ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ବନଲତା କୁମାରୀ ଚରିତ

ଦିନେ ଦୁଇଦିନ ପରେ ଲବଙ୍ଗ ଗୋଟିଏ ପତଳା କାଚର ଫୁରଆ ତିଆରି କରି ସେଥିରେ ବନଲତାକୁ ବସାଇ କହିଲା – “ମୋଟେ ଡରିବନି ସଖୀ! ଏଥିରେ ବସି ତୁମେ ସିଧା ଉଡିଯିବ ଗୋଦାବରୀ ନଦୀ କୂଳକୁ । ମୁଁ ମଧ୍ୟ ଯାଦୁମନ୍ତ୍ର ଲଗାଇ ତୁମକୁ ଠିକ୍ ବାଟରେ ପଠାଉଛି । ପ୍ରବଳ ଶତ୍ରୁ ଆସିଲେ ସୁଦ୍ଧା ତୁମର କେହି କିଛି ହେଲେ ମଧ୍ୟ କ୍ଷତି କରି ପାରିବେନି । ତୁମର ଦୁଃଖ ଦିନଗୁଡିକ ଆସ୍ତେ ଆସ୍ତେ କଟି କଟି ଆସିଲାଣି । ଏଣିକି ତୁମ ଭାଗ୍ୟରେ ସୁଖ ଆସିବ । ଏକୁଟିଆ ଥିଲ, ଯାଉଁଳି ହେବ । ତୁମ ମନ ନାଚିବ, ଅନ୍ୟକୁ ବି ନଚାଇବ, ଲୁଗା କଚାଇବ, ଅଧର ମଧୁ ଦାନ କରି ତୁମେ ତୁମର ଯୋଡିଦାରକୁ ବଂଚାଇବ । ବୁଝିଲ, ହେଲେ ମୋତେ କେବେ ତୁମେ ତୁମ ନିଜ ମନରୁ ପାଶୋରି ଦେବ ନାହିଁଟି?”

ବନଲତା ଏହା ଶୁଣି କେବଳ ମୁରୁକିହସା ଦେଇ କହିଲା – “ଆଗୋ ସଖୀ! ତୁମେ ମୋର ଯେତେ ଉପକାର କଲଣି, ଏ ଜୀବ ଥିବାଯାଏ ସେସବୁ ମୁଁ କେବେ ହେଲେ ପାଶୋରି ପାରିବିନି ମ, ଶୟନ ସ୍ୱପନରେ ମୁଁ କେବଳ ତୁମକୁ ହିଁ ମନେ କରୁଥିବି ।

ଲବଙ୍ଗ କହିଲା –

ହଁ ଗୋ, ଅଖା ଧୋଉଥିବ

ଗୁଣ ଗାଉଥିବ । ଲୁଣ ଖାଉଥିବ, ତୁଣ ଦେଉଥିବ ।

ଲବଙ୍ଗର ଏପରି କଥା ଶୁଣି ବନଲତା ମଧ୍ୟ ଆହୁରି ଥରେ ହସିଦେଲା । ପୁର୍ନବାର ମଣି ତିନୋଟି ବନଲତାର ହସରୁ ଗଳି ପଡିବା ମାତ୍ରେ ଲବଙ୍ଗ ସେହି ମଣି ଗୁଡିକୁ ସାଉଁଟି ଆଣି କହିଲା – “ଛଅଟି ମଣି ମୁଁ ତୁମଠୁଁ ପାଇଛି । ତା’ ସଙ୍ଗରେ ମୋର ଗୋଟିଏ ମଣିକୁ ମିଶାଇ ମୁଁ ସାତମଣିର ହାରଟିଏ ଗୁନ୍ଥି ଦେଉଛି । ତାକୁ ନେଇଯାଅ, ନିଜ ଗଳାରେ ପିନ୍ଧିବ । ପ୍ରକୃତରେ ଯଦି ମୁଁ ଜଣେ କିନ୍ନରୀ ହୋଇଥିବି ଓ ମୋର ବିଦ୍ୟାର କିଛି କରାମତି ଥିବ, ତେବେ ଏ ହାର ତୁମ ଗଳାରେ ଥିବା ଯାଏଁ ତୁମର କେହି କିଛିବି ଅନିଷ୍ଟ କରି ପାରିବେନି । ଏହିପରି କଥାବାର୍ତ୍ତା ହୋଇ ଦୁହେଁ ଦୁହିଁଙ୍କ ଠାରୁ ଶେଷରେ ବିଦାୟ ମାଗି ନେଲେ ।

