ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ବନ୍ଧୁତା

ମଦନପୁର ଗ୍ରାମନିବାସୀ ମୋତିରାମ ଖୁବ୍ ସୌଖୀନ ସ୍ୱଭାବର ଲୋକ, ଖୁବ୍ ଭଦ୍ର ଭାବରେ ସେ କଥାବାର୍ତ୍ତା କରନ୍ତି ଓ ସମସ୍ତିଙ୍କୁ ସାହାଯ୍ୟ ସହାନୁଭୂତି ମଧ୍ୟ କରନ୍ତି । କିନ୍ତୁ ବିବାହ ପରେ ତାଙ୍କର ଏସବୁ ବ୍ୟବହାର ପ୍ରାୟ ବନ୍ଦ ହୋଇଗଲା । ପତ୍ନୀ ଈଶ୍ୱରୀ, କାହା ସହିତ ମିଳିମିଶି ଚଳିବାକୁ ଆଦୌ ପସନ୍ଦ କରନ୍ତି ନାହିଁ । ପ୍ରତ୍ୟେକ କଥାରେ ସେ ଖାଲି ଭୟ, ସନ୍ଦେହ ଓ ଓଲଟା ବୁଝନ୍ତି । ସବୁ ଦୁର୍ଗୁଣ ସହିତ ସେ ବଡ କଞ୍ଜୁସ୍ ଥିଲା । ତଥାପି ମୋତିରାମ ନିଜ ସ୍ତ୍ରୀର ସ୍ୱଭାବ ପରିବର୍ତ୍ତନ କରିବା ପାଇଁ ଯଥାସାଧ୍ୟ ଚେଷ୍ଟା କରୁଥା’ନ୍ତି ।

ସୀତାରାମ ଓ ମୋତିରାମ ପିଲାବେଳରୁ ସାଙ୍ଗ । ଦିନେ ସେ ମୋତିରାମଙ୍କ ଘରକୁ ଆସି କହିଲେ, “କଥା କ’ଣ କି ମୋର ପାଖ ଗ୍ରାମରେ କିଛି କାମ ଅଛି । ଭାବିଲି ପିଲାଦିନର ସାଙ୍ଗକୁ ଟିକିଏ ଯାଇ ଦେଖିଆସେ । ତୋ ସହିତ ସପ୍ତାହେ ଖଣ୍ଡେ ରହି ପୁରୁଣା ସ୍ମୃତିସବୁ ମନେପକାଇବା । ବହୁତ ମଜା ହେବ ।” ଦୁହେଁ ଖୁବ୍ ସାଙ୍ଗଥିଲେ ମୋତିରାମଙ୍କର ମଜା କଥା ଶୁଣିବାକୁ ଏବେ ମଧ୍ୟ ସୀତାରାମ ଭାରି ଭଲ ପାଏ । ସୀତାରାମ ଧନୀକର ପୁଅ ଥିଲେ; ତେଣୁ ମୋତିରାମଙ୍କର ଦରକାର ପଡିଲେ ସେ ତାଙ୍କୁ ବହୁତ ପ୍ରକାରେ ସହୟତା କରୁଥିଲେ । ସେ ବଡ ହୋଇଯିବା ପରେ ସହରରେ ବ୍ୟବସାୟ କରି ଏବେ କୋଟିପତି ହେଲେଣି ।

