ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ବନ୍ଦୀ ରାଜଗୁରୁ

                ରାଜକୁମାର ସିନା ମିଳିଲେ ନାହିଁ, କିନ୍ତୁ ଆଉ ଜଣେ ବ୍ୟକ୍ତି ଧରା ହୋଇ ରାଜାଙ୍କ ଆଗକୁ ଅଣାହେଲେ । ତାଙ୍କୁ ଦେଖି ରାଜା ଓ ତାଙ୍କ ପାତ୍ରମିତ୍ରମାନଙ୍କର ବିସ୍ମୟର ଆଉ ସୀମା ରହିଲା ନାହିଁ । ସେ ବ୍ୟକ୍ତି ଜଣକ ହେଲେ ଲାବଣ୍ୟ ଦ୍ୱୀପର ରାଜଗୁରୁ ଦେବ ଶାସ୍ତ୍ରୀ । ଏହି ରାଜଗୁରୁଙ୍କ ଯୋଗୁଁ ଲାବଣ୍ୟଦ୍ୱୀପର ଗୌରବ । କାରଣ ସେ ଖାଲି ବିଦ୍ୱାନ୍ ନୁହଁନ୍ତି, ତାଙ୍କୁ ଅନେକ ତନ୍ତ୍ର ମନ୍ତ୍ର ବି ଜଣା ଥିଲା । ଏମିତିକି ସେ ପଶୁପକ୍ଷୀମାନଙ୍କ ଭାଷା ମଧ୍ୟ ବୁଝି ପାରୁଥିଲେ ତଥା ସେମାନଙ୍କୁ ବଶ ବି କରିପାରୁଥିଲେ ।

                ସମୁଦ୍ର କୂଳରେ ସନ୍ଦେହଜନକ ଭାବରେ ବିଚରଣ କରୁଥିବା ଅବସ୍ଥାରେ ସେ ଧରା ହେଲେ । ଫଳରେ ରାଜାଙ୍କର ଧାରଣା ହେଲା, ରାଜକୁମାର ଅଦୃଶ୍ୟ ହେବା ସହିତ ତାଙ୍କ ଶତ୍ରୁ ରାଜ୍ୟର ରାଜଗୁରୁଙ୍କର ତାଙ୍କ ଦ୍ୱୀପକୁ ଆସିବାର କିଛି ନା କିଛି ସମ୍ପର୍କ ଅବଶ୍ୟ ରହିଛି । କିନ୍ତୁ ରାଜଗୁରୁଙ୍କୁ ଜେରା କରି ବୁଝାଗଲା, ସେ ସମୁଦ୍ରରେ ଅନ୍ୟ ଏକ ଦ୍ୱୀପକୁ ରାଜକାର୍ଯ୍ୟରେ ଯିବା ବେଳେ ବୋଇତ ବୁଡିଯିବାରୁ ଦୈବାତ୍ ସେ ଆସି ନୀଳଦ୍ୱୀପରେ ପହଁଚିଥିଲେ । ରାଜା ବୁଝିଲେ ଯେ ବାସ୍ତବିକ୍ ସେ ରାଜକୁମାର ନିଖୋଜ ହେବା ବିଷୟରେ କିଛି ମଧ୍ୟ ଜାଣନ୍ତି ନାହିଁ ।

                ରାଜା ସେ ଅତିଥିଙ୍କୁ ଭଲ ଭାବରେ ସତ୍କାର କରାଇ ସୁସ୍ଥ କଲେ ଓ ତାଙ୍କୁ ଦରବାରକୁ ଆଣିଲେ ।

                ରାଜା କହିଲେ “ଦେବ ଶାସ୍ତ୍ରୀ! ଆପଣ ଯଦି ନିଜେ ମୋ ପୁଅକୁ ଅପହରଣ କରି ନାହାଁନ୍ତି, ତେବେ ଆଉ କିଏ ନେଇଛି, ସେ କଥା ଆପଣ ମନ୍ତ୍ରବିଦ୍ୟା ସାହାଯ୍ୟରେ ଜାଣି ଦୟାକରି ମୋ ପୁଅକୁ ଉଦ୍ଧାର କରନ୍ତୁ । ତାହା ନକରିବା ଯାଏଁ ଆପଣ ବନ୍ଦୀ ।”ଦେବ ଶାସ୍ତ୍ରୀଙ୍କୁ ବଗିଚାର ଗୋଟିଏ କୋଣରେ ଥିବା ଛୋଟ ପ୍ରାସାଦରେ ରଖା ହେଲା । ପ୍ରାସାଦ ସେପାରିରେ ସମୁଦ୍ର ।