ସେହି କାଚ ଫରୁଆଟି ଧୀରେ ଧୀରେ ଉଡି ଯାଇ ଆକାଶରେ ମିଶି ଗଲା । ଏପଟେ ସୁମନ୍ତକ କିନ୍ନର କିନ୍ତୁ ମାୟା ରଚିତ ଶାରୀଟିକୁ ଖୁବ୍ ଶ୍ରଦ୍ଧା କରି ତାକୁ ବହୁ ହେପାଜତରେ ରଖିଥାଏ । ଦୁଧଭାତ ଫଳମୁଳ ଯାହା ଆଣି ସେ କିନ୍ନର ଶାରୀକୁ ଦିଏ ତାହା ସେ ଶାରୀଟି ଆନନ୍ଦରେ ଖାଏ । ହରେକୃଷ୍ଣ ହରେରାମ ବୋଲାଇଲେ ସେ ଶାରୀଟି ତାହା ବି ବୋଲେ । ତା’ର ଏଭଳି ପରିବର୍ତ୍ତନ ଦେଖି ଖୁବ୍ ଆନନ୍ଦ ହେଉଥାଏ ସେହି ସୁମନ୍ତକ।

ଦିନେ ରାତିରେ – ଲବଙ୍ଗର ନିଦବାରି ସୁମନ୍ତକ ତା ମନେ ମନେ ଭାବିଲା ଯେ, ଏଇଟା ହିଁ ହେଉଛି ଠିକ୍ ସମୟ ମୁଁ ଯାଉଛି ଆଜି ସେ ଶାରୀକି ତା ନିଜ ରୂପ କରାଇ ତାକୁ ମୁଁ ଗନ୍ଧର୍ବ ବିଧିରେ ବିଭା ହେବି ଓ ତାକୁ ଆଜି ମନଭରି ଉପଭୋଗ ବି କରିବି । ଏହି କଥା ଭାବି ଭାବି ସୁମନ୍ତକ ତା ଶେଯରୁ ଉଠିଲା । ପାଦ ଚିପିଚିପି ଧୀରେ ଧୀରେ ଯାଇ ସେ ପହଁଚିଲା ତା ବୈଠକଖାନାରେ । ପିଞ୍ଜରା ଆଣି ସେହି ଶାରୀଟିକୁ ଖୋଲିଦେଲା ଏବଂ ତାକୁ କହିଲା –

