ଦେବଶାସ୍ତ୍ରୀ ଆବଶ୍ୟକ ମନ୍ତ୍ର ଉଚ୍ଚାରଣ କରି ଚେର ଧରିଥିବା ସେହି ମାଙ୍କଡଟିକୁ ଡାକିଲେ । ସେ ଆସି ତାଙ୍କୁ ଉଦ୍ବୃତ ଚେର ସମର୍ପି ଦେଲା । ଦେବଶାସ୍ତ୍ରୀ ତାହା ନେଇ ଯାଇ ରାଜକୁମାରଙ୍କ ନାକ ପାଖରେ ଧରିଲେ ଓ ତାଙ୍କ ମୁଣ୍ଡ ଫୁଙ୍କିଲେ । ଫଳରେ ସେ ରାଜକୁମାରଙ୍କ ଚେତା ଫେରି ଆସିଲା । ସେ କ୍ରମେ ସୁସ୍ଥ ହେଲେ । ଏହି ଖୁସିରେ ଆନନ୍ଦରେ ରାଜଧାନୀରେ ଉତ୍ସବ ଲାଗିଗଲା ।
ରାଜା ଦେବଶାସ୍ତ୍ରୀଙ୍କୁ ବହୁ ଧନରତ୍ନ ଯାଚିଲେ । କିନ୍ତୁ ଦେବଶାସ୍ତ୍ରୀ କହିଲେ, “ମୋର ଏସବୁ କିଛି ବି ଲୋଡା ନାହିଁ । ଖାଲି ଗୋଟାଏ ନୌକାର ବ୍ୟବସ୍ଥା କରି ମୋ ରାଜ୍ୟକୁ ମୋତେ ପଠାଇ ଦିଅନ୍ତୁ ।”
ରାଜା ଶୁଣାଇଦେଲେ “ଦେବଶାସ୍ତ୍ରୀ! ତାହା ତ ହୋଇ ପାରିବ ନାହିଁ । ତୁମେ ଯେତେ ଅସାଧାରଣ ମନ୍ତ୍ର ତନ୍ତ୍ର ଜାଣ, ସେସବୁ ରାଜକୁମାରଙ୍କୁ ଆଗେ ଶିଖାଇ ଦିଅ । ତା’ପରେ ଯାଇ ତୁମେ ଏଠାରୁ ମୁକ୍ତି ପାଇବ ।”
ଦେବ ଶାସ୍ତ୍ରୀ ଯେତେ ମିନତି କଲେ ବି କୌଣସି ଫଳ ମିଳିଲା ନାହିଁ । ଅଗତ୍ୟା ସେ ରାଜକୁମାରଙ୍କୁ ତାଙ୍କ ବିଦ୍ୟା ଶିଖାଇବାକୁ ଲାଗିଲେ । ରାଜକୁମାରଙ୍କ ସ୍ମରଣ ଶକ୍ତି ତୀବ୍ର । ତେଣୁ ସେ ଛଅମାସ ଭିତରେ ସବୁ ଶିଖିଗଲେ । ରାଜା ତାଙ୍କ ପରୀକ୍ଷା ନେଇ ସନ୍ତୁଷ୍ଟ ହେଲେ ।
ଅବଶେଷରେ ଦେବଶାସ୍ତ୍ରୀଙ୍କୁ ବିଦାୟ ଦିଆଗଲା । ନୌକାରେ ବହୁଧନରତ୍ନ ଦେଇ ରାଜା, ରାଣୀ ଓ ରାଜକୁମାର ତାଙ୍କୁ ବିଦାୟ ଦେବାବେଳେ ଦେବଶାସ୍ତ୍ରୀ ରାଜକୁମାରଙ୍କୁ କହିଲେ, “ମୁଁ ତମକୁ ଆଉ ଗୋଟାଏ ଛୋଟ ମନ୍ତ୍ର ଶିଖାଇବି । ଏହି ଗୋଟିକ ଦ୍ୱାରା ଉଭୟ ରାଜ୍ୟ ଭିତରେ ସଂଘର୍ଷ ନିବାରିତ ହେବ । ତମେ ଆଞ୍ଜୁଳାରେ ପାଣି ଧର । ମୋ ନୌକା ଅଦୃଶ୍ୟ ହୋଇଗଲେ ଯାଇ ପାଣି ବିସର୍ଜନ ଦେବ ।”
ରାଜକୁମାର ପାଣି ଧରିଲେ । ଶାସ୍ତ୍ରୀ ତାଙ୍କ କାନରେ ଛୋଟ ମନ୍ତ୍ରଟିଏ କହି ଚାଲିଗଲେ । ନୌକା ଅଦୃଶ୍ୟ ହେବା ପରେ ରାଜକୁମାର ପାଣି ବିସର୍ଜନ ଦେଲେ । ପରେ ପରେ ସେ ବୁଝିଲେ, ସେ ଯେ ଖାଲି ସେ ଛୋଟିଆ ମନ୍ତ୍ରଟି ଭୁଲି ଯାଇଛନ୍ତି, ସେତିକି ନୁହେଁ, ବରଂ ଦେବଶାସ୍ତ୍ରୀଙ୍କଠୁଁ ଶିଖିଥିବା ସବୁ ବିଦ୍ୟା ସେ ପାଶୋରି ଦେଇଛନ୍ତି ।