                ଦେବଶାସ୍ତ୍ରୀ ଏଥର ମହାଅଡୁଆରେ ପଡିଲେ, କିନ୍ତୁ କୌଣସି ପରିସ୍ଥିତିରେ ସେ ହତାଶ ହେବା ଲୋକ ଆଦୌ ନୁହଁନ୍ତି । ଦ୍ୱିତୀୟ ଦିନ ସେ ପ୍ରାସାଦ ଛାତ ଉପରେ ବୁଲୁଛନ୍ତି, ଗୋଟିଏ ଶାଗୁଣା ଉଡିଯାଉଥିବାର ସେ ଦେଖିଲେ । ସେ ଏକ ମନ୍ତ୍ର ପଢି ତାକୁ ବଗିଚା ଭିତରକୁ ଆହ୍ୱାନ କରନ୍ତେ ସେ ଆସି ଗୋଟାଏ ଅତି ପୁରୁଣା ଗଛ ଉପରେ ବସି ପଡିଲା । ଦେବଶାସ୍ତ୍ରୀ ସଙ୍ଗେ ସଙ୍ଗେ ସେ ଗଛ ପାଖକୁ ଦୌଡିଗଲେ । ଶାଗୁଣା ବସି ପଡିବା ମାତ୍ରେ ସେ ଗଛରେ ରହିଥିବା ପକ୍ଷୀମାନେ ଛାନିଆ ହୋଇ କିଚିରି ମିଚିରି କରିବାକୁ ଆରମ୍ଭ କରିଦେଲେ । ଦେବଶାସ୍ତ୍ରୀ ତ ତାହାହିଁ ଚାହୁଁଥିଲେ ।

                ଜଣେ ପକ୍ଷୀ ତା ନିଜ ଭାଷାରେ ଏଇଆ କହୁଥାଏ ଯେ, “ଗତ କାଲି ଗଛ ତଳେ ଅଘଟଣ ଘଟିଗଲା, ଆଜି ଗଛ ଉପରେ ଅଘଟଣ!”

                ଦେବଶାସ୍ତ୍ରୀ ତତ୍କ୍ଷଣାତ୍ ଗଛ ତଳେ ତନ୍ନ ତନ୍ନ କରି ଅନୁସନ୍ଧାନ ଆରମ୍ଭ କଲେ । ସେହି ଗଛକୁ ନିବିଡ ବୁଦାମାଳ ଘେରି ରହିଥାଏ । ତାକୁ ଠେଲି ସେ ଦେଖିଲେ, ଗଛର ନିମ୍ନ ଭାଗରେ ଗୋଟାଏ କୋଟର । ସେ ସାବଧାନରେ ଅନାଇ ବୁଝି ପାରିଲେ, କୋଟରର ମୁହଁ ବିଶେଷ ବଡ ନହେଲେ ବି ତା’ଭିତରଟା ଖୁବ୍ ପ୍ରଶସ୍ତ । ସେ ଭିତରକୁ ପଶିଲେ । ତାଙ୍କ ଆଶଙ୍କା ସତ୍ୟ ପ୍ରମାଣିତ ହେଲା । କୋଟର ତଳେ ପେଣ୍ଡୁ; ଆଉ ତା’ପାଖରେ ରାଜକୁମାର ପଡିଛନ୍ତି ।

