ହଂଙ୍କ ନଗରୀଟି ଜନବହୁଳତା ଓ ସୌନ୍ଦର୍ଯ୍ୟ ପାଇଁ ପୃଥିବୀ ବିଖ୍ୟାତ । ଏହା ଦ୍ୱୀପରେ ଅବସ୍ଥିତ ଯେପରି ଏକ ସ୍ୱତନ୍ତ୍ର କ୍ଷୁଦ୍ର ଦେଶ । ଏହା ବ୍ରିଟେନ୍ ଅଧିକୃତ ଏକ ଉପନିବେଶ । ତୁମେ ଯଦି ଏସିଆର ମାନଚିତ୍ର ଦେଖିବ, ତେବେ ଦେଖିବ ଯେ ଏହା ଚାଇନାର ଗୋଟିଏ ଅଂଶ । ତେବେ ଏହା କିପରି ବ୍ରିଟିଶ୍ମାନଙ୍କ ଅଧିକାରକୁ ଆସିଲା? ଅନେକ ବର୍ଷ ଧରି ବ୍ରିଟିଶ୍ମାନେ ଚାଇନାକୁ ଅଫିମ ରପ୍ତାନି କରି ଅମାପ ଧନ ରୋଜଗାର କରୁଥିଲେ । ୧୮୪୧ ମସିହାରେ ଚୀନା ସରକାର ଅଫିମ ଆମଦାନୀ କରିବା ବନ୍ଦ କରିଦେଲେ । ଏଥିରେ ବ୍ରିଟିଶ୍ମାନେ ରାଗିଗଲେ ଓ ହଂଙ୍କ ସହରକୁ ଅଧିକାର କରିନେଲେ । ବ୍ରିଟିଶ୍ମାନେ ଜାଣିଥିଲେ ଯେ ସେମାନେ ତଦ୍ୱାରା କିଛି ଭଲ କାମ କଲେନାହିଁ, ଦୁଇଦେଶର ଲୋକଙ୍କ ମଧ୍ୟରେ ଝଗଡା ଲାଗୁଥିଲା । ତେବେ କେତେକ ପ୍ରଧାନ ବ୍ୟକ୍ତି ଦୁଇଦଳରୁ ଆସି କିଛି ଆଲୋଚନା କରିବା ପରେ ଏହି ସର୍ତ୍ତରେ ଦୁହେଁ ରାଜି ହେଲେ ଯେ ବ୍ରିଟିଶ୍ମାନେ ଏକଶତ ବର୍ଷ ପାଇଁ ହଂଙ୍କକୁ ବନ୍ଧନ ଭାବରେ ନିଜ ଅଧିକାରରେ ରଖିବେ । ସେହି ଶହେବର୍ଷ ଏବେ ୧୯୯୭ ମସିହାରେ ପୁରିଯାଉଛି ଚାଇନା ଆଉ ତାକୁ ଅଧିକ ଦିନ ବନ୍ଧକ ରଖିବ ନାହିଁ । ସେ ତାକୁ ଆଇନତଃ ନିଜ ଦେଶ ସହିତ ମିଶାଇ ନେବ ।
ଏବେ ହଂଙ୍କ ପୃଥିବୀର ପ୍ରଧାନ କର୍ମବ୍ୟସ୍ତ ନଗରୀମାନଙ୍କ ମଧ୍ୟରୁ ଅନ୍ୟତମ । ବ୍ୟବସାୟ ବାଣିଜ୍ୟରେ ତାହା ସମୃଦ୍ଧିଶାଳୀ । ଉଚ୍ଚ ଅଟ୍ଟାଳିକା ଓ ସୌଧମାଳାରେ ପୂର୍ଣ୍ଣ ଏହି ନଗରୀର ଜୀବନ ଧାରା ଅତ୍ୟନ୍ତ ଐଶ୍ୱର୍ଯ୍ୟପୂର୍ଣ୍ଣ; ପୁଣି ଆଧୁନିକ ବିଜ୍ଞାନର ସମସ୍ତ ପ୍ରକାର ଅଗ୍ରଗତି ଏଠାରେ ହେଉଛି । ଏହା ମୂଳ ଚାଇନାଠାରୁ ସଂପୂର୍ଣ୍ଣ ଭିନ୍ନ ।
ଚାଇନାର କମ୍ୟୁନିଷ୍ଟ ସରକାର କ’ଣ ଏହାକୁ ସେହିପରି ସ୍ୱାଧିନ ଭାବରେ ବାଣିଜ୍ୟ କରିବାକୁ ଛାଡିଦେବ? ଯାହା କମ୍ୟୁନିଜ୍ମ୍ର ପ୍ରକୃତି ସହିତ ଏକବାରେ ଯାଉନାହିଁ । ଚାଇନାର ସରକାର କହନ୍ତି ଯେ ହଂଙ୍କକୁ ସେମାନେ ପୂର୍ବପରିହିଁ ରଖିବେ । କିନ୍ତୁ ହଂଙ୍କର ବଡ ବଡ ବାଣିଜ୍ୟକାରୀ ବା ବ୍ୟବସାୟୀମାନେ ଏସବୁ ଆଦୌ ବିଶ୍ୱାସ କରନ୍ତି ନାହିଁ । ତେଣୁ ଅନାଗତ ଭବିଷ୍ୟତକୁ ଅପେକ୍ଷା ନକରି ସେମାନେ ନିଜ ନିଜର ବ୍ୟବସାୟକୁ ସିଙ୍ଗାପୁର, ବ୍ୟାଙ୍ଗକକ୍, ତାଇପେଇ ବା ମାନିଲା ପରି ସହରମାନଙ୍କୁ ଉଠାଇ ନେଇ ଯାଉଛନ୍ତି ।