କାହାଣୀଟି ଶେଷ କରି ବେତାଳ ଦୃପ୍ତ କଣ୍ଠରେ କହିଲା, “ରାଜା! ଦେବଶାସ୍ତ୍ରୀ ଜ୍ଞାନୀ ଓ ଗୁଣୀ । କିନ୍ତୁ ତା’ ସଙ୍ଗେ ସଙ୍ଗେ ଶଠ, ଏଥିରେ ତ କୌଣସି ସନ୍ଦେହ ନାହିଁ । ସେ ଯାହାହେଉ, ସେ ରାଜକୁମାରଙ୍କୁ ଶେଷ ମନ୍ତ୍ର ଶିଖାଇବା ବେଳେ ତାହାଦ୍ୱାରା ଉଭୟ ରାଜ୍ୟ ଭିତରେ ସଂଘର୍ଷ ନିବାରିତ ହେବ ବୋଲି କହିବାର ଅର୍ଥ କ’ଣ? ପାରିଲେ ଏହାର ଉତ୍ତର ଦିଅ । ଉତ୍ତର ଜାଣି ମଧ୍ୟ ନୀରବ ରହିଲେ ତୁମ ଶିର ଏହିକ୍ଷଣି ସ୍କନ୍ଧଚ୍ୟୁତ ହେବ ।”
କାଳକ୍ଷେପଣ ନକରି ରାଜା ବିକ୍ରମାର୍କ ଉତ୍ତର ଦେଲେ, “ଦେବଶାସ୍ତ୍ରୀଙ୍କୁ ଶଠ ବୋଲି କହିବା ଅନ୍ୟାୟ । ରାଜକୁମାରଙ୍କୁ ସେ ଆବିଷ୍କାର କଲେ, ସେ ତାଙ୍କୁ ପ୍ରାଣଦାନ ଦେଲେ । ଏତିକିରେ ରାଜା ତାଙ୍କ ପ୍ରତି ଗଭୀର କୃତଜ୍ଞ ହେବା ଉଚିତ୍ । କିନ୍ତୁ ତାଙ୍କ ଅସହାୟତାର ସୁଯୋଗ ନେଇ ରାଜା ତାଙ୍କ ଜ୍ଞାନ ଶୋଷଣ କଲେ । ଦେବଶାସ୍ତ୍ରୀ ସେ ଜ୍ଞାନ ଫେରାଇ ନେଇ ଆଦୌ କିଛିବି ଅନ୍ୟାୟ କରି ନାହାଁନ୍ତି । ବାକି ରହିଲା ଉଭୟ ରାଜ୍ୟ ଭିତରେ ସଂଘର୍ଷ ନିବାରିତ ହେବା କଥା । ନୀଳ ଦ୍ୱୀପ ଅଧିକ ଶକ୍ତିଶାଳୀ ହୋଇ ମଧ୍ୟ ଲାବଣ୍ୟଦ୍ୱୀପ ଆକ୍ରମଣ ନ କରିବାର କାରଣ, ଲାବଣ୍ୟଦ୍ୱୀପର ରାଜପୁରୋହିତଙ୍କୁ ବହୁ ତନ୍ତ୍ର ମନ୍ତ୍ର ଜଣାଥିଲା । ସେସବୁ ତନ୍ତ୍ର ମନ୍ତ୍ର ନୀଳଦ୍ୱୀପର ରାଜକୁମାର ଜାଣିଗଲେ ଆଉ ଲାବଣ୍ୟଦ୍ୱୀପକୁ ଭୟ କରିବାର କୌଣସି ବି କାରଣ ରହିବ ନାହିଁ ଓ ନୀଳ ଦ୍ୱୀପ ଲାବଣ୍ୟଦ୍ୱୀପ ଆକ୍ରମଣ କରିବ । ସେ ଦୃଷ୍ଟିରୁ ଦେବଶାସ୍ତ୍ରୀ ରାଜକୁମାରଙ୍କୁ ମନ୍ତ୍ର ତନ୍ତ୍ର ଭୁଲାଇ ଦେଇ ତାଙ୍କର ପୂର୍ବାବସ୍ଥା ଅତୁଟ ରଖିଲେ ।”
ରାଜାଙ୍କର ମୌନ ଭଙ୍ଗ ହୁଅନ୍ତେ ପୂର୍ବ ସର୍ତ୍ତ ଅନୁସାରେ ବେତାଳ ତାଙ୍କ କାନ୍ଧରୁ ଖସିଯାଇ ପୁଣି ପୂର୍ବୋକ୍ତ ବୃକ୍ଷରେ ଝୁଲି ପଡିଲା ।