାରିଛି, ତୁମ ଭବିଷ୍ୟତଟା ଖୁବ୍ ଉଜ୍ଜ୍ୱଳମୟ । ତୁମ ସଖୀମାନେ ମଧ୍ୟ ଠିକ୍ ତୁମରି ପରି, ସେମାନଙ୍କର ବି  କେହି କେବେ କିଛି ବି କ୍ଷତି କରି ପାରିବେନି । ବହୁତ ଜଲ୍ଦି ଏଭଳି ଗୋଟିଏ ଦିନ ଆସୁଛି ଯେଉଁଦିନ କି ସମସ୍ତେ ଭେଟ ହେବେ ଗୋଟିଏ ଜାଗାରେ । ମନଟା ଦୁଃଖ କରୁଛ କାହିଁକି? ମୋ ସଙ୍ଗେ ସଙ୍ଗାତ ବସ । ଏହି ସୁମନ୍ତକ କିନ୍ନରର ଘରଣୀ କିନ୍ନରୀ ମୁଁ । ମୁଁ ଅନେକ ପ୍ରକାର ଆଶ୍ଚର୍ଯ୍ୟ ବିଦ୍ୟା ଅଭ୍ୟାସ କରିଛି । ମୁଁ ମନେକଲେ ତୁମକୁ ଶୂନ୍ୟେ ଶୂନ୍ୟେ ନେଇ ପହଁଚାଇ ଦେବି ତୁମ ସଖୀମାନଙ୍କ ପାଖରେ ।

ଲବଙ୍ଗର କଥାଗୁଡିକ ଭାରି ମିଠା ଲାଗିଲା ସେହି ବନଲତାକୁ । ପାପ ଓ ଜୁଆଚୋର ସୁମନ୍ତକର ସ୍ତ୍ରୀ ପୁଣି ୟେ । ଜଣେ ଗୌରବ ନର୍କର ରାକ୍ଷସ, ତ ଆଉ ଜଣେ ଅମର ଭୁବନର ଦେବୀ! ଛାଡ ସେଥିରେ ବା ଥାଏ କ’ଣ? ଗୋଟିଏ ଗଛରେ ତ ପୁଣି ଦି’ ପ୍ରକାର ପକ୍ଷୀ ବସା ବାନ୍ଧନ୍ତି?

ସୁମନ୍ତକ ଯାହାପରି ହେଉ ପଛକେ, ଲବଙ୍ଗ କିନ୍ତୁ ଗୋଟିଏ ଆଦର୍ଶ ନାରୀ । ତା କଥା ନ ମାନିଲେ ସେ ତା ମନରେ ବହୁତ କଷ୍ଟ କରିବ । ତା କଥା ମାନିଗଲେ ହୁଏତ ସେ ଯାହା କହୁଛି ତାହା ସେ ନିଶ୍ଚୟ କରିବାକୁ କେବେବି ପଛାଇବନି । ଏହିପରି ସବୁ କଥା ଭାବି ଭାବି ଶେଷରେ ବନଲତା ସେ ଲବଙ୍ଗ ସହିତ ସଙ୍ଗାତ ବସିଲା । କେତେଦିନ ହେଲାଣି, ବନଲତାର ଖାଇବା ପିଇବାର କିଛି ଠିକ୍ ଠିକଣା ନଥିଲା । ତେଣୁ ବନଲତାର ଦେହ ଓ ମୁହଁ ଶୁଖି ଯାଇଥାଏ । ଲବଙ୍ଗ ସବୁକଥା ଜାଣି ପାରି ବନଲତାକୁ ଖୁବ୍ ବଳାବଳି କଲା ସାମାନ୍ୟ ପୁଞ୍ଜିଏ ଖାଇ ନେବାକୁ । ବନଲତା ବି ତା’ କଥା ଆଉ ଭାଙ୍ଗିଲାନି । ଯାହିତାହି କରି ପୁଞ୍ଜିଏ ଖାଇଦେଲା । ପରେ ଲବଙ୍ଗ ତାକୁ ନେଇ ଲୁଚାଇ ରଖିଲା ଗୋଟିଏ ଗୁପ୍ତ କୋଠରୀରେ । ମାୟାରେ ଗୋଟିଏ ଶାରୀ ନେଇ ଲବଙ୍ଗ ସେହି ପିଞ୍ଜରାରେ ପୁରାଇଲା ଏବଂ ପିଞ୍ଜରାକୁ ନେଇ ସୁମନ୍ତକର ବୈଠକ ଖାନାରେ ଟଙ୍ଗାଇ ଦେଇ ଆସିଲା । ଏତେ କଥା ଘଟିଗଲା କିନ୍ତୁ ସୁମନ୍ତକ ଏ ବିଷୟରେ ମୋଟେ ଜାଣିପାରିଲାନି ।


ଗପ ସାରଣୀ

ତାଲିକାଭୁକ୍ତ ଗପ