ଏହି କଥାରୁ ଶିବ ରାଗି ଯାଇ ପଚାରିଲା “ତା’ହେଲେ ତମେ କ’ଣ କହୁଛ ତୁମ ଫସଲ ମୋରି ନଜର ଲାଗିବାରୁ ଖରାପ ହୋଇଗଲା?”
ଅଶୋକ କହିଲା “ନାଁ ମୁଁ ତ ସେକଥା କହିନାହିଁ । ତମେହିଁ କହିଲ ଆମମାନଙ୍କର ନଜର ଲାଗିବା ଭୟରେ ତମେ ଭୋଜି ଦେଉଛ ।”
ଏଇ କଥାକୁ ନେଇ କ୍ରମେ ସେ ଦୁହିଁଙ୍କ ମଧ୍ୟରେ ଝଗଡା ଆରମ୍ଭ ହେଲା ଓ ଦୁହେଁ ରାଗିଉଠି ପରସ୍ପରକୁ ଦାବନ ଦେବାରେ ଲାଗିଲେ । ସେମାନଙ୍କ ପାଟି ଶୁଣି ନିମନ୍ତ୍ରିତ ଭଦ୍ରବ୍ୟକ୍ତିଗଣ ଚାରିପଟେ ଜମା ହୋଇଗଲେ । ଶଙ୍କର ଶୀଘ୍ର ସେଠାକୁ ଯାଇ ଶିବକୁ ଗୋଟାଏ ପଟକୁ ଟାଣି ନେଇ କହିଲା, “ଶିବ, ଏ ଘର ତୋର, ତୁ ସେମାନଙ୍କୁ ଖାଇବାକୁ ଡାକିଛୁ । ତୁ ଏପରି ରାଗିବା ମୋଟେ ଶୋଭାପାଏ ନାହିଁ । ଟିକିଏ ସହିଗଲେ କ’ଣ ହୁଅନ୍ତା ନାହିଁ? ଏଇ ଛୋଟ କଥାକୁ ନେଇ ଗୋଟାଏ ଆନନ୍ଦ ଦିନରେ ଏପରି ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରିବା କ’ଣ ସୁନ୍ଦର ହେଉଛି? ତୁମ ଦୁହିଁଙ୍କ ଭିତରେ ଯଦି ପୂର୍ବରୁ କିଛି ଶତ୍ରୁତା ଥାଏ ତେବେ ଏ କ୍ଷେତ୍ରରେ ସେସବୁ ବରଂ ଭୁଲିଯିବା ଉଚିତ୍ ।”
ଶଙ୍କରର ଏପରି କଥାରେ ସମସ୍ତେ ଖୁସି ହେଲେ ଓ ଶଙ୍କରକୁ ଭୂୟସି ପ୍ରଶଂସା କଲେ । ଝଗଡା ତ ବନ୍ଦ ହୋଇଗଲା । କିନ୍ତୁ ଶିବ ତା’ ମନ ଭିତରେ ଏକଥା ଗଣ୍ଠି କରି ରଖିଲା । ଭୋଜି ଶେଷ ହେବା ପରେ ଶିବ ଆଉ ଶଙ୍କର ସହିତ କଥାବାର୍ତ୍ତା କଲାନାହିଁ । ଯେଉଁଠି ଶଙ୍କରକୁ ଦେଖେ ମୁହଁ ବୁଲାଇ ସେ ଚାଲିଯାଏ । ଏମିତି କେତେଦିନ ଚାଲିଗଲା । ଦିନେ ଶଙ୍କର ଶିବ ଘରେ ପହଁଚି ଶିବର ସ୍ତ୍ରୀକୁ ପଚାରିଲା, “ଭାଉଜ, ଶିବ ମୋତେ ଦେଖିଲେ ମୁହଁ ବୁଲାଇ ଚାଲି ଯାଉଛି, କିଛି ବି କଥା କହୁନି, କ’ଣ ହୋଇଛି?”
ତହୁଁ ଶିବର ସ୍ତ୍ରୀ କହିଲା, “ସେ ତୁମ ଉପରେ ରାଗିଛନ୍ତି । ସେଦିନ ସବୁ ଭଦ୍ରଲୋକଙ୍କ ଆଗରେ ତମେ ତାଙ୍କ ବ୍ୟବହାର ପସନ୍ଦ ନ କରି ଉପଦେଶ ଦେଲ ବୋଲି ତାଙ୍କୁ ବହୁତ ଅପମାନ ହେଲା । ତେଣୁ ତୁମପ୍ରତି ସେ ଏପରି ବ୍ୟବହାର କରୁଛନ୍ତି ।”
ସବୁକଥା ଶୁଣି ଶଙ୍କର ଦୁଃଖିତ ହୋଇ କହିଲା “ଆଚ୍ଛା, ତେବେ ଏପରି କଥା? ଆମର କେତେ ଦିନର ବନ୍ଧୁତ୍ୱକୁ ଏପରି ଏଇ ଟିକିଏ କଥାରେ ସେ ଭାଙ୍ଗି ଦେବାକୁ ଚାହୁଁଛି ପୁଣି ଅନ୍ୟ ଲୋକର କଥାରେ? ସିଏ ନିଜେ ମତେ ଦୁଇଟା ମାରିଥିଲେ ମଧ୍ୟ ମୁଁ ସହିଥା’ନ୍ତି ଏକଥା କ’ଣ ସେ ଜାଣେନାହିଁ?”