ଶାରୀଲୋ ଶାରୀ ମୋ କଳା ଶାରୀ

ଆଣିଛି ହେବୁ ତୁ ମୋ’ ମନହାରୀ ।

ଧୂପ ଦୀପ ଦେଇ ପୁଜିବି ତୋତେ

ଦେହ ଉପଭୋଗ ଦେବୁ ତୁ ମୋତେ ।

ପାଦରେ ମଣ୍ଡିବି ରଙ୍ଗ ଅଳତା

ଶାଢୀ ପିନ୍ଧାଇ         ବି ରଙ୍ଗ ରଙ୍ଗତା……ତୋ

            ଖଟିବି ଦାସ ପଣେ

ମୋ ପରି ସଙ୍ଗିନୀ     ପାଇଲେ ଜଗତ

        ମୋପରି ହେବି ମୁଁ ଜଣେ।

                ମନ୍ତ୍ର ପଢିଲା । ତାପରେ କାଉଁରୀ କାଠିକୁ ସେହି ଶାରୀ ଦେହରେ ଲଗାଇ କହିଲା – ‘ଏବେ ତୁ ତୋ ନିଜ ରୂପ ପା’ । ଏଣେ ଲବଙ୍ଗଲତା ତ ତା ପଛେ ପଛେ ଆସିଛି । ଗବାକ୍ଷ ପାଖରେ ଠିଆ ହୋଇ ସେ ସବୁ କଥା ଦେଖୁଛି । ସୁମନ୍ତକର ଏମିତି କଥା ଯାକ ଶୁଣି ଶୁଣି ଲବଙ୍ଗ ଆଉ ତା ନିଜକୁ ସମ୍ଭାଳି ପାରିଲାନି । ସଙ୍ଗେ ସଙ୍ଗେ ସେ ହସିଦେଲା ଫେଁ କିନା ।

                ସୁମନ୍ତକ ଏ ହସକୁ ସହ୍ୟ କରି ନପାରି ରାଗିଯାଇ ପଚାରିଲା – “କିଏ ସେ?”

                ଲବଙ୍ଗ ତା ସ୍ୱାମୀକୁ ଆହୁରି ଟାହି ଟାପରା କରି କହିଲା –

                                ଲାଜ ନାହିଁ ବାଜକୁ    ଜୁଡା ପାରିଛ ରଜକୁ?

                ହେ ହେ, ଏତିକି ବେହିଆ କିନ୍ନର ତୁମେ । ଛାର ଛିକର ବଣରେ ଚଢେଇଟାକୁ ଭାରିଯା କରିବ ବୋଲି ଠିକ୍ ରାତି ଅଧରେ ଚୋରଙ୍କ ପରି ପଳାଇ ଆସିଛ ଏଠିକୁ ଲୁଚି ଲୁଚିକା?

                ଏଥର ହାତେ ହାତେ ଧରାପଡି ଖୁବ୍ ଲାଜରା ବନିଗଲା ସେ ସୁମନ୍ତକ । କ’ଣ କେମିତି କହି ସେ ଲବଙ୍ଗକୁ ସନ୍ତୋଷ କରିବ, ସେ କିଛି ଠିକ୍ କରିପାରିଲାନି । ଏସବୁ ଘଟଣା ଦେଖି କେବଳ ତା ମୁଣ୍ଡଟା ବୁଲାଇ ଦେଲା ବାତଚକ୍ର ପରି ।

                ଠିକ୍ ସେତେବେଳକୁ ଲବଙ୍ଗ ଆସି ତା ମାୟା ଶାରୀଟିକୁ ଆକାଶରେ ଉଡାଇ ଦେଇଛି । ଏଣେ ସୁମନ୍ତକ ତୁଣ୍ଡରେ ଆଉ କହିବାକୁ କିଛି ଭାଷା ନାହିଁ କି ତା ଦେହରେ ସ୍ପନ୍ଦନ ବି ନାହିଁ । ଲାଜ, ଭୟ ଓ ଅବସାଦରେ ସତେ ଯେମିତି ସ୍ଥାଣୁ ପାଲଟି ଯାଇଛି ସେ ସୁମନ୍ତକ ।

                ଲବଙ୍ଗ କହିଲା – ବେହିଆଙ୍କ ମୁହଁତ ଟାଣ ହେବାର କଥା ନା । ହେଲେ ତୁମେ ଏପରି ଝାଉଁଳି ପଡୁଛ କାହିଁକି? ହଉ ହଉ ଯାହା ତ ହେବାର କଥା ହେଲା, ତୁମ କଥା ବି ଜଣାଗଲା । ଏଥର ଘରକୁ ଚାଲ । ମନେରଖ ଆଉ ଦିନେ କେବେହେଲେବି ପର ନାରୀପ୍ରତି ଦୃଷ୍ଟି ପକାଇବନି ।

                ତା’ପରେ ଦୁହେଁ ତାଙ୍କ ଘରକୁ ଯାଇ ଆରାମରେ ଶୋଇଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