                ଦେବଶାସ୍ତ୍ରୀ ରାଜକୁମାରଙ୍କୁ ଖୁବ୍ ସନ୍ତର୍ପଣରେ ବାହାରକୁ ଆଣି ପରିଚାରକମାନଙ୍କୁ ଡାକ ପକାଇଲେ । ସେମାନେ ଦୌଡି ଆସିଲେ । ରାଜା ବି ଖବର ପାଇ ଆସିଲେ । ବଗିଚା ଭିତରର ପ୍ରାସାଦ ଭିତରକୁ ପଲଙ୍କ ଅଣା ହୋଇ ରାଜକୁମାରଙ୍କୁ ତହିଁ ଉପରେ ଶୁଆଇ ଦିଆଗଲା । ରାଜବୈଦ୍ୟ ଆସି ପରୀକ୍ଷା କରି କହିଲେ, “ଏହା ଏକ ବିଷମ ପରିସ୍ଥିତି । ରାଜକୁମାରଙ୍କ ଦେହରେ ତ ପ୍ରାଣ ରହିଛି ସତ, କିନ୍ତୁ ତାହା ଅତି କ୍ଷୀଣ ଭାବରେ । ଏଭଳି ଚେତାଶୂନ୍ୟ ଅବସ୍ଥାରୁ କେହି ବି ଚେତା ଫେରି ପାଆନ୍ତି ନାହିଁ ।”

                ରାଜା ଦେବଶାସ୍ତ୍ରୀଙ୍କୁ କହିଲେ, “ମହାଶୟ, ମୁଁ ଜାଣେ ଆପଣଙ୍କର ଅନେକ ତନ୍ତ୍ର ମନ୍ତ୍ର ଶକ୍ତି ରହିଛି । ଆପଣ ମୋ ପୁଅକୁ ବଂଚାନ୍ତୁ ।”

                ଦେବଶାସ୍ତ୍ରୀ କହିଲେ “ମହାରାଜ! ଜୀବନ ମରଣ ଉପରେ ମୋର ତ ଆଉ ହାତ ନାହିଁ । ଯଦି ରାଜକୁମାରଙ୍କ ଭାଗ୍ୟରେ ମୃତ୍ୟୁଯୋଗ ଥିବ, ତେବେ ସେଥିଲାଗି ମୋ ମନ୍ତ୍ର ବି କିଛି କାମ ଦେବ ନାହିଁ । ଆପଣଙ୍କ ବୈଦ୍ୟ ଯାହା କରିବାର କରନ୍ତୁ । ଏଥର ମୋତେ ମୋ ରାଜ୍ୟକୁ ଯିବାକୁ ଦିଅନ୍ତୁ ।”

                ଏକଥା ଶୁଣି ରାଜା କହିଲେ, “ଅସମ୍ଭବ । ରାଜକୁମାରଙ୍କ ଚେତା ଫେରାଇ ଆଣି ନପାରିଲେ ଆପଣ ଏଠାରେ ଚିରକାଳ ବନ୍ଦୀ ହୋଇ ରହିବେ ।”

                ସେଦିନ ଉପରଓଳି ବଗିଚା ଭିତରେ ବସି ଦେବଶାସ୍ତ୍ରୀ ଧ୍ୟାନ କରୁଥାନ୍ତି, ଧ୍ୟାନ ପରେ ସେ ଦେଖିଲେ, ଯୋଡିଏ ମାଙ୍କଡ ବୁଦାମାଳ ଭିତରେ ଯେମିତି ଲୁଚୁକାଳି ଖେଳୁଛନ୍ତି । ହଠାତ୍ ଗୋଟାଏ ମାଙ୍କଡ ଚିତ୍କାର କରି କଚାଡି ହୋଇ ପଡିଲା । ଦେବ ଶାସ୍ତ୍ରୀ ଦେଖିଲେ, ତାକୁ ଗୋଟାଏ ବିଷାକ୍ତ ସାପ ଦଂଶନ କରି ଲୁଚିଗଲା ।

                ମୂର୍ଚ୍ଛିତ ମାଙ୍କଡ ଚାରିପଟେ କିଛି ସମୟ ବୁଲି ଅନ୍ୟ ମାଙ୍କଡଟି କୁଆଡେ ଚାଲିଗଲା । କିଛି ସମୟ ପରେ ସେ ଖଣ୍ଡିଏ ଚେର ଧରି ଆସି ତାକୁ ଦୁଇ ହାତରେ ଦଳି ମକଚି ମୂର୍ଚ୍ଛିତ ମାଙ୍କଡର ନାକ ପାଖରେ ଧରିଲା ଓ ତା’ ମୁଣ୍ଡରେ କେତେଥର ଫୁଙ୍କିଲା । ଚାହୁଁ ଚାହୁଁ ତାର ଚେତା ଫେରି ଆସିଲା । ଏହାପେରେ ସେ ଉଠିବସିଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