ଶିବ କହିଲା “ସାଧୁବାବା, ଏସବୁ କଥା କିଏ ମୋ ନାମରେ ଆପଣଙ୍କୁ କହିଲା? ଯେଉଁମାନେ ମୋ ପ୍ରତି ଇର୍ଷୁକ ସେମାନେ ମୋତେ ସହି ପାରନ୍ତି ନାହିଁ । ମୁଁ କିନ୍ତୁ ସମସ୍ତଙ୍କ ପ୍ରତି ସହାନୁଭୂତିଶୀଳ ।”
ଏହା ଶୁଣି ସାଧୁ କହିଲେ “ଆଚ୍ଛା, ତୁମ କଥା ଯଦି ଠିକ୍ ହୋଇଥାଏ ତେବେ ତୁମେ ତୁମ ବନ୍ଧୁଙ୍କ ସହିତ ଝଗଡା କରି କାହିଁକି ଅଲଗା ରହିଛ? ଶିବ ମନ୍ଦିର ଏତେ ଦୂର । ସେଥିରେ ପୁଣି ପାଷାଣ ପ୍ରତିମା ତମେ ବିଶ୍ୱାସ କରି ଷୋଳକୋଶ ଦଉଡିଗଲ । ମୁଁ ଜଣେ ଅପରିଚିତ ବ୍ୟକ୍ତି ମୋତେ ବିଶ୍ୱାସ କରି ମୋ କଥା ମାନିଗଲ । ଆଉ ପିଲାବେଳରୁ ଗଢି ଉଠିଥିବା ବନ୍ଧୁତା ତମେ ଏତେ ଶୀଘ୍ର ଏଇ କଥା ଟିକିଏରେ କାଟି ଦେଇ ପାରିଲ? ଏଇ କ’ଣ ତମର ସହନଶୀଳତାର ପରିଚୟ?”
ତାଙ୍କ କଥା ଶୁଣି ଶିବ କହିଲା “ସାଧୁବାବା, ଆପଣ ଯଦି ମୋର ସହନଶୀଳତାର ପ୍ରମାଣ ନେବାକୁ ଚାହାଁନ୍ତି ତେବେ ଆଦେଶ କରନ୍ତୁ ମୁଁ ତାହା କାର୍ଯ୍ୟରେ କରି ଦେଖାଇ ଦେବି ।”
ସାଧୁ କହିଲେ “ମୁଁ ଶୁଣିଲି ତମେ ତମର ଜଣେ ଶୁଭାକାଂକ୍ଷୀ ବନ୍ଧୁଙ୍କ ସହ ଝଗଡା କରି ତାଙ୍କ ସହିତ ବନ୍ଧୁତ୍ୱ କଟାଇ ଦେଇଛ । ତମର ଯଦି ଦମ୍ଭ ଓ ଅଭିମାନ ନଥାଏ, ତେବେ ତା’ ଘରକୁ ଯାଇ ତା’ ପାଖରେ କ୍ଷମା ପ୍ରାର୍ଥନା କରି ମିଳାମିଶା ହୋଇଯାଅ, ନହେଲେ ପୁଅର ଔଷଧ ଯମାରୁ କାଟୁ କରିବ ନାହିଁ ।”
ଏଭଳି କଥା ଶୁଣି ଶିବ କହିଲା “ତାହେଲେ ଠିକ୍ ଅଛି, ପୁଅର ଜୀବନ ରକ୍ଷା ପାଇଁ ମୁଁ ସବୁ କିଛି କରିପାରେ । ଦେଖନ୍ତୁ ମୁଁ ଏବେ ଯାଇ ସବୁ ଠିକ୍ କରି ଦେଉଛି ।”
“ନା, ନା, ଶିବ ତମେ ଯଥେଷ୍ଟ ରାସ୍ତା ଯାଇ ଫେରିଛ, ତମକୁ ଦୂରକୁ ପଠାଇ କଷ୍ଟଦେବା ମୋର ଇଚ୍ଛା ନୁହେଁ । ପ୍ରମାଣ ଏଇଠି ହିଁ ହେବ । ଆସ ।” ଏତିକି କହି ସେ ସାଧୁ ତାଙ୍କ ମୁହଁରୁ ମିଛ ଦାଢିନିଶ କାଢିଦେଲେ । କହିବା ବାହୁଲ୍ୟ, ଶଙ୍କରହିଁ ସାଧୁବାବାର ଛଦ୍ମବେଶରେ ସେଠାକୁ ଆସିଥିଲା ।
ଶିବ ଶଙ୍କରକୁ ଦେଖି ଆଶ୍ଚର୍ଯ୍ୟ ହୋଇ ପଚାରିଲା, “ଆରେ ତୁ?” କହି ଆନନ୍ଦରେ ଆସି ଶଙ୍କରକୁ ସେ କୁଣ୍ଡାଇ ପକାଇଲା ଓ କହିଲା, “ମୋତେ ଭାଇ କ୍ଷମାକର । ସବୁ ମୋରି ଦୋଷ । ଏବେ ପୁଅକୁ ବଂଚାଇ ଦେ ।”
“ପାଗଳ ହେଲୁ ନା କ’ଣ? ତୋତେ ବାଟକୁ ଆଣିବାକୁ ମୁଁ ଓ ଭାଉଜ ଏ ନାଟକ ରଚନା କରିଥିଲୁ । ପୁଅ ତିନିଦିନ ହେଲା ମୋ ଔଷଧରେ ପୁରା ଭଲ ହେଲାଣି । ମୋ କଥା ମାନି ସେ ଯାହା ଖାଲି ଶୋଇ ରହିଛି ।” ଏହା କହି ଶଙ୍କର ପୁଅକୁ ଚାହିଁ କହିଲା, “ବାପ ମୁନ୍ନା, ଏଥର ଉଠି ଆସ ତ । ତୋର ପାରିଶ୍ରମିକ ଚକୋଲେଟ ନେଇ ଯା । ଏବେ ତୋର ଭୂମିକା ଶେଷ ।”
ଏକ ସମୟରେ ଶିବ, ତା’ସ୍ତ୍ରୀ, ଶଙ୍କର ଓ ମୁନ୍ନା ସମସ୍ତେ ହୋ ହୋ କରି ହସି ଉଠିଲେ । ପୁଣି ସେ ଦୁହଁଙ୍କର ମିତ୍ରତା ଗଢି ଉଠିଲା, ଏଥରକ ସେମାନଙ୍କ ମିତ୍ରତା ଆଉ କେବେ ବି ଭାଙ୍ଗିବାର କେହି ଦେଖିନି । ଦୁହେଁ ଜୀବନ ସାରା ବନ୍ଧୁ ହୋଇ ଖୁସିରେ ରହିଲେ ।