ସୀତାରାମଙ୍କର ଘରେ ରହିବା କଥା ଶୁଣି ଈଶ୍ୱରୀକୁ ମୋଟେ ଭଲ ଲାଗିଲା ନାହିଁ । ସେ ତା’ ସ୍ୱାମୀଙ୍କୁ କହିଲା, “ତା’ର ଯଦି ବହୁତ ପଇସା ଅଛି, ତେବେ ସେ ଭଲ ସ୍ଥାନରେ ନରହି ଆମଘରେ ରହିବ କାହିଁକି? ସେ ଏଠାରେ ରହିବାର କାରଣ କଞ୍ଜୁସ୍ ପଣିଆରୁ ନା ମିତ୍ରତା ଯୋଗୁଁ? ମୋତେ ଲାଗୁଛି ଏସବୁ ଗୋଟେଗୋଟେ ବାହାନା, ଦିନେ ଦିଦିନେ ରହିବ ତ ଭଲ, ପୁଣି ସପ୍ତାହେ ପର୍ଯ୍ୟନ୍ତ କାହିଁକି । ଯିଏ ସିଏ ଆସିଲେ ମୁଁ ବସି ତା’ପାଇଁ ଖାଦ୍ୟ ତିଆରି କରି ତାକୁ ଖୁଆଇବି ନା କ’ଣ?” ତା’ର ଭୟ ଥିଲା ଭଲ ଖାଦ୍ୟ ଖୁଆଇଲେ ସେ ପୁଣି ବେଶିଦିନ ରହିଯିବ । ତେଣୁ ସେ ଅଳ୍ପ କିଛି ଖାଦ୍ୟ ବନାଇ ଦେଉଥିଲା । କାରଣ ସେ ଚାହୁଁଥିଲା ଏପରି କଲେ ସେ ଅତିଥି ଶୀଘ୍ର ଏହି ସ୍ଥାନ ଛାଡି ପଳାଇବ । ସୀତାରାମ ଏକଥାକୁ ମୋଟେ ଖାତିର୍ କଲେ ନାହିଁ, ଯାହା ଖାଇବାକୁ ଦେଲେ ମଧ୍ୟ ସେ ତା’କୁ ଅତି ଆନନ୍ଦରେ ଖା’ନ୍ତି । ତା’ପରେ ସେ ଦୁଇବନ୍ଧୁ ଅଧରାତି ପର୍ଯ୍ୟନ୍ତ ଗଳ୍ପ କରନ୍ତି । କଥା କହୁ କହୁ ସୀତାରାମ ହାହା ହୋଇ ଅଟ୍ଟହାସ କରନ୍ତି ଓ ହଠାତ୍ ଚିତ୍କାର କରି କଥା କହନ୍ତି । ସେସବୁ କଥା ଈଶ୍ୱରୀକୁ ଆଦୌ ଭଲ ଲାଗୁ ନଥାଏ ।

ଯେଉଁଦିନ ସୀତାରାମ ସେଠାରୁ ଗଲେ, ସେଦିନ ସେ ଈଶ୍ୱରୀକୁ ଡାକି କହିଲେ, “ମୁଁ ମୋର ସାଙ୍ଗ ପାଖକୁ ଦେଖାକରିବାକୁ ଆସିଥିଲି । ମୋର ଏଠାରେ ରହିବା ସମୟତକ ତୁମକୁ ବଡ ହଇରାଣ ହେବାକୁ ପଡିଥିବ । ତମେ ମୋତେ ଯେତେ ସବୁ ଜିନିଷ ଖାଇବାକୁ ଦେଲ, ତାହା ତ ମୁଁ ମୋର ଏଜନ୍ମରେ କେବେବି ଭୁଲି ପାରିବି ନାହିଁ । ତୁମର ଆତିଥ୍ୟ ମୋର ବନ୍ଧୁର ବନ୍ଧୁତା ଅପେକ୍ଷା ମଧ୍ୟ ଆହୁରି ଅଧିକ ଉତ୍ତମ । ଆସିବାବେଳେ ମୁଁ ମୋର ସାଙ୍ଗ ପାଇଁ କିଛି ଆଣିଥିଲି । କିନ୍ତୁ ଏହା ଉପରେ ତୁମର ବେଶି ଅଧିକାର ।” ଏତିକି କହି ସେ ହୀରାର ମୁଦିଟିଏ ତାଙ୍କୁ ଦେଲେ ।

ସୀତାରାମ ଈଶ୍ୱରୀକୁ କହିଲେ, “ଆମର ସହରରେ ଦେଖିବା ପାଇଁ ଅନେକ ବିଚିତ୍ର କଥା ସବୁ ଅଛି । ତମେ ଦୁହେଁ ଆମ ସହରକୁ ଥରେ ଆସ ବୋଲି ମୋର ଖୁବ୍ ଇଚ୍ଛା । ଥରେ ସେଠାରେ ଆମଘରେ କିଛିଦିନ ରହିଲେ ମୁଁ ମୋ ନିଜକୁ ଭାଗ୍ୟବାନ ଭାବନ୍ତି । ସାଙ୍ଗ ଚାଲିଯିବା ପରେ ମୋତିରାମ ତାଙ୍କ ସ୍ତ୍ରୀକୁ କହିଲେ, “ଏବେ ତା’ର ମିତ୍ରତା ଦେଖିଲ ତ? ଏବେ ଅନ୍ତତଃ ତମେ ଆମ ବନ୍ଧୁତ୍ୱ ବିଷୟରେ ନିଶ୍ଚୟ ଜାଣି ପାରୁଥିବ ।”


ଗପ ସାରଣୀ

ତାଲିକାଭୁକ୍ତ ଗପ